
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବାତ୍ୟା ଓ ପରବର୍ତ୍ତୀ ବନ୍ୟାରେ ମୃତ୍ୟୁ ସଂଖ୍ୟା ଓ ସ୍ଥାନାନ୍ତର ହୋଇଥିବା ଲୋକଙ୍କ ସଂଖ୍ୟାକୁ ନେଇ ଥମୁନି ବିବାଦ। ଏସ୍ଆର୍ସିଙ୍କ ଅଫିସ୍ ବାରମ୍ବାର ତଥ୍ୟ ବଦଳାଇବା ନେଇ ପ୍ରଶ୍ନ ଉଠାଇଛନ୍ତି ବିରୋଧୀ। ପ୍ରଥମେ ମୃତ୍ୟୁ ସଂଖ୍ୟା ନେଇ ଦ୍ୱନ୍ଦ୍ୱ ଉପୁଜିଥିଲା। ଆଉ ଏବେ ସ୍ଥାନାନ୍ତର ହୋଇଥିବା ଲୋକଙ୍କ ସଂଖ୍ୟାରେ ତାଳମେଳ ରହୁନଥିବା ଅଭିଯୋଗ ହୋଇଛି।
ଗତ ୧୫ ତାରିଖ ସକାଳେ ଆସିଥିବା ଏସ୍ଆର୍ସିଙ୍କ ରିପୋର୍ଟରେ ‘ତିତ୍ଲି’ ପାଇଁ ମୋଟ୍ ୩ ଲକ୍ଷ ୬୦ ହଜାର ୧୩୨ ଜଣ ଲୋକ ସ୍ଥାନାନ୍ତର ହୋଇଥିବା ଦର୍ଶାଯାଇଥିଲା। ତେବେ ଜିଲ୍ଲାଓ୍ୱାରି ହିସାବ ଦେଖିଲେ ମୋଟ ୧ ଲକ୍ଷ ୧୩ ହଜାର ୨୨୪ ସ୍ଥାନାନ୍ତର ହୋଇଥିବା ଜଣାପଡ଼ିଛି। ଅଥଚ ସେହିଦିନ ଅର୍ଥାତ ୧୫ ସଂଧ୍ୟାରେ ଜାରି ହୋଇଥିବା ଆଉ ଏକ ରିପୋର୍ଟରେ ସ୍ଥାନାନ୍ତରିତ ଲୋକଙ୍କ ସଂଖ୍ୟା ୩ ଲକ୍ଷ ୬୦ ହଜାର ୩୫୩ କୁହାଯାଇଥିଲା।
ଆଜି ଏସ୍ଆର୍ସିଙ୍କ ଅଫିସ୍ରୁ ମିଳିଥିବା ଜିଲାଓ୍ୱାରି ରିପୋର୍ଟରେ କେନ୍ଦ୍ରାପଡ଼ା, ରାୟଗଡ଼ା ଓ ଜଗତସିଂହପୁରରେ ସ୍ଥାନାନ୍ତରିତ ଲୋକସଂଖ୍ୟା ଯୋଡ଼ା ଯାଇଛି। ନୂଆ ରିପୋର୍ଟ ଅନୁଯାୟୀ, ସ୍ଥାନାନ୍ତରିତ ଲୋକଙ୍କ ସଂଖ୍ୟା ୩ ଲକ୍ଷ ୬୦ହଜାର ୧୩୨। ସେହିପରି ରିଲିଫ୍ ସେଣ୍ଟର ହେଉଛି, ୧୬ଶହ ୧୨।
ଗତ ୧୫ ତାରିଖର ୨ଟି ରିପୋର୍ଟ ଓ ଆଜିର ରିପୋର୍ଟର ସ୍ଥାନାନ୍ତର ସଂଖ୍ୟା ଭିତରେ କୌଣସି ତାଳମେଳ ନାହିଁ। ଯାହାକୁ ନେଇ ବିରୋଧୀ ପ୍ରଶ୍ନ ଉଠାଇବା ସହ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି। ସରକାରଙ୍କ ମିଶନ୍ ଜିରୋ କାଜୁଆଲ୍ଟି ଫେଲ୍ ମାରିଛି ବୋଲି ବିରୋଧୀ ଅଭିଯୋଗ କରିଛନ୍ତି।
ବାତ୍ୟା ଓ ପରବର୍ତ୍ତୀ ବନ୍ୟାରେ ମୃତ୍ୟୁ ସଂଖ୍ୟା ୨୬ ବୋଲି ଆଜି ସରକାର ସ୍ୱୀକାର କରିଛନ୍ତି। ତା’ ମଧ୍ୟରୁ ଗଜପତି ଜିଲ୍ଲାରେ ୧୮ ଓ ଗଂଜାମରୁ ୩ ଜଣ ଅଛନ୍ତି। ସେପଟେ ବିଭିନ୍ନ କ୍ଷୟକ୍ଷତି ରିପୋର୍ଟର ଆକଳନ କରାଯାଉଛି। ୧ଲକ୍ଷ ୪୮ ହଜାର ହେକ୍ଟର ଜମିରେ ଧାନ ଚାଷ ଓ ୬୫ ହଜାର ହେକ୍ଟର ଜମିରେ ଅଣ ଧାନଚାଷ ନଷ୍ଟ ହୋଇଛି। ପ୍ରଭାବିତ ହୋଇଛନ୍ତି ୧୬ ଜିଲ୍ଲାର ୫୭ ଲକ୍ଷ ଲୋକ। ଆସନ୍ତାକାଲି ପ୍ରାଥମିକ କ୍ଷୟକ୍ଷତି ରିପୋର୍ଟ ଆସିବ ବୋଲି ଏସ୍ଆର୍ସି ବିଷ୍ଣୁପଦ ସେଠୀ କହିଛନ୍ତି।
କିଏ କଣ କହିଲେ
ବିଜେପି ମୁଖପାତ୍ର ଗୋଲକ ମହାପାତ୍ର କହିଛନ୍ତି-“ରାଜ୍ୟ ସରକାର ଭ୍ରମାତ୍ମକ ତଥ୍ୟ ଦେଉଛନ୍ତି। ବାତ୍ୟା ପ୍ରଭାବିତ ଅଞ୍ଚଳରୁ ଲୋକଙ୍କୁ ସ୍ଥାନାନ୍ତରିତ ନକରି ମିଥ୍ୟା ତଥ୍ୟ ଦେଖାଉଛନ୍ତି। ଫଳରେ ତଥ୍ୟରେ ତାଳମେଳ ରହୁନି।”
ଏଆଇସିସି ସଂପାଦକ ଶରତ ରାଉତ କହିଛନ୍ତି-“ସବୁ କଥାରେ ରାଜ୍ୟ ସରକାର ମିଛ କହୁଛନ୍ତି। କେବଳ ମୁଖ୍ୟମନ୍ତ୍ରୀଙ୍କୁ ସନ୍ତୁଷ୍ଟ କରିବା ପାଇଁ ପୂରା ସିଷ୍ଟମ୍ ଲାଗି ପଡ଼ିଛି। ୧୯୯୯ ମସିହା ବାତ୍ୟା ଯେମିତି କଂଗ୍ରେସକୁ କ୍ଷମତାଠାରୁ ଦୂରେଇ ରଖିଥିଲା। ଠିକ୍ ସେମିତି ‘ତିତଲି’ ବିଜେଡିର ମୁଖା ଖୋଲିଦେଇଛି। ୨୦୧୯ରେ ବିଜେଡିକୁ କ୍ଷମତାଠାରୁ ଦୂରେଇ ରଖିବ।”
ଖାଦ୍ୟ ଯୋଗାଣ ମନ୍ତ୍ରୀ ସୂର୍ଯ୍ୟନାରୟଣ ପାତ୍ର କହିଛନ୍ତି-“ବିରୋଧୀ କଣ ଅଭିଯୋଗ କରିବେ, ତାକୁ ଆମେ ଗ୍ରହଣ କରୁନୁ। ଗ୍ରାଉଣ୍ଡ ଲେଭେଲ୍ରୁ ଯାହା ରିପୋର୍ଟ ଆସୁଛି, ଆମେ ତାହା କହୁଛୁ।”
from Odisha Reporter https://ift.tt/2EnSSen
No comments:
Post a Comment