
ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଟିମ୍ର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କ ଟି-ଟ୍ୱେଣ୍ଟି ଓ ଦିନିକିଆ କ୍ୟାରିୟରକୁ ନେଇ ତର୍କବିତର୍କ ଲାଗି ରହିଛି। କିଏ କହୁଛି ସେ ଏବେ ଅବସର ନେଇଯିବା ଉଚିତ୍ ତ ଆଉ କିଏ କହୁଛି ସେ ଖେଳ ଜାରି ରଖିବା ଉଚିତ୍।
ଏମିତି ସମୟରେ ଅଷ୍ଟ୍ରେଲିଆ ଗସ୍ତ ପାଇଁ ଭାରତର ଟେଷ୍ଟ୍ ଓ ଟି-ଟ୍ୱେଣ୍ଟି ଟିମ୍ ଘୋଷଣା କରାଯାଇଛି। ଟେଷ୍ଟରୁ ଧୋନି ଅବସର ନେଇ ସାରିଥିବା ବେଳେ ଟି-ଟ୍ୱେଣ୍ଟି ଟିମ୍ରେ ତାଙ୍କୁ ସାମିଲ କରାଯାଇ ନାହିଁ। ସେହିପରି ଚଳିତ ଦିନିକିଆ ସିରିଜ୍ ପରେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଖେଳାଯିବାକୁ ଥିବା ତିନିଟି ଟି-ଟ୍ୱେଣ୍ଟିରେ ବି ଧୋନିଙ୍କୁ ସାମିଲ କରାଯାଇନାହିଁ। ତେଣୁ ତାଙ୍କ କ୍ୟାରିୟର ଶେଷ ହେବାକୁ ଯାଉଥିବା ବହୁ ଲୋକ ଆଶଙ୍କା କରୁଛନ୍ତି। ଏ ଆଶଙ୍କା ମଧ୍ୟରେ ଧୋନିଙ୍କ ସପକ୍ଷରେ ବାହାରିଛନ୍ତି ସୁନୀଲ ଗାଭାସ୍କର।
୨୦୧୯ ବିଶ୍ୱକପ୍ ଦଳରେ ଅଧିନାୟକ ବିରାଟ କୋହଲିଙ୍କୁ ଧୋନିଙ୍କ ଆବଶ୍ୟକତା ପଡ଼ିବ ବୋଲି ଗାଭାସ୍କର କହିଛନ୍ତି। ବିରାଟ ନିଶ୍ଚିତ ଭାବେ ତାଙ୍କୁ ଟିମ୍ରେ ସାମିଲ କରିବାକୁ ଚାହିଁବେ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି।
ଗାଭାସ୍କର କହିଛନ୍ତି,“ଧୋନି ଟିମ୍ରେ ରହିଲେ ବିରାଟଙ୍କୁ ଲାଭ ମିଳିବ। ଧୋନିଙ୍କ ପରାମର୍ଶ ଓ ଅନୁଭବ ୫୦ ଓଭର ଫର୍ମାଟରେ ବିରାଟଙ୍କ ରାସ୍ତାକୁ ସହଜ କରିଦେବ। ଏଥିରେ କୌଣସି ସନ୍ଦେହ ନାହିଁ।”
ସେ ଆହୁରି କହିଛନ୍ତି,“ଧୋନି ଫିଲ୍ଡ ସଜାଇବାରେ ଛୋଟ ଛୋଟ ପରିବର୍ତ୍ତନ କରି ଥାଆନ୍ତି। ସେ ବୋଲରଙ୍କ ସହ ହିନ୍ଦୀରେ କଥା ହୁଅନ୍ତି ଏବଂ କେଉଁଠି କେମିତି ବଲ୍ ପକାଇବାକୁ ହେବ, ତାହା କୁହନ୍ତୁ। ଏହା ଯାହା କୋହଲିଙ୍କ ପାଇଁ ସବୁଠାରୁ ବଡ଼ ପ୍ଲସ୍ ପଏଣ୍ଟ।”
ଧୋନିଙ୍କୁ ୱେଷ୍ଟଇଣ୍ଡିଜ୍ ଓ ଅଷ୍ଟ୍ରେଲିଆ ବିପକ୍ଷ ୬ଟି ଟି-୨୦ ମ୍ୟାଚ୍ରେ ବିଶ୍ରାମ ଦିଆଯାଇଛି। ଯୁବ ଖେଳାଳି ରିଷଭ ପନ୍ତଙ୍କୁ ୱିକେଟ୍ ପଛରେ ସେଟ୍ କରିବାକୁ ଏପରି କରାଯାଇଥିବା ଚୟନକର୍ତ୍ତା କମିଟି ମୁଖ୍ୟ ଏମ୍ଏସ୍କେ ପ୍ରସାଦ କହିଛନ୍ତି। ଧୋନିଙ୍କ ଟି-ଟ୍ୱେଣ୍ଟି କ୍ୟାରିୟର ଆଦୌ ଶେଷ ହୋଇନାହିଁ ବୋଲି ସେ କହିଛନ୍ତି।
ପ୍ରସାଦ କହିଛନ୍ତି,“ଧୋନିଙ୍କ ବିକଳ୍ପ ଖୋଜିବାକୁ ଚୟନକର୍ତ୍ତା ଚେଷ୍ଟା କରୁଛନ୍ତି। ସେଥିପାଇଁ ଧୋନିଙ୍କୁ ୬ଟି ମ୍ୟାଚ୍ରେ ବିଶ୍ରାମ ଦିଆଯାଇଛି। ଦ୍ୱିତୀୟ ୱିକେଟ୍ କିପର ସ୍ଥାନ ପୂରଣ ପାଇଁ ଏମିତି କରାଯାଇଛି।”
ସୂଚନାଯୋଗ୍ୟ, ୨୦୦୬ରେ ଟି-ଟ୍ୱେଣ୍ଟି ଆରମ୍ଭ ହେବା ପରଠାରୁ ଭାରତ ବର୍ତ୍ତମାନ ସୁଦ୍ଧା ୧୦୪ଟି ମ୍ୟାଚ୍ ଖେଳିଛି। ସେଥିରୁ ଧୋନି ୯୩ଟି ମ୍ୟାଚ୍ ଖେଳିଛନ୍ତି। ୨୦୦୭ ଟି-ଟ୍ୱେଣ୍ଟି ବିଶ୍ୱକପ୍ରେ ଧୋନି ଭାରତକୁ ଚାମ୍ପିୟନ କରାଇଥିଲା। ଏହି ଫର୍ମାଟ୍ରେ ସେ ୩୭.୧୭ ହାରରେ ୧୪୮୭ ରନ୍ କରିଛନ୍ତି।
from Odisha Reporter https://ift.tt/2OcF3Pr
No comments:
Post a Comment