
ଜୟପୁର: ରାଜସ୍ଥାନର ବସୁନ୍ଧରା ରାଜେଙ୍କ ମନ୍ତ୍ରିମଣ୍ଡଳରେ ଜଣେ ଟାଣୁଆ ମନ୍ତ୍ରୀ ଥିଲେ। ଦଳ ପାଇଁ ସମ୍ପୂର୍ଣ୍ଣ ସମର୍ପିତ ଭାବେ କାମ କରୁଥିଲେ। ହେଲେ ଟିକେଟ୍ କ’ଣ କଟିଗଲା ଯେ ପୂରା ଓଲଟି ପଡ଼ିଲେ। କିଛି ଘଣ୍ଟା ମଧ୍ୟରେ ନିଜର ଅସଲ ଚେହେରା ଦେଖାଇବା ସହ ରାଗ ତମ୍ ତମ୍ ହୋଇ ବିଜେପି ଓ ପଦ୍ମକୁ ଓପାଡ଼ି ଫିଙ୍ଗିକାବୁ ଧମକ ଦେଇଦେଲେ। ଏହି ବିଜେପି ନେତା ଜଣଙ୍କ ହେଲେ ବସୁନ୍ଧରା ରାଜେଙ୍କ ମନ୍ତ୍ରିମଣ୍ଡଳର କ୍ୟାବିନେଟ ମନ୍ତ୍ରୀ ଥିବା ସୁରେନ୍ଦ୍ର ଗୋଏଲ।
ରାଜସ୍ଥାନରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ବିଜେପି ସୁରେନ୍ଦ୍ରଙ୍କୁ ଟିକେଟ୍ ଦେଇନାହିଁ। ଏହାକୁ ନେଇ ସୁରେନ୍ଦ୍ର ଏବଂ ତାଙ୍କ ସମର୍ଥକଙ୍କ ମଧ୍ୟ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଏପରିକି ସୁରେନ୍ଦ୍ରଙ୍କ ସମର୍ଥକମାନେ ରାସ୍ତାକୁ ଓହ୍ଲାଇ ହୋହାଲ୍ଲା କରିବା ସହ ବିଜେପି ପତାକାକୁ ପୋଡ଼ିଛନ୍ତି। ଟିକେଟ୍ ନଦେଇ ଦଳ ତାଙ୍କ ସହ ବିଶ୍ୱାସଘାତକତା କରିଛି ବୋଲି ମଧ୍ୟ ସୁରେନ୍ଦ୍ର ଅଭିଯୋଗ କରିଛନ୍ତି। ସେ କହିଛନ୍ତି, “ବିଜେପିର ଯେଉଁ ବରଗଛକୁ ଛିଡ଼ା କରିଥିଲି, ତାକୁ ଓପାଡ଼ି ଫିଙ୍ଗିବି। ପାଲି ଜିଲ୍ଲାର ଜୟତରନ ଆସନରେ ମୁଁ ଯେଉଁ ଫଦ୍ମ ଫୁଟାଇ ଥିଲି ତାକୁ ମଧ୍ୟ ଓପାଡ଼ି ଫିଙ୍ଗି ଦେବି।”
ସୂଚନାଯୋଗ୍ୟ, ରାଜ୍ୟ ରାଜନୀତିରେ ସୁରେନ୍ଦ୍ର ବିଜେପିର ଜଣେ ଟାଣୁଆ ନେତା ଭାବେ ଜଣାଶୁଣା। ସେ ଜୟତରନ ଆସନରୁ ୪ ଥର ବିଧାୟକ ଭାବେ ବିଜୟ ଲାଭ କରିଛନ୍ତି। ହେଲେ ଚଳିତଥର ତାଙ୍କୁ ଦଳ ଟିକେଟ୍ ଦେଇନାହିଁ। କୁହାଯାଉଛି, ଜୋକାରାରେ ହୋଇଥିବା ଦଙ୍ଗା ବେଳେ ତାଙ୍କ ଭୁମିକାକୁ ନେଇ ଆରଏସଏସ ତାଙ୍କ ଉପରେ ଅସନ୍ତୁଷ୍ଠ ଥିଲା। ଏହି କାରଣରୁ ସୁରେନ୍ଦ୍ରଙ୍କୁ ଟିକେଟ୍ ଦିଆଯାଇନାହିଁ।
ସେ କହିଛନ୍ତି, “ଦଳ ତାଙ୍କ ସହ ବିଶ୍ୱାସ ଘାତକତା କରିଛି। ତାଙ୍କୁ ଦୁଇ ଦିନ ଆଗରୁ ଯଦି ଏ ବିଷୟରେ କୁହାଯାଇଥାନ୍ତା, ତେବେ ସେ ସମର୍ଥକଙ୍କୁ ବୁଝାଇବାକୁ ସକ୍ଷମ ହୋଇଥାନ୍ତେ। ନିଜ ଇଜ୍ଜତ ରକ୍ଷା କରିବାକୁ ମୁଁ ସମର୍ଥକଙ୍କୁ ଦେହ ଖରାପ ଥିବାରୁ ନିର୍ବାଚନ ଲଢ଼ି ପାରିବି ନାହିଁ କହି ବୁଝାଇ ପାରିଥାନ୍ତି।”
ସଂଘ ସହ ସମ୍ପର୍କକୁ ନେଇ ମଧ୍ୟ ସୁରେନ୍ଦ୍ର ନିଜ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, “ସମସ୍ତଙ୍କୁ ଲାଗୁଛି ମୁଁ ସଂଘ ବିରୋଧୀ। ଏଥିପାଇଁ ସୁଯୋଗ ପାଇବା ମାତ୍ରେ ମୋର ପ୍ରତିଦ୍ଵନ୍ଦ୍ଵୀ ଛିଡ଼ା କରାଇଦେଲେ। ଦଳର ନେତାଙ୍କ ବୁଦ୍ଧି ବାଟକୁ ଆଣିବା ସହ ବିଜେପିକୁ ଶେଷ କରିଦେବି।”
from Odisha Reporter https://ift.tt/2B3vCyk
No comments:
Post a Comment