
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) : ଇନିଷ୍ଟିଚ୍ୟୁଟ୍ ଅଫ୍ ମିଡିଆ ଷ୍ଟଡିଜ୍, ଉତ୍କଳ ବିଶ୍ୱବିଦ୍ୟାଳୟ ଏବଂ ସୂଚନା ଓ ଲୋକସଂପର୍କ ବିଭାଗ, ଓଡିଶା ଦ୍ୱାରା ଆୟୋଜିତ ତିନି ଦିନିଆ ଦ୍ୱିତୀୟ ଜାତୀୟ ଗଣମାଧ୍ୟମ ସମ୍ମିଳନୀ ଆଜି କିଟ୍ ବିଶ୍ୱବିଦ୍ୟାଳୟ ପରିସରରେ ଉଦଯାପିତ ହୋଇଯାଇଛି।
ଅନ୍ତିମ ଦିବସର ପ୍ରଥମ ପର୍ଯ୍ୟାୟରେ “ଇଲେକ୍ଟୋରାଲ ପଲିଟିକ୍ସ (୧୯୪୭ – ୨୦୧୮)” ବିଷୟବସ୍ତୁ ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ତ୍ରିପୁରା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଭି.ଏଲ. ଦାରୁରକର ସଭାପତିତ୍ୱ କରିଥିଲେ। ଲୋକସଭା ବାଚସ୍ପତିଙ୍କ ଉପଦେଷ୍ଟା ତଥା ବିଶିଷ୍ଟ ସାମ୍ବାଦିକ ରାହୁଲ୍ ଦେବ, ନୂଆଦିଲ୍ଲୀ ଏସିଆ ଟାଇମ୍ସର ସମ୍ପାଦକ ସୈକତ ଦତ୍ତ, ପ୍ରସାର ଭାରତୀ ନୂଆଦିଲ୍ଲୀର ଅଧ୍ୟକ୍ଷ ଡଃ ଏ. ସୂର୍ଯ୍ୟପ୍ରକାଶ ପ୍ରମୁଖ ସୁସ୍ଥ ଗଣତନ୍ତ୍ର ପାଇଁ ସ୍ୱଚ୍ଛ ନିର୍ବାଚନର ଭୂମିକା ସଂପର୍କରେ ବିସ୍ତୃତ ଆଲୋଚନା କରିଥିଲେ।
ଉଦଯାପନୀ ସମାରୋହରେ ରେଭେନ୍ସା ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଇଶାନ ପାତ୍ର ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଗଣମାଧ୍ୟମର ବିଭିନ୍ନ ଦିଗ ସମ୍ପର୍କରେ ଆଲୋକପାତ କରିଥିଲେ। ସୋଶାଲ ମିଡିଆର ଉଭୟ ସକରାତ୍ମକ ଓ ନକରାତ୍ମକ ଦିଗ ରହିଛି ବୋଲି ସେ ମତ ଦେଇଥିଲେ। ସମ୍ମାନିତ ଅତିଥିଭାବେ ଯୋଗ ଦେଇ ପ୍ରଫେସର ଭି.ଏଲ୍. ଦାରୁରକର କହିଥିଲେ ଯେ ଯୋଗାଯୋଗ କ୍ଷେତ୍ରରେ ଏକ ନୂତନ ଚିନ୍ତାଧାରା, ଏକ ନୂତନ ଦୃଷ୍ଟିଭଙ୍ଗୀ ସନ୍ଧାନ କରିବାର ଆବଶ୍ୟକତା ରହିଛି। ପୌରାଣିକ ସମୟର ଯୋଗାଯୋଗ ମାଧ୍ୟମରୁ ଅନେକ କିଛି ଶିକ୍ଷାକରିବାର ଅଛି ବୋଲି ସେ ମତ ଦେଇଥିଲେ।
ଅନ୍ୟ ଅତିଥିମାନଙ୍କ ମଧ୍ୟରେ ହାଇଦ୍ରାବାଦ କେନ୍ଦୀୟ ବିଶ୍ୱବିଦ୍ୟାଳୟର ପ୍ରାକ୍ତନ କୁଳପତି ପ୍ରଫେସର ବି.ପି. ସଞ୍ଜୟ, ମହୀଶୂର ବିଶ୍ୱବିଦ୍ୟାଳୟର ସାମ୍ବାଦିକତା ଓ ଗଣଯୋଗାଯୋଗ ମୁଖ୍ୟ ପ୍ରଫେସର ଏନ୍.ଉଷାରାଣୀ, ଆଇଆଇଏମସି ଯୋଗାଯୋଗ ବିଭାଗର ମୁଖ୍ୟ ପ୍ରଫେସର ଗୀତା ବାମେଜାଇ ପ୍ରମୁଖ ସେମାନଙ୍କ ବହୁମୁଲ୍ୟ ମତବ୍ୟକ୍ତ କରିଥିଲେ।
ସମ୍ମିଳନୀ ଶେଷରେ ଆୟୋଜକ ଇନିଷ୍ଟିଚ୍ୟୁଟ୍ ଅଫ୍ ମିଡିଆ ଷ୍ଟଡିଜର ନିର୍ଦ୍ଦେଶକ ପ୍ରଫେସର ଉପେନ୍ଦ୍ର ପାଢ଼ୀ କାର୍ଯ୍ୟକ୍ରମର ସଫଳ ରୂପାୟନ ନିମିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ସନ୍ଦର୍ଭ ପାଠ କରିଥିବା ଗବେଷକ ଓ ଅନ୍ୟ ଅତିଥିମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।
from Odisha Reporter https://ift.tt/2DRx2Pp
No comments:
Post a Comment