
ବଲାଙ୍ଗିର (ସସ୍ମିତା ସାହୁ): ଆଜି ହେଉଛି ପବିତ୍ର ମହାଳୟା ଅମାବାସ୍ୟା ତିଥି। ଘଣ୍ଟ ଓ ଶଙ୍ଖରେ କମ୍ପୁଛି ପରିବେଶ। ଦୁଲଦୁଲିରେ ଦୁଲକି ଯାଉଛି ବଲାଙ୍ଗିର ସହରର ଇଷ୍ଟଦେବୀ ମାଆ ସମଲେଶ୍ୱରୀଙ୍କ ପୀଠ। ମାଆ ଆଜି ଭକ୍ତଙ୍କୁ ‘ଧବଳମୁଖୀ’ ବେଶରେ ଦର୍ଶନ ଦେଉଛନ୍ତି। ଭକ୍ତମାନେ ମାଆଙ୍କର ଏହି ବେଶ ଦେଖିବା ପାଇଁ ଖରାକୁ ଖାତିର ନକରି ଧାଡ଼ିରେ ଯାଇ ଆଶୀର୍ବାଦ ନେଇଛନ୍ତି। ଏଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।
ମାଆ ସମଲେଶ୍ୱରୀ ସବୁଦିନ ରକ୍ତମୁଖା ଲାଲ ରଙ୍ଗରେ ଦର୍ଶନ ଦିଅନ୍ତି। କିନ୍ତୁ ଆଜି ଭକ୍ତମାନଙ୍କୁ ଧଳା ମୁହଁରେ ଦର୍ଶନ ଦେଉଛନ୍ତି। ଆଜି ପବିତ୍ର ଆଶ୍ୱିନ ମାସ ଅମାବାସ୍ୟା ତିଥି ହୋଇଥିବାରୁ ମାଆ ସମଲେଶ୍ୱରୀ ଭକ୍ତମାନଙ୍କୁ ‘ଧବଳମୁଖୀ’ ବେଶରେ ଦର୍ଶନ ଦେଉଛନ୍ତି। ‘ଧବଳମୁଖୀ’ ବେଶରେ ମାଆଙ୍କ ବସ୍ତ୍ର, ଅଳଙ୍କାର, ନୈବେଦ୍ୟ ସବୁକିଛି ଧଳା ରଙ୍ଗର କରାଯାଇଛି। ମାଆଙ୍କ ପାଖରେ ରସଗୋଲା ଭୋଗ ଲଗାଯାଇଛି।
ଆଜି ସକାଳେ ମାଆ ସମଲେଶ୍ୱେରୀଙ୍କର ସ୍ୱତନ୍ତ୍ର ରୀତିନୀତିରେ ପୂଜାର୍ଚ୍ଚନା କରାଯାଇଥିଲା। ପରେ ‘ଧବଳମୁଖୀ’ ବେଶରେ ସଜେଇ ଦେଇଥିଲେ ପୂଜକ। ମାଆଙ୍କ ଏହି ବେଶକୁ ଗଙ୍ଗା ବେଶ ମଧ୍ୟ କୁହାଯାଏ। ଏହି ବେଶରେ ମାଆଙ୍କ ଦର୍ଶନ କଲେ କୋଟି ଜନ୍ମର ପାପ ନଷ୍ଟ ହେବା ସହିତ ପୂଣ୍ୟ ଲାଭ ହୋଇଥାଏ। ଆଜି ମାଆଙ୍କ ଦର୍ଶନ କଲେ ଗଙ୍ଗା ସ୍ନାନର ପୂଣ୍ୟ ମିଲିଥାଏ ବୋଲି ଭକ୍ତଙ୍କ ବିଶ୍ୱାସ ରହିଛି। ତେଣୁ ମାଆଙ୍କ ଏହି କମନୀୟ ବେଶକୁ ଦର୍ଶନ କରିବାର ସୁଯୋଗକୁ ହାତଛଡ଼ା କରିନଥିଲେ ବଲାଙ୍ଗିରବାସୀ।
ଆସନ୍ତାକାଲିଠାରୁ ଦେବୀ ପୀଠ ଗୁଡିକରେ ଆରମ୍ଭ ହୋଇଯିବ ନବରାତ୍ରୀ ପୂଜା। ତେଣୁ ନବରାତ୍ରୀ ପୂଜା ପାଇଁ ଶକ୍ତିପୀଠ ଗୁଡିକରେ ଚୂଡାନ୍ତ ପର୍ଯ୍ୟାୟରେ ଚାଲିଛି।
ଶକ୍ତିପୀଠ ଗୁଡିକରେ ଆସନ୍ତାକାଲିଠାରୁ ନବରାତ୍ରୀ ପୂଜା ଆରମ୍ଭ ହେଉଛି। ତା’ପର ଦିନ ଅର୍ଥାତ ବୁଧବାରଠାରୁ ପେଣ୍ଡାଲ୍ମାନଙ୍କରେ ନବଦିନାତ୍ମକ ପୂଜା ଆରମ୍ଭ ହେବ। ବଲାଙ୍ଗିର ସହରର ପ୍ୟାଲେସ୍ଲାଇନ୍, ରୁଗୁଡିପଡ଼ା, ଟିକ୍ରାପଡ଼ା ଭଳି ବିଭିନ୍ନ ପଡ଼ାରେ ଏ ବର୍ଷ ନବଦିନାତ୍ମକ ଦୁର୍ଗାପୂଜା ଅନୁଷ୍ଠିତ ହେବ। ହାତରେ ଆଉ ସମୟ ନଥିବାରୁ ରାତି ଦିନ ଏକ କରି ଲାଗିପଡ଼ିଛନ୍ତି ଶିଳ୍ପୀ।
ସେପଟେ ଆସନ୍ତାକାଲି ବିଲ୍ୱବରଣ ଅନୁଷ୍ଠିତ ହେବ। ତେଣୁ ଆଜି ରାତିକ ଭିତରେ ମାଆଙ୍କ ମୂର୍ତ୍ତି କାମ ସାରିବାକୁ ହେବ। ତେଣୁ ମୂର୍ତ୍ତିଗୁଡ଼ିକରେ ଶେଷ ସ୍ପର୍ଶ ଦେଉଛନ୍ତି କାରିଗର। ପରମ୍ପରା ଅନୁଯାୟୀ, ଆଜି ମହାଳୟା ଅମାବାସ୍ୟା ରାତିରେ ମାଆ ଜଗତଜନନୀ ଦେବୀ ଦୁର୍ଗାଙ୍କ ଚକ୍ଷୁ ଅଙ୍କନ କରିବେ କାରିଗର। ପେଣ୍ଡାଲକୁ ଆକର୍ଷଣୀୟ କରିବା ପାଇଁ ଝଲ୍ମଲ୍ କରୁଥିବା ପ୍ରଭା ତିଆରି କାମ ମଧ୍ୟ ସରିଆସିଲାଣି।
from Odisha Reporter https://ift.tt/2PqzH4M
No comments:
Post a Comment