
ନୂଆଦିଲ୍ଲୀ: ସିବିଆଇ ମୁଖ୍ୟ ଆଲୋକ ବର୍ମା ଓ ସ୍ୱତନ୍ତ୍ର ନିର୍ଦ୍ଦେଶକ ରାକେଶ ଆସ୍ଥାନାଙ୍କ ମଧ୍ୟରେ ସୃଷ୍ଟି ହୋଇଥିବା କଳିକୁ ନଜରରେ ରଖି କେନ୍ଦ୍ର ସରକାର ଉଭୟଙ୍କୁ ବାଧ୍ୟତାମୂଳକ ଛୁଟିରେ ପଠାଇ ଦେଇଛନ୍ତି। ତେବେ ଆଲୋକ ବର୍ମା ଏଭଳି ବାଧ୍ୟତାମୂଳକ ଛୁଟିକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଆସନ୍ତକାଲି ସର୍ବୋଚ୍ଚ ଅଦାଲତ ଏହାର ଶୁଣାଣି କରିବାକୁ ଥିବା ବେଳେ ଆଜି ସିବିଆଇ ମୁଖପାତ୍ର ଏ ସମ୍ପର୍କରେ ଏକ ସ୍ପଷ୍ଟୀକରଣ ଦେଇଛନ୍ତି।
ତାଙ୍କ କହିବାନୁଯାୟୀ, ଆଲୋକ ବର୍ମା ପୂର୍ବଭଳି ସିବିଆଇର ନିର୍ଦ୍ଦେଶକ ଓ ଆସ୍ଥାନା ସ୍ୱତନ୍ତ୍ର ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରିପାରିବେ। କିନ୍ତୁ ସେମାନଙ୍କ ବିରୋଧରେ ଆସିଥିବା ଅଭିଯୋଗର ଯାଞ୍ଚ କେନ୍ଦ୍ରୀୟ ଭିଜିଲାନ୍ସ କମିଶନ୍ ଶେଷ ନ କରିବା ଯାଏ ଏମ୍ ନାଗେଶ୍ୱର ରାଓ ଆକ୍ଟିଂ ବା କାମଚଳା ସିବିଆଇ ମୁଖ୍ୟ ଭାବେ ଦାୟିତ୍ୱ ନିର୍ବାହ କରିବେ।
ସିବିଆଇ ମୁଖପାତ୍ର କହିଛନ୍ତି, “ ସିବିଆଇ ଅନ୍ତର୍ଜାତୀୟ ସ୍ତରରେ ଅନେକ ଗୁରୁତ୍ୱପୂର୍ଣ୍ଣ ମାମଲାର ତଦନ୍ତ କରୁଛି। ଏବେ ସିବିଆଇ ମଧ୍ୟରେ ଚାଲିଥିବା ବିବାଦ ଯୋଗୁ ଏହି ସର୍ବୋଚ୍ଚ ତଦନ୍ତକାରୀ ସଂସ୍ଥା ବିଶ୍ୱ ଦରବାରରେ ନିଜର ବିଶ୍ୱସନୀୟତା ହରାଉ ବୋଲି ଆମେ ଚାହୁଁନାହୁଁ। ଏବେ ସିବିଆଇର ଛବି କେମିତି ଖରାପ ନ ହେବ, ସେକଥା ଆମେ ଚିନ୍ତା କରୁଛୁ।”
ଉଲ୍ଲେଖଯୋଗ୍ୟ, ଆଲୋକ ବର୍ମା ଓ ରାକେଶ ଆସ୍ଥାନାଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ଆସିବାରୁ କେନ୍ଦ୍ର ସରକାର ଉଭୟଙ୍କୁ ରାତି ଅଧିଆ ଛୁଟିରେ ଯିବାକୁ ନିର୍ଦ୍ଦେଶ ଦେଇଥିଲେ ଏବଂ ସିବିଆଇର ମଧ୍ୟବର୍ତ୍ତୀକାଳୀନ ମୁଖ୍ୟ ଭାବେ ଓଡ଼ିଶା କ୍ୟାଡର୍ ଆଇପିଏସ୍ ଏମ୍ ନାଗେଶ୍ୱର ରାଓଙ୍କୁ ଦାୟିତ୍ୱ ହସ୍ତାନ୍ତର କରିଥିଲେ।
from Odisha Reporter https://ift.tt/2ArJWRb
No comments:
Post a Comment