
ରାୟପୁର: “ଆମେ ଯେଉଁ ଯାଗାକୁ ଯାଉଥିଲୁ, ସେଇଠି ୧୯୯୮ ପରଠାରୁ କେବେ ମଧ୍ୟ ନିର୍ବାଚନ ହୋଇନି। ନୂଆ କରି ତିଆରି ହୋଇଥିବା ପୋଲିଂ ଷ୍ଟେସନ୍ ଶୁଟିଂ କରିବାକୁ ବାହାରିଥିଲୁ। ଭାବିଥିଲୁ ଏହି ଯାତ୍ରା ଉତ୍ସାହଜନକ ହେବ। କିନ୍ତୁ କିଛି ମିନିଟ୍ରେ ହିଁ ସବୁକିଛି ବଦଳିଗଲା।’ ଏମିତି କିଛି ହୃଦୟଥରା ବୟାନ ଦେଇଛନ୍ତି ଛତିଶଗଡ଼ରେ ନକ୍ସଲ ଆକ୍ରମଣରୁ ମୃତ୍ୟୁକୁ ସାମ୍ନାରୁ ଦେଖିବା ପରେ ଅଳ୍ପକେ ବର୍ତ୍ତିଯାଇଥିବା ଦୂରଦର୍ଶନର ଜଣେ ସାମ୍ବାଦିକ ଧୀରଜ୍ କୁମାର।
ରିପୋର୍ଟର ଧୀରଜ୍ କୁମାରଙ୍କ ସହିତ ଏହି ‘ହରର୍’ ଯାତ୍ରାରେ ଥିଲେ ଓଡ଼ିଶା ଜନ୍ମିତ କ୍ୟାମେମ୍ୟାନ୍ ଅଚ୍ୟୁତାନନ୍ଦ ସାହୁ, ଲାଇଟ୍ ଆସିଷ୍ଟାଣ୍ଟ ମୋର୍ମୁକ୍ତ ଶର୍ମା, ଯେଉଁମାନଙ୍କୁ ଦୁରଦର୍ଶନ ପକ୍ଷରୁ କଭ୍ରେଜ୍ ପାଇଁ ପଠାଯାଇଥିଲା। ସମେଲୀଠାରେ ଥିବା ସିଆରପିଏଫ୍ କ୍ୟାମ୍ପଠାରୁ ୫ କିଲୋମିଟର ଦୂର ନିଲ୍ୱାୟା ଆଡ଼କୁ ସେମାନେ ଯାଉଥିଲେ। ଏହି ରାସ୍ତାରେ ହିଁ ତାଙ୍କ ଉପରେ ଆକ୍ରମଣ ହୋଇଥିଲା, ଯେଉଁଥିରେ କ୍ୟାମେରାମ୍ୟାନ୍ ଅଚ୍ୟୁତାନନ୍ଦ ଏବଂ ଦୁଇଜଣ- ପୁଲିସ୍ -ସବ୍ ଇନ୍ସପେକ୍ଟର ରୁଦ୍ର ପ୍ରତାପ, ଆସିଷ୍ଟାଣ୍ଟ ସବ୍ ଇନ୍ସପେକ୍ଟର ମଙ୍ଗଲୁ ଘଟଣାସ୍ଥଳରେ ପ୍ରାଣ ହରାଇଥିଲେ। ସେମାନଙ୍କ ସହିତ ପ୍ରାୟ ୧୨ଜଣ ସୁରକ୍ଷା କର୍ମୀମାନେ ମଧ୍ୟ ମୋଟରସାଇକେଲରେ ଯାଉଥିଲେ। କାରଣ ମାଓବାଦୀଙ୍କ ହୃତ୍ପିଣ୍ଡ କୁହାଯାଉଥିବା ଏହି ଅଞ୍ଚଳକୁ ଯିବାକୁ କେବଳ ମୋଟର ସାଇକେଲ ହିଁ ଏକମାତ୍ର ସାଧନ।
ଧୀରଜ କୁମାର ଏହି କିଛି ମିନିଟ୍ କଥା ମନେ ପକାଇ କୁହନ୍ତି, “୧୦.୨୫ ବେଳକୁ ମୁଁ ଦେଖିଲି ଆମକୁ ବାଟ କଢ଼େଇ ନେଉଥିବା କିଛି ମୋଟର ସାଇକେଲ୍ ଟଳିପଡ଼ୁଛି। ମୋ କ୍ୟାମେରାମ୍ୟାନ୍ ପ୍ରଥମ ମୋଟରସାଇକେଲ ପଛରେ ବସିଥିଲେ। ତାଙ୍କ ଦେହରେ ଗୁଳିମାଡ଼ହେବା କ୍ଷଣି ଘଟଣା ସ୍ଥଳରେ ହିଁ ସେ ଟଳି ପଡ଼ିଥିଲେ। ଆମ ଗାଡ଼ି ମଧ୍ୟ ନିୟନ୍ତ୍ରଣ ହରାଇ ତଳେ ପଡ଼ିଗଲା ଏବଂ ସୌଭାଗ୍ୟବଶତଃ ମୁଁ ଗୋଟିଏ ଖାଲରେ ପଡ଼ିଗଲି। ମୁଁ ତଳକୁ ତଳକୁ ଗୁରୁଣ୍ଡି ଗୁରୁଣ୍ଡି ପଳାଇଲି।”
ଏହାର ପରବର୍ତ୍ତୀ ସମୟ ତାଙ୍କ ପାଇଁ ଭୟଙ୍କର ଥିଲା। ତାଙ୍କୁ କେବଳ ଶୁଭୁଥିଲା ଗୁଳିର ଶବ୍ଦ। ଏପରିକି ତାଙ୍କ ମୁଣ୍ଡ ଉପର ଦେଇ ପ୍ରାୟ ୫୦ ରାଉଣ୍ଡ ବୁଲେଟ୍ ଚାଲିଯାଇଥିଲା। ଧୀରଜ କୁମାର ବର୍ତ୍ତମାନ ସମେଲି କ୍ୟାମ୍ପରେ ଅକ୍ଷତ ଅବସ୍ଥାରେ ଥିବା ଜଣାଯାଇଛି। ଏହି କଭ୍ରେଜ୍ରେ ଯିବାପୂର୍ବରୁ ସେ ଦାନ୍ତେୱାଡ଼ାର ଏସ୍ପି ଅଭିଷେକ ପଲ୍ଳବଙ୍କୁ ମଧ୍ୟ ସୂଚନା ଦେଇଥିଲେ, ଯିଏକି ଅନୁମତି ଦେଇଥିଲେ ଏବଂ ସେମାନଙ୍କ ସୁରକ୍ଷା ନିଶ୍ଚିତ କରାଇଥିଲେ। ଆହତମାନଙ୍କୁ ତୁରନ୍ତ ଦାନ୍ତେୱାଡ଼ା ହସ୍ପିଟାଲ ନିଆଯାଇଥିଲା ଏବଂ ପରେ ରାୟପୁର ନିଆଯାଇଥିବା ଜଣାଯାଇଛି। ଏହି ଘଟଣାକୁ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ରାଜ୍ୟବର୍ଦ୍ଧନ ସିଂହ ରାଠୋର କଡ଼ା ଶବ୍ଦରେ ନିନ୍ଦା କରିଛନ୍ତି।
from Odisha Reporter https://ift.tt/2OhoeD4
No comments:
Post a Comment