
ନୂଆଦିଲ୍ଲୀ: ଦେଶର ୫ଟି ରାଜ୍ୟର ବିଧାନସଭା ନିର୍ବାଚନ ପାଇଁ ଆଜି ମୁଖ୍ୟ ନିର୍ବାଚନ କମିଶନଙ୍କ ପକ୍ଷରୁ ତାରିଖ ଘୋଷଣା କରାଯାଇଛି। ମୁଖ୍ୟ ନିର୍ବାଚନ କମିଶନର ଓପି ରାୱତଙ୍କ ଘୋଷଣା ଅନୁଯାୟୀ, ମଧ୍ୟପ୍ରଦେଶ ଓ ମିଜୋରାମରେ ଗୋଟିଏ ପର୍ଯାୟରେ ଆଗାମୀ ସରକାର ବାଛିବା ଲାଗି ମତଦାନ ହେବ। ଅନ୍ୟପକ୍ଷେ ଛତିଶଗଡ଼ରେ ଦୁଇଟି ପର୍ଯ୍ୟାୟରେ ଭୋଟ ଗ୍ରହଣ କରାଯିବ। ଏହି ୩ ରାଜ୍ୟରେ ମତଦାନ ଆସନ୍ତା ନଭେମ୍ବରରେ ଅନୁଷ୍ଠିତ ହେବ।
ଡିସେମ୍ବର ୭ରେ ଉଭୟ ରାଜସ୍ଥାନ ଓ ତେଲେଙ୍ଗାନା ପାଇଁ ଭୋଟ୍ ଗ୍ରହଣ କରାଯିବ। ଏହି ଦୁଇ ରାଜ୍ୟରେ ଗୋଟିଏ ପର୍ଯ୍ୟାୟରେ ହିଁ ଭୋଟ୍ ଗ୍ରହଣ କରାଯିବ। ତେବେ ୨ ମାସ ମଧ୍ୟରେ ୫ଟି ରାଜ୍ୟର ନିର୍ବାଚନ ଅନୁଷ୍ଠିତ ହେଉଥିଲେ ହେଁ ଡିସେମ୍ବର ୧୧ରେ ଏକସାଙ୍ଗରେ ଫଳାଫଳ ପ୍ରକାଶ ପାଇବ ବୋଲି ସେ ସୂଚନା ଦେଇଛନ୍ତି।

ବିସ୍ତୃତ ସୂଚନା ଅନୁଯାୟୀ, ନଭେମ୍ବର ୨୮ରେ ମଧ୍ୟପ୍ରଦେଶ ଓ ମିଜୋରାମରେ ନିର୍ବାଚନ ହେବ। ସେହିପରି ନଭେମ୍ବର ୧୨ରେ ଛତିଶଗଡ଼ରେ ପ୍ରଥମ ପର୍ଯ୍ୟାୟରେ ନକ୍ସଲ ପ୍ରଭାବିତ ଦକ୍ଷିଣ ଭାଗରେ ଥିବା ୧୮ଟି ଆସନ ପାଇଁ ଭୋଟ୍ ଗ୍ରହଣ କରାଯିବ। ଅନ୍ୟ ୭୨ଟି ଆସନ ପାଇଁ ମତଦାନ ନଭେମ୍ବର ୨୦ରେ ଅନୁଷ୍ଠିତ ହେବ।
ନିର୍ବାଚନ କମିଶନ ତାରିଖ ଘୋଷଣା କରିଥିବାରୁ ଅଜିଠାରୁ ହିଁ ସଂପୃକ୍ତ ରାଜ୍ୟଗୁଡ଼ିକରେ ନିର୍ବାଚନ ଆଚରଣ ବିଧି ଲାଗୁ କରାଯାଇଛି।
ଏହି ୫ଟି ରାଜ୍ୟ ମଧ୍ୟରୁ ମିଜୋରାମରେ କଂଗ୍ରେସ ସରକାର ଥିବା ବେଳେ ତେଲେଙ୍ଗାନାରେ କ୍ଷମତାରେ ଥିବା କେ ଚନ୍ଦ୍ରଶେଖର ରାଓଙ୍କ ଟିଆର୍ଏସ୍ ସରକାର ବିଧାନସଭାକୁ ଆଗୁଆ ଭାଙ୍ଗି ଦେଇଛନ୍ତି। ବାକି ୩ଟି ରାଜ୍ୟରେ ବିଜେପି କ୍ଷମତାରେ ରହିଛି।
ଉଲ୍ଲେଖଯୋଗ୍ୟ, ଛତିଶଗଡ଼ର ବିଧାନସଭା ଆସନ ସଂଖ୍ୟା ୯୦ ହୋଇଥିବା ବେଳେ ଗୃହକୁ ଜଣେ ବ୍ୟକ୍ତି ମନୋନୀତ ହୋଇଥାଆନ୍ତି। ସେହିପରି ମଧ୍ୟପ୍ରଦେଶର ବିଧାନସଭା ଆସନ ସଂଖ୍ୟା ୨୩୦ ହୋଇଥିବା ବେଳେ ଜଣେ ବ୍ୟକ୍ତିଙ୍କୁ ଗୃହକୁ ମନୋନୀତ କରାଯାଏ। ମିଜୋରାମର ବିଧାନସଭାର ଆସନ ସଂଖ୍ୟା ୪୦ ହୋଇଥିବା ବେଳେ ରାଜସ୍ଥାନ ବିଧାନସଭାର ସଦସ୍ୟ ସଂଖ୍ୟା ହେଉଛି ୨୦୦।
ତେଲେଙ୍ଗାନା ବିଧାନସଭାର ଆସନ ସଂଖ୍ୟା ହେଉଛି ୧୧୯ ଓ ଜଣେ ବ୍ୟକ୍ତିଙ୍କୁ ଗୃହକୁ ମନୋନୀତ କରାଯାଏ।
from Odisha Reporter https://ift.tt/2Pliv0w
No comments:
Post a Comment