
ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ସଚିବାଳୟ ମଧ୍ୟରେ ଜଣେ ବ୍ୟକ୍ତି ଲଙ୍କାଗୁଣ୍ଡ ମାଡ଼ କରି ଆକ୍ରମଣ କରିବା ଭିଡିଓ ଏବେ ସାମ୍ନାକୁ ଆସିଛି। ଭିଡିଓରେ ବ୍ୟକ୍ତି ଜଣଙ୍କ ପ୍ରଥମେ କେଜ୍ରିୱାଲଙ୍କ ପାଖକୁ ଯାଇ ଏକ କାଗଜ ଦେଖାଉଛନ୍ତି।
ଏହାପରେ ତାଙ୍କ ପାଦ ଛୁଇଁ ମୁଣ୍ଡିଆ ମାରିବା ପରେ ନିଜ ପାଖରେ ରଖିଥିବା ଲଙ୍କାଗୁଣ୍ଡକୁ ଫିଙ୍ଗୁଥିବା ଦେଖିବାକୁ ମିଳୁଛି। ଲଙ୍କା ଗୁଣ୍ଡ ଫିଙ୍ଗିବା ପରେ ବ୍ୟକ୍ତି ଜଣଙ୍କ କେଜ୍ରିୱାଲଙ୍କୁ ଆକ୍ରମଣ କରିବାକୁ ମଧ୍ୟ ଉଦ୍ୟମ କରିଥିଲେ। ଏହି ସମୟରେ କେଜ୍ରିୱାଲ ନିଜ ଚ୍ୟାମ୍ବରକୁ ଦୌଡ଼ି ପଶି ଯାଇଥିଲେ।
କିନ୍ତୁ ସେ ପିନ୍ଧିଥିବା ଚସମାଟି ଧସ୍ତାଧସ୍ତି ବେଳେ ତଳେ ପଡ଼ି ଯାଇ ଭାଙ୍ଗି ଯାଇଥିଲା। ଉକ୍ତ ବ୍ୟକ୍ତିଙ୍କ ନାଁ ଅନୀଲ କୁମାର ଶର୍ମା ହୋଇଥିବା ବେଳେ ସେ କ’ଣ ପାଇଁ ଏଭଳି କାଣ୍ଡ ଭିଆଇଲେ ତାହା ଜଣାପଡ଼ିନି। ପୁଲିସ୍ ତାଙ୍କୁ ଅଟକ ରଖି ପଚରାଉଚରା କରୁଛି।
ଏହି ଘଟଣାକୁ ନିନ୍ଦା କରି କେଜ୍ରିୱାଲଙ୍କ ଦଳ ଆପ୍ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ କରାଯାଇଥିଲା। ଏଥିରେ ଦଳ ଦିଲ୍ଲୀ ପୁଲିସ୍ର ବେପରୁଆ କାର୍ଯ୍ୟ ପାଇଁ ଆଜି ଜଣେ ବ୍ୟକ୍ତି ମୁଖ୍ୟମନ୍ତ୍ରୀଙ୍କୁ ଆକ୍ରମଣ କଲା ବୋଲି ଅଭିଯୋଗ କରାଯାଇଛି।
ଦିଲ୍ଲୀରେ ବର୍ତ୍ତମାନ ମୁଖ୍ୟମନ୍ତ୍ରୀ ବି ସୁରକ୍ଷିତ ନୁହନ୍ତି। ସଚିବାଳୟରେ ଏତେ କଡ଼ା ସୁରକ୍ଷା ବ୍ୟବସ୍ଥା ଥାଇ ମଧ୍ୟ ବ୍ୟକ୍ତି ଜଣଙ୍କ କେମିତି ଲଙ୍କାଗୁଣ୍ଡ ଧରି ଭିତରକୁ ଆସିଲେ? ଏକଥା କ’ଣ କେହି ଜାଣି ପାରି ନଥିଲେ? କେମିତି ଜଣେ ସାଧାରଣ ଲୋକ ସଚିବାଳୟକୁ ଆସି ମୁଖ୍ୟମନ୍ତ୍ରୀଙ୍କୁ ଆକ୍ରମଣ କରିପାରୁଛି? କେଜ୍ରିୱାଲଙ୍କୁ ବାରମ୍ବାର ଏଭଳି ଆକ୍ରମଣ କରାଯାଉଛି। ଏହା ସୁରକ୍ଷା ବ୍ୟବସ୍ଥାରେ ଥିବା ଢିଲାପଣ ଯୋଗୁ ଘଟୁଛି ବୋଲି ଦଳୀୟ ମୁଖପାତ୍ର ସୌରଭ ଭରଦ୍ୱାଜ କହିଛନ୍ତି।
ଅନ୍ୟପକ୍ଷରେ ବିଜେପିର ଦିଲ୍ଲୀ ମୁଖ୍ୟ ମନୋଜ ତିୱାରୀ ଘଟଣାକୁ ନିନ୍ଦା କରିବା ସହ କ’ଣ ପାଇଁ ଆକ୍ରମଣ ହେଲା, ତା’ର ତଦନ୍ତ ହେବା ଦରକାର ବୋଲି କହିଛନ୍ତି।
ଭିଡିଓ ସୌଜନ୍ୟ: ଟାଇମ୍ସ ଅଫ୍ ଇଣ୍ଡିଆ
Watch: Chilli powder thrown at Delhi CM Arvind Kejriwal pic.twitter.com/xieyRYaJLU
— TOI Delhi (@TOIDelhi) November 20, 2018
from Odisha Reporter https://ift.tt/2DynxU7
No comments:
Post a Comment