
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବାସ୍ତୁଶାସ୍ତ୍ର ପଞ୍ଚତତ୍ତ୍ୱ ଉପରେ ଆଧାରିତ। ଏହି ପଞ୍ଚତତ୍ତ୍ୱ ହେଲା ଅଗ୍ନି, ବାୟୁ, ଜଳ, ପୃଥିବୀ ଓ ଆକାଶ। ସୂର୍ଯ୍ୟଙ୍କୁ ଅଗ୍ନିଙ୍କ ସ୍ୱରୂପ କୁହାଯାଇଥାଏ। ତେଣୁ ସୂର୍ଯ୍ୟ ମଧ୍ୟ ବାସ୍ତୁକୁ ପ୍ରଭାବିତ କରିଥାନ୍ତି।
ସୂର୍ଯ୍ୟ ବାସ୍ତୁକୁ ପ୍ରଭାବିତ କରୁଥିବାରୁ ଉଦୟରୁ ଅସ୍ତ ପର୍ଯ୍ୟନ୍ତ ଦିଗ ଓ ସମୟ ଅନୁସାରେ ଆମେ ବିଭିନ୍ନ ନିଷ୍ପତ୍ତି ନେବା ଉଚିତ୍।
ବାସ୍ତୁଶାସ୍ତ୍ର ଅନୁସାରେ ଆସନ୍ତୁ ଜାଣିବା ସୂର୍ଯ୍ୟ ଉଦୟରୁ ଅସ୍ତ ମଧ୍ୟରେ କେଉଁ ସବୁ କାମ କରିବା ଉଚିତ୍।
୧. ବାସ୍ତୁଶାସ୍ତ୍ର ଅନୁସାରେ ମଧ୍ୟରାତ୍ରୀରୁ ଭୋର ୩ଟା ମଧ୍ୟରେ ସୂର୍ଯ୍ୟ ପୃଥିବୀର ଉତ୍ତର ଭାଗରେ ରହିଥାନ୍ତି। ଏହି ସମୟ ଅତ୍ୟନ୍ତ ଗୋପନୀୟ ହୋଇଥାଏ। ଏହି ସମୟ ମୂଲ୍ୟବାନ ବସ୍ତୁ ଓ ଅଳଙ୍କାର ଆଦି ଗୁପ୍ତ ସ୍ଥାନରେ ରଖିବା ପାଇଁ ଉତ୍ତମ ଅଟେ।
୨. ସୂର୍ଯ୍ୟୋଦୟ ପୂର୍ବରୁ ରାତି ୩ଟାରୁ ସକାଳ ୬ଟା ସମୟକୁ ବ୍ରାହ୍ମ ମୁହୂର୍ତ୍ତ କୁହାଯାଇଥାଏ। ଏହି ସମୟରେ ସୂର୍ଯ୍ୟ ପୃଥିବୀର ଉତ୍ତର-ପୂର୍ବ ଦିଗରେ ରହିଥାନ୍ତି। ଏହି ସମୟରେ ଚିନ୍ତନ, ମନନ ଓ ଅଧ୍ୟୟନ କରିବା ସବୁଠାରୁ ଭଲ।
୩. ସକାଳ ୬ଟାରୁ ୯ଟା ମଧ୍ୟରେ ସୂର୍ଯ୍ୟ ପୃଥିବୀର ପୂର୍ବ ଦିଗରେ ରହିଥାନ୍ତି। ଏଥିପାଇଁ ଏମିତି ଘର ନିର୍ମାଣ କରନ୍ତୁ, ଯେପରି ଏହି ସମୟରେ ସୂର୍ଯ୍ୟକିରଣ ପ୍ରଚୁର ପରିମାଣରେ ଘରେ ପ୍ରବେଶ କରୁଥିବ।
୪. ସକାଳ ୯ଟାରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ସୂର୍ଯ୍ୟ ଦକ୍ଷିଣ-ପୂର୍ବ ଦିଗରେ ରହିଥାନ୍ତି। ଏହି ସମୟ ରୋଷେଇ କରିବା ପାଇଁ ଅତି ଉତ୍ତମ। ରୋଷେଇ ଘର ଓ ଗାଧୁଆ ଘର ସାଧାରଣତଃ ଓଦା ହୋଇଥିଏ। ଏହା ଏପରି ସ୍ଥାନରେ ନିର୍ମାଣ କରନ୍ତୁ, ଯେମିତି ଏହି ସମୟରେ ସୂର୍ଯ୍ୟଙ୍କ କିରଣ ପର୍ଯ୍ୟାପ୍ତ ପରିମାଣରେ ଘର ମଧ୍ୟକୁ ଆସି ପାରିବ। ତେବେ ଯାଇ ଏହି ସ୍ଥାନ ସ୍ୱାସ୍ଥ୍ୟକର ହେବା ସହ ଘରେ ଖୁସି ଆଣିବ।
୫. ମଧ୍ୟାହ୍ନ ୧୨ଟାରୁ ଅପରାହ୍ଣ ୩ଟା ବିଶ୍ରାମ ସମୟ ହୋଇଥାଏ। ଏହି ସମୟରେ ସୂର୍ଯ୍ୟ ଦକ୍ଷିଣରେ ରହିଥାନ୍ତି। ତେଣୁ ଆପଣଙ୍କ ବିଶ୍ରାମ ଗୃହ ଦକ୍ଷିଣ ଦିଗରେ ହିଁ ରହିବା ଉଚିତ।
୬. ଅପରାହ୍ଣ ୩ଟାରୁ ସନ୍ଧ୍ୟା ୬ଟା ହେଉଛି ଅଧ୍ୟୟନ (ପାଠ ପଢ଼ିବା) ଓ କାମ କରିବାର ସମୟ। ଏହି ସମୟରେ ସୂର୍ଯ୍ୟ ଦକ୍ଷିଣ-ପଶ୍ଚିମ ଦିଗରେ ରହିଥାନ୍ତି। ତେଣୁ ପଢ଼ାଘର ଓ ପୁସ୍ତକାଳୟ ଦକ୍ଷିଣ-ପଶ୍ଚିମ ଦିଗରେ ରଖନ୍ତୁ।
୭. ସନ୍ଧ୍ୟା ୬ଟାରୁ ରାତି ୯ଟା ହେଉଛି ଖାଇବା, ବସିବା ଓ ପଢ଼ିବାର ସମୟ। ଏଥିପାଇଁ ଘରର ପଶ୍ଚିମ କୋଣ ଖାଇବା ଓ ବସିବା ପାଇଁ ହେଲେ ଲାଭଦାୟକ ହେବ ବୋଲି ବାସ୍ତୁଶାସ୍ତ୍ରରେ କୁହାଯାଇଛି।
୮. ରାତି ୯ଟାରୁ ମଧ୍ୟରାତ୍ରୀ ମଧ୍ୟରେ ସୂର୍ଯ୍ୟ ଉତ୍ତର-ପଶ୍ଚିମ ଦିଗରେ ରହିଥାନ୍ତି। ଏହି ଦିଗରେ ଶୋଇବା ଘର ରଖନ୍ତୁ, ଘରେ ସୁଖଶାନ୍ତି ରହିବ।
from Odisha Reporter https://ift.tt/2Di3Sss
No comments:
Post a Comment