ଆଗୁଆ ନିର୍ବାଚନ ସମ୍ଭାବନାରେ ପୂର୍ଣ୍ଣଚ୍ଛେଦ, ଚିନ୍ତାରେ ବିଜେଡି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, October 6, 2018

ଆଗୁଆ ନିର୍ବାଚନ ସମ୍ଭାବନାରେ ପୂର୍ଣ୍ଣଚ୍ଛେଦ, ଚିନ୍ତାରେ ବିଜେଡି

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ୫ଟି ରାଜ୍ୟର ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା ହେବା ସହ ଓଡ଼ିଶାରେ ଆଗୁଆ ନିର୍ବାଚନକୁ ନେଇ ଲାଗି ରହିଥିବା ଅନିଶ୍ଚିତତାରେ ପୂର୍ଣ୍ଣଚ୍ଛେଦ ପଡ଼ିଛି। ଏହାସହିତ ଆଗୁଆ ଲୋକସଭା ନିର୍ବାଚନ ସହ ଏକାଠି ବିଧାନସଭା ନିର୍ବାଚନ କରିବା ନିମନ୍ତେ ଶାସକ ବିଜେଡିର ପ୍ରସ୍ତୁତିକୁ ମଧ୍ୟ ଧକ୍କା ଲାଗିଛି।

ଜାତୀୟ ମୁଖ୍ୟ ନିର୍ବାଚନ କମିଶନ ଓପି ରାୱତ୍ ଆଜି ଛତିଶଗଡ଼, ମଧ୍ୟପ୍ରଦେଶ, ମିଜୋରାମ,ରାଜସ୍ଥାନ ଓ ତେଲେଙ୍ଗାନା ବିଧାନସଭା ପାଇଁ ଭୋଟ୍ ଗ୍ରହଣକୁ ନଭେମ୍ବର ୧୨ରୁ ଡିସେମ୍ବର ୭ତାରିଖ ମଧ୍ୟରେ ଶେଷ କରାଯିବ ଏବଂ ଡିସେମ୍ବର ୧୧ ତାରିଖରେ ନିର୍ବାଚନ ଫଳାଫଳ ଘୋଷଣା ହେବ ବୋଲି ସୂଚନା ଦେଇଛନ୍ତି।

ଜାତୀୟ ନିର୍ବାଚନ କମିଶନଙ୍କ ଏହି ଘୋଷଣା ସହ ଦେଶରେ ଆଗୁଆ ଲୋକସଭା ନିର୍ବାଚନକୁ ନେଇ ଚାଲିଥିବା ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ପଡ଼ିଛି।ଏହା ସହିତ ଓଡ଼ିଶାରେ ଆଗୁଆ ନିର୍ବାଚନ ପାଇଁ ସମସ୍ତ ପ୍ରସ୍ତୁତି ଶେଷ କରିଥିବା ବିଜେଡି ସରକାର ମଧ୍ୟ ଏବେ ଅଡ଼ୁଆରେ ପଡ଼ିଯାଇଛନ୍ତି।

ସୂଚନା ଅନୁସାରେ, ଲୋକସଭା ସହ ଆଗୁଆ ବିଧାନସଭା ନିର୍ବାଚନ ଆଶଙ୍କାରେ ରାଜ୍ୟରେ କ୍ଷମତାସୀନ ବିଜେଡି ନିଜର ପ୍ରସ୍ତୁତିକୁ ଶେଷ ସ୍ପର୍ଶ ଦେଇଥିଲା।ନିର୍ବାଚନଭିତ୍ତିକ ସମସ୍ତ ଲୋକାଭିମୁଖୀ କାର୍ଯ୍ୟକ୍ରମକୁ ଅକ୍ଟୋବର ୨ତାରିଖ ସୁଦ୍ଧା ଶେଷ କରିଥିବା ବିଜେଡି ସରକାର ସାଧାରଣ ନିର୍ବାଚନରେ ହେବାକୁ ଥିବା ବିଳମ୍ବକୁ ନେଇ ଚିନ୍ତାରେ ପଡ଼ିଛି।

ବିଶେଷକରି ନିର୍ବାଚନକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସେପ୍ଟେମ୍ବର ମାସରେ ୨୦୧୮-୧୯ ବର୍ଷର ପ୍ରଥମ ଅତିରିକ୍ତ ବଜେଟ୍ ଆଗତ କରିଥିଲେ। ମୂଳ ବଜେଟର ୩୦ ପ୍ରତିଶତ ଅର୍ଥ ଖର୍ଚ୍ଚ ହୋଇନଥିବାବେଳେ ତରବରିଆ ଭାବେ ମୌସୁମୀ ଅଧିବେଶନରେ ଅତିରିକ୍ତ ବଜେଟ୍ ଆଗତ କରି ରାଜ୍ୟ ସରକାର ଆଗୁଆ ନିର୍ବାଚନର ସନ୍ଦେଶ ଦେଇଥିଲେ।

ସେହିପରି ବିଭିନ୍ନ ଲୋକାଭିମୁଖୀ ଯୋଜନା ଯଥା- ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା, ନିଜସ୍ୱ ଖାଦ୍ୟ ସୁରକ୍ଷା ଯୋଜନା, ବସ୍ତିବାସିନ୍ଦାଙ୍କ ପାଇଁ ଜାଗା ଯୋଜନା, ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ ଓ ଖୁସି କାର୍ଯ୍ୟକ୍ରମ ଆଦିକୁ ଆଗୁଆ ଲାଗୁ କରିଥିଲେ। ସରକାରୀସ୍ତରରେ ମଧ୍ୟ ଆଗୁଆ ନିର୍ବାଚନ ପାଇଁ ଶାସକ ବିଜେଡି ସମସ୍ତ ପଦକ୍ଷେପ ନେଇଥିଲା।କିନ୍ତୁ ଜାତୀୟ ନିର୍ବାଚନ କମିଶନଙ୍କ ଆଜିର ଘୋଷଣା ପରୋକ୍ଷରେ କେନ୍ଦ୍ରରେ ବିଜେପି ନେତୃତ୍ୱାଧୀନ ଏନଡିଏ ସରକାର ଆଗୁଆ ଲୋକସଭା ନିର୍ବାଚନ କରିବା ସପକ୍ଷରେ ନଥିବା ସ୍ପଷ୍ଟ କରାଇଛି।

ରାଜ୍ୟରେ ସାଧାରଣ ନିର୍ବାଚନକୁ ଆଉ ୫ମାସ ବାକି ଥିବାବେଳେ ସାଧାରଣ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ବିଜେଡି ଏବେ କିଭଳି ରଣନୀତି ଆପଣାଇବ ତାକୁ ନେଇ ପ୍ରଶ୍ନ ଉଠିଲାଣି। କାରଣ ଭୋଟକୁ ଦୃଷ୍ଟିରେ ରଖି ଯୋଜନାମାନ ଘୋଷଣା କରିସାରିଥିବାବେଳେ ଆଗାମୀ ୫ମାସ ଲୋକଙ୍କୁ କିଭଳି ତୁଷ୍ଟ କରାଯିବ, ତାହା ଦଳୀୟ ନେତୃତ୍ୱ ପାଇଁ ମୁଖ୍ୟ ଚ୍ୟାଲେଞ୍ଜ ହେବାକୁ ଯାଉଛି।

ନିର୍ବାଚନକୁ ଦୃଷ୍ଟିରେ ରଖି ସରକାର କାର୍ଯ୍ୟକାରୀ କରିଥିବା ବିଭିନ୍ନ ଯୋଜନାରେ ସବୁ ବର୍ଗର ଲୋକଙ୍କୁ ସନ୍ତୁଷ୍ଟ କରିବା ସମ୍ଭବପର ହେବନି।ଏଭଳି ସ୍ଥିତିରେ ସରକାର ବିରୋଧରେ ଲୋକଙ୍କ ଆକ୍ରୋଶ ବଢ଼ିବା ମଧ୍ୟ ସ୍ୱାଭାବିକ।ତେଣୁ ଆଗୁଆ ନିର୍ବାଚନର ସମ୍ଭାବନାକୁ ନେଇ ପ୍ରସ୍ତୁତି କରିଥିବା ବିଜେଡି ସରକାର ପାଇଁ ଆଗାମୀ ୫ମାସ ନିଶ୍ଚିତ ଭାବେ ଅଗ୍ନିପରୀକ୍ଷାର ସମୟ ହେବାକୁ ଯାଉଥିବା ରାଜନୀତିକ ବିଶ୍ଲେଷକମାନେ ମତ ଦେଇଛନ୍ତି।



from Odisha Reporter https://ift.tt/2Pd92s0

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages