
ଭୁବନେଶ୍ୱର:(ଓଡ଼ିଶା ରିପୋର୍ଟର):ଭୁବନେଶ୍ୱରରେ ଏବେ ହକି ଫିଭର୍। କଳିଙ୍ଗ ଷ୍ଟାଡିୟମ୍ରେ ଆସନ୍ତା ନଭେମ୍ବର ୨୮ରୁ ଆରମ୍ଭ ହେଉଥିବା ବିଶ୍ୱକପ ହକିକୁ ନେଇ ସାରା ବିଶ୍ୱର ନଜର। ଏଥିପାଇଁ କେତେ କ’ଣ ପ୍ରସ୍ତୁତି ମଧ୍ୟ ହେଉଛି। ତେବେ ଏହି ହକି ବିଶ୍ୱ କପ୍କୁ ନେଇ ଭୁବନେଶ୍ୱର ବାବଦରେ ଉଇକିପିଡିଆରେ ଏକ୍ ଭୁଲ ତଥ୍ୟ ପ୍ରକାଶ ପାଇବାକୁ ନେଇ ବେଶ ହଇଚଇ ସୃଷ୍ଟି ହୋଇଯାଇଛି। ଏହାକୁ ନେଇ ସୋଶାଲ୍ ମିଡିଆରେ ଜୋରଦାର ଚର୍ଚ୍ଚା ହେବା ପରେ ଏହାକୁ ସଂଶୋଧନ କରାଯାଇଛି।
ଏଥିରେ ଲେଖାଯାଇଥିଲା ଯେ,ଆସନ୍ତା ନଭେମ୍ବର ୨୮ରୁ ଡିସେମ୍ବର ୧୬ ପର୍ଯ୍ୟନ୍ତ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ହକି ୱାର୍ଲଡ୍ କପ୍ ଆୟୋଜନ ହେଉଛି। ତେବେ ‘ଭୁବନେଶ୍ୱର’ ନାମକରଣଟି ଟିମ୍ ଇଣ୍ଡିଆର ଦ୍ରୁତ ବୋଲର ‘ଭୁବନେଶ୍ୱର କୁମାର’ଙ୍କ ନାମରେ ନାମିତ ହୋଇଥିବା ଏଥିରେ ଉଲ୍ଲେଖ ରହିଛି।
ଏଡିଟ୍ ପୂର୍ବରୁ ପ୍ରକାଶ ପାଇଥିବା ତଥ୍ୟର ନକଲଘଟଣା ସୋଶାଲ୍ ମିଡିଆରେ ଖୁବ୍ ଚହଳ ସୃଷ୍ଟି କରିଥିଲା। ଲୋକେ ଏହାର ସ୍କ୍ରିନ୍ ଶଟ୍ ମାରି ଭାଇରାଲ କରିଥିଲେ। ଏହି ତ୍ରୁଟିକୁ ନେଇ ଵ୍ୟାପକ ପ୍ରତିକ୍ରିୟା ପ୍ରକାଶ ପାଇବା ପରେ ଏହାକୁ ସଜଡ଼ା ଯାଇଥିବା ଜଣାପଡ଼ିଛି। ଓଡ଼ିଶାର ରାଜଧାନୀ ଭାବେ ପରିଚିତ ଭୁବନେଶ୍ୱର ଏକ ପୁରାତନ ସହର ହୋଇଥିବା ବେଳେ ଏତେ ବଡ଼ ଭୁଲ ତଥ୍ୟ କେମିତି ପ୍ରକାଶ ପାଇଥିଲା ତାକୁ ନେଇ ପ୍ରଶ୍ନ ଉଠିଛି। ଏହା ଉଇକିପିଡିଆର ତ୍ରୁଟି ନା କେହି ମନ୍ଦ ଉଦ୍ଦେଶ୍ୟ ରଖି ଉଇକିପିଡିଆରେ ଏଡିଟ୍ କରି ତଥ୍ୟ ବଦଳାଇଥିଲେ, ସେନେଇ ମଧ୍ୟ ସନ୍ଦେହ ସୃଷ୍ଟି ହେଉଛି।
ହକି ବିଶ୍ୱ କପ୍କୁ ନେଇ ଭୁବନେଶ୍ୱର ବାବଦରେ ଯେଉଁ ତଥ୍ୟ ପ୍ରକାଶ ପାଇଥିଲା ତାହା ବିଶ୍ୱଦରବାରରେ ଲୋକପ୍ରିୟତା ବୃଦ୍ଧି କରିବା ବଦଳରେ ଓଡ଼ିଶା ପ୍ରତି ଅପମାନ ସଦୃଶ ହେଲା। କାରଣ ମନ୍ଦିରମାଳିନୀ ସହର ଭୁବନେଶ୍ୱର ତିନିହଜାର ବର୍ଷ ପୁରୁଣା ହୋଇଥିବା ବେଳେ ୧୯୪୮ ମସିହାରେ ରାଜଧାନୀର ମାନ୍ୟତା ପାଇଥିଲା। କୁହାଯାଏ ଭୁବନେଶ୍ୱର ନାମଟି ଶିବଙ୍କ ଅନ୍ୟନାମ ତ୍ରିଭୁବନେଶ୍ୱର ନାମରୁ ଆସିଛି। ୧୯୪୮ ଏପ୍ରିଲ୧୩ତାରିଖରେ ଭୁବନେଶ୍ୱରରେ ନୂତନ ରାଜଧାନୀର ପ୍ରତିଷ୍ଠା ଫଳକ ତତ୍କାଳୀନ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହରୁଙ୍କ ଦ୍ୱାରା ସ୍ଥାପିତ ହୋଇଥିଲା।
ତେବେ ଟିମ୍ ଇଣ୍ଡିଆର ଦମଦାର ବୋଲର କୁହାଯାଉଥିବା ‘ଭୁବନେଶ୍ୱର କୁମାର’ଙ୍କ ଜନ୍ମ ୧୯୯୦ ଫେବୃଆରୀ ୫ ବୋଲି ଇଣ୍ଟରନେଟରେ ତଥ୍ୟ ରହିଛି। ତଥାପି ଏମିତି ବିଭ୍ରାନ୍ତିକର ତଥ୍ୟ କେମିତି ପ୍ରକାଶ ପାଇଥିଲା ତା’କୁ ନେଇ ପ୍ରଶ୍ନ ଉଠିଛି। ତେବେ ଉଇକିପିଡିଆକୁ ସମ୍ପାଦନା କରି କେହି ଜାଣିଶୁଣି ଭୁବନେଶ୍ୱର ସମ୍ପର୍କିତ ତଥ୍ୟକୁ ବିକୃତ କରି ଓଡ଼ିଶାକୁ ବଦନାମ କରିବା ପାଇଁ ଷଡ଼ଯନ୍ତ୍ର କରିଥିଲେ, ସେନେଇ ଖୋଳତାଡ଼ କରାଯିବାର ଆବଶ୍ୟକତା ରହିଛି ନିଶ୍ଚୟ।
from Odisha Reporter https://ift.tt/2Fwa3uS
No comments:
Post a Comment