
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଜେଡିରୁ ବହିଷ୍କୃତ ବରିଷ୍ଠ ନେତା ଡାକ୍ତର ଦାମୋଦର ରାଉତ ଆଜି ନିଜର ରାଜନୀତିକ କାର୍ଡ ଖୋଲିଛନ୍ତି। ବିଜେଡିରୁ ବହିଷ୍କାର ହେବାର ପ୍ରାୟ ଦୁଇମାସ ପରେ ଡାକ୍ତର ରାଉତ ନିଜର ରାଜନୀତିକ ଭବିଷ୍ୟତ କାର୍ଯ୍ୟପନ୍ଥା ଓ ନୂଆ ଦଳ ସମ୍ପର୍କରେ ସୂଚନା ଦେଇଛନ୍ତି। ତାଙ୍କ ନୂଆ ଦଳର ନାଁ ‘ବିଜୁ ସମତାକ୍ରାନ୍ତି ଦଳ’ବୋଲି ସେ ଘୋଷଣା କରିଛନ୍ତି। ଏହା ସହିତ ପାରାଦୀପରେ ତାଙ୍କ ଛଡ଼ା ଆଉ କେହି ବିଧାୟକ ହୋଇପାରିବେ ନାହିଁ ବୋଲି ସେ ଶାସକ ବିଜେଡିକୁ ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି।
ଆଜି ନିଜ ନିର୍ବାଚନମଣ୍ଡଳୀକୁ ଗସ୍ତ କରିବା ଅବସରରେ ସାମ୍ବାଦିକମାନଙ୍କୁ ସୂଚନା ଦେଇ ଡାକ୍ତର ରାଉତ କହିଛନ୍ତି ଯେ, ପାରାଦୀପ ନିର୍ବାଚନମଣ୍ଡଳୀ ହେଉଛି ତାଙ୍କ ଗଡ଼। ଏଠାରେ ତାଙ୍କ ବିନା ସହାୟତାରେ ଅନ୍ୟ କୌଣସି ଦଳ ତିଷ୍ଠି ପାରିବ ନାହିଁ। ଯିଏ ଯେତେ ମେଳି ବାନ୍ଧିଲେ କିଛି ଫରକ ପଡ଼ିବ ନାହିଁ। ପାରାଦୀପରେ ସେ ଚୌକିଦାର ଅଛନ୍ତି ଓ ରହିବେ।
ଏହି ଅବସରରେ ସେ ତାଙ୍କ ନୂଆ ଦଳର ନାଁ ‘ବିଜୁ ସମତାକ୍ରାନ୍ତି ଦଳ ’ ବୋଲି ଘୋଷଣା କରିଛନ୍ତି। ନିଜର ନୂଆ ଦଳକୁ ନେଇ ଆଜି ପର୍ଯ୍ୟନ୍ତ କାର୍ଡ ଖୋଲିନଥିବା ଡାକ୍ତର ରାଉତ ସମ୍ଭବତଃ ପୂର୍ବତନ କେନ୍ଦ୍ରମନ୍ତ୍ରୀ ବ୍ରଜକିଶୋର ତ୍ରିପାଠୀଙ୍କ ନେତୃତ୍ୱରେ ଗଠିତ ସମତାକ୍ରାନ୍ତି ଦଳ ସହ ବୁଝାମଣା କରି ସେହି ଦଳର ନାଁକୁ ‘ବିଜୁ ସମତାକ୍ରାନ୍ତି ଦଳ’ରେ ପରିବର୍ତ୍ତନ ପାଇଁ ରାଜି କରାଇଥିବା ଚର୍ଚ୍ଚା ହେଉଛି।
ବିଜୁ ପଟ୍ଟନାୟକଙ୍କ ସହଯୋଗୀ ଭାବେ ଶ୍ରୀ ତ୍ରିପାଠୀ କାର୍ଯ୍ୟ କରିସାରିଥିବାବେଳେ ଏବେ ସମତା କ୍ରାନ୍ତି ଦଳରେ ଡାକ୍ତର ରାଉତଙ୍କ ଘନିଷ୍ଠ ସହଯୋଗୀ ଯଜ୍ଞେଶ୍ଵର ବାବୁ ମଧ୍ୟ ଅଛନ୍ତି। ପ୍ୟାରୀମୋହନ ମହାପାତ୍ରଙ୍କ ଓଡ଼ିଶା ଜନମୋର୍ଚ୍ଚା ପାର୍ଟିର ବିଲୟ ଗତ କିଛିମାସ ପୂର୍ବରୁ ସମତାକ୍ରାନ୍ତି ଦଳ ସହ ହୋଇଥିଲା। ତେବେ ବିଧାୟକ ଜର୍ଜ ତିର୍କୀ ସମତା କ୍ରାନ୍ତି ଦଳ ଛାଡ଼ି କଂଗ୍ରେସରେ ସାମିଲ ହେବାପରେ ଏହି ଦଳ ଜଣେ ବଡ଼ମୁଣ୍ଡ ଅପେକ୍ଷାରେ ରହିଥିଲା। ଡାକ୍ତର ରାଉତଙ୍କ ମାଧ୍ୟମରେ ସମତାକ୍ରାନ୍ତି ଦଳ ରାଜ୍ୟରେ ପ୍ରଭାବ ବିସ୍ତାର କରିବାକୁ ଲକ୍ଷ୍ୟ ରଖିଛି। ଡାକ୍ତର ରାଉତ ନିଜକୁ ବିଜୁଙ୍କ ଅନୁଗତ ଭାବେ ଦାବି କରୁଥିବାରୁ ସମତାକ୍ରାନ୍ତି ଦଳର ନାଁରେ ‘ବିଜୁ’ ଶବ୍ଦ ଯୋଡ଼ିବାକୁ ଚାହିଁଥିବା ଚର୍ଚ୍ଚା ହେଉଛି। ଏହା ବିଜେଡିର କିଛି ନେତାଙ୍କୁ ଆକୃଷ୍ଟ କରିବାରେ ସାହାଯ୍ୟ କରିବ ବୋଲି ମଧ୍ୟ ଚିନ୍ତା କରାଯାଇଥିବା କୁହାଯାଉଛି। ଏହି ନୂଆ ଦଳ ଗଠନକୁ ନେଇ ଆଲୋଚନା ପ୍ରକ୍ର୍ରିୟା ଆରମ୍ଭ ହୋଇସାରିଥିବା ଓ ଏହାର ରୂପରେଖ ଚଳିତମାସ ଶେଷ ସୁଦ୍ଧା ସ୍ପଷ୍ଟ ହେବ ବୋଲି ଡାକ୍ତର ରାଉତ ସଙ୍କେତ ଦେଇଛନ୍ତି।
ଏହି ଅବସରରେ ଗତ ଦୁଇଦିନ ତଳେ ପାରାଦୀପର ଆଇଓସିଏଲ ଆଗରେ ବିଜେଡି ନେତାମାନଙ୍କ ବିକ୍ଷୋଭ ଓ ପ୍ରତିବାଦ ସଭାରେ ତାଙ୍କୁ ସମାଲୋଚନା କରାଯିବାକୁ ନେଇ ମଧ୍ୟ ଡାକ୍ତର ରାଉତ ପ୍ରତିକ୍ରିୟା ବ୍ୟକ୍ତ କରିଛନ୍ତି।
ମନ୍ତ୍ରୀ ପ୍ରତାପ ଜେନାଙ୍କୁ କଡ଼ା ସମାଲୋଚନା କରି ଡାକ୍ତର ରାଉତ କହିଛନ୍ତି ଯେ ସେ ଜଣେ ନିମ୍ନ ମାନସିକତାର ଲୋକ। ନିଜ ନିର୍ବାଚନମଣ୍ଡଳୀର ଲୋକଙ୍କଠୁ ସେ ମାଡ଼ ଖାଇଛନ୍ତି। ସେହିପରି ସାଂସଦ କୁଳମଣି ସାମିଲଙ୍କୁ ସେ ରାଜନୀତିକୁ ଆଣିଥିଲେ ବୋଲି କହି ଯିଏ ଗୁରୁଦ୍ରୋହୀ ହୁଅନ୍ତୁ ସେ ସବୁବେଳେ କଚଡ଼ା ଖାଇଥାନ୍ତି ବୋଲି କଟାକ୍ଷ କରିଛନ୍ତି।
from Odisha Reporter https://ift.tt/2OBsJZe
No comments:
Post a Comment