କାହିଁକି ବିଜେଡି ଖେଳିଲା ମହିଳା କାର୍ଡ ? - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, November 20, 2018

କାହିଁକି ବିଜେଡି ଖେଳିଲା ମହିଳା କାର୍ଡ ?

naveen

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦୀର୍ଘ ୧୯ବର୍ଷ ଧରି ରାଜ୍ୟରେ କ୍ଷମତାସୀନ ବିଜେଡି ସରକାର ବିରୁଦ୍ଧରେ ବିଭିନ୍ନ ପ୍ରସଙ୍ଗକୁ ନେଇ ଜନଆକ୍ରୋଶ ବଢ଼ିବାରେ ଲାଗିଛି। ସାଧାରଣ ନିର୍ବାଚନ ପୂର୍ବରୁ ଏକାଧିକ ଦୁର୍ନୀତି ଓ ଅନିୟମିତତା ପ୍ରସଙ୍ଗ ବିରୋଧୀ ଦଳ ହାତରେ ଲାଗିଥିବାବେଳେ ନିଜର ସ୍ଥିତି ରକ୍ଷା କରିବା ନିମନ୍ତେ ବିଜେଡି ଏବେ ‘ମହିଳା କାର୍ଡ’ ଖେଳିଛି। ମହିଳାଙ୍କୁ ଉଭୟ ବିଧାନସଭା ଓ ଲୋକସଭା ନିର୍ବାଚନରେ ୩୩ ପ୍ରତିଶତ ସଂରକ୍ଷଣ ଦାବି କରି ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୃହରେ ଆଜି ଏକ ପ୍ରସ୍ତାବ ଆଗତ କରିଛନ୍ତି। ଉକ୍ତ ପ୍ରସ୍ତାବକୁ ଗୃହୀତ କରିବାକୁ ଦାବି କରିଛନ୍ତି। ତେବେ ୨୦୧୦ ମସିହାରୁ ଏପର୍ଯ୍ୟନ୍ତ ଚୁପ୍ ବସିଥିବା ବିଜେଡି ଅଚାନକ ସାଧାରଣ ନିର୍ବାଚନରେ ମହିଳା ସଂରକ୍ଷଣକୁ କାହିଁକି ପ୍ରସଙ୍ଗ କରିବାକୁ ନିଷ୍ପତ୍ତି ନେଲା ତାକୁ ନେଇ ରାଜନୀତିକ ମହଲରେ ଚର୍ଚ୍ଚା।

ସୂତ୍ର ଅନୁସାରେ ଦୀର୍ଘ ୧୯ବର୍ଷ ଧରି କ୍ଷମତାରେ ଥିବା ବିଜେଡି ଏବେ ନିଜର ସ୍ଥିତିକୁ ଆକଳନ କରିବାକୁ ପ୍ରୟାସ କରୁଛି। କାରଣ ଦଳ ନିଜର ସ୍ଥିତିକୁ ନେଇ ସନ୍ଦିହାନ ହୋଇପଡ଼ିଛି। ବିଜେପି ଓ କଂଗ୍ରେସର କ୍ରମବର୍ଦ୍ଧିଷ୍ଣୁ ପ୍ରଭାବ ବିସ୍ତାର ଏବଂ ରାଜ୍ୟ ସରକାର ବିରୋଧରେ ନୂଆନୂଆ ଦୁର୍ନୀତି ଓ ଅନିୟମିତତା ମାମଲା ହିଁ ଏବେ ବିଜେଡି ନେତୃତ୍ୱଙ୍କୁ ଅଡ଼ୁଆରେ ପକାଇଛି।

ବିୟର ଫ୍ୟାକ୍ଟ୍ରି ନିର୍ମାଣ ପାଇଁ ହଜାରେ ଗଛ କାଟିବା, ନବକଳେବର ଦାରୁ ଫିକ୍ସିଂ, ମରୁଡ଼ି, ତିତଲି କ୍ଷତିଗ୍ରସ୍ତଙ୍କ ଥଇଥାନ, ଚାଷୀ ସମସ୍ୟା ଆଦି ବ୍ୟତୀତ ଚିଟଫଣ୍ଡ କ୍ଷତିଗ୍ରସ୍ତଙ୍କ ଅର୍ଥ ଫେରସ୍ତ ଏବଂ ପିସି କାରବାର ଆଦି ପ୍ରସଙ୍ଗଦଳ ପାଇଁ ଚିନ୍ତାର କାରଣ ପାଲଟିଛି। ତା’ଛଡ଼ା ବିଜେଡି ପାଇଁ ଭୋଟ୍ ବ୍ୟାଙ୍କ ପାଲଟିଥିବା ‘ମିଶନ ଶକ୍ତି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ’ରେ କାଳେ ଛିଦ୍ର ହୋଇଯିବ ସେହି ଭୟ ମଧ୍ୟ ଦଳକୁ ଏବେଠୁ ଘାରିବାରେ ଲାଗିଲାଣି।

ବିଜେପି ଏବେ ନିଜର ସାଂଗଠନିକ ସ୍ଥିତିକୁ ସୁଦୃଢ଼ କରିବା ପାଇଁ ତୃଣମୂଳସ୍ତରର ସଂଗଠନ ଉପରେ ଅଧିକ ଫୋକସ୍‌ କରୁଛି। ବିଜେଡି ପାଖରେ ନିଜର ସ୍ଥିତି ରକ୍ଷା କରିବା ପାଇଁ ନବୀନ ପଟ୍ଟନାୟକଙ୍କ ଭାବମୂର୍ତ୍ତି ଏକମାତ୍ର ଆୟୁଧ ହୋଇଥିବାବେଳେ, ତାହା ଏବେ ବିଭିନ୍ନ କାରଣରୁ ଧୂମିଳ ହେବାରେ ଲାଗିଲାଣି। ତେଣୁ ଆଗାମୀ ନିର୍ବାଚନରେ ପୁରୁଣା ପ୍ରସଙ୍ଗ ଯଥା-ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା, ମହାନଦୀ ଓ ପୋଲାଭରମ, କେନ୍ଦ୍ରୀୟ ଅବହେଳା, ତୈଳ ଦର ବୃଦ୍ଧି ଆଦିକୁ ଅସ୍ତ୍ର କରିବା ବିଜେଡି ପାଇଁ ଫାଇଦାଦାୟକ ହେବନି ବୋଲି ଦଳ ଅନୁଭବ କଲାଣି। କାରଣ ଏହି ସମସ୍ତ ପ୍ରସଙ୍ଗକୁ ଯୁକ୍ତିଯୁକ୍ତ ତଥ୍ୟଗତ ପ୍ରମାଣ ସହ ବିଜେପି ନିଷ୍ପଭ୍ର କରିଦେବ। ତେଣୁ ‘ନିର୍ବାଚନରେ ମହିଳାଙ୍କୁ ସଂରକ୍ଷଣ’ ଭଳି ଏକ ଜାତୀୟ ପ୍ରସଙ୍ଗକୁ ବିଧାନସଭାରେ ଉଠାଇ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଗୋଟିଏ ଗୁଳିରେ ଦୁଇଟି ଶିକାର କରିବାକୁ ଯୋଜନା କରିଛନ୍ତି।

ଅବଶ୍ୟ ମହିଳାଙ୍କ ପାଇଁ ୩୩% ସଂରକ୍ଷଣ ବ୍ୟବସ୍ଥା ଲାଗୁ ହେଲେ ବିଧାନସଭାରେ ଅତିକମ୍‌ରେ ୪୯ଜଣ ଓ ଲୋକସଭାକୁ ୭ଜଣ ମହିଳା ପ୍ରତିନିଧିତ୍ୱ କରିବା ବାଧ୍ୟତାମୂଳକ ହେବ।

ମହିଳା ସଂରକ୍ଷଣ କାର୍ଡ ଖେଳି ନବୀନ ସାଧାରଣ ନିର୍ବାଚନ ପୂର୍ବରୁ ଜାତୀୟ ରାଜନୀତିରେ ନିଜର ଏକ ସମଭାବାପନ୍ନ ଗୋଷ୍ଠୀ ପ୍ରସ୍ତୁତ କରିବାକୁ ରଣନୀତି ପ୍ରସ୍ତୁତ କରିଛନ୍ତି। ଯାହା ମାଧ୍ୟମରେ ସେ ବିଜେପିକୁ ଚେକ୍ ଦେବାରେ ସକ୍ଷମ ହେବେ ବୋଲି ଆଶା କରୁଥିବା ରାଜନୀତିକ ମହଲରେ ଚର୍ଚ୍ଚା ହେଉଛି।

ପ୍ରଥମତଃ ରାଜ୍ୟରେ ମହିଳା ଏସଏଚଜି ଓ ଅନ୍ୟ ମହିଳା ଭୋଟ ବ୍ୟାଙ୍କକୁ ଦଳ ସପକ୍ଷରେ ବାନ୍ଧି ରଖିବା ଏବଂ ଦ୍ୱିତୀୟତଃ ଚନ୍ଦ୍ରବାବୁ ନାଇଡୁଙ୍କ ନେତୃତ୍ୱରେ ଅଣବିଜେପି ଦଳଗୁଡ଼ିକର ନୂଆଦିଲ୍ଲୀରେ ହେବାକୁ ଥିବା ମାନସମନ୍ଥନରେ ସାମିଲ ନହୋଇ ବି ବିଜେପିକୁ ଅଡ଼ୁଆରେ ପକାଇବା ପାଇଁ ବିଜେଡି ଏଭଳି ରଣନୀତି ଆପଣାଇଥିବା କୁହାଯାଉଛି।

ସୂତ୍ର ଅନୁସାରେ, ରାଜ୍ୟର ଦକ୍ଷ ପ୍ରଶାସକ ଭାବେ କାର୍ଯ୍ୟ କରି ନିକଟରେ ଚାକିରିରୁ ଅବସର ନେଇଥିବା ଅପରାଜିତା ଷଡ଼ଙ୍ଗୀ ବିଜେପିରେ ସାମିଲ ହେବାର ସମ୍ଭାବନା ରହିଛି। ନିଜର ଚାକିରି କାଳ ଭିତରେ ମହିଳାଙ୍କୁ ସୁହାଇବା ଭଳି କେତେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇ ସେ ରାଜ୍ୟର ମହିଳାଙ୍କ ଭିତରେ ଏକ ଲୋକପ୍ରିୟ ଚେହେରା ହୋଇ ରହିଛନ୍ତି।ବିଜେପି ତାଙ୍କୁ ରାଜ୍ୟରେ ବିଜେଡିକୁ ମୁକାବିଲା କରିବା ପାଇଁ ଓହ୍ଲାଇଲେ ମହିଳା ଭୋଟ୍ ବ୍ୟାଙ୍କରେ ସେ ଛିଦ୍ର କରାଇବାରେ ସକ୍ଷମ ହେବେ ବୋଲି ବିଜେଡି ନେତୃତ୍ୱ ଆଶଙ୍କା କରୁଛନ୍ତି। ସେହିପରି ଚନ୍ଦ୍ରବାବୁ ନାଇଡୁ ଡାକିଥିବା ଅଣବିଜେପି ଦଳଗୁଡ଼ିକର ବୈଠକରେ ବିଜେଡି ଅନୁପସ୍ଥିତ ରହିଲେ ବିଜେପି ସହ ନବୀନ ପଟ୍ଟନାୟକଙ୍କ ଅଲିଖିତ ବୁଝାମଣା ରହିଥିବା ଚର୍ଚ୍ଚା ହେବ।

ଯଦିଓ ନାଇଡୁଙ୍କ ବୈଠକରେ ସାମିଲ ନହେବାର କାରଣ ଭାବେ ବିଜେଡି ଉଭୟ ବିଜେପି ଓ କଂଗ୍ରେସଠୁ ସମଦୂରତ୍ୱକୁ ଆଳ କରୁଛି ତଥାପି ରାଜ୍ୟରେ ବିଜେପି ଯେଉଁ ଢଙ୍ଗରେ ଏବେ କଡ଼ା ଟକ୍କର ଦେଉଛି ତାହା ବିଜେଡିକୁ ଚିନ୍ତାରେ ପକାଇଛି। ମହିଳା ସଂରକ୍ଷଣ କାର୍ଡ ଖେଳି ନବୀନ ସାଧାରଣ ନିର୍ବାଚନ ପୂର୍ବରୁ ଜାତୀୟ ରାଜନୀତିରେ ନିଜର ଏକ ସମଭାବାପନ୍ନ ଗୋଷ୍ଠୀ ପ୍ରସ୍ତୁତ କରିବାକୁ ରଣନୀତି ପ୍ରସ୍ତୁତ କରିଛନ୍ତି। ଯାହା ମାଧ୍ୟମରେ ସେ ବିଜେପିକୁ ଚେକ୍ ଦେବାରେ ସକ୍ଷମ ହେବେ ବୋଲି ଆଶା କରୁଥିବା ରାଜନୀତିକ ମହଲରେ ଚର୍ଚ୍ଚା ହେଉଛି।

ତେବେ ଆସନ୍ତା ବିଧାନସଭା ଓ ଲୋକସଭା ନିର୍ବାଚନ ପାଇଁ ଏକ ତୃତୀୟାଂଶ ସିଟରେ ମହିଳାଙ୍କୁ ଦଳୀୟ ଟିକେଟ ଦେଇ ନବୀନ ମହିଳାଙ୍କ ନିମନ୍ତେ ତାଙ୍କର ପ୍ରତିବଦ୍ଧତା ପ୍ରମାଣ କରିବାର ଦମ୍ ଦେଖାଇବେ ତ, ତାହା ହିଁ ସବୁଠାରୁ ବଡ଼ ପ୍ରଶ୍ନ।



from Odisha Reporter https://ift.tt/2FtDCwW

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages