
ଭୁବନେଶ୍ୱର: ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ରମଶଃ ଘନୀଭୂତ ହୋଇ ଅବପାତର ରୂପ ନେଇଛି। ଏବେ ଏହା ଆଣ୍ଡାମାନ ଠାରୁ ୨୦ କିମି ଓ ଚେନ୍ନାଇ ଠାରୁ ୧୩୨୦ କିମି ଦୂରରେ ରହିଛି। ଏହା ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଗଭୀର ଅବପାତ ଓ ୪୮ ଘଣ୍ଟାରେ ଘୂର୍ଣ୍ଣିଝଡ଼ରେ ପରିଣତ ହେବ। ସେହିପରି ଏହା ୭୨ ଘଣ୍ଟା ମଧ୍ୟରେ ତାମିଲନାଡୁ-ଆନ୍ଧ୍ର ମଧ୍ୟରେ ଉପକୂଳ ଛୁଇଁବ। ତେବେ ଘୂର୍ଣ୍ଣିଝଡ଼ର ପ୍ରଭାବ ଓଡ଼ିଶା ଉପରେ ପଡ଼ିବ ନାହିଁ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।
ଓଡ଼ିଶା ଉପରେ ଏହାର ପ୍ରଭାବ ପଡ଼ିବ ନାହିଁ ବୋଲି ପାଣିପାଗ କେନ୍ଦ୍ର ଆକଳନ କରିଥିଲେ ହେଁ ସମୁଦ୍ର ଅଶାନ୍ତ ରହିବାର ଆଶଙ୍କା ଥିବାରୁ ମତ୍ସ୍ୟଜୀବୀଙ୍କୁ ଯିବାକୁ ଏହା ମଧ୍ୟକୁ ଯିବାକୁ ବାରଣ କରାଯାଇଛି। ସେହିପରି ଓଡ଼ିଶାର ସବୁ ବନ୍ଦରରେ ୧ ନମ୍ବର ସତର୍କ ସୂଚନା ଜାରି କରାଯାଇଥିବା କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।
ଅନ୍ୟପକ୍ଷରେ ଶିକ୍ଷା ଓ ଅନୁସନ୍ଧାନ ପରିବେଶ ଓ ଜଳବାୟୁ କେନ୍ଦ୍ର ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଏହି ଅବପାତ ଗୋଟିଏ କିମ୍ବା ଦୁଇ ଦିନ ପାଇଁ ପ୍ରଥମେ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଗତି କରିବ। ଏହାପରେ ଏହା ଦିଗ ବଦଳାଇ ପଶ୍ଚିମ-ଦକ୍ଷିଣ-ପଶ୍ଚିମ ମୁହାଁ ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ଓଡ଼ିଶାର ଦକ୍ଷିଣ ଏବଂ ଉପକୂଳ ଅଞ୍ଚଳର କିଛି ସ୍ଥାନରେ ନଭେମ୍ବର ୧୨ ରୁ ୧୫ ତାରିଖ ମଧ୍ୟରେ ସାମାନ୍ୟଧରଣର ବର୍ଷା ହେବ। ଏହି ସମୟରେ ଆଉ କିଛି ସ୍ଥାନରେ ମଧ୍ୟମ ଧରଣର ବର୍ଷା ହେବାର ଆଶଙ୍କା ଥିବା କେନ୍ଦ୍ରର ନିର୍ଦ୍ଦେଶକ ଡ. ଶରତ ଚନ୍ଦ୍ର ସାହୁ ପୂର୍ବାନୁମାନ କରିଛନ୍ତି।
ଅନ୍ୟପକ୍ଷରେ ଉତ୍ତର-ପଶ୍ଚିମ ବା ଉତ୍ତର ଦିଗରେ ପବନ ବହିବାର ସମ୍ଭାବନା ଥିବାରୁ ଆଭ୍ୟନ୍ତରୀଣ ଓଡ଼ିଶାରେ ରାତିର ତାପମାତ୍ରା କମିବ ଏବଂ ଧୀରେଧୀରେ ଶୀତ ବଢ଼ିବ ବୋଲି ଡ. ସାହୁ ଆକଳନ କରିଛନ୍ତି।
from Odisha Reporter https://ift.tt/2Pn1JSG
No comments:
Post a Comment