
ଜଗତସିଂହପୁର (ଓଡ଼ିଶା ରିପୋର୍ଟର): ଜଗତସିଂହପୁର ଜିଲ୍ଲାର ଏରସମାରେ ଚଳିତବର୍ଷ ରାବଣପୋଡ଼ିକୁ ନେଇ ରାଜନୀତି ଜୋର ଧରିଛି। ଏରସମାର ଆଞ୍ଚଳିକ ଯୁବ ପରିଷଦ ପଡ଼ିଆରେ ଦୀର୍ଘ ୩୫ ବର୍ଷ ହେଲା ରାବଣପୋଡ଼ି କରୁଆସୁଥିବା ବିଧାୟକ ଦାମୋଦର ରାଉତଙ୍କୁ ପ୍ରଶାସନ ଅନୁମତି ନଦେଇ ବିଧାୟକ ପ୍ରଶାନ୍ତ ମୁଦୁଲିଙ୍କୁ ଅନୁମତି ଦେବା ପରେ ଏହି ବିବାଦର ସୂତ୍ରପାତ ହୋଇଛି। ସେପଟେ ପୁଲିସ ଉପସ୍ଥିତିରେ ପଡ଼ିଆରେ ଦାମଙ୍କ ପାଇଁ ତିଆରି ହୋଇଥିବା ମଞ୍ଚକୁ ପ୍ରଶାସନ ଭାଙ୍ଗି ଦେଇଥିବା ତାଙ୍କ ସମର୍ଥକମାନେ ଅଭିଯୋଗ କରିଛନ୍ତି। ଯାହାକୁ ନେଇ ଜଗତସିଂହପୁର ରାଜନୀତି ପୁଣି ଉଷ୍ମ ହେବାରେ ଲାଗିଛି।
ସୂଚନାଯୋଗ୍ୟ ଯେ ଦାମ ଏହି ପଡ଼ିଆରେ ଗତ ୩୫ ବର୍ଷ ହେଲା ରାବଣପୋଡ଼ି କରି ଆସୁଥିଲେ। ଏପରିକି ପ୍ରଶାନ୍ତ ମୁଦୁଲି ବାଲିକୁଦା-ଏରସମା ବିଧାୟକ ହେବା ପରେ ମଧ୍ୟ ଦାମ ଏଠାରେ ରାବଣପୋଡ଼ି କରୁଥିଲେ। ହେଲେ ଦାମ ବିଜେଡିରୁ ବହିଷ୍କୃତ ହେବା ପରେ ପ୍ରଥମ ଥର ପାଇଁ ତାଙ୍କୁ ଏଠାରେ ରାବଣପୋଡ଼ି କାର୍ଯ୍ୟକ୍ରମ କରିବାକୁ ଦିଆଯାଇନାହିଁ।
ଦାମଙ୍କୁ ଅନୁମତି ଦିଆ ନଯିବା ପ୍ରସଙ୍ଗରେ ଗତକାଲି ପ୍ରଶାସନ ପ୍ରତିକ୍ରିୟା ରଖିଥିଲା। ପ୍ରଶାନ୍ତ ରାବଣପୋଡ଼ି ପାଇଁ ଆଗୁଆ ଅନୁମତି ମାଗିଥିବାରୁ ଦାମଙ୍କୁ ଅନୁମତି ଦିଆଯାଇ ନଥିବା ପ୍ରଶାସନ ସଫେଇ ଦେଇଥିଲା। ହେଲେ ଆଜି ଦାମଙ୍କ ମଞ୍ଚ ଭଙ୍ଗାଯିବା ପ୍ରସଙ୍ଗରେ ପ୍ରଶାସନର ପ୍ରତିକ୍ରିୟା ମିଳିପାରିନାହିଁ।
ଅପରପକ୍ଷରେ ଏହାକୁ ନେଇ ଦାମଙ୍କ ସମର୍ଥକଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି। ଏହାକୁ ନେଇ ଦାମ ଏବଂ ପ୍ରଶାନ୍ତଙ୍କ ଗୋଷ୍ଠୀ ମୁହାଁମୁହିଁ ସ୍ଥିତିରେ ରହିଛନ୍ତି।
from Odisha Reporter https://ift.tt/2yMqNHu
No comments:
Post a Comment