
ଦୁବାଇ: ଗୋଟିଏ ବଲ୍ରେ ୫ ରନ୍ ହେବା ଆପଣ ଅନେକ ଥର ଦେଖିଛନ୍ତି ଏବଂ ଶୁଣିଛନ୍ତି। କେତେବେଳେ ଓଭର୍ ଥ୍ରୋରେ ଏହି ରନ୍ ହୋଇଥାଏ ତ ଆଉ କେତେବେଳେ କିପର୍ଙ୍କ ପଛପଟେ ଥିବା ହେଲେମେଟ୍ରେ ବଲ୍ ବାଜି ପ୍ରତିପକ୍ଷ ଦଳକୁ ୫ ରନ୍ ପେନାଲ୍ଟି ଆକାରରେ ମିଳିଥାଏ। କିନ୍ତୁ ଗୋଟିଏ ବଲ୍ରେ ଦୌଡ଼ି ଦୌଡ଼ି ୫ ରନ୍ ନେବା ବୋଧେ ଆପଣ କେବେ ଶୁଣି ନଥିବେ?
ହେଲେ ଏଭଳି ଏକ ଘଟଣା ଘଟିଛି, ତା’ ପୁଣି କୌଣସି ଘରୋଇ ଟୁର୍ଣ୍ଣାମେଣ୍ଟ ନୁହେଁ ବରଂ ଏକ ଅନ୍ତର୍ଜାତୀୟ ଦିନିକିଆ ମ୍ୟାଚରେ ଘଟିଛି। ପାକିସ୍ତାନ ଓ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ବର୍ଷା ବାଧାପ୍ରାପ୍ତ ୩ୟ ଦିନିକିଆରେ ଏଭଳି ଦୌଡ଼ି ଦୌଡ଼ି ୫ ରନ୍ ହେବା ଭଳି ଘଟଣା ଘଟିଛି।
ନ୍ୟୁଜିଲ୍ୟାଣ୍ଡ ଖେଳାଳିଙ୍କ ତ୍ରୁଟିପୂର୍ଣ୍ଣ ଫିଲ୍ଡିଂ ଯୋଗୁ ପାକିସ୍ତାନର ଦୁଇ ବ୍ୟାଟସ୍ମ୍ୟାନ୍ ଫହେମ ଅଶ୍ରଫ ଓ ଆସିଫ ଅଲ୍ଲୀ ଏଭଳି ୫ ରନ୍ ନେବାକୁ ସକ୍ଷମ ହୋଇଛନ୍ତି।
ଫହେମ ଅଶ୍ରଫ୍ ବ୍ୟାଟିଂ କରୁଥିବା ବେଳେ ନ୍ୟୁଜିଲ୍ୟାଣ୍ଡ ବୋଲର୍ ଟ୍ରେଣ୍ଟ ବୋଲ୍ଟଙ୍କ ଏକ ବଲ୍କୁ ଲେଗ୍ ସାଇଡକୁ ଫ୍ଲିକ କରିଥିଲେ। ଏହି ସମୟରେ ନନ୍ ଷ୍ଟ୍ରାଇକ୍ର ଏଣ୍ଡରେ ଥିବା ଆସିଫ୍ ୩ ରନ୍ ନେବାକୁ ଉଦ୍ୟମ କରିଥିଲେ। ୨ ରନ୍ ବେଶ ଆରାମରେ ହୋଇଥିବା ବେଳେ ୩ୟ ରନ୍ ନେବା ବେଳେ ଡିପ୍ ସ୍କୋୟାର ଲେଗ୍ରେ ଫିଲ୍ଡିଂ କରୁଥିବା ଫିଲ୍ଡର ଏହାକୁ ୱିକେଟ୍ କିପର୍ଙ୍କ ଟମ୍ ଲାଥାମଙ୍କ ପାଖକୁ ଫିଙ୍ଗି ଥିଲେ। ସେ ବଲ୍ଟିକୁ ଧରିଥିଲେ ହେଁ ଏହାକୁ ବୋଲିଂ ଏଣ୍ଡକୁ ଫୋପାଡ଼ିଥିଲେ।
କିନ୍ତୁ ଏହା ୱିକେଟ୍ରେ ନ ବାଜି ଲଙ୍ଗ ଅଫ୍ ଅଞ୍ଚଳକୁ ଚାଲିଯାଇଥିଲା। ଫଳରେ ପାକିସ୍ତାନର ଦୁଇ ବ୍ୟାଟସ୍ମ୍ୟାନ୍ ଆଉ ଗୋଟିଏ ରନ୍ ନେଇଥିଲେ। ତେବେ ଲଙ୍ଗଅନ୍ର ଖେଳାଳି ପୁଣି ବଲ୍ଟିକୁ ଲାଥାମଙ୍କ ପାଖକୁ ଫିଙ୍ଗିଥିଲେ ହେଁ ଏହା ତାଙ୍କ ଗ୍ଲୋବ୍ସରେ ବାଜି ଥାର୍ଡ ମ୍ୟାନ୍ ଅଞ୍ଚଳକୁ ଚାଲିଯାଇଥିଲା। ଏହାର ଫାଇଦା ନେଇ ଦୁଇ ବ୍ୟାଟସ୍ମ୍ୟାନ୍ ପୁଣି ଗୋଟିଏ ରନ୍ ନେଇ ଯାଇଥିଲେ।
ଏଭଳି ଭାବେ ଗୋଟିଏ ବଲ୍ରେ ପ୍ରଥମେ ୩, ପରେ ୧ ଓ ଏହାପରେ ପୁଣି ୧ ରନ୍ ନେବାରୁ ଗୋଟିଏ ବଲ୍ରେ ୫ ରନ୍ ମିଳିଥିଲା।
ନ୍ୟୁଜିଲ୍ୟାଣ୍ଡ ପ୍ରଥମେ ବ୍ୟାଟିଂ କରି ୨୭୯ ରନ୍ କରିଥିବା ବେଳେ ଏହାର ଜବାବରେ ପାକିସ୍ତାନ ୬.୫ ଓଭର୍ରେ ଗୋଟିଏ ୱିକେଟ୍ ହରାଇ ୩୫ ରନ୍ କରିଥିବା ବେଳେ ବର୍ଷା ହୋଇଥିଲା। ଫଳରେ ମ୍ୟାଚ୍ ଆଉ ଆରମ୍ଭ ହୋଇପାରି ନଥିଲା। ଫଳରେ ୩ଟିକିଆ ସିରିଜ୍ ୧-୧ରେ ଡ୍ର ରହିଥିଲା। ପ୍ରଥମ ମ୍ୟାଚ୍ ନ୍ୟୁଜିଲ୍ୟାଣ୍ଡ ୪୭ ରନ୍ରେ ଜିତିଥିବା ବେଳେ ପାକିସ୍ତାନ ଦ୍ୱିତୀୟ ଦିନିକିଆକୁ ୬ ୱିକେଟ୍ରେ ଜିତିଥିଲା।
#PakvsNZ #dubai #asif pic.twitter.com/C7mznrsERW
— Ramiz Ahmed Patel (@ramizrap1) November 11, 2018
from Odisha Reporter https://ift.tt/2zKKgZx
No comments:
Post a Comment