
ନୂଆଦିଲ୍ଲୀ: କଂଗ୍ରେସକୁ ଜବରଦସ୍ତ ଝଟ୍କା ଦେଇଛନ୍ତି ଦଳର ୨ ଜଣ ଗୋଆ ବିଧାୟକ। ସେମାନେ ଅତ୍ୟନ୍ତ ଗୋପନୀୟ ଢଙ୍ଗରେ ଗୋଆରୁ ବିମାନ ଯୋଗେ ଦିଲ୍ଲୀ ଆସି ବିଜେପି ସଭାପତି ଅମିତ ଶାହଙ୍କୁ ସାକ୍ଷାତ କରିବା ସହ କଂଗ୍ରେସକୁ ବାଏବାଏ କହିଛନ୍ତି।
ସେମାନେ ବିଜେପିରେ ମିଶିବେ ନାହିଁ ବୋଲି ଗତକାଲି ରାତିରେ କଂଗ୍ରେସର ନେତାମାନଙ୍କୁ ପ୍ରତିଶ୍ରୁତି ଦେଇଥିଲେ ହେଁ ସକାଳୁ ସମସ୍ତଙ୍କୁ ଚକମା ଦେଇ ‘ପଦ୍ମ’ ଧରିଛନ୍ତି।
ଗୋଆର ମୁଖ୍ୟମନ୍ତ୍ରୀ ମନୋହର ପାରିକର ସ୍ୱାସ୍ଥ୍ୟଗତ ସମସ୍ୟା ଦେଇ ଗତି କରୁଛନ୍ତି। ଏହାର ଫାଇଦା ଉଠାଇବା ପାଇଁ କଂଗ୍ରେସ ସରକାର ଗଠନ କରିବାକୁ ସଜବାଜ ହେଉଥିଲା। କିନ୍ତୁ ଦୁଇ ଜଣ ବିଧାୟକ ଦଳ ଛାଡ଼ିବା ପରେ ଏବେ କଂଗ୍ରେସର ସଂଖ୍ୟା ଅଡ଼ୁଆକୁ ଆହୁରି ବଢ଼ାଇ ଦେଇଛି।
ଦୟାନନ୍ଦ ସୋପେତ ଓ ସୁଭାଷ ଶିରୋଦକର ଗୋଆରୁ ସୋମବାର ସନ୍ଧ୍ୟାରେ ଦିଲ୍ଲୀ ଅଭିମୁଖେ ଉଡ଼ାଣ କରିଥିଲେ। ସେମାନେ ଅମିତ ଶାହଙ୍କୁ ଭେଟିବା ପର୍ଯ୍ୟନ୍ତ ସେମାନଙ୍କର ସମସ୍ତ ଯୋଜନା ଗୁପ୍ତ ରଖାଯାଇଥିଲା। ଶ୍ରୀ ଶାହଙ୍କୁ ସାକ୍ଷତ କରିବା ପରେ ସୁଭାଷ କହିଛନ୍ତି, “ଆମେ ବିଜେପିରେ ଯୋଗ ଦେଇଛୁ। ଆହୁରି ୨ରୁ ୩ ଜଣ ବିଧାୟକ ବିଜେପିରେ ଖୁବ୍ଶୀଘ୍ର ସାମିଲ ହେବେ।”
ଗତକାଲି ରାତିରେ ଦୟାନନ୍ଦ ସୋପେତ ବିମାନବନ୍ଦରରେ ସାମ୍ବାଦିକମାନଙ୍କୁ ସୂଚନା ଦେଇ କହିଥିଲେ, “ମୁଁ ବ୍ୟବସାୟିକ କାର୍ଯ୍ୟ ପାଇଁ ଦିଲ୍ଲୀ ଆସିଛି। ଆମେ ଯଦି ବିଜେପିରେ ଯୋଗଦେବୁ , ତା’ହେଲେ ଆପଣମାନେ ନିଶ୍ଚିତ ଜାଣିବେ।”
ସେହିପରି କଂଗ୍ରେସ ନେତା ଏ ଚେଲ୍ଲାକୁମାର କହିଥିଲେ, “ ମୁଁ ଉଭୟ ଦୟାନନ୍ଦ ଓ ସୁଭାଷଙ୍କ ସହ କଥା ହୋଇଛି। ସେମାନେ କେବେ ହେଲେ ବି ଦଳ ଛାଡ଼ିବେ ନାହିଁ ବୋଲି କହିଛନ୍ତି।” କିନ୍ତୁ ଆଜି ସକାଳେ ସବୁ କିଛି ଓଲଟପାଲଟ ହୋଇଯାଇଛି।
ଆଜି ଚେଲ୍ଲାକୁମାର କହିଛନ୍ତି, ବିଜେପି ଉଭୟଙ୍କୁ ଟଙ୍କା ଦେଇ କିଣି ନେଇଛି। ବିଶେଷ କରି ଗୋଆ ସ୍ୱାସ୍ଥ୍ୟ ମନ୍ତ୍ରୀ ବିଶ୍ୱଜିତ୍ ରାଣେ ହିଁ ଏଭଳି କରିଛନ୍ତି। କାରଣ ଏବେ ମୁଖ୍ୟମନ୍ତ୍ରୀ ପାରିକର ଅସୁସ୍ଥ ଥିବାରୁ ବିଶ୍ୱଜିତ ମୁଖ୍ୟମନ୍ତ୍ରୀ ହେବାକୁ ଚାହୁଁଛନ୍ତି। ଅମିତ ଶାହ ତାଙ୍କୁ କଂଗ୍ରେସର କିଛି ବିଧାୟକଙ୍କୁ ଦଳରେ ମିଶାଇଲେ ତାଙ୍କୁ ମୁଖ୍ୟମନ୍ତ୍ରୀ କରାଯିବ ବୋଲି କୁଆଡ଼େ କହିଥିବା ସେ କହିଛନ୍ତି। ତଦ୍ନୁଯାୟୀ, ବିଶ୍ୱଜିତ୍ ହିଁ ଏଭଳି କରିଥିବା ସେ କହିଛନ୍ତି।
ଗୋଆର ୪୦ଟି ବିଧାନସଭା ଆସନରୁ ବିଜେପି ପାଖରେ ୧୪ ଜଣ ବିଧାୟକ ଥିବା ବେଳେ ଦଳ ଏମ୍ଜିପି ଓ ଜିଏଫ୍ପିର ୩ ଜଣ ଲେଖାଏ ବିଧାୟକ, ୩ ଜଣ ସ୍ୱାଧୀନ ବିଧାୟକ ଏବଂ ଏନ୍ସିପିର ୧ ଜଣେ ବିଧାୟକଙ୍କୁ ନେଇ ସରକାର ଗଠନ କରିଛି।
from Odisha Reporter https://ift.tt/2PCRbuy
No comments:
Post a Comment