‘ଏବେ ଯାତ୍ରାପାର୍ଟି ମାଲିକ ନାଟକ ଅପେ‍କ୍ଷା ଫାଟକକୁ ବେଶୀ ଗୁରୁତ୍ୱ ଦେଉଛନ୍ତି’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, October 2, 2018

‘ଏବେ ଯାତ୍ରାପାର୍ଟି ମାଲିକ ନାଟକ ଅପେ‍କ୍ଷା ଫାଟକକୁ ବେଶୀ ଗୁରୁତ୍ୱ ଦେଉଛନ୍ତି’

rrr

 

ମୋ’ କୁନା କାନ୍ଦୁଛି ରୁଷି ଆଖିରେ ନିଦକୁ ନେଶି… ସେତେବେଳେ ମଞ୍ଚ ଦୁନିଆରେ ଚହଳ ପକାଇଥିବା ଏହି ଗୀତଟି ଯଲିଉଡ୍‌ ଗୀତିକାର ନିଗମ ମିଶ୍ରଙ୍କୁ ଦେଇଥିଲା ନୂଆ ପରିଚୟ। ଆଉ ଏହି ପରିଚୟ ଶେଷରେ ନିଶା ପାଲଟି ଯାଇଥିଲା। ଶିକ୍ଷକତା ପେସାକୁ ବାଏ ବାଏ କରି ଭାବନା ରାଇଜକୁ ଚାଲିଗଲେ ଏବଂ ପ୍ରତିଦିନ ନୂଆ ନୂଆ ସ୍ୱପ୍ନ ଦେଖିଲେ ଓ ଦେଖାଇଲେ। ଗୀତର ଯାଦୁରେ ଦର୍ଶକଙ୍କୁ ମତୁଆଲା ବି କଲେ। ତାଙ୍କ ସହ ‘ଓଡ଼ିଶା ରିପୋର୍ଟ’ର ପ୍ରତିନିଧି ମନୋରଞ୍ଜନ ଶିଅଳଙ୍କ ଆଳାପ।

ପ୍ରଶ୍ନ: ଗୀତ ଲେଖିବା ପୂର୍ବରୁ କେଉଁ ରାଇଜକୁ ଯାଆନ୍ତି?
ଉତ୍ତର: ଗୀତ ଲେଖିବା ଆରମ୍ଭ କରିବା ପୂର୍ବରୁ ଭାବନା ରାଇଜକୁ ଯିବାକୁ ପଡ଼ିଥାଏ। ବହୁ ସମୟ ସେହି ରାଇଜରେ ଘୂରିବା ପରେ ଆପେ ଆପେ ଆସିଥାଏ ଶବ୍ଦ। ସେହି ଶବ୍ଦକୁ ଖଞ୍ଜି ଗୀତ ତିଆରି କରିବାକୁ ପଡ଼ିଥାଏ। ଯାହାକୁ ଯାତ୍ରା ବା ଚଳଚ୍ଚିତ୍ରପ୍ରେମୀ ଶୁଣି କେତେବେଳେ ତାଳି ତ ଆଉ କେତେବେଳେ ଗାଳି ଦେଇଥାନ୍ତି। ଯାହା ମିଳିଲେ ବି ତାକୁ ଚନ୍ଦନ ଭାବି ଗ୍ରହଣ କରୁ।

ପ୍ରଶ୍ନ: କେବେ ଓ କେମିତି ଗୀତ ଲେଖିବାର ସୁଯୋଗ ପାଇଲେ?
ଉତ୍ତର: ଥରେ ଏକ ନାଟକରେ ଗୀତିକାର ଆସିନଥିଲେ। ସେହି ସମୟରେ ସଂଗୀତ ନିର୍ଦ୍ଦେଶକ ସ୍ୱର୍ଗତ ବାପି ମିଶ୍ର ମୋତେ ଗୀତ ଲେଖିବାକୁ କହିଥିଲେ। ତାଙ୍କ ପ୍ରେରଣାରେ ପ୍ରଥମେ ଗୀତ ଲେଖିଥିଲି। ଏଥିପାଇଁ ବହୁ କଷ୍ଟ ମଧ୍ୟ ହୋଇଥିଲା। ଆଉ ତା’ପରେ କେବେ ପଛକୁ ଅନାଇ ନାହିଁ। ଆଜି ପର୍ଯ୍ୟନ୍ତ ମୋର କଲମ ଚାଲିଛି।

ପ୍ରଶ୍ନ: ପ୍ରଥମେ କେଉଁ ନାଟକରେ ଗୀତ ଲେଖିଥିଲେ?
ଉତ୍ତର: ୧୯୮୮ ମସିହାରେ ‘ସାହାଣୀ ଅପେରା’ର ‘ଅସ୍ଥାୟୀ ସ୍ୱାମୀ’ ଓ ‘ବ୍ରହ୍ମା ବିଳିବିଳି ହେଲେ ବେଦ’ ନାଟକ ପାଇଁ ଗୀତ ଲେଖିଥିଲି। ତେବେ ୧୯୯୧ ମସିହାରେ ‘ବାଣେଶ୍ୱରୀ ଗଣନାଟ୍ୟ’ର ନାଟକ ‘ଆ ଜହ୍ନମାମୁ ଶରଦ ଶଶି’ ନାଟକର ‘ମୋ କୁନା କାନ୍ଦୁଛି ରୁଷି ଆଖିରେ ନିଦକୁ ନେଶି…’ ଗୀତ ମୋତେ ଦେଇଥିଲା ପରିଚୟ। ଏହି ନାଟକରେ ୪ଟି ଗୀତ ମୁଁ ଲେଖିଥିଲି।

ପ୍ରଶ୍ନ: ଗୋଟିଏ ଗୀତ ଲେଖିବା ପାଇଁ କେତେ ସମୟ ନିଅନ୍ତି?
ଉତ୍ତର: ଗୋଟିଏ ଗୀତ ପାଇଁ କେତେ ସମୟ ନେବି ତାହା କହିହେବ ନାହିଁ। ତେବେ ଭାବନା ରାଇଜକୁ ଗଲା ପରେ ନାଟକକୁ ଖାପ୍‌ ଖୁଆଇଲା ପରି ଶବ୍ଦ ମିଳିଲେ ଗୋଟିଏ ଦିନରେ ୨ରୁ ୩ଟି ଗୀତ ଲେଖିହେବ। ଯଦି ଠିକ୍‌ ଶବ୍ଦ ନମିଳିଲା, ତାହେଲେ କଥା ସରିଲା। ଏଥିପାଇଁ ୨ରୁ ୩ ଦିନ ଲାଗିଯିବ। ‘ରାମ ବନବାସ କାହାଣୀ ଶେଷ’ ନାଟକର ଟାଇଟଲ୍ ଗୀତ ପାଇଁ ମାସେ ସମୟ ନେଇଥିଲି। ଆଉ ସେହି ଗୀତ ସଫଳ ମଧ୍ୟ ହୋଇଥିଲା। ଯାତ୍ରାପ୍ରେମୀ ଆଜି ବି ଗୁଣୁଗୁଣୁ ହେଉଛନ୍ତି ସେ ଗୀତ। ତାପରେ ସବୁବେଳେ ଗୀତ ଲେଖି ହେବନି। ଯେମିତି କଥାରେ ଅଛି- ଲତା ମାଡ଼େ, ଝାଡ଼ା ମାଡ଼େ। ଠିକ୍ ସେମିତି ଲେଖା ମାଡ଼େ। ସବୁବେଳେ ଶବ୍ଦ ମୁଣ୍ଡକୁ ଆସେନି। ଆସିଲେ ଲେଖିବାକୁ ପଡ଼ିଥାଏ।

ପ୍ରଶ୍ନ: ଫିଲ୍ମ ପରି ଯାତ୍ରାରେ ଜଣେ ଗୀତିକାର ଗୀତ ଲେଖନ୍ତି ନା ଅଧିକ ଗୀତିକାର ଅଛନ୍ତି?
ଉତ୍ତର: ସେମିତି କିଛି ନାହିଁ। ସବୁକିଛି ଯାତ୍ରାର ନିର୍ଦ୍ଦେଶକ ଓ ମାଲିକଙ୍କ ଉପରେ ନିର୍ଭର କରୁଛି। ସେମାନେ ଚାହିଁଲେ ଜଣେ ଗୀତିକାର ଗୋଟିଏ ନାଟକରେ ସବୁ ଗୀତ ଲେଖିପାରିବ। ବେଳେବେଳେ ଏମିତି ହୁଏ, ନାଟକକୁ ଭଲ କରିବା ପାଇଁ ଗୋଟିଏ ନାଟକରେ ଦୁଇରୁ ଅଧିକ ଗୀତିକାର ମଧ୍ୟ ଗୀତ ଲେଖୁଛନ୍ତି। ଆମର କିଛି ଅସୁବିଧା ହୁଏନାହିଁ।

ପ୍ରଶ୍ନ: ଗୋଟିଏ ସିଜିନ୍ରେ କେତୋଟି ଗୀତ ଲେଖନ୍ତି?
ଉତ୍ତର: ଗୋଟିଏ ସିଜିନ୍ରେ ୨୦ରୁ ୨୫ଟି ନାଟକରେ ଗୀତ ଲେଖୁଛି। ଚଳିତବର୍ଷ ୨୮ଟି ନାଟକରେ ଗୀତ ଲେଖିଛି। କିଛି ନିର୍ଦ୍ଦେଶକ ଆଗୁଆ ପ୍ରସ୍ତୁତ କରିଥିବାରୁ ଏତେ ଗୀତ ଲେଖିପାରିଛି। କେତେକ ନାଟକର ଗୀତ ଆଗରୁ ହୋଇଯାଏ। ବିଶେଷ କରି କିଶୋର ଖଣ୍ଡୁଆଳଙ୍କ ନାଟକରେ ଆଗୁଆ ସବୁ କିଛି ପ୍ରସ୍ତୁତ ହୋଇଯାଇଥାଏ। ପ୍ରାୟ ୩ ମାସ ଆଗରୁ ସେ ଗୀତିକାର, ନାଟ୍ୟକାର ଓ ସଂଗୀତ ନିର୍ଦ୍ଦେଶକଙ୍କୁ ଘରକୁ ଡାକି ନାଟକ ଉପରେ ଆଲୋଚନା କରନ୍ତି। ସେହିଠାରେ ହିଁ ଗୀତ ଓ ସ୍ୱର ସ୍ଥିର ହୋଇଥାଏ। ତେଣୁ ମୁଁ ବହୁ ନାଟକରେ ଗୀତ ଲେଖିପାରୁଛି।

ପ୍ରଶ୍ନ: ଚଳିତ ସିଜିନ୍‌ରେ କେଉଁ କେଉଁ ଯାତ୍ରା ଅନୁଷ୍ଠାନ ପାଇଁ ଗୀତ ଲେଖିଛନ୍ତି?
ଉତ୍ତର: ଚଳିତବର୍ଷ ମୁଁ ଶିବାନୀ ଗଣନାଟ୍ୟର ନାଟକ ‘ରଜନୀ ସଜନୀ ରାତି ପାହିଲା’ ଓ ‘ବରଣୀ କନିଆଁ ବରଷା ରାଣୀ’, କୋଣାର୍କ ଗଣନାଟ୍ୟର ‘ଅନ୍ଧ ମୂକ ବଧିର’, ‘ଭାଗ୍ୟ ଖେଳୁଛି ଖେଳ’, ଧଉଳି ଗଣନାଟ୍ୟର ‘କଳା କାହ୍ନୁ ମୋର କାଳିଆ ସୁନା’, ‘କିଛି ଲୁହ ପିଇଯାଏ ଓଠ’, ‘କହ ଗୌରଦାସ କହାର ଦୋଷ’, ‘କେମିତି କହିବି ଏମିତି କଥା’, ଯାତ୍ରା ଇନ୍ଦ୍ରମହଲର ନାଟକ ‘ଉର୍ବଶୀ ଆସିଛି ଇନ୍ଦ୍ରମହଲ’, ‘ଗଙ୍ଗା ପାପ କଲେ ଧୋଇବ କିଏ’, ‘ବଡ଼ ଲୋକକୁ ଉତ୍ତର ନାହିଁ’ ଓ ଶ୍ରୀକୃଷ୍ଣ ମୋର ଶେଷ ସାକ୍ଷୀ’। ସେହିପରି ଗୌର ଗଣନାଟ୍ୟର ନାଟକ ‘ଏତେ ସରି ତୋତେ କିଏ କଲା’, ‘ଗୌରୀ ନାନୀର ନୂଆ ଠିକଣା’, ‘ବେଳେବେଳେ ଭୁଲ୍ ହୋଇଯାଏ’, ‘ବାଘ ମାତିଛି ରାଜଧାନୀରେ’, ବାଘାଜତିନ ଲୋକନାଟ୍ୟର ନାଟକ ‘ରାତି ସପନକୁ କରିଛି ସାଥୀ’, ‘ମୃତ୍ୟୁଦଣ୍ଡ’, ଯାତ୍ରା ବିଶ୍ୱଦରକାର ‘ଚଉଠି ରାତିର ଚଉଦ କଥା’, ଯାତ୍ରା ସଚ୍ଚିଦାନନ୍ଦମ୍ ଗଣନାଟ୍ୟର ‘ଗାୟତ୍ରୀ ଅପାର ଗୋପନ କଥା’, ‘ମଝିଆଁ ପୁଅ କାହାରି ନୁହଁ’, ‘ରେପ୍ ଆଣ୍ଡ ମର୍ଡ଼ର ଦାୟୀ କିଏ’, ପାର୍ବତୀ ଗଣନାଟ୍ୟର ‘ବାହା ହେଉଥିଲୁ କାହିଁକି’, ତୁଳସୀ ଗଣନାଟ୍ୟର ‘ସୀତା ଦେବେ ଆଜି ଅଗ୍ନି ପରୀକ୍ଷା’, ଯାତ୍ରା ସ୍ୱର୍ଣ୍ଣମହଲ ‘ପ୍ରେମ ସବାରୀରେ ପ୍ରୀତି ନାୟିକା’, ‘ଗୀତାକୁ ଛୁଇଁଲେ ପାପ’ ଓ ରଙ୍ଗମହଲର ‘କେମିତି ରାତି ସେ କେମିତି ସାଥୀ’ ନାଟକ ପାଇଁ ଗୀତ ଲେଖିଛି। ତେବେ ଅଧିକାଂଶ ନାଟକର ଟାଇଟଲ୍‌ ଗୀତ ଲେଖିଛି।

ପ୍ରଶ୍ନ: ଯଲିଉଡ୍‌ରେ ନାଟକ ନକଲ ହେଉଥିବାରୁ ମୌଳିକତା ହରାଉଛି କି?
ଉତ୍ତର: ସମାଜରେ ଘଟୁଥିବା ଘଟଣାବଳୀକୁ ନାଟ୍ୟରୂପ ଦେଇ ଏକ ନାଟକ ତିଆରି ହେଉଛି। ଏଥିରେ ନକଲ କେଉଁଠି ହେଉଛି? ଆମକୁ ନକଲ କରୁଛୁ ବୋଲି କହୁଛନ୍ତି। ବଲିଉଡ୍‌ ବା ହଲିଉଡ୍‌ରେ କ’ଣ ନକଲ କରୁନାହାନ୍ତି? ସେମାନେ ବି ତ କାହାଠାରୁ ନକଲ କରୁଛନ୍ତି। କିନ୍ତୁ ଯଲିଉଡ୍‌ର ପ୍ରତ୍ୟେକ ନାଟକରେ ସମାଜକୁ ବାର୍ତ୍ତା ରହୁଛି। ସେହି ବାର୍ତ୍ତାକୁ ନାଟକର ଟାଇଟଲ୍ ଗୀତ ମାଧ୍ୟମରେ ଦେବାକୁ ଆମେ ଚାହୁଁଛୁ।

ପ୍ରଶ୍ନ: ଦୈତାରୀ ପଣ୍ଡାଙ୍କ ଆଦର୍ଶ ଅପେରାକୁ କେମିତି ଦେଖୁଛନ୍ତି?
ଉତ୍ତର: ଚେତନା ଧର୍ମୀ ନାଟକ ଦେଖାଇଲେ ଲୋକେ ଦେଖିବେ। ଯଦି ନାଟକ ଲୋକଙ୍କ ମନକୁ ଛୁଇଁବ, ତାହେଲେ ଜାଣିବ ସଫଳତା ମିଳିବ। ବେପାର ହେବ ଓ ସମାଜରେ ତିଷ୍ଠିବ ରହିବ। ଲୋକେ ରାମାୟଣ ଓ ମହାଭାରତ କାହାଣୀ ବହୁବାର ଦେଖିଛନ୍ତି। ଏବେ ସେହି ରାମାୟଣ ଓ ମହାଭାରତ ଆଉଥରେ ପ୍ରସାରିତ ହେଲେ ଲୋକେ ଦେଖିବେ। ତେଣୁ ଲୋକଙ୍କ ହୃଦୟ ଜୟ କରିବା ପାଇଁ ଯାହା ଆବଶ୍ୟକ, ତାହା ନାଟକରେ ରହିବା ନିହାତି ଦରକାର। ଆଗାମୀ ଦିନରେ ଆଦର୍ଶ ଅପେରା କେତେ ସଫଳ ହେଉଛି କି ନାହି ସମୟ କହିବ।

Nigam1ପ୍ରଶ୍ନ: ନାଟକ ଏବେ ଖେଚୁଡ଼ି ହୋଇଗଲାଣି ବୋଲି ଅନେକ କଳାକାର ଅଭିଯୋଗ କରୁଛନ୍ତି?
ଉତ୍ତର: ମଞ୍ଚ ନାଟକ ଏବେ ଖେଚୁଡ଼ି ହୋଇଯାଇଛି। ଏହା ସମ୍ପୂର୍ଣ୍ଣ ସତକଥା। ଏଥିପାଇଁ ଯାତ୍ରାପାର୍ଟି ମାଲିକମାନେ ଦାୟୀ। ସେମାନଙ୍କର ମାତ୍ରାଧିକାର ପ୍ରବେଶ ଯୋଗୁ ଏପରି ହୋଇଛି। ନାଟକରେ ମୁଖ୍ୟ ଚରିତ୍ରକୁ ଅଧିକ ପ୍ରାଧାନ୍ୟ ଦିଆଯାଉଥିବା ବେଳେ ଅନ୍ୟ ଚରିତ୍ରଗୁଡ଼ିଗ ବଳି ପଡ଼ି ଯାଉଛନ୍ତି। ଅନ୍ୟପକ୍ଷରେ ନାଟକର ସମୟ ମଧ୍ୟ ଧୀରେଧୀରେ କମି କମି ଯାଉଛି। ମେଲୋଡ଼ି ଓ ରେକର୍ଡ଼ ଡ୍ୟାନ୍ସ ପରେ ଯାତ୍ରା ପାଇଁ ମିଳୁଛି ମାତ୍ର ୪ ଘଣ୍ଟା ରହୁଛି। ସେଥିରେ ଅଧଘଣ୍ଟାଏ ଗୀତ ଚାଲିଗଲେ, ସାଢ଼େ ୩ ଘଣ୍ଟାରେ କି ଯାତ୍ରା ପରିବେଷଣ କରାଯିବ?

ପ୍ରଶ୍ନ: ଯାତ୍ରାଠାରୁ ଦାର୍ଶକ ଦୂରେଇ ଯିବାର କାରଣ କଣ?
ଉତ୍ତର: ଯାତ୍ରାପାର୍ଟି ମାଲିକମାନେ ନାଟକ ଅପେକ୍ଷା ଫାଟକକୁ ଅଧିକ ଗୁରୁତ୍ୱ ଦେଉଛନ୍ତି। ଲାଇଟ୍ ଖଞ୍ଜି ଦେଉଛନ୍ତି। ନାଟକ ଉପରେ ଗୁରୁତ୍ୱ ଦେଉନାହାନ୍ତି। ଯାହାଫଳରେ ନାଟ୍ୟକାରଙ୍କର ନାଟକ ଉପରେ ସ୍ୱାଧୀନତା ରହୁନି। ତେଣୁ ଲୋକେ ଦେଖିଲା ଭଲ ନାଟକ ନାଟ୍ୟକାର କରିପାରୁ ନାହାନ୍ତି। ଯେଉଁଥିପାଇଁ ନାଟକଠାରୁ ଲୋକେ ଦୂରେଇ ଯାଉଛନ୍ତି। ତଥାପି ଓଡ଼ିଶାରେ ଯାତ୍ରାପ୍ରେମୀ ଅଛନ୍ତି, ରାତି ରାତି ଅନିଦ୍ରା ହୋଇ ନାଟକକୁ ଉପଭୋଗ କରୁଛନ୍ତି। ସେଥିପାଇଁ ଏତେ ଗୁଡ଼ାଏ ଯାତ୍ରା ଅନୁଷ୍ଠାନ ରାଜ୍ୟରେ ତିଷ୍ଠି ରହିଛନ୍ତି।

ପ୍ରଶ୍ନ: ଶିକ୍ଷକତାରୁ ଆସି ଗୀତ ଲେଖିଲେ, ସଂସାର ରଥ ଚଳାଇବାରେ କିଛି ଅସୁବିଧା ହେଉନି?
ଉତ୍ତର: ଭୁବନେଶ୍ୱର ଲକ୍ଷ୍ମୀସାଗରରେ ଏକ ଶିକ୍ଷାନୁଷ୍ଠାନରେ ଶିକ୍ଷକତା କରୁଥିଲି। ଯାତ୍ରା ସିଜିନ୍‌ ପଡ଼ିଲେ ଛୁଟି ନେଇ ଗୀତ ଲେଖିବାକୁ ଯାଉଥିଲି। ପରବର୍ତ୍ତୀ ସମୟରେ ଏହାକୁ ନେଇ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ସହିତ ମନୋମାଳିନ୍ୟ ହେଲା। ୨୦୦୬ ମସିହାରେ ଚାକିରି ଛାଡ଼ି ଗୀତ ଲେଖିବାକୁ ମନୋନିବେଶ କଲି। ଗୀତ ଲେଖିଲେ ଆତ୍ମସନ୍ତୋଷ ମିଳୁଛି। ଏଥିରେ ତିଳେମାତ୍ର ସନ୍ଦେହ ନାହିଁ। ପେଟ ପୋଷିବାଟା ବଡ଼ କଥା ନୁହେଁ। ବର୍ତ୍ତମାନ ସାଂସାର ରଥ ଠିକ୍‌ଠାକ୍‌ ଚାଲିଛି। ଭଗବାନଙ୍କ ଆଶୀର୍ବାଦରୁ କିଛି ଅସୁବିଧା ହୋଇନି।

ପ୍ରଶ୍ନ: ପିଲାବେଳେ ଆପଣ ଅଭିନୟ କରୁଥିଲେ? ଚାହିଁଥିଲେ ଭଲ ଅଭିନେତା ହୋଇପାରି ଥାଆନ୍ତେ?
ଉତ୍ତର: ମୋ ବାପା ଅଲେଖ ଚନ୍ଦ୍ର ମିଶ୍ର ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ। ସେ ନିଗମାନନ୍ଦ ଭକ୍ତ ଥିଲେ। ସବୁବେଳେ ଭଜନ ଓ ଜଣାଣ ଲେଖିଥିଲେ। ତାଙ୍କ ରକ୍ତ ମୋ ଦେହରେ ପ୍ରବାହିତ ହେଉଥିବାରୁ କଳା ପ୍ରତି ଆକୃଷ୍ଟ ହେଲି। ପିଲାବେଳୁ ମୃଦଙ୍ଗ ବଜାଉଥିଲି। ସେଥିପାଇଁ ଅଷ୍ଟମ ଶ୍ରେଣୀରେ ପଢ଼ୁଥିବା ବେଳେ ପାଲା ପରିବେଷଣ କରିଥିଲି। ଏହାଛଡ଼ା ଅନେକ ନାଟକରେ ମଧ୍ୟ ଅଭିନୟ କରିଛି। ସ୍କୁଲ, କଲେଜ ଓ ବିଶ୍ୱବିଦ୍ୟାଳୟ ଡ୍ରାମାରେ ଅଭନୟ କରି ପୁରସ୍କୃତ ମଧ୍ୟ ହୋଇଛି।।

ପ୍ରଶ୍ନ: ଓଡ଼ିଆ ଫିଲ୍ମରେ ଗୀତ ଲେଖିଛନ୍ତି କି?
ଉତ୍ତର: ଓଡ଼ିଆ ଫିଲ୍ମରେ ମଧ୍ୟ ଗୀତ ଲେଖିଛି। ‘ମୁଁ ଆସିକ୍ ମୁଁ ଆୱାରା’ ଫିଲ୍ମର ଯୁଆଡ଼େ ଚାହୁଁଛି ତୁ ହି ତୁ…, ‘ହରିବୋଲ ନୁହେଁ ଟଙ୍କା ବୋଲ୍’ ଏକ ଆଇଟମ୍ ଗୀତ ଲେଖିଛି। ସେହିପରି ରିଲିଜ୍ ଅପେକ୍ଷା ଥିବା ‘ଅଭିମାନୀ ପ୍ରିୟା ମୋର’, ‘ମଙ୍ଗଳସୂତ୍ର’ ଓ ‘ଏକଲବ୍ୟ’ ଫିଲ୍ମର ଗୀତ ଲେଖିଛି।



from Odisha Reporter https://ift.tt/2O3KeGb

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages