ଗୁରୁବାରରୁ ରାଜ୍‌କୋଟ୍‌ ଟେଷ୍ଟ୍‌: ଡେବ୍ୟୁ କରିବେ ପୃଥ୍ୱୀ ଶ’, ଇଣ୍ଡିଜ୍‌ ପାଇଁ ବି ସୁଯୋଗ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, October 3, 2018

ଗୁରୁବାରରୁ ରାଜ୍‌କୋଟ୍‌ ଟେଷ୍ଟ୍‌: ଡେବ୍ୟୁ କରିବେ ପୃଥ୍ୱୀ ଶ’, ଇଣ୍ଡିଜ୍‌ ପାଇଁ ବି ସୁଯୋଗ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର୍‌): ଗୁରୁବାର ଗୁଜୁରାଟର ରାଜକୋଟରେ ଆରମ୍ଭ ହେଉଥିବା ୱେଷ୍ଟ୍‌ଇଣ୍ଡିଜ୍‌ ବିପକ୍ଷ ଟେଷ୍ଟ୍‌ ମ୍ୟାଚ୍‌ରେ ମୁମ୍ବାଇର ୧୮ ବର୍ଷୀୟ ବ୍ୟାଟିଂ ବିସ୍ମୟ ପୃଥ୍ୱୀ ଶ’ ଭାରତ ପାଇଁ ନିଜର ପଦାର୍ପଣ ମ୍ୟାଚ୍‌ ଖେଳିବେ। ତେବେ ଘରୋଇ ଦଳ ବିପକ୍ଷ ଦୁଇଟିକିଆ ଟେଷ୍ଟ୍‌ ସିରିଜ୍‌ର ପ୍ରଥମ ମ୍ୟାଚ୍‌ରେ ଭ୍ରମଣକାରୀ ଇଣ୍ଡିଜ୍‌ ପାଇଁ ଇତିହାସ ବଦଳାଇ ଦେବାର ସୁଯୋଗ ମଧ୍ୟ ରହିଛି। ନିଜ ମାଟିରେ ‘ଅପରାଜେୟ’ ଟିମ୍‌ ଇଣ୍ଡିଆ ବିପକ୍ଷରେ ୱେଷ୍ଟ୍‌ଇଣ୍ଡିଜ୍‌ ଭାରତରେ ୧୯୯୪ ପରଠାରୁ ଗୋଟିଏ ବି ମ୍ୟାଚ୍‌ ଜିତିନାହିଁ।

ଆସନ୍ତାକାଲି ଭାରତୀୟ ସମୟ ୯.୩୦ରେ ମ୍ୟାଚ୍‌ ଆରମ୍ଭ ହେବ।

ତେବେ ରାଜକୋଟ୍‌ର ପ୍ରଥମ ଟେଷ୍ଟ୍‌ରେ ପରାଜୟର ଏହି ଧାରାକୁ ଭାଙ୍ଗି ବିରାଟ୍‌ ବାହିନୀଙ୍କୁ ସେମାନଙ୍କ ନିଜ ପଡ଼ିଆରେ ମାତ୍‌ ଦେଲେ, ଭାରତ ବିପକ୍ଷ କ୍ରମାଗତ ସପ୍ତମ ସିରିଜ୍‌ ପରାଜୟର ଆଶଙ୍କାରେ ମଧ୍ୟ ଜାସନ୍‌ ହୋଲ୍‌ଡରଙ୍କ ଦଳ ବ୍ରେକ୍‌ ଦେଇପାରିବ। ତେବେ ଏଥିପାଇଁ କାରିବୀୟନ୍‌ ପେସ୍‌ ଶକ୍ତି, ଟିମ୍‌ ଇଣ୍ଡିଆର ବ୍ୟାଟିଂ ଦୁର୍ଗକୁ ଧ୍ୱସ୍ତ ବିଧ୍ୱସ୍ତ କରିବା ସହ ବ୍ୟାଟ୍‌ରେ ଅସ୍ଥିର ପ୍ରଦର୍ଶନ ଦେଉଥିବା ଇଣ୍ଡିଜ୍‌ ଟପ୍‌ ଓ ମିଡିଲ୍‌ ଅର୍ଡରଙ୍କୁ ଘରୋଇ ଦଳର ‘ସ୍ପିନ୍‌ ଅସ୍ତ୍ର’କୁ ସଫଳ ମୁକାବିଲା କରିବାକୁ ପଡ଼ିବ।

୧-୪ରେ ଇଂଲଣ୍ଡଠାରୁ ପରାସ୍ତ ହୋଇ ସ୍ୱଦେଶ ଫେରିଥିବା ବିରାଟ୍‌ଙ୍କ ଭାରତୀୟ ଟେଷ୍ଟ୍‌ ଟିମ୍‌ ଆସନ୍ତା ନଭେମ୍ବରରୁ କଷ୍ଟସାଧ୍ୟ ଅଷ୍ଟ୍ରେଲିଆ ଗସ୍ତରେ ଯିବ। ତେବେ ଏହା ପୂର୍ବରୁ ୱେଷ୍ଟ୍‌ଇଣ୍ଡିଜ୍‌ ବିପକ୍ଷ ଏହି ଛୋଟ ଅର୍ଥାତ୍‌ ମାତ୍ର ଦୁଇ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ୍‌ ସିରିଜ୍‌, ଟିମ୍‌ ଇଣ୍ଡିଆର ମ୍ୟାଚ୍‌ ପ୍ରାକ୍ଟିସ୍ ସହ ମନୋବଳ ବୃଦ୍ଧିରେ ସହାୟକ ହେବ ବୋଲି କୁହାଯାଉଛି। ଖାସ୍ ଅଷ୍ଟ୍ରେଲିଆ ଗସ୍ତକୁ ଦୃଷ୍ଟିରେ ରଖି କୋଚ୍‌ ରବି ଶାସ୍ତ୍ରୀଙ୍କ ସୁପାରିସ ଅନୁସାରେ, ରାଜକୋଟ୍‌ରେ ଏକ ଜୀବନ୍ତ (ଦ୍ରୁତ ଓ ବାଉନ୍‌ସିଂ) ଟ୍ରାକ୍‌ ପ୍ରସ୍ତୁତ କରାଯାଇଥିବା ସୂଚନା ମିଳିଛି।

ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ୨୦୧୨ ମସିହା ପରଠାରୁ ପ୍ରଥମ ଥର ପାଇଁ ଟିମ୍‌ ଇଣ୍ଡିଆ ଏହାର ଦୁଇ ସ୍ଥାୟୀ ଓପନର୍‌ ମୁରଲୀ ବିଜୟ ଓ ଶିଖର ଧୱନ୍‌ଙ୍କୁ କୌଣସି ଟେଷ୍ଟ୍‌ ସିରିଜ୍‌ରୁ ବାଦ୍‌ ଦେଇଛି। ଏପରି କରି ବିସିସିଆଇ ଚୟନକର୍ତ୍ତା ନୂଆ ପିଢିର ଓପନର୍‌ ଓ ଟିମ୍‌ ଚୟନ ଉପରେ ଗୁରୁତ୍ୱ ଦେଇଛନ୍ତି।

କରୁଣ୍ ନାୟାର୍‌ ଓ ରୋହିତ୍‌ ଶର୍ମାଙ୍କୁ ଟେଷ୍ଟ୍‌ ଦଳରୁ ବାଦ୍‌ ଦିଆଯିବା ପ୍ରସଙ୍ଗ ଏବେ ବିତର୍କର ବିଷୟ ହୋଇଥିଲେ ହେଁ ଖାସ୍ ନୂଆ ପିଢିର ଭାରତୀୟ ଟେଷ୍ଟ୍‌ ଦଳକୁ ଦୃଷ୍ଟିରେ ରଖି ମନୋନୟନକାରୀ ନିଜେ ବାଛିଥିବା ଖେଳାଳିଙ୍କ ଉପରେ ବାଜି ଲଗାଇଛନ୍ତି। ଖାଲି ଏତିକି ନୁହେଁ, ପିଚ୍‌କୁ ପଢ଼ିବା ପୂର୍ବରୁ ମ୍ୟାଚ୍‌ ଆରମ୍ଭ ପାଇଁ ଗୋଟିଏ ଦିନ ବାକି ଥିବାବେଳେ ପ୍ରଥମ ଥର ପାଇଁ ଚୂଡ଼ାନ୍ତ ୧୨ ଜଣିଆ ଦଳ ଘୋଷଣା କରି ଟିମ୍‌ ଇଣ୍ଡିଆ ମ୍ୟାନେଜ୍‌ମେଣ୍ଟ୍‌ ମଧ୍ୟ ମନୋନୟନକାରୀଙ୍କ ଭଳି ନିଜ ଆଭିମ୍ମୁଖ୍ୟକୁ ବେଶ୍‌ ଶାଣିତ କରିଛି। ଘୋଷିତ ୧୨ଜଣିଆ ଭାରତୀୟ ଦଳରୁ ମୟଙ୍କ ଅଗ୍ରୱାଲ୍‌, ହନୁମା ବିହାରୀ ଓ ମହମ୍ମଦ ସିରାଜ୍‌ଙ୍କୁ ବାଦ୍‌ ଦିଆଯାଇଛି।

ଏଥିରୁ ସ୍ପଷ୍ଟ ହୋଇଛି, ଇଂଲିଶ୍‌ ଗସ୍ତରେ ବେଞ୍ଚ୍‌ରେ ବସିଥିବା ମୁମ୍ବାଇର ୧୮ ବର୍ଷୀୟ ବ୍ୟାଟିଂ ସେନ୍‌ସେସନ୍‌ ପୃଥ୍ୱୀ ଶ’ ରାଜ୍‌କୋଟ୍‌ରେ ଟେଷ୍ଟ୍‌ ଡେବ୍ୟୁ କରିବେ। ତାଙ୍କ ସହ ଭାରତୀୟ ପାଳି ଆରମ୍ଭ କରିବାକୁ ଥିବା ଲୋକେଶ ରାହୁଲ୍‌ ମଧ୍ୟ ନିଜ ଉପରେ ମନୋନୟନକାରୀଙ୍କ ଆସ୍ଥାକୁ ଅଷ୍ଟ୍ରେଲିଆ ଗସ୍ତ ପୂର୍ବରୁ ସଠିକ୍‌ ବୋଲି ପ୍ରମାଣ ଦେବେ।

ମିଡିଲ୍ ଅର୍ଡର୍‌ରେ ତିନି ଭେଟେରାନ୍‌, ପୂଜାରା, ଅଧିନାୟକ କୋହଲି ଓ ଉପଧିନାୟକ ରାହାଣେ ଟିମ୍‌ ଇଣ୍ଡିଆର ବ୍ୟାଟିଂ ଦୁର୍ଗକୁ ସୁରକ୍ଷା ଦେଲେ ୬ ନମ୍ବର ସ୍ଥାନରେ ଯୁବ ୱିକେଟ୍‌ ରକ୍ଷକ ବ୍ୟାଟ୍‌ସମ୍ୟାନ୍‌ ରିଷଭ ପନ୍ତ ନିଜ ଖ୍ୟାତି ଅନୁସାରେ ପ୍ରଦର୍ଶନ ଦେବାକୁ ପର୍ଯ୍ୟାପ୍ତ ସୁଯୋଗ ପାଇବେ।

ଘୋଷିତ ୧୨ ଜଣିଆ ଦଳରୁ ଏହା ସ୍ପଷ୍ଟ ହୋଇଛି ଯେ ଭାରତୀୟ ଦଳ ୫ ସ୍ପେଶାଲିଷ୍ଟ୍‌ ବ୍ୟାଟ୍‌ସମ୍ୟାନ୍‌ ଓ ୫ ନିୟମିତ ବୋଲର୍‌ (ଏବଂ ୱିକେଟ୍‌ କିପର୍‌)ଙ୍କୁ ନେଇ ପ୍ରଥମ ଟେଷ୍ଟ୍‌ ଖେଳିବ। ଦୁଇ ଅଲ୍‌ରାଉଣ୍ଡର୍‌ ରବିଚନ୍ଦ୍ରନ ଅଶ୍ୱିନ୍‌ ଓ ରବୀନ୍ଦ୍ର ଜାଡେଜା ୭ମ ଓ ୮ମ ସ୍ଥାନରେ ବ୍ୟାଟିଂ କରିବେ।

ମହମ୍ମଦ ଶାମି ଓ ଉମେଶ ଯାଦବ୍‌ ପେସ୍‌ ଆକ୍ରମଣର ଦାୟିତ୍ୱ ସମ୍ଭାଳିବେ। ତେବେ ପାରମ୍ପରିକ ଅସ୍ତ୍ର ‘ସ୍ପିନ୍‌’ ଉପରେ ଅଧିକ ଭରସା  ରଖିଲେ କୁଲଦୀପ ଯାଦବ୍‌ ଚୂଡ଼ାନ୍ତ ଏକାଦଶରେ ସାମିଲ୍‌ ହେବେ ଅଥବା ତାଙ୍କ ବଦଳରେ ଶାର୍ଦୁଲ୍‌ ଠାକୁରଙ୍କୁ ଅତିରିକ୍ତ ଦ୍ରୁତ ବୋଲର୍‌ ଭାବେ ସୁଯୋଗ ମିଳିବ।

ରାଜକୋଟ୍‌ର ପିଚ୍‌ ଯଦି ଦ୍ରୁତ ବୋଲରଙ୍କୁ ସୁହାଇଲା, ତେବେ କେମାର୍ ରୋଚ୍‌ଙ୍କ ଅନୁପସ୍ଥିତି ସତ୍ତ୍ୱେ ଭାରତୀୟ ବ୍ୟାଟିଂ ଦୁର୍ଗକୁ ମାଟି କାମୁଡ଼ାଇବାର ସମସ୍ତ ସାମର୍ଥ୍ୟ ଶାନନ୍‌ ଗାବ୍ରିଏଲ୍‌ଙ୍କ ନେତୃତ୍ୱାଧୀନ ଇଣ୍ଡିଜ୍‌ ପେସ୍‌ ଆକ୍ରମଣ ପାଖରେ ରହିଛି।

ଅଧିନାୟକ ଜାସନ୍‌ ହୋଲଡର୍‌ ଓ ନବାଗତ କେମୋ ପଲ୍‌, ଗାବ୍ରିଏଲ୍‌ଙ୍କୁ ଆବଶ୍ୟକ ସହଯୋଗ କଲେ ଦେବେନ୍ଦ୍ର ବିଶୁ ଓ ରଷ୍ଟନ୍‌ ଚେଜ୍‌ଙ୍କ ସ୍ପିନ୍‌ ଯୋଡ଼ି ପାଇଁ ବଳକା କାମ ଆଉ କଷ୍ଟକର ହେବ ନାହିଁ। ସେହିଭଳି ନିଜର ୫୦ତମ ମ୍ୟାଚ୍ ଖେଲିବାକୁ ଯାଉଥିବା ଇଣ୍ଡିଜ୍‌ ଓପନର୍‌ କ୍ରେଗ୍‌ ବ୍ରାଥ୍‌ୱେଟ୍‌ଙ୍କ ବ୍ୟାଟିଂ ଦକ୍ଷତା ଉପରେ ଉଭୟ ଦଳର ନଜର ରହିବ। ଯୁବ ଅଥଚ ପ୍ରତିଭାରେ ଭରପୂର ୱେଷ୍ଟ୍‌ଇଣ୍ଡିଜ୍‌ ବ୍ୟାଟିଂ ଲାଇନ୍‌ ଅପ୍‌ ଅନ୍ୟତମ ଓପନର୍‌ କାଇରନ୍‌ ପାୱେଲ୍‌, ସାଇ ହୋପ୍‌, ରଷ୍ଟନ୍‌ ଚେଜ୍‌ ଓ ୱିକେଟ୍‌ କିପର୍‌ ବ୍ୟାଟସ୍‌ମ୍ୟାନ୍‌ ଶେନ୍‌ ଡୱରିଚ୍‌ଙ୍କୁ ନେଇ ସମୃଦ୍ଧ।

 

ଏହା ସହ ଭାରତ ବିପକ୍ଷରେ ବଡ଼ ସ୍କୋର୍‌ ପାଇଁ ଭ୍ରମଣକାରୀ ଦଳ, ୱାର୍ମ ଅପ୍‌ ମ୍ୟାଚ୍‌ରେ ଶତକ ମାରିଥିବା ଯୁବ ବ୍ୟାଟ୍‌ସମ୍ୟାନ୍‌ ସୁନୀଲ୍‌ ଆମ୍ବ୍ରିସ୍‌ ଓ ଟ୍ୟାଲେଣ୍ଟେଡ୍‌ ଶିମ୍‌ରନ୍‌ ହେଟ୍‌ମେୟର୍‌ଙ୍କ ଉପରେ ମଧ୍ୟ ନିର୍ଭର କରିବ।

ଭାରତୀୟ ଦଳ: ଲୋକେଶ ରାହୁଲ୍‌, ପୃଥ୍ୱୀ ଶ’, ଚେତେଶ୍ୱର ପୂଜାରା, ବିରାଟ୍‌ କୋହଲି(ଅ), ଆଜିଙ୍କ୍ୟ ରାହାଣେ, ରିଷଭ ପନ୍ତ(ୱି), ରବିଚନ୍ଦ୍ରନ ଅଶ୍ୱିନ୍‌, ରବୀନ୍ଦ୍ର ଜାଡେଜା, ମହମ୍ମଦ ଶାମି, ଉମେଶ ଯାଦବ୍‌ ଏବଂ କୁଳଦୀପ୍ ଯାଦବ୍‌ / ଶାର୍ଦୁଲ୍‌ ଠାକୁର୍‌

ୱେଷ୍ଟଇଣ୍ଡିଜ୍‌ ଦଳ: କ୍ରେଗ୍‌ ବ୍ରାଥ୍‌ୱେଟ୍‌, କାଇରନ୍‌ ପାୱେଲ୍‌, ସାଇ ହୋପ୍‌, ସୁନୀଲ୍‌ ଆମ୍ବ୍ରିସ୍‌, ଶିମ୍‌ରନ୍‌ ହେଟ୍‌ମେୟର୍‌, ରଷ୍ଟନ୍‌ ଚେଜ୍‌, ଶେନ୍‌ ଡୱରିଚ୍‌(ୱି), ଜାସନ୍‌ ହୋଲଡର୍‌ (ଅ) କେମୋ ପଲ୍‌, ଦେବେନ୍ଦ୍ର ବିଶୁ ଏବଂ ଶାନନ୍‌ ଗାବ୍ରିଏଲ୍‌।



from Odisha Reporter https://ift.tt/2DRXYPy

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages