
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦୀର୍ଘ ୨୮ ବର୍ଷ ପରେ ହକି ବିଶ୍ୱକପ୍ ଖେଳିବାକୁ ଯୋଗ୍ୟତା ଅର୍ଜନ କରିଥିବା ଫ୍ରାନ୍ସ କଳିଙ୍ଗ ଷ୍ଟାଡିୟମ୍ରେ ଜବରଦସ୍ତ ପ୍ରଦର୍ଶନ କରିଛି। ଅବଶ୍ୟ ଦଳ ଶକ୍ତିଶାଳୀ ନ୍ୟୁଜିଲ୍ୟାଣ୍ଡଠାରୁ ଏକ ସଂଘର୍ଷପୂର୍ଣ୍ଣ ମ୍ୟାଚ୍ରେ ପରାସ୍ତ ହୋଇଛି ସତ କିନ୍ତୁ କଳିଙ୍ଗ ଷ୍ଟାଡିୟମ୍ରେ ଏକ ବିରଳ ରେକର୍ଡ ସୃଷ୍ଟି କରିଛି।
ଫ୍ରାନ୍ସ ୨୮ ବର୍ଷର ବ୍ୟବଧାନ ପରେ ବିଶ୍ୱକପ୍କୁ କମ୍ବ୍ୟାକ୍ କରିଥିବା ବେଳେ ମ୍ୟାଚ୍ର ଅନ୍ତିମ ଅର୍ଥାତ ୫୯ତମ ମିନିଟ୍ରେ ଗୋଟିଏ ଗୋଲ୍ ଦେବାକୁ ସକ୍ଷମ ହୋଇଛି। ଫ୍ରାନ୍ସ ଗୋଟିଏ ଗୋଲ୍ ଦେଇଥିଲେ ହେଁ ନ୍ୟୁଜିଲ୍ୟାଣ୍ଡ ବିଶ୍ୱକପ୍ ହକିର ୨ୟ ଦିନର ୨ୟ ମ୍ୟାଚ୍ଟିକୁ ୨-୧ରେ ଜିତି ନେଇଛି।
୨୦୧୮ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ରୌପ୍ୟ ପଦକ ଜିତିଥିବା ନ୍ୟୁଜିଲ୍ୟାଣ୍ଡ ୨୮ ବର୍ଷ ପରେ ବିଶ୍ୱକପ୍ ଖେଳୁଥିବା ଫ୍ରାନ୍ସ ଉପରେ ଆରମ୍ଭରୁ ଚାପ ପକାଇବାକୁ ଚେଷ୍ଟା କରିଥିଲା। ତେବେ ପ୍ରଥମ କ୍ୱାର୍ଟରେ ଫ୍ରାନ୍ସ ଘନଘନ ଆକ୍ରମଣ କରିଥିଲା। କିନ୍ତୁ ଅଭିଜ୍ଞ ନ୍ୟୁଜିଲ୍ୟାଣ୍ଡ ଫ୍ରାନ୍ସ ଖେଳାଳିଙ୍କ ସବୁ ଉଦ୍ୟମକୁ ଭଣ୍ଡୁର କରିଦେଇଥିଲା। ଫଳରେ ପ୍ରଥମ କ୍ୱାର୍ଟରଟି ଗୋଲ ଶୂନ୍ୟ ରହିଥିଲା।
କିନ୍ତୁ ଦ୍ୱିତୀୟ କ୍ୱାର୍ଟର ଆରମ୍ଭରୁ ନ୍ୟୁଜିଲ୍ୟାଣ୍ଡ ନିଜ ରଣନୀତି ବଦଳାଇଥିଲା। ଏହାର ଫାଇଦା ମଧ୍ୟ ଦଳକୁ ମିଳିଥିଲା। ଦଳ ପକ୍ଷରୁ ୧୭ତମ ମିନିଟ୍ରେ କେନ୍ ରୁସେଲ୍ ଗୋଲ୍ ଦେଇ ନ୍ୟୁଜିଲ୍ୟାଣ୍ଡକୁ ୧-୦ରେ ଆଗୁଆ କରିଦେଇଥିଲେ। ଗୋଲ୍ ପରିଶୋଧ ପାଇଁ ଫ୍ରାନ୍ସ ଚେଷ୍ଟା କରିଥିଲେ ହେଁ ଏଥିରେ ସଫଳ ହୋଇ ନଥିଲା। ମ୍ୟାଚ୍ର ହାଫ୍ ଟାଇମ୍ ପର୍ଯ୍ୟନ୍ତ ନ୍ୟୁଜିଲ୍ୟାଣ୍ଡ ୧-୦ରେ ଆଗୁଆ ରହିଥିଲା।
ତୃତୀୟ କ୍ୱାର୍ଟରରେ ଉଭୟ ଦଳ ବେଶ ଟକରାଟକରି ହୋଇଥିଲେ। ହେଲେ କେହି କାହାକୁ ଗୋଲ୍ ଦେଇ ପାରି ନଥିଲେ।
୪ର୍ଥ କ୍ୱାର୍ଟରରେ କଳିଙ୍ଗ ଷ୍ଟାଡିୟମ୍ରେ ଥିବା ଦର୍ଶକମାନେ ଦୁଇଟି ଗୋଲ୍ ଦେଖିଥିଲେ। ମ୍ୟାଚ୍ ଶେଷ ହେବାକୁ ୪ ମିନିଟ୍ ବାକି ଥିବା ବେଳେ ନ୍ୟୁଜିଲ୍ୟାଣ୍ଡର ଷ୍ଟେଫେନ୍ ଜେନେସ୍ ଏକ ଚମତ୍କାର ଫିଲ୍ଡ ଗୋଲ୍ କରିଥିଲେ। ଏଥିଯୋଗୁ ଦଳ ୨-୦ରେ ଆଗୁଆ ହୋଇଯାଇଥିଲା।
ମ୍ୟାଚ୍ ଶେଷ ହେବାକୁ ଗୋଟିଏ ମିନିଟ୍ ବାକି ରହିଥିଲେ ହେଁ ଫ୍ରାନ୍ସ ହାର ମାନିବାକୁ ପ୍ରସ୍ତୁତ ନଥିଲା। ଦଳର ଆକ୍ରମଣାତ୍ମ ଖେଳ ଯୋଗୁ ଫ୍ରାନ୍ସକୁ ଶେଷ ମୁହୂର୍ତ୍ତରେ ଏକ ପେନାଲ୍ଟି କର୍ଣ୍ଣର ମିଳିଥିଲା।
ଏହାକୁ ଭିକ୍ଟୋର ଚାରଲେଟ୍ ଗୋଲ୍ରେ ପରିଣତ କରି ୨୮ ବର୍ଷ ପରେ ଫ୍ରାନ୍ସ ପାଇଁ ପ୍ରଥମ ଗୋଲ୍ ସ୍କୋର କରିବାର ରେକର୍ଡ କରିଥିଲେ। ହେଲେ ଫ୍ରାନ୍ସ ମ୍ୟାଚ୍ଟିକୁ ୨-୧ରେ ହାରି ଯାଇଥିଲା।
from Odisha Reporter https://ift.tt/2P9CFt8
No comments:
Post a Comment