ରାଜ୍ୟ ସରକାରଙ୍କ ନ୍ୟୁରୋ ପ୍ରୋବଲେମ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, November 17, 2018

ରାଜ୍ୟ ସରକାରଙ୍କ ନ୍ୟୁରୋ ପ୍ରୋବଲେମ୍‌

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନ୍ୟୁରୋ ପ୍ରୋବଲେମ୍‌। ଓଡ଼ିଆରେ କହିଲେ ସ୍ନାୟୁଦୋଷ ବା ସ୍ନାୟୁ ଦୁର୍ବଳତା। ଏମିତି ରୋଗରେ ପଡ଼ିଲେ ଭଲ ନିଦ ହୁଏନି, ହାତଗୋଡ଼ ଥରେ। ଆମ ରାଜ୍ୟ ସରକାରଙ୍କର ବୋଧହୁଏ ସେମିତି କିଛି ବ୍ୟାଧି ହେଇଛି ବୋଲି ଆଜି ଓଲ୍ଡ ଟାଉନ୍‌ ଖଟିରେ କଥା ପଡ଼ିଥିଲା।

ଦୋଳମଣ୍ଡପ ମଗର ମୁହଁରେ ଗାମୁଛାରେ ବନ୍ଧା ହୋଇ ରହିଥିବା ଛେନାରୁ ଟପ୍‌ଟପ୍‌ ହୋଇ ଝରି ପଡୁଥିଲା ପାଣି। ଆଉ ତଳେ ବଟା ଚାଲିଥିଲା ଭାଙ୍ଗ। ରୟାଲ୍‌ ଏନ୍‌ଫିଲ୍ଡ ବାଇକ୍‌ରେ ଆସି ଉଭା ହେଲେ ନଟୁ ଭାଇନା। ବିରାଟ ପେଟ ଆଉ ତା ତଳେ ଖୋସଣୀ ଦିଶୁ ନ ଥିବା ଖୋର୍ଦ୍ଧା ଗାମୁଛାରେ ଉଭା ତାଙ୍କ ଶରୀରକୁ ଦେଖି ନରିଆ, ଭାଗୁ ଆଉ ନାଗୁ କକେଇ ହାତ ଯୋଡ଼ି ପ୍ରଣିପାତ କରି ପାନ ଖଣ୍ଡିଏ ତାଙ୍କ ହାତକୁ ବଢ଼େଇ ଦେଲେ।

ନଟୁ ଭାଇନା ତାମ୍ବୁଳ ସେବା କରି ବିଷ ଉଦ୍‌ଗାରିବାକୁ ଲାଗିଲେ।

“ହଇଓ ଓଡ଼ିଆ ଆଉ ଓଡ଼ିଆ ହେଇ ରହିବେନାଇଁ। ଆମେ ସେବାଇତ ପିଲା ଏଠି ବଙ୍ଗାଳୀ ଯାତ୍ରୀଙ୍କୁ ବଙ୍ଗାଳୀରେ କହୁଛୁ ବୋଲି ଲୋକ ଆମ ଉପରେ ବିଗୁଡୁଛନ୍ତି, ହେଲେ ସରକାର ଇଂଲିଶି ପ୍ରେମରେ ବାଟ ଘାଟେ ଇଂଲିଶିଆ ବାନ୍ତି କଲେ ବି ତାଙ୍କ ଉପରେ କାହାର ନଜର ପଡୁନି।

ଭାଇନାଙ୍କ କହିବା କଥା ହଠାତ୍‌ କେହି ବୁଝି ପାରିଲେନି।

ପୁଣି ଭାଷିଲେ ଭାଇନା-

“ବଙ୍ଗାଳୀ ଆଉ ତେଲେଙ୍ଗାଙ୍କ ଭାଷା ପ୍ରୀତି ଆମକୁ ଭୟଭୀତ କରେ। ଟ୍ରେନ୍‌ରେ ଗଲାବେଳେ ହେଉକି ପର୍ଯ୍ୟଟନ ସହର ପୁରୀରେ ବୁଲିବା ବେଳେ ତାଙ୍କ ଭାଷା ପ୍ରୀତି ଦେଖି ଆମକୁ ବାଧେ। ହେଲେ ପେଟ ପାଟେଣା ପାଇଁ ଆମେ ବି ତାଙ୍କ ଭାଷାରେ କହୁ। ପୁରୀ ସମୁଦ୍ର କୁଳରେ କୁଢ଼ କୁଢ଼ ଦୋକାନ ବଜାର ଉପରେ ବଙ୍ଗଳା ଭାଷାର ହୋର୍ଡ଼ିଂ ଦେଖି ଭିତରେ ଚିଡ଼ ସିନା ଲାଗେ, ଉପରେ କିଛି କହି ହୁଏନା। ଭାବୁ ଏଇଟା ହୁଏତ ବେପାର ତରିକା । ଖାଲି ପୁରୀ ନୁହେଁ ବାଲେଶ୍ୱର ସୀମାନ୍ତରେ ମଧ୍ୟ ଏକାଭଳି ସ୍ଥିତି।

କିନ୍ତୁ ସରକାର କ’ଣ ଏମିତି କରିବା ଭଲ? ”

ଭାଇନାଙ୍କ ଏ ପ୍ରଶ୍ନ ଶୁଣି ପୋଖତ ବିଜେଡିଆ ଆମ ନାଗୁ କକେଇ କହିଲେ, ହଇଏ ଭାଇନା କ’ଣ ହେଇଛି କି?

କଥାଟା ଏଥର ଖୋଲି କହିଲେ ଭାଇନା। ବିଶ୍ୱକପ୍‌ ହକି ପାଇଁ ଭୁବନେଶ୍ୱର ଏବେ ସଜେଇ ହଉଛି। କାନ୍ଥବାଡ଼ ରଙ୍ଗ ହେଉଛି। ଗଛଲତା ଲାଗୁଛି, ଆଲୁଅ ମାଳାରେ ଝଟକି ଉଠୁଛି ରାଜଧାନୀ। ଶିଶୁ ଭବନ ଛକ ପାଖରେ ଆମେରିକା ମାର୍କା ରାସ୍ତା ପ୍ରଶସ୍ତିକରଣରେ ବ୍ୟସ୍ତ ବିଏମ୍‌ସି। ଆଉ ଏଇ ସୌନ୍ଦର୍ଯ୍ୟକରଣ ଆଳରେ ସୌଭାଗ୍ୟକୁ ଭୁବନେଶ୍ୱରର ମୂଳ ନାଁଟା ସରକାରଙ୍କ ମନେ ପଡ଼ିଯାଇଛି। ସେଇଥିପାଇଁ ବଡ ବଡ ଅକ୍ଷରରେ ରାସ୍ତା କଡରେ ଲେଖା ହେଇଛି “ଏକାମ୍ର କ୍ଷେତ୍ର”। ହେଲେ ଦୁର୍ଭାଗ୍ୟ, ଏଇଟା ବି ଇଂଲିଶ୍‌ରେ।

ନାଗୁ କକେଇ ଚିଡ଼ି ଉଠିଲେ।

“ଯାହା କଲେ ତ ତମ ରାଗ ବିଜେଡି ପାଖରେ। ଆମ ପା…ଛିଙ୍କକୁ ତେମେ ଅନେଇ ବଇଚ। ହଇଓ ଭଲ କାମ କରୁଛି। ଭୁବନେଶ୍ୱର ସୁନ୍ଦର ଦିଶିବ ବୋଲି ସବୁ ହଉଛି। ଆଉ ଏତିକି ବେଳକୁ ତମେ ସବୁ ଛିଙ୍କୁଛ୍‌। ଏଇଟା କ’ଣ ଠିକ୍‌ ହଉଛି।”

ନାଗୁ କକେଇର ଚିଡ଼ା ମୁହଁକୁ ଭାଇନା ନିରିଖେଇଲା ପରେ ପାନଖିଆ ପାଟିରେ ଟିକେ ହସିଲେ।

କହିଲେ- “ତୁ ବିଜେଡି, ମୁଁ କଂଗ୍ରେସ, ସିଏ ବିଜେପି ଏ କଥା ଉଠୁଛି କାଇଁକି? ପ୍ରଥମେ ଭାବୁନୁ, ଆମେ ଓଡ଼ିଆ ବୋଲି। ଭାଷା ଆନ୍ଦୋଳନ କରୁଛ। ଓଡ଼ିଆ ପଣିଆର ଦ୍ୱାହି ଦଉଛ। ହେଲେ ଦୁଆର ବନ୍ଧରେ ଇଂଲିଶ ଲେଖୁଛ କାଇଁକି ।”

ଓଡ଼ିଆ ପ୍ରୀତି ପାଇଁ ଡିଣ୍ଡିମ୍‌ ପିଟୁଛନ୍ତି ସରକାର। ସବୁ ହୋର୍ଡ଼ିଂ, ଫଳକ ଓଡିଆ ଭାଷାରେ ଲେଖିବା ପାଇଁ ପ୍ରବର୍ତ୍ତାଯାଉଛି। ହେଲେ ଏତେବଡ ଆୟୋଜନ ବେଳେ ଭୁବନେଶ୍ୱରର ପରିଚୟଟା ଓଡ଼ିଆରେ ଲେଖିଥିଲେ କ’ଣ ବେଦ ଅଶୁଦ୍ଧ ହେଇଯାଇ ଥାଆନ୍ତା ?

ନିଆଁରେ ଘିଅ ଢାଳିବା ଭଳି ଭାଙ୍ଗ ବାଟୁବାଟୁ ମେଞ୍ଚଡ ନରିଆ କଥାଟିଏ କହିଲା। ତା ମତରେ ଇଂଲିଶ କୁଆଡେ ସରଳ ଭାଷା। ଢେର ନାହିଁ, ମାତ୍ରା କି ଫଳା ବି ନାହିଁ। ଆମ ଓଡିଆରେ ଯାତେରା। ହଜାରେ ଫଳା, ମାତ୍ରା। ହଇଓ ରାଜ୍ୟ ସରକାରଙ୍କ ପା’ ନ୍ୟୁରୋ ଟ୍ରବୁଲ୍‌ ବାହାରିଛି। ଇଂଲିଶ୍‌ ସାଇଁ ସାଇଁ ଲେଖିହବ ହେଲେ ଓଡିଆ ଲେଖିଲେ ହାତ ଥରିବ।



from Odisha Reporter https://ift.tt/2RXXEkx

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages