
ମୁମ୍ବାଇ: ଦେଶରେ ଯୌନ ଉତ୍ପୀଡ଼ନକୁ ନେଇ ଆରମ୍ଭ ହୋଇଥିବା ‘ମି-ଟୁ’ ଅଭିଯାନରେ ଆଜି ବମ୍ବେ ହାଇକୋର୍ଟର ଜଣେ ବିଚାରପତି ସାମିଲ ହୋଇଛନ୍ତି। ସେ ଏହି ଅଭିଯାନକୁ ସମର୍ଥନ କରିବା ସହ ନ୍ୟାୟପାଳିକାରେ ମଧ୍ୟ ଯୌନ ଉତ୍ପୀଡ଼ନ ଚାଲିଛି ବୋଲି କହିଛନ୍ତି। ଏଥିସହ ପୁରୁଷପ୍ରଧାନ ସମାଜରେ ମହିଳାମାନଙ୍କୁ ମୁକ୍ତ ଭାବେ ନିଜର ପକ୍ଷ ରଖିବାକୁ ଦିଆଯାଉନାହିଁ ବୋଲି ମଧ୍ୟ ମତ ଦେଇଛନ୍ତି।
ବିଚାରପତି ଗୌତମ ପଟେଲ୍ ଭାରତୀୟ ମର୍ଚ୍ଚାଣ୍ଟ ଚ୍ୟାମ୍ବରର ମହିଳା ଶାଖା ପକ୍ଷରୁ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେଇ କହିଛନ୍ତି, “ ଯେଉଁ ମହିଳାମାନେ ‘ମି-ଟୁ’ ଅଭିଯାନ ଜରିଆରେ ନିଜର ସହ ଘଟିଥିବା ଯୌନ ନିର୍ଯାତନା ସମ୍ପର୍କରେ ମୁହଁ ଖୋଲିବାକୁ ସାହସ କରିଛନ୍ତି, ସେମାନଙ୍କୁ ମୁଁ ସମର୍ଥନ କରୁଛି। ସେମାନଙ୍କ ସହ ଏଭଳି କାମ କରିଥିବା ଲୋକଙ୍କ ନାଁ ପର୍ଦ୍ଦାଫାସ ହେବା ଭଲ କଥା। ନ୍ୟାୟପାଳିକାରେ ମଧ୍ୟ ବ୍ୟାପକ ଭାବେ ଯୌନ ଉତ୍ପୀଡ଼ନ ଚାଲିଛି। ଖାଲି ଯୌନ ନିର୍ଯାତନା ନୁହେଁ, ନ୍ୟାୟପାଳିକାରେ ପୁରୁଷପ୍ରଧାନ ନିୟମର କଡ଼ାକଡ଼ି ପାଳନ ହେଉଛି। ସବୁ ସ୍ଥାନରେ ମହିଳାଙ୍କ ସହ ଏଭଳି ଘଟଣା ଘଟୁଛି। କିନ୍ତୁ ସେମାନେ ମହିଳା ହୋଇଥିବାରୁ ସେମାନଙ୍କ କଥା କେହି ଶୁଣୁନାହାନ୍ତି। ଆଇନ୍ ପ୍ରଫେସନ୍ରେ ମଧ୍ୟ ଏଭଳି ଘଟଣା ଘଟୁଛି। ହେଲେ କେହି ଏ ସମ୍ପର୍କରେ ଆଲୋଚନା କରୁନାହାନ୍ତି।
“ଯଦି ମୁଁ କେବେ ଜଣେ ପୁରୁଷ ଆଇନ୍ଜୀବୀ ଜଣେ ମହିଳା ଆଇନ୍ଜୀବୀଙ୍କ ଜବରଦସ୍ତି ନିକଟତର ହେବାକୁ ଚେଷ୍ଟା କରୁଥିବା ଅନୁଭବ କରେ କିମ୍ବା ଦେଖେ, ତା’ହେଲେ ଏହାକୁ ମୁଁ କେବେ ହେଲେ ପ୍ରଶ୍ରୟ ଦେବିନାହିଁ। ସବୁ ବେଳେ ଲିଙ୍ଗଗତ ସମାନତାକୁ ଗୁରୁତ୍ୱ ଦେବା ଦରକାର। ଆମେରିକାରେ ଯେଉଁଭଳି ଭାବେ ଅଭିନେତା ତଥା କମେଡି କିଙ୍ଗ ବିଲ୍ କାସବିଙ୍କ କ୍ଷେତ୍ରରେ ଆଇନ୍କୁ ପାଳନ କରାଗଲା, ଭାରତରେ ମଧ୍ୟ ଆଇନ୍କୁ କଡ଼ାକଡ଼ି ଭାବେ ପାଳନ କରାଯିବା ଦରକାର।”
ଉଲ୍ଲେଖଯୋଗ୍ୟ ବିଲ୍ଙ୍କୁ ୧୪ ବର୍ଷ ତଳର ଯୌନ ଉତ୍ପୀଡ଼ନ ମାମଲାରେ ଗତମାସରେ ଆମେରିକାର ଏକ କୋର୍ଟ ଦଣ୍ଡିତ କରିଥିଲା।
ସେ ଆହୁରି କହିଛନ୍ତି, ଯୌନ ଉତ୍ପୀଡ଼ନ ସମ୍ପର୍କରେ ମୁହଁ ଖୋଲିବାକୁ ବହୁତ ବର୍ଷ ସମୟ ଲାଗେ। ମହିଳାମାନେ କାହିଁକି ସେମାନଙ୍କ ସହ ଘଟିଥିବା ଘଟଣା ସମ୍ପର୍କରେ ମୁହଁ ଖୋଲୁନାହାନ୍ତି? ଏଭଳି ଚୁପ୍ ରହିବା ଏକ ଚିନ୍ତାର ବିଷୟ। ତେବେ ପୁରୁଷ ପ୍ରାଧାନ୍ୟ ବିଶ୍ୱରେ ମହିଳାଙ୍କୁ ଉପଯୁକ୍ତ ନ୍ୟାୟ ମିଳୁ ନଥିବାରୁ ଏଭଳି ଘଟଣା ଘଟୁଛି ବୋଲି ସେ ମତ ଦେଇଛନ୍ତି।
from Odisha Reporter https://ift.tt/2CDCvIV
No comments:
Post a Comment