
ବ୍ରହ୍ମପୁର (ଜଗନ୍ନାଥ ସାହୁ/କିନୋଜ): ଗଜପତି ଜିଲ୍ଲା ଗଙ୍ଗାବାଡ଼ ପଞ୍ଚାୟତରେ ପାହାଡ ଧସି ୧୨ ନୁହେଁ, ୧୬ ଜଣଙ୍କ ଜୀବନ ଯାଇଛି। ମୃତକଙ୍କ ଭିତରେ ଅଛନ୍ତି ୫ ଶିଶୁ । ତିତ୍ଲି ପ୍ରଭାବରେ ପ୍ରଳୟଙ୍କରୀ ବର୍ଷା ପବନରୁ ରକ୍ଷା ପାଇବାକୁ ପାହାଡ଼ ଖୋଲରେ ଆଶ୍ରୟ ନେଇଥିବା ବେଳେ ଏମାନେ ପ୍ରାଣ ହରାଇଥିବା ସ୍ପଷ୍ଟ ହୋଇଛି । ଘଟଣାର ତିନି ଦିନ ପରେ ଆଜି ଅତି ଗଳିତ ଅବସ୍ଥାରେ ମିଳିଛି ୧୪ଟି ମୃତଦେହ। ଦୁର୍ଗମ ଅଞ୍ଚଳ ଅତିକ୍ରମ କରି ଓଟିଭି ପ୍ରତିନିଧି ଆଜି ସେଠାରେ ପହଞ୍ଚିବା ପରେ ଲୋକେ ବଖାଣିଥିଲେ ସେହି କାଳରାତିର ଛାତିଥରା ଅନୁଭୂତି। କହିଛନ୍ତି ଯଦି ବାତ୍ୟା ଆସୁଛି ବୋଲି ଆଗୁଆ ସୂଚନା ଥାଆନ୍ତା, ସେମାନେ ଜୀବନ ବଞ୍ଚାଇ ପାରିଥାନ୍ତେ। ତେବେ ମୃତ୍ୟୁକୁ ୩ ଦିନ ବିତି ଯାଇଥିଲେ ବି ପାହାଡ଼ରେ ଏଣେତେଣେ ପଡ଼ି ରହିଛି ଗଳିତ ଶବ।
ଗୁରୁବାର ସକାଳେ ‘ତିତ୍ଲି’ ସ୍ଥଳଭାଗ ଛୁଇଁବା ପୂର୍ବରୁ ବୁଧବାର ମଧ୍ୟରାତ୍ରୀରେ ଆରମ୍ଭ ହୋଇଥିଲା ପ୍ରବଳ ବର୍ଷା ଓ ପବନ। ଗଙ୍ଗାବାଡ଼ ପଞ୍ଚାୟତର କିଛି ଲୋକଙ୍କ ଘରର ଛପର ଉଡ଼ିବା ସହ ଘର ବୁଡାଇଥିଲା ପାଣି। ରାତି ଅଧରେ ଏମିତି ଅଚାନକ ବିପତ୍ତିରୁ ଜୀବନ ବଞ୍ଚାଇବାକୁ ଘର ନିକଟ ପାହାଡ଼ ଖୋଲ ଭିତରେ ଆଶ୍ରୟ ନେଇଥିଲେ ପ୍ରାୟ ୨୧ ଜଣ ଲୋକ। ହେଲେ କିଛି ସମୟ ପରେ ସେହି ପାହାଡ଼ରୁ ହିଁ ଧସିଥିଲା ମାଟି ଅତଡ଼ା। ପଥର ମାଡ଼ ଓ ବର୍ଷାଜଳର ପ୍ରଖର ସୁଅରେ ଭାସି ଯାଇଥିଲେ ସମସ୍ତେ।
ଗଜପତି ଜିଲ୍ଲାର ଏହି ପାହାଡ଼ି ଇଲାକାରେ ଏତେ ବଡ଼ ଟ୍ରାଜେଡି ପ୍ରଥମେ ସୋଶାଲ ମିଡିଆ ଓ ପରେ ସ୍ଥାନୀୟ ଅଞ୍ଚଳରେ ପ୍ରଚାରିତ ହୋଇଥିଲା। ବିରୋଧୀ ନେତା ବି ଟ୍ୱିଟ୍ କରି ପ୍ରସଙ୍ଗକୁ ସାମ୍ନାକୁ ଆଣିଥିଲେ। ପରେ ଜିଲ୍ଲା ପ୍ରଶାସନର ନିଦ ଭାଙ୍ଗିଥିଲା। ପୂରା ଅଞ୍ଚଳ ଅତି ଦୁର୍ଗମ ହୋଇଥିବାରୁ ଓଟିଭି ଟିମ୍ ଘଟଣା ସ୍ଥଳରେ ପହଞ୍ଚିବାକୁ ଦୀର୍ଘ ୫ କିଲୋମିଟର ବାଟ ଚାଲି ଚାଲି ଯିବାକୁ ପଡ଼ିଥିଲା।
ସେପଟେ ଉପଜିଲ୍ଲାପାଳଙ୍କ ନେତୃତ୍ୱରେ ଏକ ଟିମ୍ ଯାଇ ଆଜି ଘଟଣାସ୍ଥଳ ଅନୁଧ୍ୟାନ କରିଛି। ସେହିପରି ଗାଁରେ ପହଞ୍ଚିଛି ଡାକ୍ତରୀ ଟିମ୍। ଅନ୍ୟପଟେ ବିଜେପି, ବିଜେଡି ଓ ସିପିଏମର ପ୍ରତିନିଧି ଦଳ ବି ଘଟଣାସ୍ଥଳକୁ ଯାଇ ଏହି କରୁଣ ଦୃଶ୍ୟକୁ ନିଜ ଆଖିରେ ଦେଖିଛନ୍ତି।
ବାତ୍ୟା ‘ତିତ୍ଲି’କୁ ନେଇ ଉପକୂଳିଆ ଅଞ୍ଚଳର ଲକ୍ଷାଧିକ ଲୋକଙ୍କୁ ସୁରକ୍ଷିତ ସ୍ଥାନାନ୍ତର କରି ବାହାବା ସାଉଁଟିବାକୁ ଉଦ୍ୟମ କରିଛନ୍ତି ରାଜ୍ୟ ସରକାର। ହେଲେ ଗଜପତି ଜିଲ୍ଲାର ଉକ୍ତ ଘଟଣା ଓ ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ୍ ଗାଜଲବାଡ଼ିରେ ୬ ଜଣ ଭାସିଯିବା ଘଟଣା ସରକାରଙ୍କ ଜିରୋ କାଜୁଆଲିଟି ପ୍ରସ୍ତୁତିର ତ୍ରୁଟିକୁ ପଦାରେ ପକାଇଛି।
from Odisha Reporter https://ift.tt/2EkWii5
No comments:
Post a Comment