
କଟକ (ଓଡ଼ିଶା ରିପୋର୍ଟର): ପଞ୍ଚଭୂତରେ ବିଲୀନ ହୋଇଯାଉଛି କଟକ ହୋଲିପୁର ଗାଁର ବସନ୍ତ ପ୍ରଧାନଙ୍କ ମରଶରୀର। ଚାକିରି କରୁଥିଲେ ଅନୁଗୋଳରେ। ପୁଅର ଦେହ ଭଲ ନଥିବାରୁ ଘରକୁ ବସ୍ରେ ଫେରୁଥିଲେ। ହେଲେ ମହାନଦୀର ମର୍ମନ୍ତୁଦ ଦୁର୍ଘଟଣାରେ ଆଖି ବୁଜିଲେ ସବୁଦିନ ପାଇଁ।
ଆଉ ଏପଟେ ଏମ୍ଟେକ୍ରେ ଆଡମିଶନ ପାଇଁ ସାର୍ଟିଫିକେଟ ଧରି ଘରକୁ ଫେରୁଥିଲେ ନୟାଗଡ଼ର ସୌମ୍ୟରଂଜନ ସାହୁ। ହେଲେ ସେ ଘରକୁ ଫେରିଲେନି। ବରଂ ଫେରିଛି ତାଙ୍କ ମୃତଦେହ। ଏମିତି ମୃତ୍ୟୁର ବିଭୀଷିକାରେ ଆରପାରିକୁ ଚାଲିଗଲେ ୧୦ ଜଣ। ବର୍ତ୍ତିଗଲେ ୫୦ ଜଣ ଯାତ୍ରୀ। ସେମାନଙ୍କ ମଧ୍ୟରୁ ୮ ଜଣ ବିଭିନ୍ନ ଘରୋଇ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଥିବା ବେଳେ ଅନ୍ୟ ଆହତ ଯାତ୍ରୀମାନେ ଏସ୍ସିବି ମେଡିକାଲ୍ରେ ଚିକିତ୍ସାଧୀନ ଅଛନ୍ତି।
ମୃତକମାନେ ହେଲେ ତାଳଚେରର ଅନୀତା ଆଚାର୍ଯ୍ୟ, କଟକ ହୋଲିପୁର ବସନ୍ତ କୁମାର ପ୍ରଧାନ, ନରସିଂହପୁରର ଅଶ୍ୱିନୀ କୁମାର ବେହେରା, ବାଲେଶ୍ୱର ପାଇକାସ୍ତା ଗାଁର ମାନସ ତ୍ରିପାଠୀ, ରାଉରକେଲାର ସନ୍ତୋଷ କୁମାର ଦାସ, ଢେଙ୍କାନାଳ ମୋଟଗାଁର ମୀନତି ବେହେରା, ନୟାଗଡ଼ର ସୌମ୍ୟରଂଜନ ସାହୁ ପ୍ରମୁଖ। ସମସ୍ତଙ୍କ ମୃତଦେହ ଗୁଡ଼ିକ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବା ପରେ ଶେଷକୃତ୍ୟ ସମ୍ପନ୍ନ ହୋଇଛି।
ଅନ୍ୟପକ୍ଷରେ ଦୁର୍ଘଟଣାର ତଦନ୍ତ ଆରମ୍ଭ ହୋଇଛି। ଆଇସିୟୁରେ ଥିବା ବସ୍ ଡ୍ରାଇଭର ଖଗେଶ୍ୱର ମୁଦୁଲିଙ୍କ ନାଁରେ ନିଜ ଆଡୁ ଜଗତପୁର ଥାନାରେ ମାମଲା ରୁଜୁ କରିଛି ପୁଲିସ। ତା’ସହ ଏମ୍ଭିଆଇଙ୍କ ନେତୃତ୍ୱରେ ଏକ ୩ ଜଣିଆ କମିଟି ଗଠନ କରାଯାଇଛି। ତେବେ ଏହି ଦୁର୍ଘଟଣାଗସ୍ତ ବସ୍ର ମାଲିକ ହେଉଛନ୍ତି ତାଳଚେରର ଶ୍ରୀକାନ୍ତ କୁମାର ପାଣି।
ସୂଚନା ଅନୁସାରେ ବସ୍ର ଫିଟ୍ନେସ ଓ ଅବଧି ଠିକ୍ଠାକ୍ ଥିବା କୁହାଯାଉଛି। ବସ୍ଟି ଦ୍ରୁତଗତିରେ ଆସୁଥିବା ବେଳେ ବ୍ରିଜ୍ ଉପରେ ମଇଁଷି ସହ ଧକ୍କା ହେବା ପରେ ଭାରସାମ୍ୟ ହରାଇ ବ୍ରିଜ ତଳକୁ ଖସି ପଡ଼ିଥିଲା।
ସେପଟେ ଦୁର୍ଘଟଣା ପରେ ଚେତା ପଶିଛି କମିଶନରେଟ୍ ପୁଲିସର। ଏଣିକି ରାସ୍ତା ଉପରେ ଗୋରୁ-ଗାଈଙ୍କ ଗତିବିଧିକୁ ନିୟନ୍ତ୍ରଣ କରିବାକୁ ସିଏମ୍ସି ଓ ବିଏମ୍ସିକୁ କୁହାଯିବ ବୋଲି କହିଛନ୍ତି ପୁଲିସ କମିଶନର ସତ୍ୟଜିତ ମହାନ୍ତି।
from Odisha Reporter https://ift.tt/2KuBJ29
No comments:
Post a Comment