
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) : ସାମୁଦ୍ରିକ ଝଡ଼ ‘ତିତଲି’ ଓ ବନ୍ୟାରେ ସର୍ବାଧିକ କ୍ଷତିଗ୍ରସ୍ତ ୩ଟି ଜିଲ୍ଲା ଗଞ୍ଜାମ, ଗଜପତି ଓ ରାୟଗଡ଼ା ଜିଲ୍ଲା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରିଲିଫ୍ ପ୍ୟାକେଜ ଘୋଷଣା କରିଛନ୍ତି ।
ଆଜି ପୂର୍ବାହ୍ନରେ ‘ତିତଲି’ ପ୍ରଭାବିତ ଗଞ୍ଜାମ, ଗଜପତି ଓ ରାୟଗଡ଼ା ଜିଲ୍ଲାର ବିଭିନ୍ନ ଅଞ୍ଚଳକୁ ଆକାଶ ମାର୍ଗରୁ ଅନୁଧ୍ୟାନ କରିବା ପରେ ସନ୍ଧ୍ୟାରେ ସଚିବାଳୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ କରିଥିଲେ। ବୈଠକ ପରେ ସାମ୍ବାଦିକମାନଙ୍କୁ ସୂଚନା ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଗଞ୍ଜାମ, ଗଜପତି ଓ ରାୟଗଡ଼ା ଜିଲ୍ଲାରେ ୧୫ଦିନ ପର୍ଯ୍ୟନ୍ତ କ୍ଷତିଗ୍ରସ୍ତ ଲୋକଙ୍କୁ ରିଲିଫ୍ ଯୋଗାଇ ଦିଆଯିବ। ବୟସ୍କଙ୍କ ପାଇଁ ଦିନକୁ ୬୦ଟଙ୍କା ମୂଲ୍ୟର ଖାଦ୍ୟ ଓ ଛୋଟପିଲାଙ୍କ ପାଇଁ ୪୫ଟଙ୍କା ମୂଲ୍ୟର ଦୈନିକ ମାଗଣା ଖାଦ୍ୟ ଦିଆଯିବ।
ପ୍ରଭାବିତ ଅଞ୍ଚଳରେ ଶୁଦ୍ଧ ପାନୀୟ ଜଳ ଯୋଗାଣ ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେବାସହ ଆସନ୍ତାକାଲି ସୁଦ୍ଧା ବନ୍ୟା ପ୍ରଭାବିତ ଅଞ୍ଚଳରେ ଅଚଳ ନଳକୂପ ମରାମତି କରାଯିବ ବୋଲି ସେ କହିଛନ୍ତି। ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଏସବୁ ଅଞ୍ଚଳରେ ୯୦ ପ୍ରତିଶତ ସ୍ଥାନରେ ବିଦ୍ୟୁତ ସେବା ସ୍ୱାଭାବିକ ହେବ ଓ ୧୦ ପ୍ରତିଶତ ଅଞ୍ଚଳରେ ୩ରୁ ୫ଦିନ ମଧ୍ୟରେ ବିଦ୍ୟୁତ ସଂଯୋଗ ଯୋଗାଇ ଦିଆଯିବ। କ୍ଷୟକ୍ଷତି ଆକଳନ କରାଯିବା ପରେ କେନ୍ଦ୍ର ସରକାରଙ୍କ ନିକଟରେ ସହାୟତା ପାଇଁ ଦାବି ରଖାଯିବ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି।
ଗଜପତି ଜିଲ୍ଲାରେ ମାଟିଅତଡ଼ା ଧସିବାରୁ ୧୨ଜଣଙ୍କ ମୃତ୍ୟୁ ଘଟିଛି ବୋଲି ମୁଖ୍ୟମନ୍ତ୍ରୀ ସ୍ୱୀକାର କରିବା ସହ ଏଥିପାଇଁ ଦୁଃଖ ପ୍ରକାଶ କରିଛନ୍ତି। ବିରୋଧୀ ଦଳ ଯଦି ପ୍ରାକୃତିକ ବିପର୍ଯ୍ୟୟକୁ ନେଇ ରାଜନୀତି କରିିବାକୁ ଚାହୁଁଛି ତାହା କରୁ କିନ୍ତୁ ସରକାର ରିଲିଫ୍ ଓ ଉଦ୍ଧାର କାର୍ଯ୍ୟ ଉପରେ ଗୁରୁତ୍ୱ ଦେଉଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଛନ୍ତି ।
from Odisha Reporter https://ift.tt/2QOsPy5
No comments:
Post a Comment