
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) : ଦକ୍ଷିଣ ପଶ୍ଚିମ ଏବଂ ଉତ୍ତର ପଶ୍ଚିମ ବଙ୍ଗୋପସାଗର ମଧ୍ୟରେ ଏକ ଅପର୍ ଏୟାର୍ ଟ୍ରଫଲାଇନ୍ ସୃଷ୍ଟି ହେବା ଫଳରେ ଘୂର୍ଣ୍ଣିବଳୟ କିମ୍ବା ଲଘୁଚାପ ଘନୀଭୂତ ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ମଙ୍ଗଳବାର ଉପକୂଳ ଓଡ଼ିଶାରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ଥିବା ଶିକ୍ଷା ଓ ଅନୁସନ୍ଧାନ ଡିମଡ୍ ଟୁ ବି ୟୁନିଭର୍ସିଟିର ପରିବେଶ ଓ ଜଳବାୟୁ କେନ୍ଦ୍ର (ସିଇସି) ପକ୍ଷରୁ ସୂଚନା ଦିଆଯାଇଛି।
ଏହି ଅପର୍ ଏୟାର୍ ଟ୍ରଫଲାଇନ୍ ଯୋଗୁ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ଥିବା ବେଳେ ଉପକୂଳ ଓଡ଼ିଶାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବା ସୂଚନା ଦେଇଛନ୍ତି ସିଇସିର ନିର୍ଦ୍ଦେଶକ ଡ. ଶରତ ଚନ୍ଦ୍ର ସାହୁ।
ଜଗତସିଂହପୁର, ଯାଜପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱର, ମୟୂରଭଞ୍ଜ, କେନ୍ଦୁଝର ଏବଂ ଢେଙ୍କାନାଳରେ ବର୍ଷା ହେବାର ସମ୍ଭାବନା ଥିବା ବେଳେ ବାଲେଶ୍ୱର, ଭଦ୍ରକ ଓ ଯାଜପୁର ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ସେହିପରି ସୋମବାର ଠାରୁ ବୁଧବାର ମଧ୍ୟରେ ପୁରୀ, ଖୋର୍ଦ୍ଧା ଏବଂ କଟକ ଜିଲ୍ଲାରେ ସାମାନ୍ୟ ବର୍ଷା ତଥା ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ଥିବା ଡ. ସାହୁ ପୂର୍ବାନୁମାନ କରିଛନ୍ତି।
ସେହିପରି ଶୀତ ସମ୍ପର୍କରେ ସୂଚନା ଦେଇ ଡ. ସାହୁ କହିଛନ୍ତି, ନଭେମ୍ବର ୪ ତାରିଖ ଠାରୁ ରାତିର ତାପମାତ୍ରା ମଧ୍ୟ କମିବ। ତେବେ ଉପକୂଳ ଆଡ଼କୁ ସମୁଦ୍ରରୁ ପବନ ବୋହୁଥିବାରୁ ନଭେମ୍ବର ୩ ତାରିଖ ଯାଏ ରାତିର ତାପମାତ୍ରାରେ ହ୍ରାସ ଘଟିବ ନାହିଁ।
from Odisha Reporter https://ift.tt/2D8UWWf
No comments:
Post a Comment