
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଅଲୋକର ପର୍ବ ଦୀପାବଳିକୁ ସର୍ବତ୍ର ଆନନ୍ଦ ଉଦ୍ଦୀପନା ସହ ପାଳନ କରାଯାଇଥାଏ। ହେଲେ ଏବର୍ଷର ଦୀପାବଳି ପୂର୍ବରୁ ଅନ୍ଧକାରର ଛାୟା ଖେଳିଯାଇଛି ଭୁବନେଶ୍ୱର ଉପକଣ୍ଠ ବାଲିପାଟଣା ନୂଆସାହିରେ। ଏକ ଭୟଙ୍କର ବାଣ ବିସ୍ଫୋରଣରେ ଥରିଯାଇଛି ସମଗ୍ର ଗାଁ।
ଆଜି ମଧ୍ୟାହ୍ନରେ ରାଜଧାନୀ ଉପକଣ୍ଠ ନୂଆସାହି ଗାଁରେ ହଠାତ ପ୍ରଚଣ୍ଡ ଶବ୍ଦ ସହ ବିସ୍ଫୋରଣ ହୋଇଥିଲା। କେହି କେହି ଏହାକୁ ଭୂମିକମ୍ପ ଭାବି ଘର ଛାଡ଼ି ଦୌଡ଼ି ପଳାଇ ଯାଇଥିଲେ। ଆଉ ତା’ପରେ ବାହାରେ ଯେଉଁ ଦୃଶ୍ୟ ଦେଖିବାକୁ ମିଳିଲା, ତାହା ସମସ୍ତଙ୍କ ହୋସ୍ ଉଡ଼ାଇ ଦେଇଥିଲା। ଛିନଛତ୍ର ହୋଇଯାଇଥିଲା ଜ୍ଞାନେନ୍ଦ୍ର ମିଶ୍ରଙ୍କ କୋଠା ଘର। ଏଣେ ତେଣେ ଛିଟିକି ହୋଇ ପଡ଼ିଥିଲା ମଣିଷ ଶରୀରର ବିଭିନ୍ନ ଅଙ୍ଗପ୍ରତ୍ୟଙ୍ଗ। ଧୂଆଁ ମୟ ହୋଇଯାଇଥିଲା ସମଗ୍ର ପରିବେଶ।
ଜ୍ଞାନେନ୍ଦ୍ରଙ୍କ ଘରେ ଦୀର୍ଘ ଦିନ ହେଲା ବାଣ ତିଆରି ଚାଲିଥିଲା। କିନ୍ତୁ ଆଜିର ବିସ୍ଫୋରଣରେ ଜ୍ଞାନେନ୍ଦ୍ରଙ୍କ ସହ ପତ୍ନୀ ଲକ୍ଷ୍ମୀପ୍ରିୟାଙ୍କର ମଧ୍ୟ ମୃତ୍ୟୁ ହୋଇଯାଇଥିଲା। ଘଟଣାରେ ଆଉ ୨ଜଣ ଗୁରୁତର ଆହତ ହୋଇଛନ୍ତି। ବିସ୍ଫୋରଣରେ ପାଖ ପଡ଼ୋଶୀଙ୍କ ଘର ମଧ୍ୟ କ୍ଷତିଗ୍ରସ୍ତ ହୋଇଛି।
ବିସ୍ଫୋରଣ ସମ୍ପର୍କରେ ଖବର ପାଇ ତୁରନ୍ତ ବାଲିପାଟଣାରେ ପହଞ୍ଚିଥିଲା ପୁଲିସ ଓ ଜିଲ୍ଲା ପ୍ରଶାସନ। ତେଣେ ଘଟଣାସ୍ଥଳରୁ ଫରେନ୍ସିକ ଟିମ୍ ନମୁନା ସଂଗ୍ରହ କରିଛି। ତେବେ ମୃତ ଜ୍ଞାନେନ୍ଦ୍ରଙ୍କ ପାଇଁ ବାଣ ବ୍ୟବସାୟ ନୂଆ ନୁହେଁ। କାରଣ ତାଙ୍କ ବାପା ନୃସିଂହ ମଧ୍ୟ ପୂର୍ବରୁ ଜଣେ ଲାଇସେନ୍ସପ୍ରାପ୍ତ ବାଣ ବ୍ୟବସାୟୀ ଥିଲେ। ସେ ବେପାର ଛାଡ଼ିଦେବା ପରେ ପୁଅମାନେ ବାଣ ତିଆରି କରୁଥିଲେ।
୨ବର୍ଷ ତଳେ ଜ୍ଞାନେନ୍ଦ୍ରଙ୍କ ଅନ୍ୟ ଜଣେ ଭାଇଙ୍କର ମଧ୍ୟ ମୃତ୍ୟୁ ଘଟିଥିଲା। ଆଉ ସେହି ବାଣ ଆଜି ଛାରଖାର କରିଦେଲା ତାଙ୍କ ପରିବାର। ଗାଁ ଲୋକେ ଅଭିଯୋଗ କରିଛନ୍ତି, ବାରମ୍ବାର ଆକଟ କରିବା ସତ୍ତ୍ୱେ ଜ୍ଞାନେନ୍ଦ୍ର ବିନା ଲାଇସେନ୍ସରେ ବାଣ ଭିଡୁଥିଲେ। ଏଥିପାଇଁ ପୁଲିସକୁ ଦାୟୀ କରିଛନ୍ତି ସ୍ଥାନୀୟ ଲୋକେ। ତେଣେ ତଦନ୍ତ ପରେ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ଅତିରିକ୍ତ ଡିସିପି ରାଜକିଶୋର ପାଇକରାୟ।
from Odisha Reporter https://ift.tt/2CT4UKk
No comments:
Post a Comment