
ଭୁବନେଶ୍ୱର (ସୁବ୍ରତ କୁମାର ନାୟକ): ସ୍ୱାଧୀନତାର ୭୦ ବର୍ଷ ପରେ ମଧ୍ୟ ଏବେବି ବି ସମାଜରେ ବଞ୍ଚିରହିଛି କୁସଂସ୍କାର ଏବଂ ଅନ୍ଧ ବିଶ୍ୱାସ। ଶିକ୍ଷାର ଅଭାବ ହେଉ କିମ୍ବା ବର୍ଷ ବର୍ଷ ଧରି ଚଳିଆସିଥିବା ପ୍ରଥା ଠିକ୍ କିମ୍ବା ଭୁଲ, ତା’ର ବିଚାର କରିବାର ସଚେତନତାର ଅଭାବ, ଏବେ ମଧ୍ୟ ସାମାଜିକ ବାସନ୍ଦର ପ୍ରଥା ଚାଲୁରହିଛି। ଆଉ ଏକଥା ପାଦରେ ଘା’ ହୋଇ ପଚି ଯାଇଥିବାରୁ ଗାଁ’ରେ ବାସନ୍ଦ ହୋଇଥିବା ଜଣେ ରୋଗୀ ରାତିର ଅନ୍ଧକାରରେ ଏକ ଡୋଲି ଶଗଡ଼ରେ ବୁହା ହୋଇ ଡାକ୍ତରଖାନାରେ ପହଞ୍ଚିବା ଘଟଣାରୁ ସ୍ପଷ୍ଟ ହୋଇଛି।

ଗୁରୁବାର ରାତିରେ ଏପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କଟକ ଜିଲ୍ଲା ନରସିଂହପୁର ଅନ୍ତର୍ଗତ ଜୁଡୁମ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଯେଉଁଠି ଜଣେ ବୃଦ୍ଧ ଅନ୍ଧାରରେ ଏକ ଡୋଲି ଶଗଡ଼ରେ ବୁହା ହୋଇ ଡାକ୍ତରବାବୁଙ୍କ ଦ୍ଵାରସ୍ଥ ହୋଇଛନ୍ତି। ବୃଦ୍ଧଙ୍କ ପାଦରେ ଘା’ ପଚି ପୋକ ଲାଗିଯାଇଥିବା କାରଣରୁ ତାଙ୍କ ପରିବାରକୁ ସାମାଜିକ ବାସନ୍ଦ କରାଯାଇଥିବା ଜଣାଯାଇଛି।

ଏହି ପ୍ରଥା ଅନୁଯାୟୀ ଵୟସ୍କ ଵ୍ୟକ୍ତିଙ୍କୁ ଚରମ ଅଵହେଳା କରୁଥିବା ପରିଵାରକୁ ଦଣ୍ଡିତ କରିବାକୁ ଏପରି ସାମୟିକ ବାସନ୍ଦ ଲାଗୁ ହୋଇଥାଏ। ତାଙ୍କୁ ଆରୋଗ୍ୟ କରାଇ, ତାଙ୍କ ପରିବାର ବର୍ଗ ଶୌଚ ନହେବା ପର୍ଯ୍ୟନ୍ତ ଗାଁର ଲୋକେ ତାଙ୍କୁ ସ୍ପର୍ଶ କରନ୍ତି ନାହିଁ। ଏପରିକି ତାଙ୍କୁ ଦିନବେଳା ଗାଁରେ ଆତଯାତ ହେବାକୁ ମଧ୍ୟ ଦିଆଯାଏ ନାହିଁ।

ଗୁରୁବାର ଦିନ ପୀଡ଼ିତ ବୃଦ୍ଧଙ୍କ ପାଦର ଅବସ୍ଥା ଅତି ଖରାପ ହୋଇଯିବାରୁ ବାଧ୍ୟ ହୋଇ ତାଙ୍କ ବୃଦ୍ଧା ପତ୍ନୀ ଓ ପୁଅ ଦୁହେଁ ସାହିଭାଇଙ୍କ ଅଜାଣତରେ ତାଙ୍କୁ ରାତିର ଅନ୍ଧକାର ମଧ୍ୟରେ ଏକ ଡୋଲି ଶଗଡ଼ରେ ଟାଣି ଟାଣି ଆଣି ନିକଟସ୍ଥ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପହଞ୍ଚିଥିଲେ।

ସରକାରୀ ସୁବିଧାରୁ ୧୦୮ ଆମ୍ବୁଲାନ୍ସ ସେବା ମିଳୁଥିଲେ ହେଁ ତାହାର ଲାଭ ନେବା ପାଇଁ ମଧ୍ୟ ସେମାନେ ସାହସ ଜୁଟାଇ ପାରିନଥିଲେ। ବୋଧହୁଏ କାହାରି ସାହାଯ୍ୟ ମାଗିଲେ ଉତ୍ତରରେ ନା ମିଳିବା ନେଇ ସେମାନେ ନିଶ୍ଚିତ ହୋଇଯାଇଥିଲେ। ଆମ୍ବୁଲାନ୍ସ ଡ୍ରାଇଭର କିମ୍ବା ମେଡିକାଲ କର୍ମଚାରୀ କାଳେ ତାଙ୍କୁ ଘୃଣାରେ ମନା କରିଦେଇ ଅପମାନିତ କରିବେ, ସେଇ ଭୟରେ ସେମାନେ ଆମ୍ବୁଲାନ୍ସର ସାହାଯ୍ୟ ମଧ୍ୟ ନେଇନଥିଲେ।

ଅନ୍ୟ ଲୋକ ବୃଦ୍ଧଙ୍କୁ ଛୁଇଁବେନି ବୋଲି ସେମାନେ ନିଶ୍ଚିତ ଥିଲେ ମଧ୍ୟ ଡାକ୍ତରଙ୍କୁ ଏବଂ ଡାକ୍ତରୀ ବିଜ୍ଞାନକୁ ଭରସା କରି ସେମାନେ ସାହସ ଜୁଟାଇବା ନିଶ୍ଚୟ ସକାରାତ୍ମକ ସଙ୍କେତ। ପୁଣିଥରେ ପ୍ରମାଣିତ ହୋଇଛି ଯେ, ଯେତେଵେଳେ ସାହି ଭାଇ, ପାଖ ପଡେ଼ାଶୀ ଛୁଅଁନ୍ତି ନାହିଁ, ଅଟୋ ଚାଳକ ଛୁଅଁନ୍ତି ନାହିଁ, ସେତେଵେଳେ ଡାକ୍ତରବାବୁ ହିଁ ଏକମାତ୍ର ସାହା ଭରସା କାରଣ ତାଙ୍କ ପାଖେ ଛୁଆଁ ଅଛୁଆଁ ଭାଵ ନଥାଏ।
ଜଣେ ବୃଦ୍ଧା ଓ ତାଙ୍କ ପୁଅଙ୍କ ଦ୍ଵାରା ଡୋଲି ଶଗଡ଼ରେ ବୁହା ହୋଇ ଆସିଥିବା ବୃଦ୍ଧ ରୋଗୀଙ୍କୁ ଦେଖି ମେଡିକାଲ ପରିସରରେ ଉପସ୍ଥିତ ଲୋକେ ଚକିତ ହୋଇଯାଇଥିଲେ।
ବୃଦ୍ଧ ଜଣଙ୍କ ଭୀତତ୍ରସ୍ତ ଅବସ୍ଥାରେ ସମସ୍ତଙ୍କୁ ହାତଯୋଡ଼ି ନମସ୍କାର କରୁଥିଲେ। ହୁଏତ ତାଙ୍କ ମନରେ ଆଶଙ୍କା ଥିଲା, ତାଙ୍କୁ ହସ୍ପିଟାଲ ବାବୁମାନେ ଫେରାଇ ଦେବେନି ତ!

ଶେଷ ଖବର ସୁଦ୍ଧା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ କାର୍ଯ୍ୟରତ ଡାକ୍ତର ଦେବାଶିଷ ଜ୍ୟେଷ୍ଠୀ ବୃଦ୍ଧଙ୍କୁ ଆଶୁ ଚିକିତ୍ସା ଯୋଗାଇଦେବା ସହ ତାଙ୍କୁ ଏକ ଶଯ୍ୟା ଦେବାର ବନ୍ଦୋବସ୍ତ କରିଛନ୍ତି। ଗାଁରୁ ବାସନ୍ଦ ହୋଇଥିବା ଏହି ପରିବାର ପାଇଁ ଡା ଜ୍ୟେଷ୍ଠୀ ଭଗବାନ ସଦୃଶ ଉଭା ହୋଇଛନ୍ତି। ସେ ବୃଦ୍ଧଙ୍କ ପତ୍ନୀ ଓ ପୁତ୍ରଙ୍କୁ ରୋଗୀ ଖୁବଶୀଘ୍ର ଭଲ ହୋଇଯିବେ ବୋଲି ଆଶ୍ୱାସନା ଦେଇଛନ୍ତି।
from Odisha Reporter https://ift.tt/2PI4cTA
No comments:
Post a Comment