
ନୂଆଦିଲ୍ଲୀ: ଆସନ୍ତା ଲୋକସଭା ନିର୍ବାଚନ ପୂର୍ବରୁ ବିଜେପି ବିରୋଧୀ ମେଣ୍ଟ ପ୍ରସ୍ତାବ ପୁଣି ଦାନା ବାନ୍ଧିବା ଆରମ୍ଭ କରିଛି। ଗତ ମାର୍ଚ୍ଚ ମାସରେ କେନ୍ଦ୍ରରେ କ୍ଷମତାସୀନ ଏନ୍ଡିଏକୁ ଛାଡ଼ପତ୍ର ଦେଇଥିବା ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ଏନ୍ ଚନ୍ଦ୍ରବାବୁ ନାଇଡୁ ଏହି ମହାମେଳିକୁ ଆଗକୁ ନେବାକୁ ଦିଲ୍ଲୀ ପହଞ୍ଚି ଅଣ ବିଜେପି ଦଳର ସୁପ୍ରିମୋମାନଙ୍କ ସହ ଆଲୋଚନା କରିଛନ୍ତି।
ବିଜେପିକୁ ଯେମିତି ହେଲେ ୨୦୧୯ରେ ହରାଇବା ପାଇଁ ନାଇଡୁ ପ୍ରତିଜ୍ଞା କରିବା ସହ ଆଜି ନ୍ୟାଶନାଲ୍ କନଫରେନ୍ସର ନେତା ଡ. ଫାରୁକ ଅବଦୁଲ୍ଲା, ଏନ୍ସିପି ମୁଖ୍ୟ ଶରଦ ପାୱର ଓ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କୁ ସାକ୍ଷାତ କରିଛନ୍ତି।
ଏହି ନେତାମାନଙ୍କୁ ଭେଟି ବିଜେପି ବିରୋଧରେ ସମସ୍ତଙ୍କୁ ଏକାଠି କରିବାକୁ ନାଇଡୁ ଚେଷ୍ଟା କରିଛନ୍ତି। ନାଇଡୁ କହିଛନ୍ତି, ଦେଶର ଗଣତନ୍ତ୍ରକୁ ସୁଦୃଢ଼ କରିବାକୁ ହେଲେ ବିରୋଧୀ ଦଳଗୁଡ଼ିକୁ ଏକାଠି ହେବାକୁ ପଡ଼ିବ।
ବୈଠକ ପରେ ନାଇଡୁ, ପାୱାର ଓ ଅବଦୁଲ୍ଲା ମିଳିତ ସାମ୍ବାଦିକ ସମ୍ମିଳନୀ କରିଥିଲେ। ଏଥିରେ ପ୍ରଥମ ସାମ୍ବାଦିକଙ୍କୁ ସୂଚନା ଦେଇ ପାୱର କହିଥିଲେ, “ଆମେ ସମସ୍ତେ ଏକାଠି କାର୍ଯ୍ୟ କରିବା ଦରକାର ବୋଲି ନାଇଡୁ ପ୍ରସ୍ତାବ ଦେଇଛନ୍ତି। ସମସ୍ତେ ଏକାଠି ହୋଇ ଦେଶରେ ପ୍ରଚଳିତ ଗଣତନ୍ତ୍ରକୁ କେମିତି ସୁରକ୍ଷିତ ରଖାଯାଇ ପାରିବ, ସେ ସମ୍ପର୍କରେ ଆଲୋଚନା କରାଯାଇଛି। ଆଜିର ଆଲୋଚନାର ମୁଖ୍ୟ ପ୍ରସଙ୍ଗ ଏହା ହିଁ ଥିଲା।
ଆମର ଗୋଟିଏ ମିଶନ ହେଉଛି ବିଜେପିକୁ ହଟାଇ ଦେଶର ଗଣତନ୍ତ୍ରକୁ ସୁଦୃଢ଼ କରିବା।” ଏହାପରେ ଫାରୁକ ଅବଦୁଲ୍ଲା ସିବିଆଇ ମହାକଳିକୁ ନେଇ କେନ୍ଦ୍ର ସରକାର ଓ ବିଜେପିକୁ ଟାର୍ଗେଟ କରିଥିଲେ।
ଶେଷରେ ନାଇଡୁ ସାମ୍ବାଦିକମାନଙ୍କ ଆଗରେ ଶରଦ ପାୱାରଙ୍କୁ ଦେଶର ସବୁଠାରୁ ବଡ଼ ନେତା ବୋଲି କହିଥିଲେ। ଏଥିସହ ସେ କହିଥିଲେ, ଦେଶ ବର୍ତ୍ତମାନ ଗଭୀର ସଙ୍କଟ ଦେଇ ଗତି କରୁଛି। ଲୋକତନ୍ତ୍ର ଏବେ ବିପଦରେ। ଆମେ ଏ ସମ୍ପର୍କରେ ଅନ୍ୟ ବିରୋଧୀ ଦଳଗୁଡ଼ିକ ସହ ମଧ୍ୟ ଆଲୋଚନା କରିଛୁ। ଦେଶର ଭବଷ୍ୟତ ପାଇଁ ଏକ ସୁଦୃଢ଼ କାର୍ଯ୍ୟକ୍ରମ ଆରମ୍ଭ କରିବାକୁ ଯାଉଛୁ।
ମୁଁ ଦେଶର ବିଭିନ୍ନ ରାଜ୍ୟକୁ ଯାଇ ସବୁ ବିରୋଧୀ ଦଳଗୁଡ଼ିକ ସହ ଆଲୋଚନା କରିବି। କ୍ଷମତା କିମ୍ବା ସିଟ୍ ଆମର ଦରକାର ନାହିଁ। କେବଳ ଅଣ ବିଜେପି ଦଳକୁ ଏକାଠି କରିବା ଆମର ଲକ୍ଷ୍ୟ।”
ଏହାପରେ ନାଇଡୁ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କୁ ମଧ୍ୟ ସାକ୍ଷାତ କରି ତାଙ୍କ ସହ ରୁଦ୍ଧଦ୍ୱାର ବୈଠକ କରିଥିଲେ। ନାଇଡୁଙ୍କ ସହ କିଛି ବରିଷ୍ଠ ଟିଡିପି ନେତା ମଧ୍ୟ ରାହୁଲଙ୍କୁ ସାକ୍ଷାତ କରିଥିଲେ। ତେଲେଙ୍ଗାନା ବିଧାନସଭାରେ କଂଗ୍ରେସ ଓ ଟିଡିପି ଏକାଠି ନିର୍ବାଚନ ଲଢ଼ିବେ। ତେଣୁ ଏସମ୍ପର୍କରେ ମଧ୍ୟ ଏହି ବୈଠକରେ ଆଲୋଚନା ହୋଇଥିବା ଜଣାପଡ଼ିଛି।
ପୂର୍ବରୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆର୍ ମଧ୍ୟ ଅଣ ବିଜେପି ସଂଗଠନ ଗଠନ କରିବାକୁ ଅଣ୍ଟା ଭିଡ଼ିଥିଲେ। ହେଲେ ଏହି ଉଦ୍ୟମ ଏକ ପ୍ରକାରର ଫସର ଫାଟିଯାଇଥିଲା।
from Odisha Reporter https://ift.tt/2EVWQv0
No comments:
Post a Comment