
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସାଧାରଣ ନିର୍ବାଚନ ପାଇଁ ରାଜ୍ୟ ସରକାରଙ୍କ ମହତ୍ୱାକାଂକ୍ଷୀ ‘ଆମ ଗାଁ ଆମ ବିକାଶ’ କାର୍ଯ୍ୟକ୍ରମ ଏବେ କୁଆଡ଼େ ଅନେକ ବିଜେଡି ବିଧାୟକଙ୍କ ପାଇଁ ଉପାର୍ଜନର ମୁଖ୍ୟ ସ୍ରୋତ ପାଲଟିଛି ବୋଲି ଚର୍ଚ୍ଚା।
ଶୁଣିବାକୁ ମିଳୁଛି, ଏହି କାର୍ଯ୍ୟକ୍ରମ ଅନ୍ତର୍ଗତ ପ୍ରତ୍ୟେକ ନିର୍ବାଚନମଣ୍ଡଳୀକୁ ପ୍ରାୟ ୧୨ରୁ ୧୫କୋଟି ଟଙ୍କା ଟଙ୍କା ଦିଆଯାଇଛି। ଯଦିଓ ଏସବୁ କାର୍ଯ୍ୟ ସମ୍ପୃକ୍ତ ପଞ୍ଚାୟତର ଯନ୍ତ୍ରୀମାନଙ୍କ ନାଁରେ ରହିବ କିନ୍ତୁ ବାସ୍ତବରେ ଏସବୁର ଠିକା କାର୍ଯ୍ୟ ବିଜେଡି କର୍ମୀମାନେ ହିଁ କରିବେ, ତା’ପୁଣି ବିଧାୟକମାନଙ୍କ ଚିଠାରେ। ଏଭଳି ଅଲିଖିତ ନିର୍ଦ୍ଦେଶ ବି ବ୍ଲକଗୁଡ଼ିକୁ କୁଆଡ଼େ ଦିଆଯାଇଛି।
ଚର୍ଚ୍ଚା ହେଉଛି, ନିର୍ବାଚନ ଆଉ ୪-୫ମାସ ଥିବାବେଳେ ଦଳୀୟ ଟିକେଟ୍ ମିଳିବାକୁ ନେଇ ଅନେକ ବିଜେଡି ବିଧାୟକ ଆଶଙ୍କାରେ ରହିଛନ୍ତି। ଆଉ କିଛି ବିଧାୟକ ଟିକେଟ୍ ପାଇବାକୁ ନିଶ୍ଚିତ ଥିଲେ ବି ନିର୍ବାଚନ ପାଇଁ ପାଣ୍ଠି ଯୋଗାଡ଼ ଚିନ୍ତାରେ ରହିଛନ୍ତି। ଏଭଳି ବିଜେଡି ବିଧାୟକମାନଙ୍କ ପାଇଁ କୁଆଡ଼େ ‘ଆମ ଗାଁ ଆମ ବିକାଶ’ କାର୍ଯ୍ୟକ୍ରମ ଏବେ ‘ସୋନେ ପେ ସୁହାଗା’ ହୋଇଛି। ବିଜେଡି ବିଧାୟକମାନେ ଏବେ କୁଆଡ଼େ ଏହି କାର୍ଯ୍ୟ ପାଇଁ ‘ପିସି’ ଉଠାଇବାରେ ଲାଗିଛନ୍ତି। ଏହି ଖବର ତୃତୀୟ ମହଲାର ବାବୁଙ୍କ କାନରେ ପଡ଼ିଲାଣି। କିନ୍ତୁ ନିର୍ବାଚନ ମୁଣ୍ଡ ଉପରେ ଥିବାରୁ କୌଣସି ବିଧାୟକଙ୍କୁ କଡ଼ା କରି କିଛି କହିବା ବି କୁଆଡ଼େ ତାଙ୍କ ପକ୍ଷରେ ସମ୍ଭବପର ହେଉନି।
ଚର୍ଚ୍ଚା ହେଉଛି, ପଶ୍ଚିମ ଓଡ଼ିଶାର ଜଣେ ବିଧାୟିକା ଏହି ‘ଆମ ଗାଁ ଆମ ବିକାଶ’ କାର୍ଯ୍ୟକ୍ରମ ଅନ୍ତର୍ଗତ ଠିକା କାର୍ଯ୍ୟ ବାଣ୍ଟିବା ପାଇଁ କୁଆଡ଼େ ପ୍ରାୟ ୨କୋଟି ଟଙ୍କାର ପିସି ଆଦାୟ କରିସାରିଲେଣି। ଆସନ୍ତା ନିର୍ବାଚନରେ ତାଙ୍କୁ ଟିକେଟ୍ ନମିଳିପାରେ ବୋଲି ସେ ଆଶଙ୍କା କରୁଛନ୍ତି। ସେଇଥିପାଇଁ ନିର୍ବାଚନ ପୂର୍ବରୁ କିଛି ଉପାର୍ଜନ କରିବା ଚକ୍କରରେ ସେ ଏଭଳି କରୁଛନ୍ତି ବୋଲି ତାଙ୍କର କର୍ମୀମାନଙ୍କୁ ରୋକଠୋକ୍ ଶୁଣାଇ ଦେଉଛନ୍ତି।
ସେହିପରି ଉପକୂଳ ଓଡ଼ିଶାର ଜଣେ କୁହାଳିଆ ବିଧାୟକ ବି କୁଆଡ଼େ ପିସି ଆଦାୟ କରୁଛନ୍ତି ବୋଲି ସେହି ଜିଲ୍ଲାର ଜିଲ୍ଲାପାଳ ତାଙ୍କ ନାଁରେ ଫେରାଦ ହୋଇଛନ୍ତି। କେବଳ ଏହି ଦୁଇ ବିଧାୟକ ନୁହେଁ, ଦୁଇ ଡଜନରୁ ଅଧିକ ବିଜେଡି ବିଧାୟକଙ୍କ ଏଭଳି ଅଭିଯୋଗ କୁଆଡ଼େ ସରକାରଙ୍କ ନିକଟରେ ପହଞ୍ଚିଛି। ଚର୍ଚ୍ଚା ହେଉଛି, ରାଜକୋଷ ପାଣ୍ଠିରେ ରାଜ୍ୟର ବିକାଶ ହେଉ କି ନହେଉ କିଛି ବିଜେଡି ବିଧାୟକଙ୍କ ଆର୍ଥିକ ସ୍ଥିତି ନିଶ୍ଚିତ ଭାବେ ସବୁଦିନ ପାଇଁ ସୁଧୁରିଯିବ।
from Odisha Reporter https://ift.tt/2DsZPZi
No comments:
Post a Comment