ରାଜ୍ୟର ବିକାଶ ନା ବିନାଶ: ସୁଧ ଗଣିବାରେ ବର୍ଷକୁ ଯାଉଛି ୫ ହଜାର କୋଟି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, November 20, 2018

ରାଜ୍ୟର ବିକାଶ ନା ବିନାଶ: ସୁଧ ଗଣିବାରେ ବର୍ଷକୁ ଯାଉଛି ୫ ହଜାର କୋଟି

ଭୁବନେଶ୍ୱର (ପ୍ରକାଶ ସେଠୀ): ବଢ଼ି ଚାଲିଥିବା ଋଣବୋଝ ରାଜ୍ୟ ପାଇଁ ଗଭୀର ଚିନ୍ତା ଓ ଉଦବେଗର କାରଣ ପାଲଟିଛି। ମୂଳ କଥା ଛାଡ଼ନ୍ତୁ, କେବଳ ସୁଧ ଗଣିବାରେ ଯାଉଛି ବର୍ଷକୁ ୫ ହଜାର କୋଟି ଟଙ୍କା। ଚଳିତ ଆର୍ଥିକ ବର୍ଷ ଶେଷସୁଦ୍ଧା ରାଜ୍ୟର ଋଣ ଭାର ୯୧,୯୪୩.୬୮ କୋଟି ଅର୍ଥାତ ପ୍ରାୟ ୯୨ ହଜାର କୋଟି ଟଙ୍କା ଛୁଇଁବ। ୨୦୧୦-୧୧ରେ ରାଜ୍ୟର ଋଣବୋଝ ୩୯,୧୩୭ କୋଟି ଟଙ୍କା ଥିବାବେଳେ ମାତ୍ର ୮ ବର୍ଷ ମଧ୍ୟରେ ଏହା ଅଢ଼େଇ ଗୁଣ ବୃଦ୍ଧି ପାଇସାରିଲାଣି।

ଅର୍ଥମନ୍ତ୍ରୀ ଶଶୀଭୂଷଣ ବେହେରା ବିଧାନସଭାରେ ଦେଇଥିବା ଏକ ପ୍ରଶ୍ନର ଉତ୍ତରରେ କହିଛନ୍ତି ଯେ, ୨୦୦୬-୦୭ ମସିହାରେ ରାଜ୍ୟ ସରକାର ୩୧୮୮.୪୩ କୋଟି ଟଙ୍କା, ୨୦୧୦-୧୧ରେ ୩୦୪୩.୧୭ କୋଟି ଟଙ୍କା ଓ ୨୦୧୭-୧୮ରେ ୪୯୮୮.୩୪ କୋଟି ଟଙ୍କା କେବଳ ସୁଧ ବାବଦରେ ପ୍ରଦାନ କରିଛନ୍ତି। ଚଳିତ ଆର୍ଥିକ ବର୍ଷର ପ୍ରଥମ ୬ ମାସ ଅର୍ଥାତ ସେପ୍ଟେମ୍ବର ମାସ ମଧ୍ୟରେ ୧୭୮୯.୦୮ କୋଟି ଟଙ୍କା ସୁଧ ବାବଦରେ ଦେଇଛନ୍ତି। ରାଜ୍ୟ ସରକାରଙ୍କ ଉପରେ ୨୦୧୭-୧୮ ମସିହାରେ ଋଣବୋଝ ୭୩,୮୬୪.୬୬ କୋଟି ଟଙ୍କା ଥିବାବେଳେ ଚଳିତ ଆର୍ଥିକ ବର୍ଷ ଶେଷସୁଦ୍ଧା ଏହା ୯୧,୯୪୩.୬୮ କୋଟି ଟଙ୍କାକୁ ଛୁଇଁବ।

ରାଜ୍ୟ ସରକାର ପ୍ରତିବର୍ଷ କେବଳ ସୁଧ ଗଣିବାରେ ଖର୍ଚ୍ଚ କରୁଥିବା ପ୍ରାୟ ୫ ହଜାର କୋଟି ଟଙ୍କାକୁ ନେଇ କ’ଣ କ’ଣ କରାଯାଇ ପାରନ୍ତା, ତାହା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ।

@ କେବଳ ବର୍ଷକ ଭିତରେ ରାଜ୍ୟର ୪.୧୯ ଲକ୍ଷ ପରିବାର ପାଇଁ ପକ୍କାଘର ନିର୍ମାଣ ହୋଇପାରନ୍ତା।
@ ସରକାରୀ ହିସାବରେ ଥିବା ୪୮.୬୬ ଲକ୍ଷ ଚାଷୀଙ୍କୁ ବର୍ଷକୁ ୧୦ ହଜାର ଟଙ୍କା ଲେଖାଏ ପେନସନ୍ ଦେଇହୁଅନ୍ତା।
@ ରାଜ୍ୟର ସମସ୍ତଙ୍କୁ ମାଗଣା ଚିକିତ୍ସା ସୁବିଧା ପାଇଁ ଉଦ୍ଦିଷ୍ଟ ‘ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା’ ଭଳି ୫ଟି ନୂଆ ଯୋଜନା କାର୍ଯ୍ୟକାରୀ ହୋଇପାରନ୍ତା।
@ ଅତି କମ୍‌ରେ ୧ ଲକ୍ଷ ଯୁବକଯୁବତୀଙ୍କୁ ବାର୍ଷିକ ୫ ଲକ୍ଷ ଟଙ୍କା ଲେଖାଏ ସବ୍‌ସିଡି ଦେଇ ସେମାନଙ୍କୁ ରୋଜଗାରକ୍ଷମ କରାଯାଇପାରନ୍ତା।

ପ୍ରାଇସ୍, ପେନସନ୍‌ ଓ ପ୍ରେଷ୍ଟିଜ୍ ଦାବିରେ ରାଜରାସ୍ତାକୁ ଓହ୍ଲାଇଥିବା ରାଜ୍ୟର ଗରିବ ଚାଷୀଙ୍କ କଲ୍ୟାଣ ପାଇଁ ସରକାର ଅନେକ ପଦକ୍ଷେପ ନେଇପାରନ୍ତେ। ରାଜ୍ୟ ସରକାରଙ୍କ ଆକଳନ ଅନୁସାରେ ଓଡ଼ିଶାରେ ଚାଷୀ ସଂଖ୍ୟା ୪୮,୬୫,୮୫୦। ତେଣୁ ଏହି ଅର୍ଥରେ ପ୍ରତ୍ୟେକ ଚାଷୀଙ୍କୁ ବାର୍ଷିକ ପ୍ରାୟ ୧୦ ହଜାର ଟଙ୍କା ପେନସନ୍‌ ଦେବାରେ ସମସ୍ୟା ହୁଅନ୍ତା ନାହିିଁ। ସେମାନଙ୍କର ଉତ୍ପାଦିତ ସାମଗ୍ରୀ ଉପରେ ବୋନସ୍‌ ମଧ୍ୟ ପ୍ରଦାନ କରାଯାଇ ପାରନ୍ତା।

ସେହିଭଳି ରାଜ୍ୟରେ ୧ ଲକ୍ଷ ୩୧ ହଜାର ୫୧୮ଟି ସରକାରୀ ପଦବୀ ଖାଲି ପଡ଼ିଛି। ରାଜ୍ୟରେ ୧୮ ଲକ୍ଷରୁ ଅଧିକ ପଞ୍ଜିକୃତ ବେକାରୀ ଅଛନ୍ତି। କେବଳ ସୁଧ ଦେୟ ଅର୍ଥରେ ପ୍ରତିବର୍ଷ ୧ ଲକ୍ଷ ବେକାର ଯୁବକଯୁବତୀଙ୍କୁ ବାର୍ଷିକ ୫ ଲକ୍ଷ ଟଙ୍କାର ସବ୍‌ସିଡି ପ୍ରଦାନ କରି ସେମାନଙ୍କୁ କର୍ମସଂସ୍ଥାନ ଯୋଗାଇ ଦିଆଯାଇ ପାରନ୍ତା କିମ୍ଵା ସେମାନେ ଆର୍ଥିକ ଦୃଷ୍ଟିରୁ ସ୍ୱାବଲମ୍ବୀ ହୋଇପାରନ୍ତେ।

ସେହିପରି ରାଜ୍ୟରେ ଛାତଘର ନଥିବା ପ୍ରାୟ ୨୭ ଲକ୍ଷ ପରିବାର ମଧ୍ୟରୁ ପ୍ରାୟ ୪.୧୯ ଲକ୍ଷ ପରିବାରକୁ ୧ ଲକ୍ଷ ୨୦ ହଜାର ଟଙ୍କା ଲେଖାଏ ପ୍ରଦାନ (ମୋଟ ପ୍ରାୟ ୫ ହଜାର କୋଟି) କରି ସେମାନଙ୍କ ମୁଣ୍ଡ ଉପରେ ଛାତଘର ସୁନିଶ୍ଚିତ କରାଯାଇ ପାରନ୍ତା।

ସେହିପରି ରାଜ୍ୟର ସାଢ଼େ ୪ କୋଟି ଲୋକଙ୍କୁ ମାଗଣା ଚିକିତ୍ସା ସୁବିଧା ପାଇଁ ନିଜସ୍ୱ ମହତ୍ୱାକାଂକ୍ଷୀ ଯୋଜନା ‘ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ’ ପାଇଁ ସରକାର ବାର୍ଷିକ ୧୦୦୩.୫୨ କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ଯଦି କେବଳ ସୁଧ ଅର୍ଥ (୫ ହଜାର କୋଟି ଟଙ୍କା)କୁ ସଂଚୟ କରାଯାଇ ଥା’ନ୍ତା ତା’ହେଲେ ଏଭଳି ୫ଟି ମେଗା ଯୋଜନାକୁ କାର୍ଯ୍ୟକାରୀ କରିହୁଅନ୍ତା।

ଏସବୁ ସମ୍ଭବପର ହୋଇପାରନ୍ତା ଯଦି ରାଜ୍ୟର ନବୀନ ପଟ୍ଟନାୟକ ନେତୃତ୍ୱାଧୀନ ସରକାର ରାଜ୍ୟକୁ ଅଧିକ ଋଣ ଯନ୍ତା ଭିତରକୁ ନଠେଲି ବାସ୍ତବବାଦୀ ପଦକ୍ଷେପ ନେଉଥାନ୍ତେ। କିନ୍ତୁ ‘ଋଣ କରି ଘିଅ ପିଇବା’ ନ୍ୟାୟରେ ବିଶ୍ୱକପ୍ ହକି ଆୟୋଜନ କରିବା ସାଙ୍ଗକୁ ଉଭୟ ମହିଳା ଓ ପୁରୁଷ ହକି ଟିମର ପ୍ରାୟୋଜକ ସାଜିଛନ୍ତି। ଏହାର ଆୟୋଜନ, ଭିତ୍ତିଭୂମି ବିକାଶ, ବିଜ୍ଞାପନ ଆଦି ବାବଦକୁ ପ୍ରାୟ ୧୫୦୦ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ସେହିପରି ମେକ୍ ଇନ୍ ଓଡ଼ିଶା ଅଭିଯାନ ନାଁରେ ଦୁଇ ବର୍ଷରେ ପ୍ରାୟ ୧୦୦କୋଟି ଟଙ୍କା ଏବଂ ଦେଶବିଦେଶରେ ସରକାରର ଭାବମୂର୍ତ୍ତି ବଢାଇବା ପାଇଁ ପ୍ରାୟ ହଜାରେ କୋଟି ଟଙ୍କା ଖର୍ଚ୍ଚ କରିଥିବା ଆତ୍ମପ୍ରଚାର ପ୍ରିୟ ରାଜ୍ୟ ସରକାରଙ୍କୁ କିଏ ବା ସଦବୁଦ୍ଧି ଦେବ?

ଆପେ ବଞ୍ଚିଲେ ବାପର ନାଁ ନ୍ୟାୟରେ ନିଜର ସଂକୀର୍ଣ୍ଣ ରାଜନୀତିକ ସ୍ଵାର୍ଥସାଧନ ନିମନ୍ତେ ରାଜକୋଷର ଏଭଳି ଅପବ୍ୟବହାରର ସାଙ୍ଘାତିକ ଫଳ ଭୋଗିବେ ରାଜ୍ୟବାସୀ ଓ ପରବର୍ତ୍ତୀ ସମୟରେ ରାଜ୍ୟ ଶାସନ ଭାର ଦାୟିତ୍ଵ ନେଉଥିବା ସରକାରମାନେ। ସେତେବେଳକୁ ନେଡ଼ିଗୁଡ଼ କହୁଣିକୁ ବୋହି ଯାଇଥିବ, ଆଉ ରାଜ୍ୟର ଆର୍ଥିକ ମେରୁଦଣ୍ଡ ମଝିରୁ ଭାଙ୍ଗି ଯାଇଥିବ।  

 



from Odisha Reporter https://ift.tt/2S4rOTk

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages