
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ଓଡିଶାରେ ଶକ୍ତି ସଂରକ୍ଷଣକୁ ନେଇ ଭୁବନେଶ୍ୱରରେ ଏକ ରାଜ୍ୟସ୍ତରୀୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲ୍ଲାସ୍ତରରୁ କୃତିତ୍ୱ ହାସଲ କରିଥିବା ୫୦ ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ। ଏମାନଙ୍କ ମଧ୍ୟରୁ ୩ ଜଣ ଛାତ୍ରଙ୍କୁ ଯଥାକ୍ରମେ ପ୍ରଥମ, ଦ୍ୱିତୀୟ ଏବଂ ତୃତୀୟ ପୁରସ୍କାର ପ୍ରଦାନ କରାଯାଇଥିଲା। ‘କ’ ବର୍ଗରେ ଚତୁର୍ଥ, ପଞ୍ଚମ, ଷଷ୍ଠ ଏବଂ ‘ଖ’ ବର୍ଗରେ ସପ୍ତମ, ଅଷ୍ଟମ, ନବମ ଶ୍ରେଣୀର ଛାତ୍ରଛାତ୍ରୀମାନେ ଭାଗ ନେଇଥିଲେ।
ଏହି ଅବସରରେ ଉଭୟ ବର୍ଗକୁ ୧୦ଟି ସାନ୍ତ୍ୱନାମୂଳକ ପୁରସ୍କାର ପ୍ରଦାନ କରାଯାଇଥିଲା । ଜାତୀୟ ତାପଜ ବିଦ୍ୟୁତ ନିଗମ ଏନ୍ଟିପିସି ପକ୍ଷରୁ ଏହି କାର୍ଯ୍ୟକ୍ରମକୁ ଆୟୋଜନ କରାଯାଇଥିଲା। କୃତି ଛାତ୍ରଛାତ୍ରୀମାନଙ୍କୁ ଓଡିଶା ଓପିଇପିଏର ନିର୍ଦ୍ଦେଶକ ଭୁପିନ୍ଦର ସିଂ ପୁନିଆ ଓ ଏନଟିପିସି (ପୂର୍ବାଂଚଳ-୨)ର ଆଂଚଳିକ ପରିଚାଳନା ନିର୍ଦ୍ଦେଶକ ଏମପି ସିଂ ପୁରସ୍କାର ପ୍ରଦାନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଏନ୍ଟିପିସିର ଜିଏମ ବିବି ତ୍ରିପାଠୀ, ଏନ୍ଟିପିସିର ଜିଏମ (ଏଚଆର) ସେବାଷ୍ଟିଆନ ଯୋଶେଫ, ଓପିଇପିଏର ଉପନିର୍ଦ୍ଦେଶକ ମାନସ ରଂଜନ ସାମଲ ଏବଂ ଓଡିଶା ଶକ୍ତି ସଂରକ୍ଷଣ ମୁଖ୍ୟଯନ୍ତ୍ରୀ ସନ୍ତୋଷ ଦାସ ଉପସ୍ଥିତ ଥିଲେ । ତେବେ ଏହାର ଜାତୀୟସ୍ତରୀୟ ପ୍ରତିଯୋଗିତା ନୂଆଦିଲ୍ଲୀଠାରେ ଆସନ୍ତା ଡିସେମ୍ବର ୧୨ ତାରିଖରେ ଅନୁଷ୍ଠିତ ହେବ। ଏହାର ପୁରସ୍କାର ବିତରଣୀ ଉତ୍ସବ ଡିସେମ୍ବର ୧୪ ତାରିଖରେ ଅନୁଷ୍ଠିତ ହେବ । ଏହି ଦିନକୁ ମଧ୍ୟ ଜାତୀୟ ଶକ୍ତି ସଂରକ୍ଷଣ ଦିବସ ଭାବେ ପାଳନ କରାଯାଇଥାଏ ।
‘କ’ ଶ୍ରେଣୀରେ ପ୍ରଥମ ପୁରସ୍କାର ବିଜୟୀ ହୋଇଥିଲେ କଳିଙ୍ଗନଗର ଡିଏଭି ପବ୍ଲିକ ସ୍କୁଲ ଭୁବନେଶ୍ୱରର ପାୟୋସିନି ମିଶ୍ର । ତାଙ୍କୁ ପୁରସ୍କାର ସ୍ୱରୂପ ୨୦,୦୦୦ ଟଙ୍କାର ଅର୍ଥରାଶି ପ୍ରଦାନ କରାଯାଇଥିଲା । ଦ୍ୱିତୀୟ ପୁରସ୍କାର ପାଇଥିଲେ ଡିପିଏସ୍ କଳିଙ୍ଗ, କଟକର ସୋମେଶ କୁମାର ଶତପଥି। ତାଙ୍କୁ ୧୫,୦୦୦ ଟଙ୍କାର ପୁରସ୍କାର ଅର୍ଥରାଶି ପ୍ରଦାନ କରାଯାଇଥିଲା। ତୃତୀୟ ସ୍ଥାନରେ ରହି ୧୦,୦୦୦ ଟଙ୍କାର ଅର୍ଥରାଶି ପୁରସ୍କାର ପାଇଥିଲେ ଚନ୍ଦ୍ରଶେଖରପୁର ଡିଏଭି ପବ୍ଲିକ ସ୍କୁଲର ବିଦିଶା ଲେଙ୍କା।
‘ଖ’ ଶ୍ରେଣୀରେ ପ୍ରଥମ ସ୍ଥାନରେ ରହିଥିଲେ ମଦର୍ସ ପବ୍ଲିକ ସ୍କୁଲ ଭୁବନେଶ୍ୱରର ଶୈଲିଜା ମିଶ୍ର। ତାଙ୍କୁ ୨୦,୦୦୦ ଟଙ୍କାର ଅର୍ଥରାଶି ପ୍ରଦାନ କରାଯାଇଥିଲା। କେମ୍ବ୍ରିଜ ସ୍କୁଲ, କଟକର ଗୌରବ ମହାନ୍ତି ଜିତିଥିଲେ ଦ୍ୱିତୀୟ ପୁରସ୍କାର ଏବଂ ତାଙ୍କୁ ମିଳିଥିଲା ୧୫,୦୦୦ ଟଙ୍କା । ଅରବିନ୍ଦ ସେଣ୍ଟର ଅଫ୍ ଇଂଟିଗ୍ରାଲ ଏଜୁକେସନ ବାଲେଶ୍ୱରର ଶୁଭଶ୍ରୀ ଦାସ ତୃତୀୟ ସ୍ଥାନ ଅଧିକାର କରି ୧୦,୦୦୦ ଟଙ୍କାର ଅର୍ଥରାଶି ପୁରସ୍କାର ପାଇଥିଲେ ।
from Odisha Reporter https://ift.tt/2Q2xDmY
No comments:
Post a Comment