
ପୁରୀ (ଓଡ଼ିଶା ରିପୋର୍ଟର): ଧାଡ଼ି ଦର୍ଶନକୁ ନେଇ ମହାଭାରତ ସୃଷ୍ଟି ହେବା ପରେ ଆଜି ଶାନ୍ତ ପଡ଼ିଛି ଶ୍ରୀକ୍ଷେତ୍ର। ପୂର୍ବ ୩ ଦିନ ଭଳି ଆଜି ବ୍ୟବସ୍ଥିତ ଓ ଶୃଙ୍ଖଳିତ ଭାବେ ଧାଡ଼ିରେ ଯାଇ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି ଭକ୍ତ। ତେବେ କାଲିର ଘଟଣା ପରେ ଶାନ୍ତି କମିଟିର ନିଷ୍ପତ୍ତି ଅନୁସାରେ ବଡ଼ ଦେଉଳର ଅନ୍ୟ ୩ ଦ୍ୱାର ଦେଇ ସ୍ଥାନୀୟ ବାସିନ୍ଦାଙ୍କ ପ୍ରବେଶ ଉପରୁ କଟକଣା ହଟିଛି।
ନୂଆ ନିଷ୍ପତ୍ତି ଅନୁସାରେ ସ୍ଥାନୀୟ ବାସିନ୍ଦାଙ୍କୁ ସାଙ୍ଗରେ ଆଣିବାକୁ ପଡୁଛି ପରିଚୟପତ୍ର। ହେଲେ ଏହି ନିୟମକୁ ମଧ୍ୟ ନେଇ ପୁଣି କୁହୁଳୁଛି ଅଶାନ୍ତିର ନିଆଁ। କାରଣ ସ୍ଥାନୀୟ ବୟୋବୃଦ୍ଧ ବ୍ୟକ୍ତି ଓ ଏକାଧିକବାର ମନ୍ଦିର ପ୍ରବେଶ କରୁଥିବା ସହରବାସୀଙ୍କ ପାଇଁ ଏହା କଟକଣା ସଦୃଶ ବୋଲି ପୁଣି ଅଭିଯୋଗ ଉଠିଛି। ତେଣୁ ଖାଲି ବାହାର ଭକ୍ତଙ୍କୁ ଛାଡ଼ି ସମଗ୍ର ଓଡ଼ିଶାବାସୀଙ୍କୁ ବିନା ପରିଚୟପତ୍ରରେ ପ୍ରବେଶ ଅନୁମତି ମିଳୁ ବୋଲି ଦାବି ପୁଣି ମୁଣ୍ଡ ଟେକିଛି।
‘ଶ୍ରୀଜଗନ୍ନାଥ ସେନା’ର ଆବାହକ ପ୍ରିୟଦର୍ଶନ ପଟ୍ଟନାୟକ କହିଛନ୍ତି-“ପୁରୀରେ ବାହାର ଜିଲ୍ଲାର ଲୋକ ମଧ୍ୟ ରହୁଛନ୍ତି। ସେମାନେ ପରିଚୟପତ୍ର କେଉଁଠୁ ଆଣିବେ? ସେମାନେ କେମିତି ମହାପ୍ରଭୁଙ୍କୁ ଦର୍ଶନ କରିବେ? ତେଣୁ ପରିଚୟପତ୍ର ଦରକାର ନାହିଁ। ତିନି ଦ୍ୱାର ସାହାଣ ମେଲା ରହିବ। କେବଳ ପର୍ବପର୍ବାଣୀରେ ଧାଡ଼ିଦର୍ଶନ କଲେ, ଆମେ ସହଯୋଗ କରିବୁ।”
କ୍ଷୟକ୍ଷତି ଆକଳନ କଲା ଜିଲ୍ଲା ପ୍ରଶାସନ
ଗତକାଲିର ବ୍ୟାପକ ହିଂସାରେ ହୋଇଥିବା କ୍ଷୟକ୍ଷତିର ଆଜି ଆକଳନ ଆରମ୍ଭ କରିଛି ପୁରୀ ଜିଲ୍ଲା ପ୍ରଶାସନ। ଆନ୍ଦୋଳନକାରୀଙ୍କ ଲଙ୍କାକାଣ୍ଡରେ କେତେ ଧନସମ୍ପତ୍ତି ନଷ୍ଟ ହୋଇଛି, ସ୍ୱତନ୍ତ୍ର ଅଧିକାରୀ ତା’ର ଆକଳନ କରୁଥିବା ଜିଲ୍ଲାପାଳ କହିଛନ୍ତି।
ଡିଜିପି ଡା. ରାଜେନ୍ଦ୍ର ପ୍ରସାଦ ଶର୍ମାଙ୍କ ନେତୃତ୍ୱରେ ବରିଷ୍ଠ ପୁଲିସ ଅଧିକାରୀ ଗଣ୍ଡଗୋଳରେ ବ୍ୟାପକ ଭଙ୍ଗାରୁଜା ହୋଇଥିବା ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ, ଟାଉନ ଥାନା ଓ ସୂଚନା କେନ୍ଦ୍ରକୁ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି। ସିସିଟିଭି ଫୁଟେଜ୍ ଓ ଗଣମାଧ୍ୟମ ଭିଜୁଆଲ ଯାଞ୍ଚ କରିବା ପରେ ବିଶୃଙ୍ଖଳାକାରୀଙ୍କୁ ଚିହ୍ନଟ କରାଯାଇ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଡିଜିପି କହିଛନ୍ତି।
ରିପୋର୍ଟ ମାଗିଲେ ଆମିକସ୍ କ୍ୟୁରୀ
ଏପଟେ ଗତକାଲିର ପୂରା ଘଟଣା ସମ୍ପର୍କରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ରିପୋର୍ଟ ମାଗିଛନ୍ତି ସୁପ୍ରିମକୋର୍ଟଙ୍କ ଦ୍ୱାରା ନିଯୁକ୍ତ ଆମିକସ୍ କ୍ୟୁରୀ। ଏହି ରିପୋର୍ଟ କାଲି ସୁଦ୍ଧା ପଠାଇ ଦିଆଯିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ ମହାପାତ୍ର କହିଛନ୍ତି।
from Odisha Reporter https://ift.tt/2yhyi8X
No comments:
Post a Comment