ସମୀରଙ୍କ ଆସ୍ପର୍ଦ୍ଧା ଓ ଜଗନ୍ନାଥଙ୍କ ଶକ୍ତି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, October 23, 2018

ସମୀରଙ୍କ ଆସ୍ପର୍ଦ୍ଧା ଓ ଜଗନ୍ନାଥଙ୍କ ଶକ୍ତି

ଭୁବନେଶ୍ୱର(ତାପସ ରଞ୍ଜନ ବେହେରା): ଗର୍ବ କୁହେ, ମୁକୁଟ ପରାୟ ମୁହିଁ ମୁଣ୍ଡେ ଯାର ମଥା, ଛୋଟ ମୁହେଁ କହିଥାଏ ବଡ଼ ବଡ଼ କଥା। ଏହାର ଅର୍ଥ ଗର୍ବ ଯାହାଙ୍କ ମୁଣ୍ଡରେ ମୁକୁଟୁ ହୋଇ ବସିଯାଏ ସେ ଛୋଟ ମୁହଁରେ ବି ବଡ଼ ବଡ଼ କଥା କହିଥାଏ।  ବିଜେଡିର ୧୮ ବର୍ଷର ଶାସନରେ କିଛି ନେତାଙ୍କର ଆଚରଣ ଓ ଉଚ୍ଚାରଣ ଦେଖିଲେ ଏହି ଉକ୍ତିଟି ଯେ ସେମାନଙ୍କ ପାଇଁ ପ୍ରଯୁଯ୍ୟ ତାହା ଅନସ୍ୱୀକାର୍ଯ୍ୟ। ଅବଶ୍ୟ ଏହି ଅଠର ବର୍ଷରେ ଏମାନେ ଢେର ବଡ଼ ହୋଇଗଲେଣି। ଲଗାତାର ବିପୁଳ ଜନସମର୍ଥନ ପାଇ ଆସୁଥିବା ବିଜେଡିର କିଛି ନେତାଙ୍କ ଭାବନା ତ ଆହୁରି ବିଚିତ୍ର। ତାଙ୍କ ବିଚାରରେ ବିଜେଡି ହେଉଛି ସର୍ବଶକ୍ତିମାନ୍।

ଏଠି ଆଉ କୌଣସି ବିକଳ୍ପ ନାହିଁ। ବିଜେଡି ସରକାର ଛଡ଼ା ଆଉ କାହର ବିଜୟନାସ୍ତି। ତେଣୁ ଜନସମର୍ଥନ ଅଛି ତ’ ଆମେ ସର୍ବଶକ୍ତିମାନ୍ ନ୍ୟାୟରେ କିଛି ନେତା ଆଉ ଇନ୍ଦ୍ର ଚନ୍ଦ୍ରମାନୁ ନାହାନ୍ତି । ଆଉ କିଛି ବି ଧରାକୁ ସରା ମଣୁଛନ୍ତି। କିଛି ନେତାଙ୍କ ଗୁଣ୍ଡାଗର୍ଦ୍ଦି, ଦବଙ୍ଗଗିରି, ଦାଦାଗିରି ଏକ ପ୍ରବୃତ୍ତି  ହୋଇଯାଇଛି। ଏହାର ଅନେକ ଉଦାହରଣ ବି ଆପଣମାନେ ଦେଖିପାରୁଥିବେ। ହେଲେ ଗଣତନ୍ତ୍ରରେ ଯଦି କୌଣସି ଦଳ ଦୀର୍ଘଦିନ ଧରି ଶାସନ କରେ ଏପ୍ରକାର ଚରିତ୍ର ଓ ଆଚରଣ କିଛି ନୂଆ କଥା ନୁହେଁ । କିନ୍ତୁ ଏହି ଗର୍ବ ଓ ଅହଙ୍କାରର ସୀମାରେ ରହିଲେ ହେଲା। ଆଉ ସୀମା ଡେଇଁଲେ ସର୍ବନାଶ ।

ଏକଥା ବିଜେଡିର ମୁଖପାତ୍ର ତଥା ନିମାପଡ଼ା ବିଧାୟକ ସମୀର ଦାଶଙ୍କୁ ଜଣା ଅଛି କି ନାହିଁ ତାହା ଭିନ୍ନକଥା।

କିନ୍ତୁ ତାଙ୍କର ଏକ ରଡ଼ିସୂଲଭ ଭାଷଣକୁ ନେଇ ଏମିତି ଏକ ପ୍ରଶ୍ନ ଉଠିଛି। ନିଜ କ୍ଷମତା ଓ ଶକ୍ତି ପ୍ରଦର୍ଶନ କରିବାକୁ ଯାଇ ସେ ଯେଉଁଭଳି ଭାବେ ବିଶ୍ୱ ନିୟନ୍ତା ଜଗନ୍ନାଥଙ୍କ ଶକ୍ତିକୁ ନେଇ ପ୍ରଶ୍ନ ଉଠାଇଛନ୍ତି ତାହା ପ୍ରତ୍ୟେକ ଜଗନ୍ନାଥପ୍ରେମୀଙ୍କୁ ବ୍ୟଥିତ କରିବ। ଅବଶ୍ୟ ତାଙ୍କର ଏହି ଷଣ୍ଢମାର୍କା ଭାଷଣଟି ଟିକେ ପୁରୁଣା ହୋଇଗଲାଣି । କିନ୍ତୁ ସୋଶାଲ ମିଡିଆରେ ଏହା ବେଶ ତାଜା ଅଛି । ଶେୟାର ମଧ୍ୟ ହେଉଛି। ଲୋକେ ଶୁଣୁଛନ୍ତି, ଆଉ ପ୍ରତିକ୍ରିୟା ମଧ୍ୟ ରଖୁଛନ୍ତି। ଗତ କିଛି ଦିନତଳେ ମନ୍ତ୍ରୀ ମହେଶ୍ୱର ମହାନ୍ତିଙ୍କ ବାସଭବନ ଉପରେ ଆକ୍ରମଣ ପ୍ରତିବାଦରେ ପୁରୀରେ ହୋଇଥିବା ପ୍ରତିବାଦ ସଭାରେ ଏମିତି ଏକ ତତଲା ଭାଷଣଟିଏ ସେ ଦେଇଥିଲେ ।

ବିଜେପି ବିରୋଧରେ ଧୁମ୍ ବର୍ଷିଥିଲେ ସମୀର । ଆଉ ସେ ଯେମିତି ଗଳାଫଟା ଚିତ୍କାରରେ ନିଜ ପରାକ୍ରମକୁ ଜାହିର କରୁଥିଲେ, ସେଥିରେ ବିନା ଝଡ଼ରେ ବି ଶ୍ରୀକ୍ଷେତ୍ର ଦୋହଲି ଯାଇଥିବ। କାରଣ, କହୁ କହୁ ସେ ଜଗନ୍ନାଥଙ୍କୁ ମଧ୍ୟ ଚ୍ୟାଲେଞ୍ଜ କରିଦେଇଥିଲେ।

ଅହଙ୍କାର ରେ ଅନ୍ଧ ହୋଇ ନିମାପଡ଼ା ବିଧାୟକ ସମୀର ବାବୁ କିପରି ଜଗନ୍ନାଥ ଙ୍କୁ ତାତ୍ସଲ୍ୟ କରି ଭାଷଣ ଦେଉଛନ୍ତି ଦେଖମରଣ କାଳେ ବିପରୀତ ବୁଦ୍ଧି

Purna Chandra Mishra यांनी वर पोस्ट केले रविवार, २१ ऑक्टोबर, २०१८

କହିଥିଲେ “ତମେ ଯେଉଁ ଭାବୁଛ, ଜଗନ୍ନାଥଙ୍କ ପାଇଁ ଯେଉଁ ଲୋକଙ୍କର ଭାବାବେଗ ଅଛି, ସେହି ଭାବାବେଗକୁ ନେଇ ଓଡ଼ିଶାରେ ଶାସନ କ୍ଷମତାକୁ ଆସିବ, ତାହା ଭୁଲିଯାଅ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରି ସେ କହିଥିଲେ ଯେ, ଓଡ଼ିଶାର ଚାଷୀଙ୍କ ପାଇଁ ତୁମର ଦରଦ ନାହିଁ, ପୁରୀର ମନ୍ଦିର ପାଇଁ ତୁମର କେତେ ଦରଦ ଅଛି ତାହା ପୁରୀବାସୀ, ଓଡ଼ିଶାବାସୀ ଜାଣନ୍ତି। ଯଦି ପୁରୀ ଜିଲ୍ଲାରେ ଭାରତୀୟ ଜନତା ପାର୍ଟି ଖାତା ଖୋଲି ଦିଏ ତେବେ ମୁଁ ସବୁଦିନ ପାଇଁ ରାଜନୀତିରୁ ଇସ୍ତଫା ଦେଇଦେବି।

ଅଧିକ ପଢ଼ନ୍ତୁ: ଅଭଦ୍ର ଭାଷାରେ ଗାଳି କରୁଛନ୍ତି ବିଜେଡି ବିଧାୟକ, ଭିଡିଓ ଭାଇରାଲ୍

ଆହୁରି କହିଥିଲେ ଯଦି ଏଥର ନିର୍ବାଚନରେ ନିମାପଡ଼ାରେ  ତୁମେ ତୃତୀୟ ସ୍ଥାନକୁ ନ ଆସ ତେବେ ମୋର ୪୦ ବର୍ଷର ରାଜନୀତି ଧିକ୍‌। ବିଜେପି କେବଳ ଦିନରେ ସ୍ୱପ୍ନ ଦେଖୁଛି। ଚଳିତ ନିର୍ବାଚନରେ ଭାରତୀୟ ଜନତା ପାର୍ଟି ନିମାପଡ଼ାରେ ତୃତୀୟ ସ୍ଥାନରେ ରହିବ। କେହି ଚାହିଁଲେ ମଧ୍ୟ କଉଁ ଜଗନ୍ନାଥଙ୍କ  ଆଶୀର୍ବାଦ ରହିଲେ ମଧ୍ୟ ସେଥିରୁ  କିଛି ଫଳ ମିଳିବ ନାହିଁ।”

ଭଲ ଭାବେ ଶୁଣନ୍ତୁ, ସେ କହିବାକୁ ଚାହୁଁଛନ୍ତି – ବିଜେଡି ଆଗରେ ଜଗନ୍ନାଥଙ୍କ ଆଶୀର୍ବାଦ ମଧ୍ୟ ତୁଚ୍ଛ  ହୋଇପାରେ!

ସମୀରଙ୍କ ଏମିତି ଅବତାର ନୂଆ ନୁହଁ। ଆଗରୁ ମଧ୍ୟ ସେ ସାଧାରଣରେ ଅଶାଳୀନ ଭାଷା ପ୍ରୟୋଗ କରିଥିଲେ।  ବନ୍ୟା ସମୟରେ କୌଣସି ଏକ ଅଞ୍ଚଳରେ ବୁଲିବା ସମୟରେ ସାର୍‌ କାମ ଠିକ୍‌ ସେ ହେଉନାହିଁ ବୋଲି ପ୍ରଶ୍ନ ଉଠିବାରୁ ସମୀର ପ୍ରତିକ୍ରିୟାଶୀଳ ହୋଇ ଉଠିଥିଲେ।  ଆଉ କହିଥିଲେ  ‘ଆଉ କୋଉ ଶ… କରିଛି …? ବିଜେପି ନା କଂଗ୍ରେସ କରୁଛି କି? ଯାହା କରୁଛି ବିଜେଡି। ଯାହା କରିବ ବି ବିଜେଡି କରିବ। ଯେଉଁ ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହୋଇଥିଲା।

ଓଡ଼ିଶାରେ ହୁଏତ ଜଗନ୍ନାଥଙ୍କ ଶକ୍ତିକୁ ପରୀକ୍ଷା କରିବାର ସାମର୍ଥ୍ୟ ଆଉ କାହାପାଖରେ ଥାଇ ନପାରେ, କିନ୍ତୁ ତାଙ୍କ ଭଳି ବିଜେଡି ନେତାଙ୍କର ପାଖରେ ଏଭଳି ଦମ୍ଭ ରହିବା ଆଦୌ ଅସମ୍ଭବ ନୁହେଁ। ଯାହା ତାଙ୍କ ସରକାରଙ୍କ କିଛି ଘଟଣାକୁ ମଧ୍ୟ ଦର୍ଶାଏ। କାରଣ ବିଜେଡି ଅମଳରେ ପୁରୀ ଜଗନ୍ନାଥ ମନ୍ଦିରରେ ଯେତେ ପ୍ରକାର ବିଭ୍ରାଟ ଘଟିଛି ବୋଧହୁଏ ତାହା କୌଣସି ପୂର୍ବ ସରକାର ଅମଳରେ ଘଟି ନ ଥିବ। ସେ ବ୍ରହ୍ମ ବିଭ୍ରାଟ ହେଉକି, ତତ୍ନ ସିଂହାସନରେ ଚାବି ହଜିବା ପ୍ରସଙ୍ଗ ହେଉ ଅବା ଆମିକସ୍‌ କ୍ୟୁରିକୁ ଆଳ କରି ସଂସ୍କାର ନାମରେ ଧାଡ଼ି ଦର୍ଶନକୁ କେନ୍ଦ୍ର କରି ହିଂସା ଘଟିବା ହେଉ ଏ ସବୁପ୍ରକାର ବିଭ୍ରାଟ ହିଁ ବିଜେଡି ସରକାର ସମୟରେ ସମ୍ଭବ ହୋଇପାରିଛି।

ଆଉ ସେପଟେ ସବୁ ନୀତି, ଅନୀତି, ବିଭ୍ରାଟ ଓ ବିଶୃଙ୍ଖଳାକୁ ଦେଖ ନିଜେ ସର୍ବମୟ କର୍ତ୍ତା ବି ନିରବ। କାରଣ ଯାହାଙ୍କ ହାତ ମୁଠାରେ ସମଗ୍ର ଜଗତର ଚାବିକାଠି ପୁଣି ତାଙ୍କରି ରତ୍ନ ଭଣ୍ଡାରର ଚାବିକାଠି ଗାଏବ୍ ଆଉସେ ଚୁପ୍ !

କୁହାଯାଏ ଚକା ଆଖି ସବୁ ଦେଖୁଛି। ଆଉ ଏତେ ସବୁ ଘଟଣା ଓ ଦୁର୍ଘଟଣା ଦେଖି ନିଜେ ଶ୍ରୀ ଜଗନ୍ନାଥ ଯେଉଁଠି ନିରବ, ନିଶ୍ଚଳ ଓ ନିର୍ବିକାର ସେଠି ବିଜେଡି ନେତା ମହାବାହୁଙ୍କର ଶକ୍ତିକୁ ନ୍ୟୂନ ଦୃଷ୍ଟିରେ ଦେଖିବାର ଆସ୍ପର୍ଦ୍ଧା କରିବା କିଛି ଅସ୍ୱାଭାବିକ ନୁହେଁ । କିନ୍ତୁ ଦିନେ କଂଗ୍ରସ ବି ଏମିତି ଗର୍ବ ଅହଙ୍କାର ନିଶାରେ ଚୁର ହୋଇ ନିଜର ବିଚାର ଶକ୍ତିକୁ ହରାଇବସିଥିଲା।  ଅପରାଧ, ଅରାଜକତା ଓ ଅତ୍ୟାଚାରରେ ଅତିଷ୍ଠ ହୋଇ ଲୋକେ ଏମିତି ଶକ୍ଷା ଦେଲେ ଯେ, ଆଜକୁ ୧୮ ବର୍ଷ ହେଲା କ୍ଷମତାରୁ ନିର୍ବାସନ ଦଣ୍ଡ ଭୋଗୁଛି ଦଳ। ସେହିପରି  ଶାସ୍ତ୍ରରେ ବି ଗୋଟିଏ କଥା ଅଛି। କରି କରାଉ  ଥାଏ ମୁହିଁ,  ମୋ ବିନା ଅନ୍ୟଗତି ନାହିଁ ।

ଏ କଥା କେହି ଭୁଲିଯିବା ଉଚିତ୍‌ ନୁହେଁ ଯେ, ଆଜି ନିରବ ହୋଇ ବସିଥିବା ଏ ଜାତିର ଇଷ୍ଟ ଦେବତା  ତଥା ଜଗତର ନାଥ ଜଗନ୍ନାଥ ନିଜେ ଯୁଦ୍ଧ ଯାତ୍ରାରେ ବାହାରି କାଞ୍ଚି ରାଜାର ଗର୍ବ ଭାଙ୍ଗିଦେଇଥିଲେ। ପୁଣି  ଯେଉଁ କଳାପାହାଡ଼ ତାଙ୍କୁ ଗଙ୍ଗା ନଦୀ କୂଳରେ ଜାଳିବାକୁ ହୀନ ପ୍ରୟାସ କରିଥିଲା ସେ କେମିତି ବୀଭତ୍ସ ହୋଇ ଜଳିଯାଇଥିଲା ତାହା ଇତିହାସରେ ଲିପିବଦ୍ଧ। ଆଉ ତାଙ୍କରି ଆଶୀର୍ବାଦ ବଳରେ ଭକ୍ତ ସାଲବେଗଙ୍କ ପାଇଁ  ତାଙ୍କ ନନ୍ଦିଘୋଷ ରଥ ଅଟକି ଯାଇଥିଲା। କୁହାଯାଏ ସେ ତ’ ଲୀଳାମୟ ଠାକୁର । ଆଜି ଯାହାସବୁ ଘଟୁଛି ବୋଧ ହୁଏ ଇଏ ସବୁ ତାଙ୍କର ଗୋଟିଏ ଗୋଟିଏ ଲୀଳା ବି ହୋଇପାରେ । କାରଣ ଯୁଗେ ଯୁଗେ ଧରି କାହାରି ଗର୍ବ ଅହଙ୍କାର ରହିନି। ପୁଣି ତ ଦୀପ ଲିଭିବା ପୂର୍ବରୁ ଜୋରରେ ଜଳେ…



from Odisha Reporter https://ift.tt/2ERIPP5

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages