କାହା ସାହସରେ ବିଜେଡି ଖାରବେଳଙ୍କ ଉପରେ ଆକ୍ରମଣ କରୁଛି ? - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, November 1, 2018

କାହା ସାହସରେ ବିଜେଡି ଖାରବେଳଙ୍କ ଉପରେ ଆକ୍ରମଣ କରୁଛି ?

ଭୁବନେଶ୍ୱର(ପ୍ରକାଶ ସେଠୀ): ‘ଉକ୍ରଳ ଭାରତ’ ପାର୍ଟି ସୁପ୍ରିମୋ ଖାରବେଳ ସ୍ୱାଇଁଙ୍କୁ ଗତ ସପ୍ତାହକ ମଧ୍ୟରେ ଦ୍ୱିତୀୟ ଥର ପାଇଁ ବିଜେଡି କର୍ମୀଙ୍କ ଦ୍ୱାରା ଆକ୍ରମଣ ହୋଇଛି। ନିର୍ବାଚନ ମୁଣ୍ଡ ଉପରେ ଥିବାବେଳେ ଏକ ରାଜନୀତିକ ଦଳର ମୁଖ୍ୟଙ୍କ ଉପରେ ଶାସକ ଦଳର ଏଭଳି ଆକ୍ରମଣ ରାଜ୍ୟରେ ଆଇନଶୃଙ୍ଖଳା ସ୍ଥିତି ଆଡ଼କୁ ଅଙ୍ଗୁଳି ନିର୍ଦ୍ଦେଶ କରୁଛି। ଏହାସହିତ ଆଗାମୀ ଦିନରେ ଅନ୍ୟ ରାଜନୀତିକ ଦଳଗୁଡ଼ିକର ଗତିବିଧି ଉପରେ ଶାସକ ଦଳର ଜୁଲୁମ୍ ବଢ଼ିବାର ଆଶଙ୍କା ସୃଷ୍ଟି ହୋଇଛି। ତେବେ ଖାରବେଳଙ୍କ ଉପରେ ଏପରି ଆକ୍ରମଣ ଓ ପୁଲିସର ନିଷ୍କ୍ରିୟତାକୁ ନେଇ ଅନ୍ୟ ରାଜନୀତିକ ଦଳଗୁଡ଼ିକ ଆଶ୍ଚର୍ଯ୍ୟଜନକ ଭାବେ ନିରବତା ଅବଲମ୍ବନ କରୁଛନ୍ତି। ଅବଶ୍ୟ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ଏ ସମ୍ପର୍କରେ ଉଦବେଗ ବ୍ୟକ୍ତ କରିବା ସହ ଏ ପ୍ରସଙ୍ଗରେ ନିର୍ବାଚନ କମିଶନଙ୍କ ଦ୍ୱାରସ୍ଥ ହେବାକୁ ଶ୍ରୀ ସ୍ୱାଇଁଙ୍କୁ ପରାମର୍ଶ ଦେଇଛନ୍ତି ।

‘ଉତ୍କଳ ଭାରତ’ ଦଳର ଅଧ୍ୟକ୍ଷ ଖାରବେଳ ସ୍ୱାଇଁଙ୍କୁ ଗତ ସପ୍ତାହରେ କେନ୍ଦ୍ରାପଡ଼ା ଜିଲ୍ଲା ଆଳିରେ ବିଜେଡି କର୍ମୀଙ୍କ ଦ୍ୱାରା ଆକ୍ରମଣ ହୋଇଥିବାବେଳେ ଗତକାଲି ବାଲେଶ୍ୱର ଜିଲ୍ଲାର ଖଇରା ବ୍ଲକର ଡଙ୍ଗରାଠାରେ ଏକ ପଥପ୍ରାନ୍ତ ସଭାରେ ଆକ୍ରମଣ ହୋଇଛି। ପୁଲିସଠୁ ଅନୁମତି ନେଇ ଶ୍ରୀ ସ୍ଵାଇଁ ସଭା କରୁଥିଲାବେଳେ ବିଜେଡିର ସ୍ଥାନୀୟ ସମିତି ସଭ୍ୟ ଓ ତାଙ୍କ ସମର୍ଥକମାନେ ତାଙ୍କୁ ଆକ୍ରମଣ କରିଥିଲେ। ଏପରିକି ଉଭୟ ଆଳି ଓ ଖଇରାରେ ବିଜେଡିର ଦାଦାଗିରି ଯୋଗୁ ‘ଉତ୍କଳ ଭାରତ’ ଭଳି ପଞ୍ଜୀକୃତ ଅଥଚ ଅଣସ୍ୱୀକୃତ ଦଳର ନେତା ଓ ସମର୍ଥକମାନେ ସଭା କରିବାକୁ ସକ୍ଷମ ହୋଇନଥିଲେ।

ଖାରବେଳ ସ୍ୱାଇଁଙ୍କୁ ଏତେ ବିରୋଧ କାହିିଁକି

କୌଣସି ରାଜନୀତିକ ଦଳ ଅବା ବ୍ୟକ୍ତିଙ୍କୁ ସ୍ୱାଧୀନ ଭାବେ ମତ ରଖିବାର ଅଧିକାରକୁ ଯେଉଁ ଢଙ୍ଗରେ ଶାସକ ବିଜେଡି ବିରୋଧ କରୁଛି ତାହା କ’ଣ ଭାରତ ଭଳି ଗଣତନ୍ତ୍ର ରାଷ୍ଟ୍ରରେ ଗ୍ରହଣଯୋଗ୍ୟ ଅବା ଶୋଭନୀୟ ନୁହେଁ। ଦଳମତ ନିର୍ବିଶେଷରେ କୌଣସି ଲୋକ ଏଭଳି ଆକ୍ରମଣକୁ ସମର୍ଥନ କରିବେ ନାହିଁ। ତେବେ ରାଜ୍ୟରେ ୪୦ରୁ ଅଧିକ ରାଜନୀତିକ ଦଳ ନିର୍ବାଚନ ମଇଦାନକୁ ଓହ୍ଲାଉଥିବାବେଳେ ‘ଉକ୍ରଳ ଭାରତ’ ଭଳି ଏକ ଛୋଟିଆ ଦଳର ନେତା ଖାରବେଳ ସ୍ୱାଇଁଙ୍କୁ ଏତେ ବିରୋଧ କାହିିଁକି, ସେ ପ୍ରଶ୍ନ ଉଠିବା ସ୍ୱାଭାବିକ?

ଖୋଳତାଡ଼ରୁ ଜଣାପଡ଼ିଛି ଯେ, ୨୦୧୪ ସାଧାରଣ ନିର୍ବାଚନରେ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ଦଳ ‘ଆମ ଓଡ଼ିଶା’ ପାର୍ଟି ସହ ମିଶି ‘ଉକ୍ରଳ ଭାରତ’ ରାଜ୍ୟର ୭୬ଟି ଆସନରେ ପ୍ରାର୍ଥୀ ଦେଇଥିଲା। ଦଳ ୨ଟି ଆସନରେ ଦ୍ୱିତୀୟ ସ୍ଥାନରେ ଥିବାବେଳେ ଅନ୍ୟ ୭୪ଟି ଆସନରେ କିଛି ପରିମାଣରେ ଭୋଟ ହାସଲ କରିଥିଲା। ତେବେ ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ‘ଆମ ଓଡ଼ିଶା’ ପାର୍ଟି ପ୍ରଥମଥର ପାଇଁ ୨୦୧୪ ନିର୍ବାଚନରେ ରଣାଙ୍ଗନକୁ ଓହ୍ଲାଇଥିଲେ ମଧ୍ୟ ଏହାର ସଂଗଠନ କେବଳ ୨/୩ଟି ଜିଲ୍ଲା ମଧ୍ୟରେ ସୀମିତ ଥିଲା। ବାକି ସମସ୍ତ ସ୍ଥାନରେ ‘ଉକ୍ରଳ ଭାରତ’ ପିଠିରେ ଲାଉ ହୋଇ ଆମ ଓଡ଼ିଶା ପାର୍ଟି ନିଜର ପତିଆରା ଦେଖାଇଥିଲା ବୋଲି ସାଧାରଣରେ ଚର୍ଚ୍ଚା ହେଉଛି।

ଖାରବେଳଙ୍କ ସହ କାର୍ଯ୍ୟ କରି ତାଙ୍କର ସଂଗଠନକୁ ମାପିବାରେ ମଧ୍ୟ ସୌମ୍ୟ ଅନେକାଂଶରେ ସକ୍ଷମ ହୋଇଥିବେ। ଆମ ଓଡ଼ିଶା ପାର୍ଟିର ମୁଖ୍ୟ ସୌମ୍ୟରଞ୍ଜନ ଏବେ ବିଜେଡିରେ ସାମିଲ ହୋଇ ଦଳର ସାଂସଦ ସହ ଆଗଧାଡ଼ିର ସଂଗଠକ ପାଲଟିଛନ୍ତି। ଖାରବେଳ ଏବେ ବିଜେଡି ଓ ନବୀନ ଶାସନ ବିରୋଧରେ ଖୋଲାଖୋଲି ଟିପ୍ପଣୀ ଦେଉଛନ୍ତି। ଖାରବେଳଙ୍କ କଥା ସାଧାରଣ ଲୋକଙ୍କ ମନକୁ ପ୍ରଭାବିତ କରିବାର ସମ୍ଭାବନା ରହୁଛି।

ଗୋଟିଏପଟେ ବିଜେଡିରୁ ବହିଷ୍କୃତ ହୋଇ ଡାକ୍ତର ଦାମୋଦର ରାଉତ ଏବେ ‘ଦୁର୍ନୀତି ନିରୋଧ ମଞ୍ଚ’ ବ୍ୟାନରରେ ରାଜ୍ୟର ବିଭିନ୍ନ ସ୍ଥାନକୁ ଯାଇ ନବୀନ ପଟ୍ଟନାୟକ ସରକାର ଓ ବିଜେଡିର କଳା ଅଧ୍ୟାୟକୁ ଖୋଲୁଥିବାବେଳେ ଖାରବେଳ ନିଜସ୍ୱ ପ୍ଲାଟଫର୍ମରେ ଅନୁରୂପ ଭାବେ ସରକାରଙ୍କୁ ସମାଲୋଚନା କରୁଛନ୍ତି। ଏସବୁକୁ ପବ୍ଲିକ ପ୍ଲାଟଫର୍ମରେ ମୁକାବିଲା କରିବା ବିଜେଡି ପାଇଁ ସହଜ ହେଉନାହିଁ, ତେଣୁ ବହୁସଂଖ୍ୟକ ସମର୍ଥକ ନଥିବା ଖାରବେଳଙ୍କ ସଭାକୁ ଭଣ୍ଡୁର କରିବା ଅବା ତାଙ୍କୁ ଭୟଭୀତ କରି ସଭା ବନ୍ଦ କରିବାକୁ ବିଜେଡି ଏକ ସୁଯୋଗ ଭାବେ ବାଛି ନେଇଛି।

ପୁଲିସ ଉପରେ ଶାସକ ଦଳର ଚାପ !

ଆକ୍ରମଣକୁ ନେଇ ଖାରବେଳ ପୁଲିସରେ ଅଭିଯୋଗ କଲେ ମଧ୍ୟ କୌଣସି ସୁଫଳ ମିଳୁନି। ତେଣୁ ଆକ୍ରମଣ ଘଟଣା ପଛରେ ପୁଲିସ ଉପରେ ଶାସକ ଦଳର ଚାପ ରହିଥିବା ସ୍ପଷ୍ଟ ଅନୁଭୂତ ହେଉଛି।
ଖାରବେଳଙ୍କ ଉପରେ ଏଭଳି ପୁଣି ଆକ୍ରମଣକୁ ନିନ୍ଦା କରି ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ଟ୍ୱିଟ୍ କରି କହିଛନ୍ତି ଯେ, ଓଡ଼ିଶାରେ ସ୍ଥିତି ଦିନକୁ ଦିନ ଖରାପରୁ ଅତି ଖରାପ ହେବାରେ ଲାଗିଛି। ନିର୍ବାଚନ କିଛି ମାସ ବାକି ଥିବାବେଳେ ରାଜ୍ୟରେ କିଭଳି ରାଜନୀତିକ ହିଂସା ଆରମ୍ଭ ହୋଇଗଲାଣି ଓ ବିରୋଧୀଙ୍କୁ ଶାସକ ଦଳର ଗୁଣ୍ଡାମାନେ ଆକ୍ରମଣ କରୁଛନ୍ତି, ସେ ନେଇ ଖାରବେଳ ନିର୍ବାଚନ କମିଶନଙ୍କୁ ଅବଗତ କରିବା ଉଚିତ୍ ବୋଲି ସେ ପରାମର୍ଶ ଦେଇ କହିଛନ୍ତି ।

ସବୁଠୁ ଆଶ୍ଚର୍ଯ୍ୟର କଥା ଗୋଟିଏ ଅପେକ୍ଷାକୃତ ସାନ ଦଳର ନେତା ଖାରବେଳଙ୍କ ଉପରେ ବାରମ୍ବାର ଆକ୍ରମଣକୁ ନେଇ ଅନ୍ୟ କୌଣସି ରାଜନୀତିକ ଦଳ ଆହା ପଦେ କହିବାକୁ ଆଗେଇ ଆସୁନାହାନ୍ତି। ଏହା ଶାସକ ଦଳର ସାହସ ଆହୁରି ବଢାଇ ଦେଉଛି କହିଲେ ଅତ୍ୟୁକ୍ତି ହେବନାହିଁ।

ନିର୍ବାଚନବେଳେ ୪୦ରୁ ଅଧିକ ଛୋଟ ଦଳ ଓ ୧୦ରୁ ଅଧିକ ବଡ଼ ଦଳ ସକ୍ରିୟ ହୋଇଥାନ୍ତି। ଶାସକ ବିଜେଡିର ଗୁଣ୍ଡାମି ଏବେ ‘ଉତ୍କଳ ଭାରତ’ ପ୍ରତି ହୋଇଥିବାବେଳେ ଅନ୍ୟ ଦଳଗୁଡ଼ିକୁ ଯେ ଆଗାମୀ ଦିନରେ ଏଭଳି ଭୋଗିବାକୁ ନପଡ଼ିବ, ତାହା କିଏ କହିବ ବୋଲି ସାଧାରଣରେ ଚର୍ଚ୍ଚା।

 



from Odisha Reporter https://ift.tt/2JwzRoX

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages