
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):୧୪୪ ଧାରା ଓ ପୁଲିସ୍ର କର୍ଡନ ଭାଙ୍ଗି ଚାଷୀ ଭୁବନେଶ୍ୱର ଭିତରେ ଧସେଇ ପଶିଛନ୍ତି। ଖଣ୍ଡଗିରି ଛକ ନିକଟରେ ୧୪୪ ଧାରା ସତ୍ତ୍ୱେ ଶୋଭାଯାତ୍ରାରେ ଆସିଥିବା ନବନିର୍ମାଣ କୃଷକ ସଂଗଠନର ସଦସ୍ୟ ତାହାକୁ ଖାତିର କରିନାହାନ୍ତି। ତେବେ ପୁଲିସ୍ ଚାଷୀକୁ ଅଟକାଇବାକୁ ଚେଷ୍ଟା କରିଥିବା ବେଳେ ଧସ୍ତାଧସ୍ତି ପରିସ୍ଥିତି ସୃଷ୍ଟି ହୋଇଛି। କଂଗ୍ରେସ ନେତା ପ୍ରଦୀପ ମାଝିଙ୍କ ସମେତ ବହୁ ନେତା ଓ ଚାଷୀଙ୍କୁ ପୁଲିସ୍ ଗିରଫ କରିଛି। ଗିରଫ ବେଳେ ଜଣେ ମହିଳା ଚାଷୀ ଅସୁସ୍ଥ ହୋଇପଡ଼ିଥିବା ସୂଚନା ମିଳିଛି।
ତମାଣ୍ଡୋ ପାଖରେ ପୁଲିସ୍ ଚାଷୀଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲା। ତେବେ ପୁଲିସର କର୍ଡନ ଭାଙ୍ଗି ଚାଷୀ ରାଜଧାନୀରେ ପ୍ରବେଶ କରିଛନ୍ତି। ରାଜ୍ୟର ବିଭିନ୍ନ ଜିଲ୍ଲାରୁ ହଜାର ହଜାର ଚାଷୀ ଭୁବନେଶ୍ୱର ଆସୁଛନ୍ତି। କଟକ ପଟୁ ଆସୁଥିବା ଚାଷୀଙ୍କୁ ହଂସପାଳ ଠାରେ ପୁଲିସ୍ ଅଟକାଇ ରଖିଛି।
ଆଜି ଦିନ ୧୨ଟା ଯାଏ ସରକାରଙ୍କୁ ଦାବି ପୂରଣ ନେଇ ଚାଷୀ ସମୟ ଦେଇଥିଲେ। ଦିନ ୧୨ଟାରେ ଚାଷୀ ତମାଣ୍ଡୋ ପଟୁ ରାଜଧାନୀରେ ପ୍ରବେଶ କରିଥିଲେ। ହଂସପାଳ ପଟୁ ରାଜଧାନୀରେ ପ୍ରବେଶ ଉଦ୍ୟମ କରୁଥିବା ଚାଷୀଙ୍କୁ ପୁଲିସ ଅଟକାଇ ରଖିଛି। ଚାଷୀଙ୍କୁ ଗିରଫ ଓ ରାଜଧାନୀରେ ପ୍ରବେଶ କରାଇ ନଦେକୁ ସରକାର ଘୋଷଣା କରିଥିବା ନବନିର୍ମାଣ କୃଷକ ସଂଗଠନର ରାଷ୍ଟ୍ରୀୟ ସଂଯୋଜକ ଅକ୍ଷୟ କୁମାର ଅଭିଯୋଗ କରିଛନ୍ତି। ସେ କହିଛନ୍ତି, “ଯଦି ଚାଷୀଙ୍କୁ ରାଜଧାନୀ ମନା, ତେବେ ନେତାଙ୍କୁ ଗାଁ ମନା। ଗାଁ ଗାଁରେ ଚାଷୀ ଆନ୍ଦୋଳନ କରିବେ। କୌଣସି ନେତାଙ୍କୁ ଗାଁରେ ପୂରାଇ ଦେବୁନାହିଁ।”
ଚାଷୀଙ୍କ ପାଇଁ ସରକାର ମନ୍ତ୍ରିସ୍ତରୀୟ କମିଟି ଗଠନ କରିଥିବା କହୁଛନ୍ତି। ଅର୍ଥ ମନ୍ତ୍ରୀ ଶଶିଭୂଷଣ ବେହେରାଙ୍କ ଅଧ୍ୟକ୍ଷତାରେ କମିଟି ଗଠନ ହୋଇଛି। କମିଟିରେ କୃଷି, ପଞ୍ଚାୟତିରାଜ ଓ ସମବାୟ ମନ୍ତ୍ରୀ ସଦସ୍ୟ ରହିଛନ୍ତି। ଏହି କମିଟିରେ ଟର୍ମ ଅଫ ରେଫରେନ୍ସ ପ୍ରସ୍ତୁତ କରାଯିବ। ଟର୍ମ ଅଫ ରେଫରେନ୍ସ ଅନୁସାରେ ଚାଷୀଙ୍କର ଦାବି ନେଇ ଆଲୋଚନା କରାଯିବ।
ତେବେ ଏହି କମିଟି ଗଠନ ଉପରେ କଂଗ୍ରେସ କହିଛି,“ ସରକାର କମିଟି ପରେ କମିଟି, କମିଶନ ପରେ କମିଶନ ଗଠନ କରୁଛନ୍ତି, କିନ୍ତୁ ଏହାଦ୍ୱାରା ଚାଷୀଙ୍କର କିଛି ଲାଭ ହେବନି।
from Odisha Reporter https://ift.tt/2JF3bcS
No comments:
Post a Comment