
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପ୍ରସିଦ୍ଧ ଲେଖକ ମନୋଜ ଦାସଙ୍କ ପତ୍ନୀ ତଥା ଲେଖିକା ପ୍ରତିଜ୍ଞା ଦେବୀଙ୍କର ପରଲୋକ ହୋଇଯାଇଛି।
ଗତକାଲି ସନ୍ଧ୍ୟା ୮ଟା ୫୦ ମିନିଟ୍ରେ ପୁଡୁଚେରୀରେ ଶ୍ରୀ ଅରବିନ୍ଦ ଆଶ୍ରମ ପରିସରରେ ଥିବା ନର୍ସିଂହୋମ୍ରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ। ମୃତ୍ୟୁ ବେଳକୁ ତାଙ୍କୁ ୮୦ ବର୍ଷ ହୋଇଥିଲା। ସେ ବାର୍ଦ୍ଧକ୍ୟଜନିତ ରୋଗରେ ପୀଡ଼ିତ ଥିଲେ। କିଛି ମାସ ହେବ ତାଙ୍କୁ ଡାକ୍ତରଖାନାରେ ରଖାଯାଇଥିଲା।
ଏହି ଖବର ପ୍ରସାରିତ ହେବା ପରେ ସାରସ୍ୱତ ଓ ଶିକ୍ଷା ଜଗତରେ ଶୋକର ଛାୟା ଖେଳିଯାଇଛି।
ପ୍ରତିଜ୍ଞା ଦେବୀ ଥିଲେ କୁଜଙ୍ଗ ଅଞ୍ଚଳର ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ନାରାୟଣ ବୀରବର ସାମନ୍ତ ଓ ରତ୍ନମାଳି ଜେମାଙ୍କ ସୁକନ୍ୟା। ସେ ରେଭେନ୍ସା କଲେଜ୍ରେ ମନୋବିଜ୍ଞାନ (ସାଇକୋଲୋଜି)ରେ ଏମ୍.ଏ କରିଥିଲେ।
ସ୍ୱାମୀ ମନୋଜ ଦାସଙ୍କ ସହ ସେ ୧୯୬୨ରେ ଶ୍ରୀ ଅରବିନ୍ଦ ଆଶ୍ରମରେ ଅନ୍ତେବାସୀ ଭାବେ ଯୋଗ ଦେଇଥିଲେ। ଶ୍ରୀ ଅରବିନ୍ଦ ଇଣ୍ଟରନ୍ୟାସ୍ନାଲ୍ ସେଣ୍ଟର୍ ଅଫ୍ ଏଜୁକେସନ୍ରେ ସେ ମନୋବିଜ୍ଞାନ ଓ ଓଡ଼ିଆ ସାହିତ୍ୟ ପଢ଼ାଉ ଥିଲେ।
ସେ ଅନେକ ବହି ଲେଖିଛନ୍ତି। ଶ୍ରୀ ଅରବିନ୍ଦ ଓ ମା’ଙ୍କ ଅନେକ ଲେଖାକୁ ସେ ଓଡ଼ିଆ ଭାଷାରେ ଅନୁବାଦ କରିଛନ୍ତି।
ଶିଶୁକିଶୋର ପତ୍ରିକା ‘ଜହ୍ନମାମୁଁ’ର ଓଡ଼ିଆ ସଂସ୍କରଣକୁ ଲୋକପ୍ରିୟ କରାଇବାରେ ପ୍ରତିଜ୍ଞା ଦେବୀଙ୍କ ବଡ଼ ଯୋଗଦାନ ଥିଲା। ସେ ନିଜର ପ୍ରକୃତ ନାମ ଉଲ୍ଲେଖ ନ କରି ‘ସବ୍ୟସାଚୀ’ ଓ ‘ଫାଲ୍ଗୁନୀ’ ପ୍ରଭୃତି ନାମରେ ଲେଖୁଥିଲେ।
from Odisha Reporter https://ift.tt/2P9o02a
No comments:
Post a Comment