ଛାଡ଼ଖାଇରେ ବୋଉ କୁକୁଡ଼ା ଝୋଳ କରିବ… - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, November 23, 2018

ଛାଡ଼ଖାଇରେ ବୋଉ କୁକୁଡ଼ା ଝୋଳ କରିବ…

ଭୁବନେଶ୍ୱର (ଜଗମୋହନ ମହାରଣା): ‘ତମେ ଯାଉନ ତମ ବାଟରେ, ମୋତେ କିଆଁ ଡୁଙ୍ଗୁଚ ? ମୋ ଫଟୋ କାଇଁ ଉଠଉଚ? ଟିକେ ଦେଖେଇଲ କେମିତି ଦେଖାଯାଉଚି? ମତେ ଆଗରୁ କହିଲନି, ମୁଁ ଭଲରେ ଛିଡ଼ା ହେଇଥାଆନ୍ତି?’ ସେ ଏମିତି କହିଲା।

ପ୍ରଥମେ କହି ରଖେ, ଆମେ କାହିଁକି ତା’ ଫଟୋ ଉଠାଇଲୁ ଓ ସେ କାହିଁକି ଆମ ଉପରେ ଚିହିଁକି ଉଠିଲା?

ଆଜି ହେଉଛି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା। ଏହି ଅବସରରେ ଓଡ଼ିଶାର ନୌବାଣିଜ୍ୟ ପରମ୍ପରାକୁ ମନେପକାଇ ରାଜ୍ୟ ସାରା ଲୋକେ ପୋଖରୀ, ନଦୀ ଓ ସମୁଦ୍ରରେ ଡଙ୍ଗା ଭସାଇ ଥାଆନ୍ତି। ଅନେକ ସ୍ଥାନରେ ବୋଇତ ବନ୍ଦାଣ ଉତ୍ସବ ମଧ୍ୟ ଅନୁଷ୍ଠିତ ହୋଇଥାଏ।

ରାଜଧାନୀ ଭୁବନେଶ୍ୱରର ଅନ୍ୟାନ୍ୟ ସ୍ଥାନ ସହିତ ଲିଙ୍ଗରାଜ ମନ୍ଦିର ପାଖ ବିନ୍ଦୁସାଗରରେ ମଧ୍ୟ ଆଜି ଲୋକେ ଡଙ୍ଗା ଭସାଇଛନ୍ତି। ଆଜିର ଦିନରେ ଆପଣ ବିନ୍ଦୁସାଗର କୂଳକୁ ଆସିଲେ ଦୁଇଟି ଦୃଶ୍ୟ ଦେଖିବେ। ଗୋଟିଏ ଦୃଶ୍ୟ ଆପଣଙ୍କୁ ଆତ୍ମସନ୍ତୋଷ ଦେବ ଓ ଅନ୍ୟ ଆପଣଙ୍କ ମନକୁ ଆନ୍ଦୋଳିତ କରିବ। ଗୋଟିଏ ଦୃଶ୍ୟ ହେଉଛି ଲୋକେ ରକମ ରକମର ଡଙ୍ଗା ଭସାଉଥିବେ ଓ ଅନ୍ୟଟି ହେଉଛି ସାତ, ଆଠ ବର୍ଷରୁ ଆରମ୍ଭ କରି ବାର, ତେର ବର୍ଷର କିଛି ପିଲା ଉକ୍ତ ଡଙ୍ଗାଗୁଡ଼ିକରୁ ପଇସା ସଂଗ୍ରହ କରୁଥିବେ।

ଲୋକେ ଡଙ୍ଗାରେ ଧୂପ,ଦୀପ,ପାନପତ୍ର,ଗୁଆ ଆଦି ସହ ଟଙ୍କିକିଆ ଅବା ଦୁଇ ଟଙ୍କିଆ କଏନ୍ ବି ରଖି ଥାଆନ୍ତି। ସେହି ପଇସାକୁ ସେଇ ପିଲାମାନେ ସଂଗ୍ରହ କରନ୍ତି।

ଆମ ଉପରେ ଚିହିଁକି ଉଠିଥିବା ପିଲାଟି ବି ଏଇ କାମ କରୁଥିଲା। ସେ ବିନ୍ଦୁସାଗରରେ ପାଣିରେ ବୁଲି ବୁଲି ଡଙ୍ଗାଗୁଡ଼ିକରୁ ପଇସା ସଂଗ୍ରହ କରୁଥିଲା। ଆମେ ତାକୁ ନ ପଚାରି ତା’ ଫଟୋଟି ଉଠାଇ ଦେଲୁ। ତେଣୁ ସେ ରାଗିଗଲା।

ଏ ଦୃଶ୍ୟ କେବଳ ଏ ବର୍ଷର ନୁହେଁ। ସବୁ ବର୍ଷ ଏହା ଦେଖିବାକୁ ମିଳେ। ଲୋକେ ଡଙ୍ଗା ଭସାଇବା ଆରମ୍ଭ କଲା ବେଳୁ ଏମାନେ ଆସି କୂଳରେ ହାଜର ହୋଇଯାଆନ୍ତି ଓ ତାଙ୍କ କାମରେ ଲାଗିପଡ଼ନ୍ତି। ବିନ୍ଦୁସାଗର ପାଖ ବସ୍ତିରେ ରହୁଥିବା ଏହି ପିଲାମାନଙ୍କର ଡଙ୍ଗାରୁ ପଇସା ସଂଗ୍ରହ କରିବାର ଉପାୟଟି ମଧ୍ୟ ଭାରି ନିଆରା। ଏକ ସୂତାରେ ଚୁମ୍ବକଟିଏ ବାନ୍ଧି ଦେଇ ଥାଆନ୍ତି। ସେଇଟିକୁ ପ୍ରତି ଡଙ୍ଗାରେ ଥୋଇ ଦେଲେ ପଇସା ସେଥିରେ ଲାଗିଯାଏ। ଏମିତିକି ସେମାନେ ଚୁମ୍ବକଟିକୁ ପାଣି ଭିତରକୁ ବି ଛାଡ଼ି ଦିଅନ୍ତି। ଏହାଦ୍ୱାରା ସେମାନେ ଡଙ୍ଗାରୁ ପାଣିରେ ପଡ଼ିଯାଇଥିବା ପଇସାକୁ ବି ସଂଗ୍ରହ କରନ୍ତି।

ଆଜି ଏମିତି ପଇସା ସଂଗ୍ରହ କରୁଥିବା ଜଣେ ପିଲାକୁ ଆମେ ପଚାରିଲୁ, “କେତେ ପଇସା ମିଳେ?”

ପଇସା ସଂଗ୍ରହ ପାଇଁ ପାଣିରୁ ନଜର ହଟୁ ନଥିବା ସେଇ ପିଲାଟି କହିଲା,“ଏବେ କିଛି କୁହାକୁହି ନାହିଁ। ଆମେ ଯେତେ ପଇସା ଛାଣିଲେ ତୁମର କ’ଣ ଗଲା? ସଞ୍ଜକୁ ଗଣା ହେବ। ଦେଢ଼ଶହ ହେଲେ ବି ଚଳିବ। କାଲି ଛାଡ଼ ଖାଇ। ବୋଉ କହିଛି କୁକୁଡ଼ା ଝୋଳ କରିବ।”

ଆଉ ଜଣେ ପିଲାକୁ ପଚାରିବାରୁ କହିଲା,“ଆଜି ଆମେ ଟବ୍ ଟବ୍ ପଇସା ଛାଣିବୁ।”

ତାଙ୍କ ଭିତରୁ ଜଣେ ଆମ ପାଖକୁ ଆସି କାନରେ କହିଲା, “ଯଦି କାହାକୁ କହିବନି, ତା’ହେଲେ ଗୋଟେ କଥା କହିବି। ଚାଖଣା ଖାଇବି, ବିୟର ପିଇବି।” ତା’ କଥା ଶୁଣି ଆମେ ଆଶ୍ଚର୍ଯ୍ୟ ହୋଇଗଲୁ।

ପ୍ରତିବର୍ଷ ଏଇ କାର୍ତ୍ତିକ ପୂର୍ଣ୍ଣିମାରେ ରାଜଧାନୀର ହଜାର ହଜାର ଶ୍ରଦ୍ଧାଳୁ ଭକ୍ତିଭାବ ନେଇ ଭୋରରୁ ଡଙ୍ଗା ଭସାଇବାକୁ ଆସୁଥିବା ବେଳେ ସେମାନଙ୍କ ଡଙ୍ଗାରେ ଥିବା କଏନ୍ ଆକର୍ଷିତ କରିଥାଏ ଏଇ ପିଲାମାନଙ୍କୁ। ଅଭାବ ଏହାର କାରଣ। ଏ ଦୃଶ୍ୟ ଆମକୁ ଏହା ଭାବିବାକୁ ବାଧ୍ୟ କରେ ଯେ, ହୁଏତ ଅଭାବ ନ ଥିଲେ, ସେମାନେ ବି ତାଙ୍କରି ବୟସର ଅନ୍ୟ ପିଲାମାନଙ୍କ ଭଳି ବାପାମା’ ଓ ଅନ୍ୟ ପରିବାର ଲୋକଙ୍କ ସହ ବିନ୍ଦୁସାଗର କୂଳକୁ ଆସି ଡଙ୍ଗା ଭସାଇ ଥାଆନ୍ତେ ଏବଂ ଫଟୋ ଉଠାଇ ସାଙ୍ଗମାନଙ୍କୁ ଦେଖାଇ ଥାଆନ୍ତେ। ତାଙ୍କର ଫଟୋ ଆମେ ଉଠାଇଲେ ଚିହିଁକିଲା ଭଳି ପରିସ୍ଥିତି ହିଁ ନଥାଆନ୍ତା।



from Odisha Reporter https://ift.tt/2DSWIeu

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages