
ଭୁବନେଶ୍ୱର : ( ଓଡ଼ିଶା ରିପୋର୍ଟର): ନିର୍ବାଚନ ପାଇଁ ଆଗୁଆ ପ୍ରସ୍ତୁତି କରୁଥିବା ପ୍ରଦେଶ କଂଗ୍ରେସ ଆଜି ୪୪ଜଣ ପ୍ରାର୍ଥୀଙ୍କ ନାଁ ଚୂଡ଼ାନ୍ତ କରିଛି। ଦିନେ-ଦୁଇଦିନ ମଧ୍ୟରେ ଏହି ପ୍ରାର୍ଥୀଙ୍କ ତାଲିକାକୁ ଓଡ଼ିଶା ପାଇଁ ଗଠିତ ସ୍କ୍ରିନିଂ କମିଟିକୁ ପଠାଯିବ। ମାତ୍ର ପ୍ରାର୍ଥୀଙ୍କ ଚୟନକୁ ନେଇ ପ୍ରଦେଶ ନିର୍ବାଚନ କମିଟି(ପିଇସି) ଯେଉଁ ଫର୍ମୁଲା ଆପଣାଇଛି ତାକୁ ନେଇ ଦଳ ଭିତରେ ଅସନ୍ତୋଷ ଦେଖା ଦେଇଥିବା ଜଣାପଡ଼ିଛି।
ପିଇସି ବୈଠକରେ ଉପସ୍ଥିତ ଥିବା ଦଳର ଜଣେ ବରିଷ୍ଠ ନେତାଙ୍କ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ୪୪ଜଣ ସମ୍ଭାବ୍ୟ ପ୍ରାର୍ଥୀଙ୍କ ତାଲିକାକୁ ଚୂଡ଼ାନ୍ତ କରାଯାଇଥିଲେ ମଧ୍ୟ ପ୍ରଥମ ପର୍ଯ୍ୟାୟରେ ସ୍କ୍ରିନିଂ କମିଟିକୁ ୫୦-୫୨ଜଣ ପ୍ରାର୍ଥୀଙ୍କ ତାଲିକା ପଠାଯିବ। ଗତକାଲିଠୁ ଭୁବନେଶ୍ୱରରେ ଡେରା ପକାଇଥିବା ଓଡ଼ିଶା ଦାୟିତ୍ୱରେ ଥିବା ସ୍କ୍ରିନିଂ କମିଟି ଅଧ୍ୟକ୍ଷ ଭିଡି ସଥେଶାନ୍ ଓ ଦୁଇ ସଦସ୍ୟ ଜିତିନ୍ ପ୍ରସାଦ ଓ ନୌସାଦ ସୋଲାଙ୍କି ରାଜ୍ୟର କିଛି ବରିଷ୍ଠ ନେତା ଓ ଯୁବ କଂଗ୍ରେସ ନେତାମାନଙ୍କ ସହ ବିଚାରବିମର୍ଶ କରିଥିଲେ। ସେମାନଙ୍କର ମତାମତ ଓ ଯୁକ୍ତିଯୁକ୍ତ ଦାବିକୁ ଦୃଷ୍ଟିରେ ରଖି ପିଇସି ତାଲିକାରେ କେତେକ ନାଁକୁ ସାମିଲ କରିବା ପାଇଁ ସ୍କ୍ରିନିଂ କମିଟି ପରାମର୍ଶ ଦେଇପାରେ।
ଯଦିଓ ସ୍କ୍ରିନିଂ କମିଟି ନିଜ ଆଡୁ ତାଲିକାରେ ସଂଶୋଧନ କରିପାରିବ ତଥାପି ରାଜ୍ୟ ନେତୃତ୍ୱଙ୍କୁ ଗୁରୁତ୍ୱ ଦେବା ପାଇଁ ଏଭଳି ପଦକ୍ଷେପ ନେଇଥିବା ଜଣାପଡ଼ିଛି।
ପିଇସି ବୈଠକ ପ୍ରାୟ ୨ଘଣ୍ଟା ଧରି ଚାଲିଥିଲେ ମଧ୍ୟ ସାମ୍ଭବ୍ୟ ପ୍ରାର୍ଥୀ ଚୟନର ମାପଦଣ୍ଡ ନେଇ କୌଣସି ଆଲୋଚନା ହୋଇନଥିଲା। ତେବେ ଦଳର ସମସ୍ତ ୧୫ ବିଧାୟକଙ୍କୁ ପୁଣିଥରେ ପ୍ରାର୍ଥୀ ହେବା ପାଇଁ ସୁଯୋଗ ଦିଆଯାଇଛି। ବାକି ୨୯ଜଣଙ୍କ ମଧ୍ୟରେ ୯ଜଣ ସମ୍ପୂର୍ଣ୍ଣ ନବାଗତ ଥିବାବେଳେ କଂଗ୍ରେସରେ ସାମିଲ ହୋଇଥିବା ଜର୍ଜ ତିର୍କୀ ଓ ରମେଶ ଜେନାଙ୍କ ନାଁ ଉପରେ ପିଇସିର ଚୂଡ଼ାନ୍ତ ମୋହର ବାଜିଥିବା ଜଣାପଡ଼ିଛି।
ପିଇସି ଦ୍ୱାରା ଚୟନ ହୋଇଥିବା ସମସ୍ତ ୪୪ ସମ୍ଭାବ୍ୟ ପ୍ରାର୍ଥୀଙ୍କ ମଧ୍ୟରେ ଉପକୂଳ ଓଡ଼ିଶାର ୧୩ଜଣ, ଦକ୍ଷିଣ ଓଡ଼ିଶାର ୧୧ ଓ ପଶ୍ଚିମ ଓଡ଼ିଶାର ୨୦ଜଣ ପ୍ରାର୍ଥୀ ରହିଥିବା ସୂଚନା ମିଳିଛି। ଜଗତସିଂହପୁରର ୩ଟି ଆସନ ପାଇଁ ପ୍ରାର୍ଥୀ ଚୟନକୁ ଚୂଡ଼ାନ୍ତ କରିଥିବା ପିଇସି ଚିରଞ୍ଜିବ ବିଶ୍ୱାଳ, ଡାକ୍ତର ଲଲାଟେନ୍ଦୁ ମହାପାତ୍ର ଓ ବାପି ସର୍ଖେଲଙ୍କ ଉପରେ ଆସ୍ଥା ପ୍ରକଟ କରିଥିବା ଜଣାପଡ଼ିଛି।
ସେହିପରି ଯୁବ କଂଗ୍ରେସ ସହ ଜଡ଼ିତ ୩ଜଣ ନେତା ମଧ୍ୟ ସମ୍ଭାବ୍ୟ ତାଲିକାରେ ସାମିଲ ଅଛନ୍ତି। ପିଇସି ବୈଠକରେ କାର୍ଯ୍ୟକାରୀ ସଭାପତି ନବ ଦାସ ଉପସ୍ଥିତ ନଥିଲେ ମଧ୍ୟ ସେ ଦେଇଥିବା ତାଲିକା ଆଧାରରେ ପଶ୍ଚିମ ଓଡ଼ିଶାର ପ୍ରାର୍ଥୀ ଚୟନକୁ ପ୍ରାଥମିକତା ଦିଆଯାଇଛି। ଶ୍ରୀ ଦାସ ଏବେ ନିଜ ଝିଅର ନାମଲେଖା ପାଇଁ ପ୍ୟାରିସ୍ ଗସ୍ତରେ ଅଛନ୍ତି। ସେହିପରି ପିଇସି ସଦସ୍ୟ ହେମାନନ୍ଦ ବିଶ୍ୱାଳ ଓ କାହ୍ନୁଚରଣ ଲେଙ୍କା ବୈଠକରେ ଅସୁସ୍ଥତା ଯୋଗୁ ସାମିଲ ହୋଇନଥିଲେ।
ସୂଚନା ଅନୁସାରେ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ‘ଚୁଜ୍ ଆଣ୍ଡ ପିକ୍’ ଫର୍ମୂଲାକୁ ଗ୍ରହଣ କରାଯାଇଛି।ପିସିସିର ଦାୟିତ୍ୱରେ ଥିବା କିଛି ନେତାମାନେ ନିଜର ଅନୁଗତଙ୍କୁ ଏଭଳି ତାଲିକାରେ ସାମିଲ କରିଥିବା ଜଣାପଡ଼ିଛି।
ପିଇସି ବୈଠକରେ ଏଆଇସିସି ସମ୍ପାଦକ ଓ ଓଡ଼ିଶା ପିସିସି ପ୍ରଭାରୀ ଜିତେନ୍ଦ୍ର ସିଂହଙ୍କ ସମେତ ସ୍କ୍ରିନିଂ କମିଟି ଅଧ୍ୟକ୍ଷ ଶ୍ରୀ ସଥେଶାନ୍ ଓ ବିରୋଧୀ ଦଳ ନେତା ନରସିଂହ ମିଶ୍ର, ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଏବଂ ଅନ୍ୟ ନିମନ୍ତ୍ରିତ ଓ ସ୍ଥାୟୀ ସଦସ୍ୟମାନେ ଯୋଗ ଦେଇଥିଲେ।
ଅନ୍ୟପକ୍ଷରେ ଗଣମାଧ୍ୟମକୁ ସୂଚନା ଦେଇ ବରିଷ୍ଠ ନେତା ଜୟଦେବ ଜେନା କହିଛନ୍ତି, “ପୂର୍ବରୁ ସ୍କ୍ରିନିଂ କମିଟି ବୈଠକ ଦିଲ୍ଲୀରେ ବସୁଥିଲା। ଚଳିତଥର ସ୍କ୍ରିନିଂ କମିଟି ଏଠାକୁ ଯଥେଷ୍ଟ ପୂର୍ବରୁ ଆସି ବିଭିନ୍ନ ନେତାଙ୍କ ସହ ଆଲୋଚନା କରୁଛନ୍ତି। ତେଣୁ ଆମେ ଆଶାବାଦୀ ରହିବା ସ୍ୱାଭାବିକ। ଦେଖିବା ଆଗକୁ କ’ଣ ଭଲ ହେଉଛି?”
ଉଲ୍ଲେଖଯୋଗ୍ୟ, ସ୍କ୍ରିନିଂ କମିଟିର ୩ଜଣିଆ ସଦସ୍ୟଙ୍କୁ ଗତକାଲି ଦଳର ବରିଷ୍ଠ ନେତା ଶରତ ପଟ୍ଟନାୟକ, ଭାଗବତ ମହାନ୍ତି, ଜାକବ ପ୍ରଧାନ, ପ୍ରକାଶ ଦେବତା, ଜୟଦେବ ଜେନା ପ୍ରମୁଖଙ୍କୁ ଭେଟି ଦଳୀୟ ସଂଗଠନ ସମ୍ପର୍କରେ ଆଲୋଚନା କରିଥିଲେ। ତେବେ ଟିକେଟ୍ ଚୂଡ଼ାନ୍ତ ହେବା ପୂର୍ବରୁ ଏହି ନେତାମାନଙ୍କ ସହ ହୋଇଥିବା ବାର୍ତ୍ତାଳାପକୁ ସ୍କ୍ରିନିଂ କମିଟି ଗୁରୁତ୍ଵ ଦେବ ବୋଲି କୁହାଯାଉଛି। ସମ୍ଭବତଃ ଦଶହରା ପୂଜା ପରେ କଂଗ୍ରେସ ରାଜ୍ୟରେ ତା’ର ପ୍ରଥମ ପର୍ଯ୍ୟାୟ ସମ୍ଭାବ୍ୟ ପ୍ରାର୍ଥୀ ତାଲିକା ଜାରି କରିବ ବୋଲି ଜଣାପଡ଼ିଛି।
from Odisha Reporter https://ift.tt/2xP3mNU
No comments:
Post a Comment