ଚନ୍ଦ୍ରବାବୁଙ୍କଠୁ କ’ଣ ଏତିକି ଶିଖିପାରିବେନି ନବୀନ ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, October 13, 2018

ଚନ୍ଦ୍ରବାବୁଙ୍କଠୁ କ’ଣ ଏତିକି ଶିଖିପାରିବେନି ନବୀନ !

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲାରେ ଓଡ଼ିଶା ଅନ୍ୟମାନଙ୍କ ପାଇଁ ଉଦାହରଣ ବୋଲି କହି ବାହାବା ସାଉଁଟି ଆସୁଥିବା ରାଜ୍ୟ ସରକାରଙ୍କ ଅସଲ ଚେହେରାକୁ ଏବେ ସାମୁଦ୍ରିକ ଝଡ଼ ‘ତିତଲି’ ପଦାରେ ପକାଇ ଦେଇଛି। ‘ତିତଲି’ର ସଫଳ ମୁକାବିଲା ଯୋଗୁ ‘ଜିରୋ କାଜୁଆଲିଟି’(ଶୂନ ମୃତାହତ) ହୋଇଛି ବୋଲି କହିବାର ୨୪ ଘଣ୍ଟା ନ ପୂରୁଣୁ ୨୦ରୁ ୨୨ଜଣଙ୍କ ମୃତ୍ୟୁ ହୋଇଥିବାର ରାଜ୍ୟ ସରକାର ଆଶଙ୍କା କଲେଣି।

ଅନ୍ୟପକ୍ଷେଏହି ପ୍ରାକୃତିକ ବିପର୍ଯ୍ୟୟରେ କ୍ଷତିଗ୍ରସ୍ତ ୪୬ଲକ୍ଷ ଲୋକଙ୍କ ନିକଟରେ ସରକାରୀ ସୁବିଧାରେ ପହଞ୍ଚାଇବାରେ ସକ୍ଷମ ହୋଇପାରି ନାହାନ୍ତି ରାଜ୍ୟ ସରକାର। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆକାଶମାର୍ଗରୁ ପ୍ରଭାବିତ ଅଞ୍ଚଳ ନିରୀକ୍ଷଣ ଓ ସଚିବାଳୟରେ ଏକାଧିକ ବୈଠକ ମାଧ୍ୟମରେ କ୍ଷତିଗ୍ରସ୍ତ ଲୋକଙ୍କ ପାଇଁ ଦରଦ ଦେଖାଉଥିବାବେଳେ ‘ତିତଲି’ ଦ୍ୱାରା କ୍ଷତିଗ୍ରସ୍ତ ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ପ୍ରଭାବିତ ଲୋକଙ୍କ ପାଖରେ ପହଞ୍ଚି ସେମାନଙ୍କ ଗହଣରେ ରାତି ବିତାଉଛନ୍ତି।

‘ତିତଲି’ରେ ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ ଓ ବିଜୟନଗରମ୍ ଜିଲ୍ଲା ପ୍ରଭାବିତ ହୋଇଥିବାବେଳେ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ଶୁକ୍ରବାରଠୁ ପଲାସା (ଶ୍ରୀକାକୁଲମ୍ ଜିଲ୍ଲା)ରେ ଡେରା ପକାଇ ରହିଛନ୍ତି । ଏହି ଦୁଇ ଜିଲ୍ଲାରେ ସ୍ୱାଭାବିକ ସ୍ଥିତି ଫେରିବା ପରେ ହିଁ ସେ ରାଜଧାନୀ ହାଇଦ୍ରାବାଦ ଫେରିବେ ବୋଲି ସ୍ପଷ୍ଟ କରିଛନ୍ତି। ଇତିମଧ୍ୟରେ ନିଜ ରାଜ୍ୟର ଏହି ଦୁଇ ଜିଲ୍ଲାରେ ହୋଇଥିବା କ୍ଷୟକ୍ଷତି ପାଇଁ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖି ୧୨୦୦କୋଟି ଟଙ୍କାର ତତ୍କାଳ ମଧ୍ୟବର୍ତ୍ତୀ ସହାୟତା ଦେବାକୁ ଅନୁରୋଧ କରିଛନ୍ତି।

ଆନ୍ଧ୍ରର ଦୁଇ ଜିଲ୍ଲାରେ ପ୍ରାୟ ୨୮୦୦କୋଟି ଟଙ୍କାର କ୍ଷୟକ୍ଷତି ହୋଇଥିବା ଆକଳନ କରାଯାଉଛି ଓ ରାଜ୍ୟ ସରକାର ଯୁଦ୍ଧକାଳୀନ ଭିତିରେ ରିଲିଫ୍ ଓ ଉଦ୍ଧାର କାର୍ଯ୍ୟ ଜାରି ରଖିଥିବାବେଳେ ମୃତକଙ୍କ ପରିବାରକୁ ୫ଲକ୍ଷ ଟଙ୍କା ଲେଖାଏ ଅନୁକମ୍ପାମୂଳକ ସହାୟତା ଦେବାକୁ ଘୋଷଣା କରିଛନ୍ତି। ଏପରିକି ପ୍ରଧାନମନ୍ତ୍ରୀଙ୍କୁ ସ୍ମାରକପତ୍ର ପଠାଇ ଦୁଇ ଜିଲ୍ଲାରେ କେଉଁ କ୍ଷେତ୍ରରେ କେତେ କ୍ଷତି ହୋଇଛି ତାହା ମଧ୍ୟ ଜଣାଇଛନ୍ତି। ବିଦ୍ୟୁତ ବିଭାଗର ୫୦୦କୋଟି, ରାସ୍ତା ଓ କୋଠା ପାଇଁ ୧୦୦କୋଟି, ପଞ୍ଛାୟତିରାଜ ବିଭାଗର ୧୦୦କୋଟି, କୃଷି ବିଭାଗର ୮୦୦କୋଟି, ଉଦ୍ୟାନକୃଷିରେ ହଜାରେ କୋଟି,ପଶୁସମ୍ପଦରେ ୫୦କୋଟି, ମତ୍ସ୍ୟପାଳନରେ ୫୦କୋଟି, ଗ୍ରାମ୍ୟ ପାନୀୟ ଯୋଗାଣରେ ୧୦୦କୋଟି ଓ ଜଳସେଚନରେ ୧୦୦କୋଟି ଟଙ୍କା କ୍ଷତି ହୋଇଥିବା ଦର୍ଶାଇଛନ୍ତି ।

ପଲାସା ନିକଟରେ ‘ତିତଲି’ ସ୍ଥଳ ଭାଗ ଛୁଇଁଥିବାବେଳେ ସର୍ବାଧିକ କ୍ଷତି ଉଭୟ ରାଜ୍ୟରେ ହୋଇଛି। ଆନ୍ଧ୍ରର ୨ଟି ଜିଲ୍ଲା ଶ୍ରୀକାକୁଲମ୍ ଓ ବିଜୟନଗରମ୍ ଏବଂ ଓଡ଼ିଶାର ୩ଟି ଜିଲ୍ଲା ଗଞ୍ଜାମ,ଗଜପତି ଓ ରାୟଗଡ଼ା ସର୍ବାଧିକ କ୍ଷତିଗ୍ରସ୍ତ ହୋଇଛି।

ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଶ୍ରୀ ନାଇଡୁ ପ୍ରଭାବିତ ଲୋକଙ୍କ ଗହଣରେ ରହି ସେମାନଙ୍କ ମନୋବଳକୁ ବଢ଼ାଇବା ସହ ପ୍ରଶାସନିକ କଳର ତତ୍ପରତା ଯୋଗୁ ମାତ୍ର ୨ଦିନ ମଧ୍ୟରେ କେନ୍ଦ୍ର ସରକାରଙ୍କ ପାଖରେ ମଧ୍ୟବର୍ତୀ ସହାୟତା ଦାବି କରିପାରିଛନ୍ତି।

କିନ୍ତୁ ଓଡ଼ିଶା ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ନିଜ ରାଜ୍ୟର ମୃତକଙ୍କ ପାଇଁ ଅନୁକମ୍ପାମୂଳକ ସହାୟତା ଘୋଷଣା କରିବା ତ ଦୂରର କଥା ସେମାନେ ପ୍ରାକୃତିକ ବିପର୍ଯ୍ୟୟରେ ପ୍ରାଣ ହରାଇଥିବା କଥାକୁ ବି ଗଣମାଧ୍ୟମର ଚାପରେ ସ୍ୱୀକାର କରିଛନ୍ତି। ନିଜ ନିର୍ବାଚନମଣ୍ଡଳୀର ଲୋକମାନେ ବନ୍ୟା ଓ ବାତ୍ୟାଜନିତ ଯନ୍ତ୍ରଣାରେ ଜର୍ଜରିତ ହୋଇଥିବାବେଳେ ସେମାନଙ୍କ ପାଖରେ ଛିଡ଼ା ହେବାକୁ ବି ନବୀନଙ୍କ ପାଖରେ ସମୟ ନାହିଁ। ଓଲଟା ଆକାଶମାର୍ଗରୁ ଅନୁଧ୍ୟାନ ଓ ମନ୍ତ୍ରୀମାନଙ୍କୁ ପଠାଯାଇଛି କହି ଦାୟିତ୍ୱ ଶେଷ କରିବାକୁ ବସିଛନ୍ତି। ଓଡ଼ିଶାରେ ବାତ୍ୟା ଓ ବନ୍ୟା ଯୋଗୁ କେତେ କ୍ଷତି ହୋଇଛି ତା’ର ହିସାବ ମଧ୍ୟ ଓଡ଼ିଶା ସରକାରଙ୍କ ପ୍ରଶାସନିକ କଳ ଏକ ମୋଟାମୋଟି ଆକଳନ କରିବାରେ ଏଯାଏ ସକ୍ଷମ ହୋଇନି।

ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲାରେ ଓଡ଼ିଶା ଉଦାହରଣ ବୋଲି କହି ବାହାବା ନେବା ପରିବର୍ତ୍ତେ ଚନ୍ଦ୍ରବାବୁ ନାଇଡୁଙ୍କୁ ଅନୁସରଣ କରି ଅନ୍ତତଃ ପ୍ରଭାବିତ ଲୋକଙ୍କୁ ନବୀନ ଭେଟିବା ସଙ୍ଗେସଙ୍ଗେ ସେମାନଙ୍କୁ ଆବଶ୍ୟକ ସହାୟତା ପହଞ୍ଚାଇଵା ସୁନିଶ୍ଚିତ କରି ନିଜକୁ ଜଣେ ସଚ୍ଚା ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଭାବେ ପ୍ରମାଣ କରିପାରନ୍ତେ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି ।



from Odisha Reporter https://ift.tt/2yjdkYf

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages