
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଦୀପାବଳି ସରି ଗଲାଣି। ଏହି ଆଲୋକର ପର୍ବକୁ କିଏ କେତେ ପ୍ରକାର ପାଳିଥିଲେ। କିଏ ଅନେକ ବାଣ ଫୁଟାଇ ତ କିଏ ବନ୍ଧୁମାନଙ୍କୁ ଭେଟି। ତ ଆଉକିଏ ସୁସ୍ୱାଦୁ ଖାଦ୍ୟ ଖାଇ ଓ ଖୁଆଇ। ଏହା ନିଜ ନିଜ ପସନ୍ଦ ଓ ରୁଚି ଉପରେ ନିର୍ଭର କରିଥାଏ।
ତେବେ ସାଧାରଣତଃ ଲୋକଙ୍କ ଭିତରେ କୌତୂହଳ ଥାଏ, ରୂପେଲି ପରଦାର ଷ୍ଟାର୍ମାନେ ଏହିପରି ପର୍ବପର୍ବାଣୀରେ କ’ଣ କରିଥାନ୍ତି। ଏତେସବୁ ଗୌରଚନ୍ଦ୍ରିକା ନଦେଇ ଆସନ୍ତୁ ଦେଖିବା ଏଥର କେମିତି ଦୀପାବଳି ପାଳିଥିଲେ ଓଲିଉଡ୍ ସୁପରଷ୍ଟାର ତଥା ରାଜ୍ୟସଭା ସାଂସଦ ଅନୁଭବ ମହାନ୍ତି।
ଅନୁଭବ ସବୁବେଳେ ସମାଜମନସ୍କ। ସାଧାରଣ ଲୋକଙ୍କୁ ଭେଟିବା ଓ ସେମାନଙ୍କ ଭିତରେ ରହିବା, ସେମାନଙ୍କୁ ଗୁରୁତ୍ୱ ଦେବା ତାଙ୍କର ଏକ ଭଲ ଅଭ୍ୟାସ। ସେ ସୁପରଷ୍ଟାର୍ ହେଲାପରେ ବି ଏହି ଅଭ୍ୟାସ ଛାଡ଼ିନଥିଲେ କି ଛାଡ଼ିନାହାଁନ୍ତି। କିଏ କିଏ କହିପାରନ୍ତି ଯେ, ସେ ରାଜନୀତିକୁ ଆସିବା ପରେ ଏପରି ବ୍ୟବହାର ଜାଣିଜାଣି କରୁଛନ୍ତି ବୋଲି। କିନ୍ତୁ କଥାଟି ସତ ନୁହେଁ।
ଗତ ଦୀପାବଳି ଦିନ ସେ ଏକ ନିଆରା ଢଙ୍ଗରେ ନିଜ ସମୟ କାଟିଥିଲେ। କ’ଣ ମନହେଲା କେଜାଣି, ହଠାତ୍ ପହଞ୍ଚିଥିଲେ କଟକର ଏକ ବୃଦ୍ଧାଶ୍ରମରେ। ଇଚ୍ଛା ଥିଲା, ଆଲୋକର ଏଇ ପର୍ବରେ ଯେଉଁମାନେ ନିଜ ନିଜ ଆଲୋକ ସଦୃଶ ପିଲାଙ୍କଠାରୁ ଦୂରରେ ରହି, ଏକ ଅନ୍ଧକାର ଜୀବନ ବିତାଉଛନ୍ତି, ସେମାନଙ୍କୁ ଟିକିଏ ଦେଖିବେ, ହସଖୁସି କରିବେ, ସେମାନଙ୍କ ଭଲମନ୍ଦ ବୁଝିବେ, ଆଉ ଆଶିର୍ବାଦ ନେବେ।
କଟକର ‘ସମ୍ପଦ ରାୟ ରୋଟାରୀ ସିନିୟର ସିଟିଜେନ୍ସ୍ ହୋମ୍’। ହଠାତ୍ ସେଠି ପହଞ୍ଚି ଯାଇଥିଲେ ଅଭିନେତା ଅନୁଭବ ମହାନ୍ତି। ନିଜେ ଓ ଆଉ କେତେଜଣ ବନ୍ଧୁଙ୍କ ସହ। ସେଠାରେ ଥିବା ବରିଷ୍ଠ ନାଗରିକଙ୍କ ସହ କିଛି ସମୟ ବିତାଇଥିଲେ। ଅନୁଭବଙ୍କୁ ଦେଖି ସେଠାରେ ରହୁଥିବା ବୟସ୍କ ବୟସ୍କାମାନେ ମଧ୍ୟ ବେଶ୍ ଖୁସି ହୋଇଯାଇଥିଲେ। ଅନୁଭବ ସେମାନଙ୍କ ପାଦ ଛୁଇଁ ସେମାନଙ୍କ ଆଶୀର୍ବାଦ ନେଲାବେଳେ, ସେମାନଙ୍କ ଖୁସି ଦେଖିବାର କଥା। ଟିଭି ଓ ସିନେମାରେ ଦେଖୁଥିବା ପିଲାଟିକୁ ପାଖରେ ପାଇଲେ, କିଏ ବା ଖୁସି ନହେବ। ତାଙ୍କ ମୁଣ୍ଡ ଉପରେ ହାତ ରଖି, ତାଙ୍କୁ ହୃଦୟରୁ ଆଶୀର୍ବାଦ ଦେଇଥିଲେ। ଖୁସିରେ କିଏ କିଏ ଅନୁଭବଙ୍କ ପାଇଁ ଗୀତ ବି ଗାଇଥିଲେ। ପୁଣି କିଏ ଭଜନ ଶୁଣାଇଥିଲେ। ପରିବାରଠୁ ଦୂରେଇ ଯାଇଥିବାର କଷ୍ଟକୁ କିଛି କ୍ଷଣ ପାଇଁ ଭୂଲି ଯାଇଥିଲେ ସମସ୍ତେ।
ଅନୁଭବ ମଧ୍ୟ ବୃଦ୍ଧାଶ୍ରମକୁ ଯାଇ ଖୁବ୍ ଭାବପ୍ରବଣ ହୋଇପଡ଼ିଥିଲେ। ଫେରିବା ପରେ ନିଜ ଅନୁଭୂତି ବାଣ୍ଟିବା ସହ ବାପା ମାଆଙ୍କୁ ବୃଦ୍ଧକାଳରେ ନଛାଡ଼ିବାକୁ ଲୋକଙ୍କୁ ନିବେଦନ କରିଥିଲେ। ସୋସିଆଲ୍ ମିଡିଆରେ କିଛି ଫଟୋ ସେୟାର କରି ଲେଖିଥିଲେ- “ମତେ ବିଶ୍ୱାସ କରନ୍ତୁ, ଆମେ ସମସ୍ତେ ବାର୍ଦ୍ଧକ୍ୟରେ ପହଞ୍ଚିବା। କିନ୍ତୁ ମୁଁ ଚାହେଁନି ସେ ବୟସରେ କେହି ପରିବାରଠୁ ଦୂରେଇ ଯିବାର କଷ୍ଟ ଭୋଗୁ। ଯଦିଓ ଏଠାକାର କେୟାରଟେକର୍ମାନେ ଏ ବୃଦ୍ଧ ବୃଦ୍ଧାଙ୍କର ଯତ୍ନ ନେଉଛନ୍ତି, ତଥାପି ଏମାନେ ତାଙ୍କ ପରିବାରକୁ ଝୁରୁଛନ୍ତି। ମତେ ଏଇଟା ଭାବି ଆଶ୍ଚର୍ଯ୍ୟ ଲାଗୁଛି ଯେ, ପିଲାମାନେ ଏମାନଙ୍କୁ ପାଖରୁ ଦୂରେଇ ଦେଲା ପରେ ମଧ୍ୟ ସେମାନଙ୍କ ମନରେ ତାଙ୍କ ପ୍ରତି କିଛି ଖରାପ ଭାବନା ନାହିଁ। ମୁଁ ସମସ୍ତଙ୍କୁ ଏତିକି କହିବି ଯେ, ଆମେ ଯେତେବି ସଫଳ ମଣିଷ ହେଇଯାଉ ନା କାହିଁକି, ଯେଉଁମାନେ ଆମକୁ ପାଳିପୋଷି ବଡ଼ କଲେ, ତାଙ୍କ ପାଇଁ ଯଦି ଆମ ପାଖରେ ସମୟ ନାହିଁ, ତେବେ ଆମେ କିଛି ନୁହଁ।”
ଦେଖନ୍ତୁ ଭିଡିଓ
from Odisha Reporter https://ift.tt/2qGXoux
No comments:
Post a Comment