
ପୁରୀ (ଓଡ଼ିଶା ରିପୋର୍ଟର): ପୁରୀ ହିଂସାକାଣ୍ଡ ଘଟଣାରେ ୧୫ ଜଣଙ୍କ ନାଁରେ ମାମଲା ରୁଜୁ ହୋଇଛି। ଓଟିଭିକୁ ଏହି ସୂଚନା ଦେଇଛନ୍ତି ପୁରୀ ଏସ୍ପି ସାର୍ଥକ ଷଡ଼ଙ୍ଗୀ।
ସେ କହିଛନ୍ତି, “ସିସିଟିଭି ଫୁଟେଜ୍ ଆଧାରରେ ୪୬/୪୭ ଜଣଙ୍କୁ ଚିହ୍ନଟ କରାଯାଇଛି। ସେମାନଙ୍କ ମଧ୍ୟରେ ଅଛନ୍ତି ବୁଲୁ ଖୁଣ୍ଟିଆ, ବିନାୟକ ଦାସମହାପାତ୍ର ଓ ଦାମ ମହାସୁଆର।”
ବୁଲୁ, ମନ୍ତ୍ରୀ ମହେଶ୍ୱର ମହାନ୍ତିଙ୍କ ଘରେ ଭଙ୍ଗାରୁଜା କରିଥିବା ଏସ୍ପି କହିଛନ୍ତି।
ସେହିପରି ଶାନ୍ତି କମିଟି ସଦସ୍ୟଙ୍କ ନାଁରେ ମାମଲା କରାଯାଇଛି କି ଏକ ପ୍ରଶ୍ନର ଉତ୍ତରରେ ଏସ୍ପି କହିଛନ୍ତି, “ଶାନ୍ତି କମିଟି ବୋଲି କିଛି ଗଢ଼ା ଯାଇନଥିଲା। ଆନ୍ଦୋଳନକାରୀ ଭାବରେ ସେମାନେ କଥାବାର୍ତ୍ତା ପାଇଁ ଆସିଥିଲେ।
ଏସ୍ପିଙ୍କୁ ଚ୍ୟାଲେଞ୍ଜ
ହିଂସାକାଣ୍ଡ ଘଟଣାକୁ ନେଇ ମାମଲା ରୁଜୁ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ବରିଷ୍ଠ ସେବାୟତ ବିନାୟକ ଦାସମହାପାତ୍ର। ସେ କହିଛନ୍ତି, “ଜିଲ୍ଲାପାଳ ଶାନ୍ତି କମିଟି ଗଠନ କରିଥିଲେ। ଶାନ୍ତି କମିଟିର ୫ ଜଣଙ୍କୁ ନିମନ୍ତ୍ରଣ ମଧ୍ୟ କରାଯାଇଥିଲା। ଜଣେ ଅତିରିକ୍ତ ଏସ୍ପି ଆସି ଆମକୁ ନିମନ୍ତ୍ରଣ କରିଥିଲେ। ଏସ୍ପି କିପରି କହୁଛନ୍ତି ଶାନ୍ତି କମିଟି ଗଠନ କରାଯାଇନାହିଁ?”
ଏଥିସହ ମାମଲାକୁ ନେଇ ବରିଷ୍ଠ ସେବାୟତ ବିନାୟକ ଏସ୍ପିଙ୍କୁ ଚ୍ୟାଲେଞ୍ଜ କରିଛନ୍ତି। ସେ କହିଛନ୍ତି, “ଏସ୍ପି ସିସିଟିଭିରେ ଦେଖାଇ ପାରିବେକି ମୁଁ ଭଙ୍ଗାରୁଜା କରୁଛି? ପୁଲିସକୁ ସାହାଯ୍ୟ ଛଡ଼ା ମୁଁ ଆଉ କିଛି କରୁନଥିଲି। ଆମ ବିରୋଧରେ ମାମଲା ରୁଜୁ ଏକ ଦୁଃଖଦ ଘଟଣା। ସେବାୟତଙ୍କ ସପକ୍ଷରେ କହୁଥିବାରୁ ମୋ ବିରୋଧରେ ଷଡ଼ଯନ୍ତ୍ର କରାଯାଉଛି। ଉପଯୁକ୍ତ ପ୍ରମାଣ ସହ ଆମେ କୋର୍ଟର ଆଶ୍ରୟ ନେବୁ।”
୫ ପୁଲିସ ନିଲମ୍ବିତ
ମନ୍ତ୍ରୀ ମହେଶ୍ୱର ମହାନ୍ତିଙ୍କ ଘରେ ଭଙ୍ଗାରୁଜା ଘଟଣାରେ ପୁଲିସ ପ୍ରଶାସନ ପକ୍ଷରୁ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। କର୍ତ୍ତବ୍ୟରେ ଅବହେଳା ପାଇଁ ୫ ଜଣ ପୁଲିସ କର୍ମଚାରୀଙ୍କୁ ନିଲମ୍ବନ କରିଛନ୍ତି ପୁରୀ ଏସ୍ପି ସାର୍ଥକ ଷଡଙ୍ଗୀ।
ନିଲମ୍ବିତ କର୍ମଚାରୀଙ୍କ ମଧ୍ୟରେ ୪ ଜଣ କନଷ୍ଟେବଲ ଓ ଜଣେ ହାବିଲ୍ଦାର ଅଛନ୍ତି।
from Odisha Reporter https://ift.tt/2OJFhBX
No comments:
Post a Comment