
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର୍): ପନୀର୍କୁ ନେଇ ଆପଣ ଭିନ୍ନ ଭିନ୍ନ ଆଇଟମ୍ ଖାଇଥିବେ। ଆଜି ଆମେ ଏହି ପନୀର୍କୁ ନେଇ ଆଉ ଏକ ସ୍ୱାଦିଷ୍ଟ ଖାଦ୍ୟ ସାମଗ୍ରୀ ‘ମେଥି ପନୀର୍’ ପ୍ରସ୍ତୁତି ସମ୍ପର୍କରେ ଆପଣଙ୍କୁ ଟିପ୍ସ୍ ଦେବୁ।
ଆବଶ୍ୟକ ସାମଗ୍ରୀ: ପନୀର, ମେଥି ଶାଗ, ଗରମ ମସଲା, ଅଦା-ରସୁଣ-ପିଆଜ ବଟା, ହଳଦୀ ଗୁଣ୍ଡ, ଗୁଜୁରାତି, ଜିରା, ଦହି, ହେଙ୍ଗୁ, ଘିଅ, ଲଙ୍କା ଗୁଣ୍ଡ ଓ ଲୁଣ।
ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ମେଥି ଶାଗକୁ ଭଲ ଭାବେ ବାଛି ଧୋଇଦିଅନ୍ତୁ। ଏବେ ଏହାକୁ ଛୋଟ ଛୋଟ କରି କାଟନ୍ତୁ। ପନୀରକୁ ମଧ୍ୟ ଚାରିକୋଣିଆ ଆକାର ଦେଇ ଖଣ୍ଡ ଖଣ୍ଡ କରି କାଟିଦିଅନ୍ତୁ। ଏବେ ଏକ କଡ଼େଇରେ ଘିଅ ଗରମ କରି ସେଥିରେ ପନୀର ପକାଇ ଭାଜନ୍ତୁ। ପନୀର୍ ଖଣ୍ଡସବୁ ଗୋଲ୍ଡେନ୍ ରଙ୍ଗ ହେବା ପରେ କାଢ଼ି ଦିଅନ୍ତୁ।
ଏବେ ପୁଣି କଡ଼େଇରେ ଘିଅ ଗରମ କରି ସେଥିରେ ଜିରା, ଗୁଜୁରାତି ଏବଂ ହେଙ୍ଗୁ ପକାନ୍ତୁ। ଏଗୁଡ଼ିକ ଫୁଟିଗଲା ପରେ ଏଥିରେ ପିଆଜ ଏବଂ ଅଦା ଓ ରସୁଣ ବଟା, ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ ଓ ଲୁଣ ପକାଇ ଭଲ ଭାବେ କଷନ୍ତୁ। ମସଲା ଭଲ ଭାବେ କଷି ହୋଇଗଲା ପରେ ସେଥିରେ ଦହି ମିଶାନ୍ତୁ। କିଛି ସମୟ ଏହା କଷି ହେବା ପରେ ଏଥିରେ ପନୀର ଏବଂ ମେଥି ଶାଗ ପକାଇ ଗୋଳାନ୍ତୁ। ଏବେ ଏଥିରେ ଅଳ୍ପ ପାଣି ଦେଇ ପାଖାପାଖି ୧୦ ମିନିଟ୍ ଯାଏ କମ୍ ଆଞ୍ଚରେ ଫୁଟାନ୍ତୁ। ଫୁଟିଗଲା ପରେ ଏଥିରେ ଗରମ ମସଲା ପକାନ୍ତୁ।
ଏବେ ପ୍ରସ୍ତୁତ ହୋଇଗଲା ସୁଆଦିଆ ‘ମେଥି ପନୀର’। ଏହାକୁ ଗରମ ଗରମ ରୁଟି, ନାନ୍ କିମ୍ବା ପରଟା ସହ ପରଷନ୍ତୁ।
from Odisha Reporter https://ift.tt/2qGDwIj
No comments:
Post a Comment