ପ୍ରଥମ ଟି-ଟ୍ୱେଣ୍ଟି: ବିଜୟ ସହ ଅଷ୍ଟ୍ରେଲିଆ ଗସ୍ତର ଶୁଭାରମ୍ଭ ଲକ୍ଷ୍ୟରେ ଭାରତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, November 20, 2018

ପ୍ରଥମ ଟି-ଟ୍ୱେଣ୍ଟି: ବିଜୟ ସହ ଅଷ୍ଟ୍ରେଲିଆ ଗସ୍ତର ଶୁଭାରମ୍ଭ ଲକ୍ଷ୍ୟରେ ଭାରତ

ବ୍ରିସ୍‌ବେନ୍: ଘରୋଇ ଦଳରେ ବହୁ ଷ୍ଟାର୍‌ ଖେଳାଳିଙ୍କ ଅନୁପସ୍ଥିତିରୁ ଫାଇଦା ଉଠାଇ ବିରାଟ୍‌ କୋହଲିଙ୍କ ଟିମ୍ ଇଣ୍ଡିଆ ପ୍ରଥମ ଟି-ଟ୍ୱେଣ୍ଟି ମ୍ୟାଚ୍‌ରେ ବିଜୟ ସହ ସାରା ଗସ୍ତରେ ଅଷ୍ଟ୍ରେଲିଆକୁ ଚାପରେ ରଖିବା ପାଇଁ ଲକ୍ଷ୍ୟ ରଖିବ।

ଏହାସହ ବିଦେଶ ଗସ୍ତର ନୈରାଶ୍ୟଜନକ ପ୍ରଦର୍ଶନ ଧାରାରେ ବ୍ରେକ୍‌ ଦେବାକୁ ଅଷ୍ଟ୍ରେଲିଆ ଠାରୁ ଅଧିକ ଅନୁକୂଳ ପରିବେଶ ଓ ପିଚ୍‌ ଭାରତୀୟ ଖେଳାଳିଙ୍କୁ ନିକଟ ଭବିଷ୍ୟତରେ ଆଉ ମିଳିବାକୁ ନ ଥିବାରୁ କଙ୍ଗାରୁଙ୍କ ମାଟିରେ ନିଜ ବିଶ୍ୱସ୍ତରୀୟ ଛାପ ଛାଡ଼ିବାକୁ ଟିମ୍‌ ଇଣ୍ଡିଆ ତାରକାମାନେ ନିଶ୍ଚୟ ସୁଯୋଗ ଖୋଜିବେ।

ତେବେ ଗସ୍ତର ପ୍ରଥମ ମ୍ୟାଚ୍‌ରେ ‘ଗାବା’ର ବାଉନ୍‌ସି ଓ ଦ୍ରୁତ ପିଚ୍‌ରେ ଚକ୍‌ମା ଦେବା ପାଇଁ ଅଷ୍ଟ୍ରେଲୀୟ ଦୀର୍ଘକାୟ ଓ ଶକ୍ତିଶାଳୀ ବୋଲର୍‌ମାନେ ଭ୍ରମଣକାରୀ ଦଳର ବ୍ୟାକ୍‌ ଟୁ ବ୍ୟାକ୍‌ ୱିକେଟ୍‌ ଅକ୍ତିଆର୍‌ ପାଇଁ ଉଦ୍ୟମ କରିବେ।

ଏଥିପାଇଁ ଘରୋଇ ଦଳ ପ୍ରଥମ ଟି-ଟ୍ୱେଣ୍ଟିରେ ‘ଅଲ୍‌ ପେସ୍‌ ଆଟାକ୍‌’କୁ ନେଇ ରଣନୀତି ଚୂଡ଼ାନ୍ତ କରିପାରେ। ଏପରି ହେଲେ, ଆଡାମ୍‌ ଜାମ୍ପାକୁ ବେଞ୍ଚ୍‌ରେ ରଖି ଗ୍ଲେନ୍‌ ମ୍ୟାକ୍ସୱେଲ୍‌ଙ୍କ ପାର୍ଟ ଟାଇମ୍‌ ସ୍ପିନ୍‌ ଉପରେ ଅଷ୍ଟ୍ରେଲିଆ ଅଧିକ ନିର୍ଭର କରିବ ଏବଂ କୁଟର୍‌-ନାଇଲ୍‌ଙ୍କ ନେତୃତ୍ୱରେ ଆଣ୍ଟ୍ର୍ୟୁ ଟାଇ, ଜେସନ୍‌ ବେହରନ୍‌ଡଫ୍‌ ଓ ବିଲ୍‌ ଷ୍ଟାନ୍‌ଲେକ୍‌ଙ୍କ ସହ ଅଲ୍‌ରାଉଣ୍ଡର୍‌ ମାର୍କସ୍‌ ଷ୍ଟଇନିସ୍‌ ଦ୍ରୁତ ବୋଲିଂ ସମ୍ଭାଳିବେ।

କେବଳ ବୋଲର୍‌ ନୁହନ୍ତି, ଆତ୍ମବିଶ୍ୱାସଭରା ବିରାଟ୍‌ ବାହିନୀର ବିଜୟ ପଥରେ ଲଗାମ୍‌ ଦେବା ପାଇଁ ଅଧିନାୟକ ଆରୋନ୍ ଫିଞ୍ଚ୍‌ଙ୍କ ନେତୃତ୍ୱରେ ଅଷ୍ଟ୍ରେଲିଆ ବ୍ୟାଟ୍‌ସମ୍ୟାନ୍‌ଙ୍କୁ ମଧ୍ୟ ଉନ୍ନତ ପ୍ରଦର୍ଶନ ଦେବାକୁ ହେବ। ଏଥିପାଇଁ ଅନଭିଜ୍ଞ କୁହାଯାଉଥିବା ଘରୋଇ ଦଳର ବ୍ୟାଟିଂ ଅର୍ଡର୍‌ ପ୍ରଭାବୀ ପାର୍ଟନର୍‌ଶିପ୍‌ ଉପରେ ଅବଶ୍ୟ ଗୁରୁତ୍ୱ ଦେବ।

କ୍ରିକେଟ୍‌ର ଏହି ଛୋଟ ଫର୍ମାଟ୍‌ରେ ପୂର୍ବରୁ ନିଜ ସାମର୍ଥ୍ୟର ପ୍ରମାଣ ଦେଇଥିଲେ ହେଁ ଗତ କିଛି ମ୍ୟାଚ୍‌ରେ ଆଶାନୁରୂପ ସ୍କୋର୍‌ କରି ନ ଥିବା କ୍ରିସ୍‌ ଲିନ୍‌ ଓ ଡି’ଅର୍ସି ସର୍ଟଙ୍କୁ ଫର୍ମକୁ ଫେରିବାକୁ ହେବ ଏବଂ ଦୁର୍ଦ୍ଦର୍ଷ ମ୍ୟାକ୍ସୱେଲ୍‌ଙ୍କ ବ୍ୟାଟ୍‌ରୁ ପୁଣି ରନ୍‌ ବର୍ଷା ପାଇଁ ଅଷ୍ଟ୍ରେଲୀୟ ଫ୍ୟାନ୍‌ ଆଶା ରଖିବେ।

ସେହିଭଳି ଘରୋଇ ଲିଗ୍‌ ‘ବିଗ୍‌ ବ୍ୟାଶ୍’ରେ ଉନ୍ନତ ପ୍ରଦର୍ଶନ ଜରିଆରେ ଜାତୀୟ ଦଳର ଉପଧିନାୟକ ଭାର ତୁଲାଇଥିବା ୱିକେଟ୍‌ ରକ୍ଷକ ବ୍ୟାଟ୍‌ସମ୍ୟାନ୍‌ ଆଲେକ୍ସ କ୍ୟାରୀଙ୍କ ସହ ନବାଗତ ବେନ୍‌ ମ୍ୟାକଡର୍‌ମଟ୍ଟ ଓ ଅଲ୍‌ରାଉଣ୍ଡର ଷ୍ଟଇନିସ୍‌ ଦଳକୁ ଏକ ବୃହତ୍‌ ସ୍କୋର୍‌ ଦେବାରେ ପ୍ରମୁଖ ଭୂମିକା ନେଉପାରନ୍ତି।

ଅପେକ୍ଷାକୃତ ବଡ଼ ସ୍କୋୟାର୍‌ ବାଉଣ୍ଡାରୀ ଓ ଦ୍ରୁତ ବୋଲିଂ ସହାୟକ ବାଉନ୍‌ସି ୱିକେଟ୍‌ ସତ୍ତ୍ୱେ ଆରମ୍ଭରୁ ଜମି ଗଲେ, ବ୍ରିସ୍‌ବେନ୍‌ର ‘ଗାବା’ ପିଚ୍‌ ଭାରତୀୟ ବ୍ୟାଟ୍‌ସମ୍ୟାନ୍‌ଙ୍କ ପାଇଁ ରନ୍‌ ସଂଗ୍ରହରେ ସେପରି ବାଧକ ହୋଇ ନ ପାରେ।

ତେବେ ମିଚେଲ୍‌ ଷ୍ଟାର୍କ୍‌, ଜୋସ୍‌ ହାଜଲ୍‌ଉଡ୍‌, ପ୍ୟାଟ୍‌ କମିନ୍‌ସ୍‌ ଓ ନାଥାନ୍‌ ଲିଅନ୍‌ଙ୍କ ଅନୁପିସ୍ଥିତି ସତ୍ତ୍ୱେ କଙ୍ଗାରୁ ଦଳର ଦ୍ରୁତ ବୋଲର୍‌ମାନଙ୍କୁ ଟିମ୍‌ ଇଣ୍ଡିଆର ଅନୁଭବୀ ବ୍ୟାଟ୍‌ସମ୍ୟାନ୍‌ମାନେ ଅବଶ୍ୟ ହେୟ ମନେ କରିବାର ଭୁଲ୍‌ କରିବେ ନାହିଁ। ଅନ୍ତର୍ଜାତୀୟ ସ୍ତରରେ ଅନଭିଜ୍ଞ ଲାଗୁଥିଲେ ହେଁ ତାଙ୍କ ଘରୋଇ ମାଟିରେ କଙ୍ଗାରୁ ବୋଲର୍‌ଙ୍କୁ ସଫଳ ମୁକାବିଲା ପାଇଁ ଉପଧିନାୟକ ରୋହିତ୍ ଶର୍ମା ଓ ତାଙ୍କ ଓପନିଂ ପାର୍ଟନର୍‌ ବାମହାତୀ ଶିଖର ଧୱନ୍‌ଙ୍କୁ ପିଚ୍‌ରେ ପ୍ରଥମରୁ କିଛି ସମୟ ରହିବାକୁ ପଡ଼ିବ।

ଏ ଦୁହେଁ ସଫଳ ହେଲେ, ଅଧିନାୟକ କୋହଲି ଓ ବିସ୍ଫୋରକ ଲୋକେଶ ରାହୁଲ୍‌ଙ୍କୁ ସ୍ୱାଭାବିକ ଖେଳ ଖେଳିବା ସହଜ ହେବ। ରିଷଭ ପନ୍ତ ଓ ଦିନେଶ୍ କାର୍ତ୍ତିକ ମିଡିଲ୍ ଅର୍ଡର୍‌ରେ ସ୍କୋର୍‌ ବୋର୍ଡକୁ ଗତିଶୀଳ କଲେ, ଅଲ୍‌ରାଉଣ୍ଡର ଭୂମିକାରେ ବାମହାତୀ କୃନାଲ୍‌ ପାଣ୍ଡ୍ୟା ତାଙ୍କ ସାନ ଭାଇ ହାର୍ଦ୍ଦିକଙ୍କ ଅନୁପସ୍ଥିତି ଅନୁଭୂତ ନ ହେବାକୁ ତ ଉଦ୍ୟମ କରିବେ, ତା’ ସହ ଦଳରେ ନିଜ ସ୍ଥାନ ପକ୍କା ପାଇଁ ଅଷ୍ଟ୍ରେଲିଆରେ ସୁଯୋଗକୁ ସ୍ମରଣୀୟ କରିବାକୁ ଚାହିଁବେ।

ତେବେ ବ୍ୟାଟିଂ କ୍ଷମତା ଯୋଗୁ କୃନାଲ୍‌ଙ୍କୁ ‘ଗାବା’ରେ ସୁଯୋଗ ମିଳିଲେ, ଦୁଇ ରିଷ୍ଟ୍‌ ସ୍ପିନର୍‌ କୁଲଦୀପ ଯାଦବ୍‌ ଓ ୟଜୁବେନ୍ଦ୍ର ଚହଲ୍‌ଙ୍କ ମଧ୍ୟରୁ ଜଣେ ବେଞ୍ଚ୍‌ରେ ବସିବେ। କାରଣ ନୂଆ ବଲ୍‌ ଯୋଡ଼ି ଭୁବନେଶ୍ୱର କୁମାର୍‌ ଓ ଯଶ୍‌ପ୍ରୀତ୍‌ ବୁମ୍ରାଙ୍କ ସହ ବାମହାତୀ ଖଲିଲ୍‌ ଅହମ୍ମଦ ତୃତୀୟ ଦ୍ରୁତ ବୋଲର୍‌ ଭାବେ ଦଳରେ ରହିବା ଏକପ୍ରକାର ନିଶ୍ଚିତ।

ବଲ୍ ଟ୍ୟାମ୍ପରିଂ ପାଇଁ ବାସନ୍ଦ ହୋଇଥିବା ନିୟମିତ ଅଧିନାୟକ ଷ୍ଟିଭ୍ ସ୍ମିଥ୍‌ ଓ ଉପଧିନାୟକ ଡେଭିଡ୍‌ ୱାର୍ଣ୍ଣର୍‌ଙ୍କ ବିନା କ୍ରିକେଟ୍‌ର ପ୍ରାୟ ସବୁ ଫର୍ମାଟ୍‌ରେ ଦୟନୀୟ ପ୍ରଦର୍ଶନ କରୁଥିବା କଙ୍ଗାରୁ ଦଳ ସ୍ଲେଜିଂ ଛାଡ଼ି ଉଭୟ ଶାରୀରିକ ଭାଷା ଓ ପ୍ରଦର୍ଶନ ଦ୍ୱାରା ଘରୋଇ ମ୍ୟାଟିରେ ୱିନିଂ ଟ୍ରାକ୍‌କୁ କମ୍‌ବ୍ୟାକ୍‌ କରିବାକୁ ଲକ୍ଷ୍ୟ ରଖିବ। ଗସ୍ତ ଆରମ୍ଭରୁ ଭାରତୀୟ ବ୍ୟାଟ୍‌ସମ୍ୟାନଙ୍କୁ ସର୍ଟ ପିଚ୍‌ ବଲ୍‌ରେ ପରୀକ୍ଷା ନେବାର ଆହ୍ୱାନ ଦେଇ ଅଷ୍ଟ୍ରେଲୀୟ ଦ୍ରୁତ ବୋଲର୍‌ କୁଟର୍‌-ନାଇଲ୍‌ ପ୍ରଥମ ମ୍ୟାଚ୍‌ ପୂର୍ବରୁ ମାହୋଲ୍‌ରେ ଉଷ୍ମତା ଭରି ଦେଇଛନ୍ତି।

ଟିମ୍‌ ଇଣ୍ଡିଆର ଏହି ଦୀର୍ଘ ୨ମାସିଆ ଅଷ୍ଟ୍ରେଲିଆ ଗସ୍ତର ପ୍ରଥମ ମ୍ୟାଚ୍‌ କ୍ରିକେଟ୍‌ର ରୋମାଞ୍ଚଭରା ଫର୍ମାଟ୍‌ ଟି-ଟ୍ୱେଣ୍ଟି ଆକାରରେ ବ୍ରିସ୍‌ବେନ୍‌ର ଗାବା ଷ୍ଟାଡିଅମ୍‌ରେ ଭାରତୀୟ ସମୟ ମଧ୍ୟାହ୍ନ ସାଢ଼େ ୧୨ରୁ ଆରମ୍ଭ ହେବ।

ଏହି ମ୍ୟାଚ୍ ସହ ଭାରତ ଅଷ୍ଟ୍ରେଲିଆରେ ସମୁଦାୟ ୩ ଟି-୨୦, ୪ ଟେଷ୍ଟ ଓ ୩ଟି ଦିନିକିଆ ମ୍ୟାଚ୍‌ ଖେଳିବ।

ସମ୍ଭାବ୍ୟ ଭାରତୀୟ ଦଳ: ରୋହିତ୍ ଶର୍ମା, ଶିଖର ଧୱନ୍‌, ବିରାଟ୍ କୋହଲି(ଅ), ଲୋକେଶ୍ ରାହୁଲ୍‌, ରିଷଭ ପନ୍ତ, ଦିନେଶ କାର୍ତ୍ତିକ(ୱି), କୃନାଲ୍‌ ପାଣ୍ଡ୍ୟା. ଭୁବନେଶ୍ୱର କୁମାର୍‌, କୁଲ୍‌ଦୀପ ଯାଦବ୍‌/ୟଜୁବେନ୍ଦ୍ର ଚହଲ୍‌, ଯଶ୍‌ପ୍ରୀତ୍‌ ବୁମ୍ରା, ଖଲିଲ୍ ଅହମ୍ମଦ।

ସମ୍ଭାବ୍ୟ ଅଷ୍ଟ୍ରେଲିଆ ଦଳ: ଆରୋନ୍ ଫିଞ୍ଚ୍‌(ଅ), କ୍ରିସ୍‌ ଲିନ୍‌, ଡି.ଅର୍ସି ସର୍ଟ, ଗ୍ଲେନ୍‌ ମ୍ୟାକ୍ସୱେଲ୍‌, ବେନ୍ ମ୍ୟାକଡର୍‌ମଟ୍ଟ, ଆଲେକ୍ସ କ୍ୟାରୀ(ୱି), ମାର୍କସ୍‌ ଷ୍ଟଇନିସ୍‌, ନାଥାନ୍ କୁଟର-ନାଇଲ୍‌, ଆଣ୍ଡ୍ର୍ୟୁ ଟାଇ, ଜାସନ୍‌ ବେହରନ୍‌ଡ୍ରଫ୍‌, ବିଲି ଷ୍ଟାନ୍‌ଲେକ୍‌।



from Odisha Reporter https://ift.tt/2zjhL5P

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages