
ନୂଆଦିଲ୍ଲୀ: ରାମ ଜନ୍ମଭୂମିରେ ରାମ ମନ୍ଦିର ନିର୍ମାଣକୁ ନେଇ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ ୧୯୯୨ ମସିହା ଘଟଣାର ଚେତାବନୀ ଦେବାର ଗୋଟିଏ ଦିନ ପରେ ବିଜେପି ସାଧାରଣ ସମ୍ପାଦକ ରାମ ମାଧବ ଦେଇଛନ୍ତି ବିସ୍ଫୋରକ ବୟାନ। ସେ କହିଛନ୍ତି ରାମ ମନ୍ଦିର ନିର୍ମାଣ ଯେତେ ବିଳମ୍ବ ହେବ ହିନ୍ଦୁଙ୍କ ମଧ୍ୟରେ ଉତ୍କଣ୍ଠା ଆହୁରି ବୃଦ୍ଧି ପାଇବ।
ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ସାଧାରଣ ସମ୍ପାଦକ ଭୈୟାଜୀ ଯୋଶୀଙ୍କ ମନ୍ତବ୍ୟ ବାବଦରେ ପଚରାଯିବାରୁ ଶ୍ରୀ ମାଧବ କହିଛନ୍ତି, “ସୁପ୍ରିମ୍କୋର୍ଟ ପୂର୍ବରୁ କହିଥିଲେ ଅକ୍ଟୋବର ୨୯ରୁ ଏହି ପ୍ରସଙ୍ଗରେ ଶୁଣାଣି କରିବେ। କିନ୍ତୁ ଏବେ କହୁଛନ୍ତି ୩ ମାସ ପରେ ଶୁଣାଣି ହେବ। ଏପରି ଡେରି ହେବାକୁ ନେଇ ରାମ ମନ୍ଦିର ପ୍ରସଙ୍ଗକୁ ସମର୍ଥନ କରୁଥିବା ହିନ୍ଦୁମାନେ ଏବଂ ବିଭିନ୍ନ ସଂଗଠନଗୁଡ଼ିକର ଉତ୍କଣ୍ଠା ପୁଞ୍ଜିଭୂତ ହେବାକୁ ଲାଗିଛି। ଏହା ଭବିଷ୍ୟତରେ ପୁଣି ଆନ୍ଦୋଳନର ରୂପ ନେବ ବୋଲି ଆରଏସ୍ଏସ୍ ସ୍ପଷ୍ଟ କରିଛି।”
ଭୈୟାଜୀ କହିଥିଲେ, ଯଦି ଆବଶ୍ୟକ ପଡ଼େ, ରାମ ମନ୍ଦିର ପାଇଁ ଆନ୍ଦୋଳନ କରିବାରେ ପଛଘୁଞ୍ଚା ଦେବୁନାହିଁ। କିନ୍ତୁ ବର୍ତ୍ତମାନ ପ୍ରସଙ୍ଗ ସୁପ୍ରିମ୍କୋର୍ଟଙ୍କ ବିଚାରାଧୀନ ଥିବାରୁ ଏପରି କରାଯିବ ନାହିଁ। ଏପରି ବିଳମ୍ବ ହେବା ହିନ୍ଦୁମାନଙ୍କ ପାଇଁ ଅପମାନ। ଯଦି ସବୁ ବାଟ ବନ୍ଦ ହୋଇଯାଏ ଅଧ୍ୟାଦେଶ ଆଣିବା ହିଁ ଏକମାତ୍ର ବିକଳ୍ପ ହେବ।
ଆଗକୁ ସାଧାରଣ ନିର୍ବାଚନ ଥିବାରୁ ଏହି ମାମଲାର ଶୁଣାଣି ଯେତେ ବିଳମ୍ବ ହେବ ବିଜେପିର ଅଡ଼ୁଆ ସେତେ ବଢ଼ିବ। କାରଣ ଅଯୋଧ୍ୟା ପ୍ରସଙ୍ଗ ବିଜେପିର ୨୦୧୪ ନିର୍ବାଚନୀ ଏଜେଣ୍ଡା ମଧ୍ୟରୁ ଅନ୍ୟତମ। ୨୦୧୦ ମସିହାରେ ବିବାଦୀୟ ସ୍ଥାନକୁ ୩ ଭାଗରେ ବାଣ୍ଟିବାକୁ ଆହ୍ଲାବାଦ୍ ହାଇକୋର୍ଟ ଦେଇଥିବା ରାୟ ବିରୋଧରେ ୧୪ ଜଣ ଆବେଦନକାରୀ ସୁପ୍ରିମ୍କୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ସୁନ୍ନି ୱାକଫ୍ ବୋର୍ଡ, ନିର୍ମୋହି ଆଖଡ଼ା ଏବଂ ରାମ୍ ଲଲ୍ଲା ଏହି ଜମିର ୩ ଦାବିଦାର।
from Odisha Reporter https://ift.tt/2qsGzn4
No comments:
Post a Comment