
ନୂଆଦିଲ୍ଲୀ: ବୋଫର୍ସ ତୋପ ପରେ ଦୀର୍ଘ ୩ ଦଶନ୍ଧି ପରେ ଭାରତୀୟ ସେନା ପୁଣି ଦୁଇ ଶ୍ରେଣୀର ଅତ୍ୟାଧୁନିକ ଓ ଅତ୍ୟନ୍ତ ଶକ୍ତିଶାଳୀ କମାଣ ନିଜ ଅସ୍ତ୍ରାଗାରରେ ସାମିଲ କରିଛି। ମହାରାଷ୍ଟ୍ରରେ ଆଜି ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଜରିଆରେ ଭାରତୀୟ ସେନାରେ କେ-୯ ବଜ୍ର ସହ ଆମେରିକା ନିର୍ମିତ ଏମ୍ ୭୭୭ ହାଓୱିଜର କମାଣ ସାମିଲ କରିବାକୁ ସବୁଜ ସଙ୍କେତ ଦେଇଛନ୍ତି।
ଏହି ଦୁଇ ଅତ୍ୟାଧୁନିକ ତୋପ ଓ କମାଣ ଭାରତୀୟ ସେନାକୁ ମିଳିଛି। ଏହି ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ମିଳିବା ପରେ ଭାରତୀୟ ସେନାର ଶକ୍ତି ଅଧିକ ଶାଣିତ ହେବ। ପାକିସ୍ତାନ ଓ ଚୀନ୍ ସୀମାରେ ବଢ଼ୁଥିବା ଚ୍ୟାଲେଞ୍ଜ ଦୃଷ୍ଟିରୁ ଏଭଳି କମାଣର ଗୁରୁତ୍ୱ ଅଧିକ ରହିଛି।

୧୯୯୯ କାର୍ଗିଲ ଯୁଦ୍ଧ ସମୟରେ ଭାରତୀୟ ସେନା ପାଇଁ ଉଚ୍ଚ ପାହାଡ଼ ଉପରେ ଲୁଚି ରହିଥିବା ଶତ୍ରୁପକ୍ଷଙ୍କୁ ଆକ୍ରମଣ କରିବା କ୍ଷେତ୍ରରେ ଅନେକ ସମସ୍ୟା ଉପୁଜିଥିଲା। କିନ୍ତୁ ଏବେ ଏହି କେ-୯ ବଜ୍ର ଓ ଏମ-୭୭୭ ହାଓୱିଜର କମାଣ ଏଭଳି ସମସ୍ୟା ଦୂର କରିପାରିବ।
ଶହେଟି କେ-୯ ବଜ୍ର କିଣିବା ପାଇଁ ସମୁଦାୟ ୪,୩୬୬ କୋଟି ଟଙ୍କା ଖର୍ଚ୍ଚ ହେବ। ୨୦୨୦ ସୁଦ୍ଧା ଭାରତୀୟ ସେନା ପାଖରେ ଏହି ଅସ୍ତ୍ର ପର୍ଯ୍ୟାପ୍ତ ପରିମାଣରେ ଉପଲବ୍ଧ ହେବ। ପ୍ରଥମ ପର୍ଯ୍ୟାୟରେ ୧୦ଟି କେ-୯ ବଜ୍ର ଏହି ମାସ ସୁଦ୍ଧା ଭାରତୀୟ ସେନାରେ ସାମିଲ ହେବ। ସେହିପରି ଅନ୍ୟ ୪୦ଟି ଆସନ୍ତାବର୍ଷ ନଭେମ୍ବର ସୁଦ୍ଧା ଏବଂ ବାକି ୫୦ଟି କେ-୯ ବଜ୍ର ୨୦୨୦ ନଭେମ୍ବର ସୁଦ୍ଧା ଭାରତୀୟ ସେନା ପାଖରେ ପହଞ୍ଚିବ। ଏହାର ଲକ୍ଷ୍ୟଭେଦ କ୍ଷମତା ୨୮ରୁ ୩୮ କିମି। ୩୦ ସେକେଣ୍ଡରେ କେ-୯ ବଜ୍ର ୩ ରାଉଣ୍ଡ ତୋପ ମାଡ଼ କରିପାରିବ। ସେହିପରି ୩ ମିନିଟ୍ରେ ୧୫ ରାଉଣ୍ଡ ଏବଂ ୬୦ ମିନିଟ୍ରେ ୬୦ ରାଉଣ୍ଡ ତୋପ ବର୍ଷା କରିପାରିବ।

୧୪୫ଟି ଏମ୍-୭୭୭ ହାଓୱିଜର କମାଣ କିଣିବା ପାଇଁ ୨୦୧୬ରେ ଭାରତ ଆମେରିକା ସହ ଚୁକ୍ତି କରିଥିଲା। ଏଥିପାଇଁ ମୋଟ ୫,୦୭୦ କୋଟି ଟଙ୍କା ଖର୍ଚ୍ଚ ହେବ।ଏହି କମାଣର ଲକ୍ଷ୍ୟଭେଦ କ୍ଷମତା ହେଉଛି ୩୦ କିମି। ଏହାକୁ ହେଲିକପ୍ଟର କିମ୍ବା ସର୍ଭିସ ବିମାନରେ ଗୋଟିଏ ସ୍ଥାନରୁ ଆଉ ଗୋଟିଏ ସ୍ଥାନକୁ ନିଆଯାଇପାରିବ। ବର୍ତ୍ତମାନ ଏମ୍ ୭୭୭ କମାଣ ଅଷ୍ଟ୍ରେଲିଆ,କ୍ୟାନାଡା ଓ ସାଉଦି ଆରବରେ କାର୍ଯ୍ୟକ୍ଷମ ରହିଛି। ସେହିପରି ଆଫଗାନିସ୍ତାନରେ ମଧ୍ୟ ଏହାକୁ ମୁତୟନ କରାଯାଇଛି।

from Odisha Reporter https://ift.tt/2zEK3XV
No comments:
Post a Comment