ହାଇଦ୍ରାବାଦ୍‌ କେମିତି ହେଲା ଭାରତର ଅଂଶ, ପଢ଼ନ୍ତୁ ପୂରା ଘଟଣା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, November 2, 2018

ହାଇଦ୍ରାବାଦ୍‌ କେମିତି ହେଲା ଭାରତର ଅଂଶ, ପଢ଼ନ୍ତୁ ପୂରା ଘଟଣା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଲୌହମାନବ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ୬୦୦ ଫୁଟ ଉଚ୍ଚ ପ୍ରତିମା ନିକଟରେ ଲୋକାର୍ପିତ ହୋଇଛି। ବ୍ରିଟିଶ ଶାସନ କାଳରେ ଖଣ୍ଡବିଖଣ୍ଡିତ ସ୍ଥିତିରେ ଥିବା ଭାରତର ଏକତ୍ରୀକରଣ କରି ଏକ ବିଶାଳ ଦେଶ ଭାବେ ଠିଆ କରିବାରେ ତାଙ୍କ ଭୁମିକାକୁ ସମ୍ମାନ ଦେବାକୁ ଯାଇ ‘Statue of Unity’ ନାଁରେ ବିଶ୍ୱର ସର୍ବୋଚ୍ଚ ପ୍ରତିମା ଭାବେ ସେ ଠିଆ ହୋଇଛନ୍ତି ନର୍ମଦା କୂଳରେ।

ହେଲେ ଜାଣିଛନ୍ତି, ଏହି ମହାନ୍‌ ବ୍ୟକ୍ତି ଭାରତକୁ ଏକାଠି କରିବାକୁ ଏମିତି ପଦକ୍ଷେପ ନେଇଥିଲେ, ଯାହାକୁ ଦିନେ ପଣ୍ଡିତ୍‌ ନେହେରୁ ବି ବିରୋଧ କରିଥିଲେ। ହେଲେ ବିରୋଧ ସତ୍ତ୍ୱେ ତାଙ୍କର ସେହି ପଦକ୍ଷେପ ଦେଶକୁ ଏକାଠି କରିଥିଲା। ଯେଉଁଥିପାଇଁ ଆମେ ଆଜି ନିର୍ବିବାଦରେ ହାଇଦ୍ରାବାଦ୍‌ ଯାଉଛେ ଆଉ ଚାରମୀନାର୍‌କୁ ପ୍ରତ୍ୟକ୍ଷ କରୁଛେ। ନଚେତ୍‌ ଏହି ଅଂଶଟି ଆଜି ଆମର ବୋଲି କହିବାକୁ ଆମର ସାହସ ନ ଥାନ୍ତା।

ଆସନ୍ତୁ ଜାଣିବା କେମିତି ହେଲା ହାଇଦ୍ରାବାଦ୍‌ ଭାରତର ଅଂଶ।

ଇଂରେଜମାନେ ଭାରତ ଛାଡୁଥିବା ସମୟରେ ଆମ ଦେଶରେ ୫୬୨ଟି ଗଡ଼ଜାତ ଓ ଛୋଟ ଛୋଟ ସ୍ୱାଧୀନ ରାଜ୍ୟ ଥିଲା। ଏହାର ଶାସକ ଥିଲେ ଭିନ୍ନ ଭିନ୍ନ। ଏହି ରାଜ୍ୟମାନଙ୍କୁ ଏକାଠି କରି ଏକ ବିଶାଳ ଭାରତର ପରିକଳ୍ପନା କରାଯାଇଥିଲା। ଯେଉଁଥିରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ। ଏହି ସମସ୍ତ ସ୍ୱାଧୀନ ରଜ୍ୟ ତଥା ଗଡ଼ଜାତ ରାଜାମାନଙ୍କ ସହ ସେ ନିଜେ ଆପୋସ ଆଲୋଚନା କରିଥିଲେ। ଏହି ଆଲୋଚନା ପରେ ମାତ୍ର ୩ଟି ରାଜତନ୍ତ୍ରକୁ ଛାଡ଼ି ସମସ୍ତ ରାଜ୍ୟ ନିଜ ରାଜତନ୍ତ୍ର ଭାରତରେ ବିଲୟ କରିବେ ବୋଲି ସହମତି ଜଣାଇଥିଲେ।

କଶ୍ମୀର, ଜୁନାଗଡ଼ ଓ ହାଇଦ୍ରାବାଦ୍‌ ଭଳି ସ୍ୱାଧୀନ ରାଜ୍ୟରେ ଶାସନ କରୁଥିବା ରାଜପରିବାର ଭାରତରେ ନିଜ ସତ୍ତା ବିଲୟ କରିବେ ନାହିଁ ବୋଲି ରୋକ୍‌ଠୋକ୍‌ କହିଥିଲେ। ପରବର୍ତ୍ତୀ ସମୟରେ ପର୍ଯ୍ୟାୟକ୍ରମେ ଜୁନାଗଡ଼ ଓ କଶ୍ମୀର ଭାରତୀୟ ଗଣତନ୍ତ୍ରରେ ବିଲୟ ହୋଇଥିଲେ ମଧ୍ୟ ହ୍ରାଇଦ୍ରାବାଦ୍‌ର ନିଜାମ୍‌ ଭାରତରେ ମିଶିବାକୁ ଚାହୁଁ ନ ଥିଲେ।

ଏମିତି ଥିଲା ହାଇଦ୍ରାବାଦ୍‌

ଇଂରେଜ ଶାସନ ସମୟରେ ମଧ୍ୟ ହାଇଦ୍ରାବାଦ୍‌ର ରହିଥିଲା ନିଜସ୍ୱ ରେଳସେବା ଓ ଡାକସେବା। ଏହା ଏକ ଶକ୍ତିଶାଳୀ ରାଜ୍ୟ ଭାବେ ପରିଗଣିତ ହେଉଥିଲା। ସେ ସମୟରେ ହିସାବକୁ ଦୃଷ୍ଟିରେ ରଖିଲେ ଏହା ଥିଲା ଆମ ଦେଶର ସବୁଠାରୁ ଜନବହୁଳ ଅଂଶ ଓ ଏହାର ନିଜାମ୍‌ ଥିଲେ ସବୁଠାରୁ ବଡ଼ ରାଜପରିବାରର ଅଂଶ। ଏହି ଅଂଶର କ୍ଷେତ୍ରଫଳ ଥିଲା ୮୨୬୯୮ ବର୍ଗ ମାଇଲ। ଯାହାକି ସ୍କଟଲାଣ୍ଡ ଆଉ ଇଂଲଣ୍ଡର ମୋଟ କ୍ଷେତ୍ରଫଳଠାରୁ ବୃହତ୍ତର।

ମୁସ୍‌ଲମାନ୍‌ ନିଜାମ୍‌ଙ୍କ ଶାସନାଧୀନ ଥିବାରୁ ଅଧିକାଂଶ ପଦ ପଦବୀରେ ମୁସଲ୍‌ମାନ୍‌ଙ୍କ ଆଧିପତ୍ୟ ଦେଖିବାକୁ ମିଳୁଥିଲା। ସେ ସମୟରେ ୮୦ ପ୍ରତିଶତ ଜନସଂଖ୍ୟା ହିନ୍ଦୁମାନଙ୍କର ଥିଲେ ମଧ୍ୟ ମୁସଲିମ୍‌ ଅଧ୍ୟୁଷିତ ଅଞ୍ଚଳ ଭାବେ ପରିଚିତ ଥିଲା ହାଇଦ୍ରାବାଦ୍‌।

ହାଇଦ୍ରାବାଦ ଭାରତରେ ବିଲୟ ହେବା ପୂର୍ବରୁ ଏହାର ଶାସକଙ୍କ ପକ୍ଷରୁ ଜିନ୍ନାଙ୍କୁ ଲେଖା ଯାଇଥିଲା ଚିଠି

ସମସ୍ତ ରାଜ୍ୟ ତଥା ରାଜାମାନେ ଭାରତୀୟ ଗଣତନ୍ତ୍ରରେ ବିଲୀନ ହେବାକୁ ନିଷ୍ପତ୍ତି ନେବା ପରେ ହାଇଦ୍ରାବାଦ୍‌ର ନିଜାମ୍‌ ସହାୟତା ପାଇଁ ମୁସଲିମ୍‌ ଲିଗ୍‌ ମୁଖ୍ୟ ମହମ୍ମଦ ଅଲ୍ଲି ଜିନ୍ନାଙ୍କୁ ଚିଠି ଲେଖିଥିଲେ। ଯେଉଁଥିରେ ସେ ଭାରତ ବିରୋଧୀ ସଂଗ୍ରାମରେ ତାଙ୍କୁ ସହାୟତା ପାଇଁ ଗୁହାରି କରିଥିଲେ।

ମାତ୍ର ଜିନ୍ନା ଏହାକୁ ପ୍ରତ୍ୟାଖ୍ୟାନ କରିଦେଇ ଥିଲେ।

“କୌଣସି ଏକ ଛୋଟ ରାଜତନ୍ତ୍ର ପାଇଁ ପାକିସ୍ତାନୀ ସତ୍ତାକୁ ମୁଁ ସଙ୍କଟରେ ପକାଇବାକୁ ଚାହୁଁନାହିଁ” ବୋଲି ସେ ରୋକ୍‌ଠୋକ୍‌ କହିଥିଲେ। ଏକଥାର ଉଲ୍ଲେଖ ବିଖ୍ୟାତ ସାମ୍ବାଦିକ କୁଲଦୀପ ନାୟାରଙ୍କ
ପୁସ୍ତକ Beyond the Linesରେ ରହିଛି।

ତତ୍‌କାଳୀନ ଭାଇସ୍‌ରୟ ଲର୍ଡ ମାଉଣ୍ଟବ୍ୟାଟେନ୍‌ ଏ ସମ୍ପର୍କରେ ପଣ୍ଡିତ୍‌ ନେହେରୁଙ୍କ ସହ ଆଲୋଚନା କରିଥିଲେ। ମାମଲାର ଆପୋସ ସମାଧାନ ଶାନ୍ତିପୂର୍ଣ୍ଣ ଢଙ୍ଗରେ ହେଉ ବୋଲି ସେ କହିଥିଲେ। ମାତ୍ର ଏହାକୁ ମାନିବାକୁ ରାଜି ନ ଥିଲେ ସର୍ଦ୍ଦାର ପଟେଲ। ତାଙ୍କ ମତରେ ସ୍ୱାଧୀନ ଭାରତ ଏକ ସୁସ୍ଥ ମଣିଷ ଭାବେ ଠିଆ ହେବାକୁ ପ୍ରସ୍ତୁତ ହେଉଥିବା ବେଳେ ହାଇଦ୍ରାବାଦ୍‌ ସମସ୍ୟା କ୍ୟାନ୍‌ସର ଭଳି ତାକୁ ଗ୍ରସ୍ତ କରିଥିଲା।

ପଟେଲ ଜାଣିପାରିଥିଲେ ଯେ, ହାଇଦ୍ରାବାଦ୍‌ର ନିଜାମ୍‌ ସମ୍ପୁର୍ଣ୍ଣ ଭାବେ ପାକିସ୍ତାନର ଚାଟୁକାର ପାଲଟିଛନ୍ତି। ତାଙ୍କ ହଁରେ ହଁ ମିଳାଉଛନ୍ତି। ଏହି ମର୍ମରେ ହାଇଦ୍ରାବାଦ୍‌ ପର୍ତ୍ତୁଗାଲ ସହ ସନ୍ଧି କରି ଗୋଆରେ ନିଜସ୍ୱ ବନ୍ଦର ପ୍ରତିଷ୍ଠା ପାଇଁ ଉଦ୍ୟମ କରୁଛି। ଯାହାକୁ ସମୟ ଆସିଲେ ପାକିସ୍ତାନ ଉପଯୋଗ କରିପାରିବ ବୋଲି ପଟେଲ ଅନୁମାନ କରି ସାରିଥିଲେ। ଏପରିକି ନିଜାମ୍‌ ନିଜ ସାମ୍ବିଧାନିକ ପରାମର୍ଶଦାତା ସାର୍‌ ମାଉଟନ୍‌ ବଲ୍ଟରଙ୍କ ସହାୟତାରେ ଲର୍ଡ ମାଉଣ୍ଟବ୍ୟାଟେନ୍‌ଙ୍କ ସହ ସିଧା ସମ୍ପର୍କରେ ରହିଥିଲେ। ଯାହାକି ସ୍ୱାଧୀନ ଭାରତ ପାଇଁ ଭବିଷ୍ୟତରେ ବଡ଼ ବିପଦ ଠିଆ କରିବ ବୋଲି ତାଙ୍କୁ ଚିନ୍ତିତ କରିଥିଲା।

ଯୁଦ୍ଧାସ୍ତ୍ର ଖୋଜିବାରେ ଲାଗିଥିଲେ ନିଜାମ୍‌

କୌଣସି ମତେ ଭାରତରେ ନିଜ ସତ୍ତା ହରାଇବାକୁ ଚାହୁଁ ନ ଥିବା ନିଜାମ୍‌ ଧୀରେ ଧୀରେ ଆକ୍ରମଣାତ୍ମକ ହୋଇ ଉଠିଥିଲେ। ଭାରତ ବିରୋଧୀ ଅଭିଯାନ ଲାଗି ସେ ଯୁଦ୍ଧାସ୍ତ୍ର କିଣିବାକୁ ଉଦ୍ୟମ ଆରମ୍ଭ ମଧ୍ୟ କରିଥିଲେକ। ନିଜାମ୍‌ଙ୍କ ସେନାଧ୍ୟକ୍ଷ ମେଜର ଜେନେରାଲ ଏଲ୍‌ ୟଦରୁସ୍‌ ଯୁଦ୍ଧାସ୍ତ୍ର କିଣିବା ଲାଗି ୟୁରୋପ ଯାଇଥିଲେ। ମାତ୍ର ସେତେବେଳକୁ ହାଇଦ୍ରାବାଦ୍‌କୁ ଏକ ସ୍ୱତନ୍ତ୍ର ରାଷ୍ଟ୍ରର ମାନ୍ୟତା ମିଳି ନ ଥିବାରୁ ଅସ୍ତ୍ର କିଣିବାର ମସୁଧା ଫସର ଫାଟିଗଲା।

କିନ୍ତୁ ଇତିମଧ୍ୟରେ ନିଜାମ୍‌ଙ୍କ ଏଜେଣ୍ଟ ଜେନେରାଲ ମିର ନୱାଜ ଜଙ୍ଗ ଅଷ୍ଟ୍ରେଲିଆର ଅସ୍ତ୍ରଶସ୍ତ୍ର ବିକ୍ରେତା ସିଡ୍‌ନି କାଟନକୁ ହାଇଦ୍ରାବାଦ୍‌କୁ ଅସ୍ତ୍ର ପ୍ରେରଣ ପାଇଁ ରାଜି କରାଇ ନେଇଥିଲେ।

ଏ ଖବର ଭାରତ ସରକାରଙ୍କ ପାଖରେ ପହଞ୍ଚିବା ପରେ ଯେପରି ଯୁଦ୍ଧାସ୍ତ୍ର ଭାରତ ପଥ ଦେଇ ହାଇଦ୍ରାବାଦ୍‌ ଆସି ନ ପାରିବ ସେଥିପାଇଁ ପ୍ରତିବନ୍ଧକ ଲଗାଇ ଦିଆଗଲା। ଫଳେରେ ନିଜାମ୍‌ ଜାଣିଗଲେ ଯେ, ଭାରତରେ ବିଲୀନ ହେବା ବ୍ୟତୀତ ହାଇଦ୍ରାବାଦ ଆଗରେ ଅନ୍ୟ କୌଣସି ବିକଳ୍ପ ନାହିଁ। ଏଣୁ ସର୍ତ୍ତ ରଖି ଏହି ପ୍ରସ୍ତାବ ଦିଆଗଲା ଯେ, ହାଇଦ୍ରାବାଦ୍‌କୁ ଏକ ସ୍ୱାୟତ୍ତଶାସିତ ରାଜ୍ୟ ଘୋଷଣା କରି କେବଳ ଏହାର ପ୍ରତିରକ୍ଷା, ବୈଦେଶିକ ବ୍ୟାପାର ସମ୍ପର୍କିତ ଆଧିପତ୍ୟ ଭାରତ ସରକାରଙ୍କ ପାଖରେ ରହୁ।

ହେଲେ ଏହାକୁ ସମ୍ପୁର୍ଣ୍ଣ ମାନ୍ୟତା ମିଳିପାରି ନ ଥିଲା। ଅନ୍ୟ କରଦ ରାଜ୍ୟ ତଥା ରାଜପରିବାରଗୁଡିକ ଏହା ଉପରେ ଆପତ୍ତି ଉଠାଇଲେ। ଏଣୁ ହାଇଦ୍ରାବାଦ୍‌ ନିଜାମ୍‌ଙ୍କ ବିରୋଧରେ ଭାରତରେ ଏକ ପ୍ରତିକୂଳ ହାୱା ବହିବାକୁ ଲାଗିଲା।

ତତ୍କାଳୀନ ଭାରତୀୟ ଉପ-ସେନାଧ୍ୟକ୍ଷ ଲେଫ୍ଟନାଣ୍ଟ ଜେନେରାଲ ଏସ୍‌.କେ.ସିହ୍ନା ନିଜ ଆତ୍ମଜୀବନୀ ପୁସ୍ତକରେ ଏ ସମ୍ପର୍କରେ ଆଲୋଚନା କରିଛନ୍ତି। ସେ ଲେଖିଛନ୍ତି ଯେ, ଏଭଳି ପରିସ୍ଥିତିରେ କୌଣସି ଉପାୟ ନ ପାଇ ସର୍ଦ୍ଦାର ପଟେଲ ତାଙ୍କ ସହ ଆଲୋଚନା କରି ଭାରତୀୟ ସେନାକୁ ହାଇଦ୍ରାବାଦ୍‌ ପଠାଇବାକୁ ନିଷ୍ପତ୍ତି ନେଇଥିଲେ। କିନ୍ତୁ ଏହାକୁ କଡ଼ା ବିରୋଧ କରିଥିଲେ ପ୍ରଧାନମନ୍ତ୍ରୀ ପଣ୍ଡିତ୍‌ ନେହେରୁ।

ଏଭଳି ମତାନ୍ତର ପରେ ମଧ୍ୟ ହାଇଦ୍ରାବାଦ୍‌ରେ ପହଞ୍ଚିଥିଲା ଭାରତୀୟ ସେନା। ଭାରତର ଅଂଶ ଭାବେ ହାଇଦ୍ରାବାଦର ଅଧିଗ୍ରହଣ କରିବାକୁ ଏହା ହିଁ ଶେଷ ପନ୍ଥା ବୋଲି ସର୍ଦ୍ଦାର ପଟେଲ ଦୃଢ଼ ନିଶ୍ଚିତ ଥିଲେ। ଏହି ଯୁଦ୍ଧ ଅଭିଯାନର ନାଁ ଦିଆଯାଇଥିଲା ଅପରେସନ୍‌ “ପୋଲୋ”। ସେ ସମୟରେ ଭାରତରେ ସବୁଠାରୁ ଅଧିକ ପୋଲୋ ଗ୍ରାଉଣ୍ଡ ହାଇଦ୍ରାବାଦ୍‌ରେ ଥିବାରୁ ଏପରି ନାମକରଣ କରାଯାଇଥିଲା।

ଯୁଦ୍ଧ ଆରମ୍ଭ ହେଲା। ଇଚ୍ଛା ଥାଇ ସୁଦ୍ଧା ପାକିସ୍ତାନ ହାଇଦ୍ରାବାଦ୍‌କୁ ସହାୟତାର ହାତ ବଢ଼ାଇ ପାରିନଥିଲା। କାରଣ ତା’ ପାଖରେ ଏତେ ସୈନ୍ୟବଳ ନ ଥିଲା ଏବଂ ଭୌଗଳିକ ଦୂରତା ମଧ୍ୟ ପ୍ରତିବନ୍ଧକ ସାଜିଥିଲା। ଯୁଦ୍ଧ ଡାକରାର ଠିକ୍‌ ୨ ଦିନ ପୂର୍ବରୁ ମହମ୍ମଦ ଅଲ୍ଲୀ ଜିନ୍ନାଙ୍କ ନିଧନ ହୋଇଥିଲା। ତେଣୁ ପାକିସ୍ତାନ କୌଣସି ସାହାଯ୍ୟ କରିବା ପରିସ୍ଥିତିରେ ନଥିଲା।

ହାଇଦ୍ରାବାଦ୍‌ ସପକ୍ଷରେ ଲଢୁଥିବା ଅନେକ ସୈନ୍ୟଙ୍କ ପ୍ରାଣହାନି ଘଟିଥିଲା ଆଉ ଅନ୍ୟପଟେ ୬୬ ଜଣ ଭାରତୀୟ ଯବାନ ମଧ୍ୟ ନିହତ ହୋଇଥିଲେ। ଆଉ ଏହି ଆଭ୍ୟନ୍ତରୀଣ ଯୁଦ୍ଧରେ ରକ୍ତପାତ ଓ ବଳିଦାନ ପରେ ଭାରତ ସରକାରଙ୍କ ବିଜୟ ହୋଇଥିଲା ଓ ହାଇଦ୍ରାବାଦ୍‌ ଦେଶର ଅବିଚ୍ଛେଦ୍ୟ ଅଂଶରେ ପରିଣତ ହୋଇଥିଲା।



from Odisha Reporter https://ift.tt/2QcFpax

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages