
ପ୍ରିୟ ନରସିଂହ ବାବୁ,
ନମସ୍କାର! ଗତକାଲି (ତା୧୫/୧୧/୨୦୧୮ରିଖ) ଦଳୀୟ ବୈଠକରେ ମୋର ବିଧାନସଭା ସଭ୍ୟପଦରୁ ଇସ୍ତଫା ଦେବା ସମ୍ପର୍କରେ ଆପଣ ଯେଉଁ ମନ୍ତବ୍ୟ ଦେଇଛନ୍ତି ତା’ ମୋ ଦୃଷ୍ଟିକୁ ଆସିଛି। ମତେ କେତେଜଣ ଦଳୀୟ ନେତା ପ୍ରଭାବିତ କରି ମୋର ଇସ୍ତଫା ଦେବା ସମ୍ପର୍କୀୟ ଆପଣଙ୍କ ବକ୍ତବ୍ୟ କେବଳ ନିରାଧାର ନୁହେଁ, ଏହା ମତେ ନିନ୍ଦିତ କରିବାର ଏକ ପ୍ରୟାସ। ମୋର ଇସ୍ତଫା ମୋର ବିବେକର ଆହ୍ୱାନ ଥିଲା।
ଗୋଟିଏ ୧୪ ବର୍ଷର ଦଳିତ ଝିଅଟିର ଗଣଦୁଷ୍କର୍ମ ଓ ନ୍ୟାୟ ନପାଇ ତା’ର ଆତ୍ମହତ୍ୟା ମୋର ବିବେକକୁ ସର୍ବଦା ଦଂଶନ କରୁଥିଲା। ତା’ପ୍ରତି ହୋଇଥିବା ଅନ୍ୟାୟର ପ୍ରତିବାଦ ସ୍ୱରୂପ ମୋର ଇସ୍ତଫା ଯାହା ମୋର ତା’ପ୍ରତି ଶ୍ରଦ୍ଧାଞ୍ଜଳି। ଏହା ଯଦି ଆପଣଙ୍କ ଦୃଷ୍ଟିରେ ଦଳୀୟ ବିଶୃଙ୍ଖଳା ତେବେ ବାରବାର ଏଭଳି ବିଶୃଙ୍ଖଳା କରିବି।
ଆପଣଙ୍କ ସହ ବିଧାନସଭାରେ କାର୍ଯ୍ୟ କରିବା ସମୟରେ ବହୁବାର ଦଳିତ ଓ ଆଦିବାସୀଙ୍କ ସମସ୍ୟା ସମ୍ପର୍କରେ ଆଲୋଚନା କରିଛି। କିନ୍ତୁ କେବେବି ଆପଣ ସେ କଥାକୁ ଗୁରୁତ୍ୱ ଦେଇନାହାନ୍ତି। ଦଳିତ ଓ ଆଦିବାସୀ ଛାତ୍ରଛାତ୍ରୀଙ୍କ ଉଚ୍ଚଶିକ୍ଷାରେ (ମେଡିକାଲ, ଇଞ୍ଜିନିୟରିଂ) “ସଂରକ୍ଷଣ” ଦାବି ସମ୍ପର୍କରେ ବିଧାନସଭା ଭିତରେ ଆମେ ପ୍ରଶ୍ନ ଉଠାଇଲା ବେଳେ ଆପଣ ବିଧାୟକମାନଙ୍କୁ ପରାମର୍ଶ ଦେଇଥିଲେ ଯେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାଦଧରି ଅନୁରୋଧ କରିବାକୁ। ତା’ମଧ୍ୟ ଆପଣଙ୍କ ପରାମର୍ଶ ମାନି ଅନେକ ବିଧାୟକ ମୁଖ୍ୟମନ୍ତ୍ରୀଙ୍କ ପାଦତଳେ ପଡ଼ିଥିଲେ। ଯାହା ବିଭିନ୍ନ ସମ୍ବାଦପତ୍ର ଓ ଟିଭି ଚ୍ୟାନେଲରେ ପ୍ରସାରିତ ହେଲା। ଆପଣ କିନ୍ତୁ ଚୁପ୍ଚାପ ବସିରହିଲେ। ଦଳିତ ଓ ଆଦିବାସୀଙ୍କ ସାମ୍ବିଧାନିକ ଅଧିକାର ସୁରକ୍ଷାରେ ବିରୋଧୀ ଦଳ ନେତା ଭାବେ କ’ଣ ଆପଣଙ୍କର କିଛି ଭୂମିକା ନଥିଲା? ଠିକ୍ ସେହିଭଳି କୁନ୍ଦୁଲି ଝିଅଟିର ଗଣଦୁଷ୍କର୍ମକୁ ବିଧାନସଭାରେ ଉପସ୍ଥାପିତ କରିବାକୁ କ’ଣ ଗୋଟିଏ ମିନିଟ୍ ସମୟ ଆପଣ ପାଇଲେ ନାହିଁ?
ତେବେ ଯାହା ହେଉ, ଆପଣ ଆପଣଙ୍କ ଧର୍ମ ପାଳନ କରୁଛନ୍ତି ଓ ମୁଁ ଜଣେ ଦଳିତ ଭାବରେ ମୋର ଧର୍ମ ପାଳନ କରୁଛି। ଆପଣଙ୍କର ମୁଖ୍ୟମନ୍ତ୍ରୀଙ୍କ ସହ ସୁସମ୍ପର୍କର ଫାଇଦା ନେଇ ମୁଁ ଭାବିଥିଲି ଦଳିତ ଓ ଆଦିବାସୀ ସମାଜ କିଛି ଲାଭବାନ ହୋଇଥାଆନ୍ତେ, କିନ୍ତୁ ତାହା ବଦଳରେ ଆମକୁ କେବଳ ଅପମାନ ମିଳିଲା। ଆମେ ହଜାର ହଜାର ବର୍ଷ ଅନ୍ୟାୟ ସହି ଆସିଛୁ- ଆଉ କେତେ ଦିନ ସହିଯିବାରେ ଆମେ ଭାଙ୍ଗିପଡ଼ିବୁ ନାହିଁ। ସମାଜ କିନ୍ତୁ ବଦଳୁଛି। ଆଶା କରେ ଆପଣ ବି ବଦଳିବେ।
ଇତି
କୃଷ୍ଣ ଚନ୍ଦ୍ର ସଗରିଆ
(ଦ୍ରଷ୍ଟବ୍ୟ: ଶ୍ରୀ ସଗରିଆଙ୍କ ଚିଠିରେ ଥିବା ବନାନଗତ ଅଶୁଦ୍ଧିକୁ ସଂଶୋଧନ କରାଯାଇଛି।)
from Odisha Reporter https://ift.tt/2Tmod4z
No comments:
Post a Comment