
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବିଜେପିରେ ଅଣଦେଖା ହୋଇ ରହିଥିବା ବରିଷ୍ଠ ନେତା ବିଜୟ ମହାପାତ୍ର ଆସନ୍ତାକାଲି ସୋଶାଲ ମିଡିଆରେ ନିଜର ମନର କଥା କହିବେ। ରବିବାର ସକାଳ ୧୦ଟାରେ ଶ୍ରୀ ମହାପାତ୍ର ଫେସବୁକ୍ରେ ଲାଇଭ୍ ରହି ନିଜର ସମର୍ଥକ ଓ ପ୍ରଶଂସକଙ୍କ ଆଗରେ ପୁରୀରେ ହିଂସାକାଣ୍ଡ, ରାଜ୍ୟର ସାମ୍ପ୍ରତିକ ପ୍ରସଙ୍ଗ ଓ ନିଜର ରାଜନୀତିକ ଭବିଷ୍ୟତକୁ ନେଇ ମତ ରଖିବେ ବୋଲି ଜଣାପଡ଼ିଛି।
ଗତ କିଛିମାସ ହେଲା ବିଜେପିରେ ଅଣଦେଖା ହୋଇ ରହିଥିବା ବିଜୟ ଇତିମଧ୍ୟରେ ବିଜେଡି ସହ ଘନିଷ୍ଠତା ବଢ଼ାଇଥିବାର ସୂଚନା ମିଳିଛି। ବିଶେଷକରି କଟକ ଜିଲ୍ଲା ବିଜେଡି ସଭାପତି ତଥା ମନ୍ତ୍ରୀ ପ୍ରତାପ ଜେନାଙ୍କ ସହ ତାଙ୍କର ଦିଲ୍ଲୀରେ ଭେଟଘାଟ୍ ଓ ଭୁବନେଶ୍ୱରର ଏକ ତାରକା ହୋଟେଲରେ ଆଲୋଚନା ଆଦି କାରଣ ଯୋଗୁ ସେ ବିଜେଡିରେ ସାମିଲ ହେବାର ସମ୍ଭାବନା ସମ୍ପର୍କରେ ଚର୍ଚ୍ଚା ଲାଗି ରହିଛି।
ଯଦିଓ ଉଭୟ ବିଜେଡି ଓ ବିଜୟ ଏନେଇ କୌଣସି ସ୍ପଷ୍ଟ ମତ ରଖିନାହାନ୍ତି, ତଥାପି ନିର୍ବାଚନ ପୂର୍ବରୁ ବିଜୟ ପୁଣିଥରେ ସକ୍ରିୟ ରାଜନୀତିକ ଭୂମିକାରେ ଅବତୀର୍ଣ୍ଣ ହେବେ ବୋଲି ତାଙ୍କ ନିକଟତମ ସୂତ୍ରରୁ ସୂଚନା ମିଳିଛି। ବରିଷ୍ଠ ନେତା ବୈଜୟନ୍ତ ପଣ୍ଡା ବିଜେଡିରୁ ଇସ୍ତଫା ଦେବା ଓ ଡାକ୍ତର ଦାମୋଦର ରାଉତ ବିଜେଡିରୁ ବହିଷ୍କୃତ ହେବାପରେ ରାଜ୍ୟରେ ନୂଆ ରାଜନୀତିକ ସମୀକରଣର ସମ୍ଭାବନା ଦେଖାଦେଇଛି। କିନ୍ତୁ ବିଜୟ ଏପର୍ଯ୍ୟନ୍ତ ନିଜର କାର୍ଡ ଖୋଲିନାହାନ୍ତି।
ଅବଶ୍ୟ ଆଗାମୀ ଦୁଇମାସ ମଧ୍ୟରେ ରାଜ୍ୟରେ ଏକ ବଡ଼ଧରଣର ରାଜନୀତିକ ସମୀକରଣ ହେବ ବୋଲି ସେ ଗଣମାଧ୍ୟମକୁ ସୂଚନା ଦେଇଥିଲେ। କିନ୍ତୁ ଏହି ସମୀକରଣ କ’ଣ ଓ ତାଙ୍କର ରାଜନୀତିକ ଭବିଷ୍ୟତ କାର୍ଯ୍ୟପନ୍ଥା କିଭଳି ରହିବ ସେସବୁ ପ୍ରସଙ୍ଗରେ ହୁଏତ ସେ ନିଜର ମତ ସୋଶାଲ ମିଡିଆ ମାଧ୍ୟମରେ ରଖିପାରନ୍ତି ବୋଲି ଚର୍ଚ୍ଚା ହେଉଛି।
ସୂଚନାଯୋଗ୍ୟ ଗତ ଜୁଲାଇ ମାସରେ ବିଜୟ ମଧ୍ୟ ଫେସବୁକରେ ଲାଇଭ ଆସି ପୁରୀ ଶ୍ରୀମନ୍ଦିରର ରତ୍ନଭଣ୍ଡାର ପ୍ରସଙ୍ଗରେ ମତ ରଖିଥିଲେ।
from Odisha Reporter https://ift.tt/2y8gzSh
No comments:
Post a Comment